ଯେତେବେଳେ ମୁଁ ଶବରପଡ଼ାରେ ପହଞ୍ଚିଲି, ରାତି ହୋଇଯାଇଥିଲା। ବନ୍ଦୁଆନ୍ ତାଲୁକ ଅନ୍ତର୍ଗତ କୁଞ୍ଚିଆ ଗାଁ କଡ଼ରେ ରାସ୍ତାଠାରୁ ଦୂରରେ 11ଟି ଘର ଅବସ୍ଥିତ – ଛୋଟ ଛୋଟ କଚ୍ଚା ଘରଗୁଡ଼ିକ ସୱର ସମୁଦାୟଙ୍କର (ଯାହାଙ୍କୁ ଶବର ମଧ୍ୟ କୁହାଯାଏ) ।
ଅନ୍ଧାରରେ ଅଧା ଦିଶୁଥାଏ ସେମାନଙ୍କ ଘର, ଜଙ୍ଗଲର ଆରମ୍ଭକୁ ସୂଚାଏ, ଆଗକୁ ବଢ଼ିବା ସହ ଏହା ଅଧିକ ଘଞ୍ଚ ହୋଇଯାଏ ଏବଂ କ୍ରମେ ଦୁଆରସିନୀ ପାହାଡ଼ ସହ ମିଶିଯାଏ । ଶାଳ, ଶାଗୁଆନ, ପିଆଶାଳ ଏବଂ ପଲାଶ ଗଛର ଏହି ଜଙ୍ଗଲ ହେଉଛି ଖାଦ୍ୟ - ଫଳ, ଫୁଲ ଏବଂ ପନିପରିବା ଏବଂ ଜୀବିକାର ଉତ୍ସ ।
ଶବର ସମୁଦାୟ, ପଶ୍ଚିମବଙ୍ଗର ଉଭୟ ବି-ମୁକ୍ତ ଜନଜାତି (DNT) ଏବଂ ଅନୁସୂଚିତ ଜନଜାତି ଭାବରେ ତାଲିକାଭୁକ୍ତ । ଉପନିବେଶକାରୀ ବ୍ରିଟିଶ ସରକାରଙ୍କ ଅପରାଧିକ ଆଦିବାସୀ ଅଧିନିୟମ (CTA) ଦ୍ୱାରା ଅନେକ ଜନଜାତିଙ୍କ ସହ ସେମାନଙ୍କୁ ‘ଅପରାଧୀ’ ଘୋଷଣା କରିଥିଲେ। ୧୯୫୨ ମସିହାରେ, ଭାରତ ସରକାର ଏହି ଅଧିନିୟମକୁ ରଦ୍ଦ କରିଦେଲେ ଏବଂ ଏହି ଜନଜାତିମାନଙ୍କୁ ବର୍ତ୍ତମାନ ବି-ମୁକ୍ତ ଜନଜାତି (DNTs) କିମ୍ବା ଯାଯାବର ଜନଜାତି (NTs) ବୋଲି କୁହାଯାଉଛି।
ଆଜି ବି ଶବରପଡ଼ା(ସବରପାରା ନାମରେ ମଧ୍ୟ ଜଣାଶୁଣା)ରେ ରହୁଥିବା ପରିବାର ଜୀବିକା ପାଇଁ ଜଙ୍ଗଲ ଉପରେ ନିର୍ଭର କରନ୍ତି। ୨୬ ବର୍ଷୀୟ ନେପାଳୀ ଶବର ସେମାନଙ୍କ ମଧ୍ୟରୁ ଜଣେ । ସେ ତାଙ୍କ ସ୍ୱାମୀ ଘଲ୍ଟୁ, ଦୁଇ ଝିଅ ଏବଂ କୁନି ପୁଅ ସହିତ ପୁରୁଲିଆ ଜିଲ୍ଲାର କଚ୍ଚା ଘରେ ରୁହନ୍ତି। ସବୁଠୁ ବଡ଼ ଝିଅ ନଅ ବର୍ଷର, ଏବେ ମଧ୍ୟ ପ୍ରଥମ ଶ୍ରେଣୀରେ ପାଠ ପଢୁଛି । ଦ୍ୱିତୀୟ ସନ୍ତାନ ଛୋଟ ପିଲା ଏବଂ ସବା ସାନ ଛୁଆ ତା’ର ମା’ କ୍ଷୀର ଛାଡ଼ିନି । ପରିବାରର ରୋଜଗାର ଶାଳ (ଶୋରିଆ ରୋବସ୍ତା) ପତ୍ର ଉପରେ ନିର୍ଭର କରେ ।




