“ଯେତେବେଳେ ମୁଁ ଛୋଟ ଥିଲି ଆମେ କେବେ ଭାବି ନଥିଲୁ ଯେ ଆମ କାମ ଦିନେ ବନ୍ଦ ହେଇଯିବ”
ତେବେ ରାଧା ଦେବୀଙ୍କ ଘର ସଙ୍ଗାରେ ପରିତ୍ୟକ୍ତ ଭାବେ ଧୂଳି ଧୂସରିତ ହୋଇ ପଡ଼ି ରହିଥିବା ଉପକରଣଗୁଡ଼ିକ ଭିନ୍ନ ଏକ କାହାଣୀ ବଖାଣନ୍ତି। ଦଶନ୍ଧି ଦଶନ୍ଧି ଧରି ତାଙ୍କ ସହିତ ରହିଥିବା ସୂତାକଟା ଚରଖା ଓ ପୁରୁଣା କାଠ ଭରଣି ଯେଉଁଥିରେ ସେ ରଙ୍ଗ କରାଯାଉ ନଥିବା ପ୍ରାକୃତିକ ଉଲରେ କମଳ ବୁଣୁଥିଲେ, ଏବେ ସେଗୁଡ଼ିକ ନୀରବରେ ପଡ଼ି ରହିଛନ୍ତି।
“ସୂତା ବନାୱତକେ କଲା ହମାର ହାଥ ସେ ଛୁଟତ ଯାତା [ସୂତା ବନେଇବାର କଳା (ଦକ୍ଷତା) ମୋ ହାତରୁ ହଜି ଯାଉଛି]”, କହନ୍ତି ଏହି ଭୋଜପୁରର ସୂତା କଟାଳି ଓ ବୁଣାକାର। “ସେଇଟା [୨୦୧୬ରେ] ବୁଣିବା ପରେ ମୁଁ ଆଉ କମଳ ବୁଣିନାହିଁ ]”, ଯେଉଁଟିକୁ ଦେଖାଇ ସେ କହୁଛନ୍ତି ତାହା ଗୋଟିଏ ବାଦାମି ରଙ୍ଗର ବୁଣା ଯାଇଥିବା ମୋଟା କମଳ, ଯେଉଁଥିରେ ଚଉଡ଼ା ପଟେ ଗୋଟିଏ ପଟୁ ଆର ପଟାକୁ ଗାର ରହିଛି।
“ମୁଁ ଛୋଟ ବେଳୁ ମାଇ [ମା’], ଚାଚି [ଖୁଡ଼ି] ଓ ଦାଦି [ଜେଜେ ମା’]ମାନଙ୍କ ସହିତ ମିଶି ବୁଣି ଆସୁଛି”, ଯୋଗ କରି କହନ୍ତି ଏହି ବର୍ଷୀୟାନ ବୁଣାକାର ଯିଏ ନିଜର ପ୍ରକୃତ ବୟସ ମନେ ରଖି ନାହାନ୍ତି, କିନ୍ତୁ ସେ ଏତକ ଆପଣଙ୍କୁ କହି ପାରନ୍ତି, “ମୁଁ ଇନ୍ଦିରା ଗାନ୍ଧୀଙ୍କ ସମୟ ଦେଖିଛି”!
ଗଡ଼ହାନି ବ୍ଲକ ଅନ୍ତର୍ଗତ ଭିନରାରୀ ଗାଁର ଗଳି ଉପଗଳିରେ ମେଣ୍ଢାଲୋମ ଉଲ୍ର ଥିଲା ଏକ ନିଜସ୍ୱ ଗତିଶୀଳତା। ଶୀତକାଳୀନ ବଜାରରେ ପାଳ କାରିଗରମାନଙ୍କ ହାତବୁଣା କମଳ ହାତକୁ ହାତ ବୁଲୁଥିଲା, ସେଗୁଡ଼ିକର ଖଦଡ଼ିଆ ତନ୍ତୁ ଲୋକମାନଙ୍କୁ ସୁଦୀର୍ଘ ଥଣ୍ଡା ରାତିଗୁଡ଼ିକରେ ଉଷ୍ମ ରଖୁଥିଲା। ଆଜି ସେହି ବଜାରଗୁଡ଼ିକ ନୀରବି ଯାଇଛି, ଏବଂ ଗାଁର ସେହି ଗୋଷ୍ଠୀର ଲୋକମାନଙ୍କ ଭିତରୁ ରାଧା ଦେବୀ ହେଉଛନ୍ତି ସେଭଳି କମଳ ବୁଣୁଥିବା ଶେଷ ଲୋକ।
“ଏହି ଜାତ ବା ହମାର [ଏହା ହେଉଛି ଆମ ଜାତି]”, କହନ୍ତି ରାଧା ଦେବୀ। “ଆରମ୍ଭରୁ ଆମେ ଏହାକୁ ହିଁ କରୁଛୁ”।
ସବୁଜିଆ ଓ ଗୋଲାପି ରଙ୍ଗର ଶାଢ଼ି ପିନ୍ଧି ଖରାରେ ଉଷୁମ ରହିଥିବା ତାଙ୍କ ନିଜ ଘରର କାନ୍ଥକୁ ଆଉଜି ଠିଆ ହେଇଥିବା ରାଧା ଦେବୀ ତାଙ୍କୁ ଆଠ ନ’ ବୟସ ହେବାବେଳୁ ସେ କିପରି ବୁଣିବା ଆରମ୍ଭ କଲେ ତାହା ମନେ ପକାଉଛନ୍ତି। ସେ କେବେ ବି ସ୍କୁଲ ଯାଇ ନଥିଲେ ଓ ଏହି କାରୁକଳା ସେ ତାଙ୍କ ମା’ଙ୍କଠାରୁ ଶିଖିଥିଲେ। ତାଙ୍କ ବାପା ଓ ଜେଜେବାପା ଶହେରୁ ଅଧିକ ମେଣ୍ଢା ରଖିଥିଲେ। ଚିରାଚରିତ ଭାବେ ପରିବାରର ସ୍ତ୍ରୀ ଲୋକମାନେ ଉଲ୍ରୁ କମଳ ଓ ସ୍ଵେଟର ବୁଣୁଥିଲେ, ଯେତେବେଳେ କି ପୁରୁଷ ଲୋକମାନେ ସେଗୁଡ଼ିକୁ ଆଖପାଖ ଗାଁରେ, ନତୁବା ଅନ୍ୟ ଜିଲ୍ଲାଗୁଡ଼ିକରେ ଯାଇ ବିକ୍ରି କରୁଥିଲେ। ସେ ତାଙ୍କ ବିବାହ ପରେ ସେହି ସମାନ ଧାରା ଦେଖିଲେ – ତାଙ୍କ ସ୍ୱାମୀ ଓ ଶ୍ୱଶୁର ମେଣ୍ଢା ରଖିଥିଲେ, ଓ ତାଙ୍କ ଶାଶୁ କମଳ ବୁଣୁଥିଲେ।












