“ଏହାର ଦାନ୍ତର ଗୋଟିଏ ଆଘାତ ସାତ ବସ୍ତା ଅମଳ ନଷ୍ଟ କରିଦେଲା।”
ଏଭିତରେ ଗୋଟିଏ ଵର୍ଷ ଵିତିଗଲାଣି କିନ୍ତୁ ଦାମ୍ପାରେନପୁଇ ଗ୍ରାମରେ ନିଜ ଘରେ ଏହି ଏକାକୀ ହାତୀ ଦ୍ୱାରା ହୋଇଥିବା କ୍ଷୟକ୍ଷତିକୁ ରାମପାରା ଆଜି ମଧ୍ୟ ଭୁଲି ନାହାଁନ୍ତି।
ସାତ ବସ୍ତା ଅମଳ ପାଞ୍ଚ ଟିଣ ସୋରିଷ ସହ ସମାନ, ଯାହା ପ୍ରାୟ ୧୦-୧୨ କିଲୋ ହେଵ। ଏଠାରେ ମିଜୋରାମରେ, ଖାଦ୍ୟ ସଂରକ୍ଷଣ ପାଇଁ ବ୍ୟବହୃତ ବସ୍ତାର ଓଜନ କିମ୍ବା ପରିମାଣ ମାପିବା ପାଇଁ ପାରମ୍ପରିକ ଭାବେ ଟିଣ ଡବାର ସନ୍ଦର୍ଭ ଦିଆଯାଇଥାଏ।
“ସୋରିଷତକ ଏବେ ଖରାପ ହୋଇଗଲା, ଯେହେତୁ ହାତୀଟି ଏହାକୁ ଚାଟିଦେଲା” ଵୋଲି ମଧ୍ୟ ସେ କହିଛନ୍ତି। ହାତୀଟି କେବଳ ନିଜ ଜିଭରେ ଠେଲି ତାଙ୍କ ବାଉଁଶ ନିର୍ମିତ ସଂରକ୍ଷଣ ଘର ଭିତରେ ରଖାଯାଇଥିବା ଧାନକୁ ମଧ୍ୟ ନଷ୍ଟ କରିଦେଇଥିଲା।
କିନ୍ତୁ ୭୩ ବର୍ଷୀୟ ରାମପାରା ଜଣେ କ୍ଷମାଶୀଳ ବ୍ୟକ୍ତି। “ମୟୁଙ୍ଗ [ହାତୀ] ଵହୁତ ଭଲ। ଏହା କେବେ ଵି ମଣିଷଙ୍କୁ ଆକ୍ରମଣ କରେ ନାହିଁ। ବେଶୀ ହେଲେ ଏହା ଶସ୍ୟ ନଷ୍ଟ କରେ। ଏହା ଖାଦ୍ୟ ପାଇଁ ଆସେ ଏବଂ ଚାଲିଯାଏ।” ଜଣେ ଚାଷୀ ଏବଂ ବାଉଁଶ ହସ୍ତଶିଳ୍ପ କାରିଗର ଭାବେ ରାମପାରା ରେଆଙ୍ଗ (ରିଆଙ୍ଗ ଵୋଲି ମଧ୍ୟ ଉଚ୍ଚାରଣ କରାଯାଏ) ଜନଜାତି ସମ୍ପ୍ରଦାୟର।
ସେ ପରୀକୁ କହନ୍ତି ଯେ ହାତୀଟି ଲାଜକୁଳା ସ୍ୱଭାବର। “ଯେତେବେଳେ ବି ଏହା ମଣିଷର ଶବ୍ଦ ଶୁଣେ, ଏହା ନିଜର ଲମ୍ବା କାନକୁ ତଳକୁ ଝୁଲାଇ ଦିଏ।” ଏବଂ ଚାଷଜମିକୁ ଏହାର ଆଗମନ ମଧ୍ୟ ହ୍ରାସ ପାଇଛି - ୨୦୨୨ ଏବଂ ୨୦୨୩ ମସିହାରେ ତିନି ବା ଚାରି ଥର ଆସୁଥିବା ବେଳେ, ୨୦୨୪ରେ ଦୁଇଥର ଏବଂ ୨୦୨୫ରେ ମାତ୍ର ଗୋଟିଏ ଥର ଆସିଛି।















