୫୪ ବର୍ଷ ବୟସରେ ଉପନୀତ କିରଣ ଗାହାଲାଙ୍କ ପରି ଅନ୍ୟ ଅନେକ ଆଦିବାସୀ ଚାଷୀଙ୍କର ଅନୁଭବ ଊଣା ଅଧିକେ ସମାନ ।
ଜାନୁଆରୀ ୧୯ ତାରିଖ, ୨୦୨୬ ସେ ଏକ ନାଲି ଟି ସାର୍ଟ ଓ ଗାମୁଛା ପିନ୍ଧି ପାଲଘର ଜିଲ୍ଲାରେ ଥିବା ଡୋଲହାରି ବୁଦ୍ରୁକ ଗ୍ରାମସ୍ଥିତ ତାଙ୍କ ଛୋଟିଆ ଘରୁ ବାହାରିଲେ । ଅନ୍ୟ ଅନେକ ଆଦିବାସୀ ଚାଷୀଙ୍କ ସହିତ ତାଙ୍କୁ ଅପେକ୍ଷା କରିଥିବା ଟେମ୍ପୋ ଟ୍ରକରେ ବସି ସାରୁଟି ଗ୍ରାମ ଅଭିମୁଖେ ଚାଲିଲେ । ଏହା ଥିଲା ସର୍ବଭାରତୀୟ କୃଷକ ସଭା ମହାରାଷ୍ଟ୍ର ଦ୍ୱାରା ଆୟୋଜିତ ଅନ୍ୟ ଏକ ବିଶାଳ ପଦଯାତ୍ରାର ଆରମ୍ଭ ବିନ୍ଦୁ ।
ହଜାର ହଜାର ଚାଷୀ ବୋଧହୁଏ ୫୦,୦୦୦ କିମ୍ବା ଅଧିକ ସଂଖ୍ୟାରେ ବା ଏଆକେଏସ୍ ଓ ଗଣମାଧ୍ୟମର ଆକଳନ ଅନୁଯାୟୀ ତାହାଠାରୁ ଅଧିକ ଚାଷୀ ଏକତ୍ରିତ ହୋଇଥିଲେ । ସେମାନେ ମୁଖ୍ୟତଃ ପାଲଘର ଜିଲ୍ଲାର ଆଦିବାସୀ ସମ୍ପ୍ରଦାୟର ଅଟନ୍ତି ।ସେମାନେ ଜମି ଅଧିକାର କାର୍ଯ୍ୟକାରୀ କରିବା ପାଇଁ, ମନରେଗା ପୁନର୍ବାର କାର୍ଯ୍ୟକାରୀ କରିବା ପାଇଁ, ୱାଧୱାନ ବନ୍ଦର ବାତିଲକରଣ ଓ ପିଇବା ତଥା ଜଳସେଚନ ଉଦ୍ଦେଶ୍ୟରେ ପାଣି ଉପଲବ୍ଧ କରାଇବା ପାଇଁ ଦାବି ସହିତ ଅନ୍ୟାନ୍ୟ ଦାବି ଉପସ୍ଥାପନ କରିବା ପାଇଁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଅଭିମୁଖେ ବାହାରିଲେ ।











