ବଡ଼ି ସକାଳୁ ନିଜ ଘର ଆଗରେ ବସି ୪୮-ବର୍ଷୀୟା ଗୋମତୀ ଭିରାୟାନ ଘରଲୋକଙ୍କ ପାଇଁ ତରବରିଆ ଖାଇବା ପାଇଁ କିଛି ରାନ୍ଧିବାରେ ଲାଗିଥାଏ। ମୟଲାଦୁଥୁରାଇ ଜିଲ୍ଲା ଅନ୍ତର୍ଗତ ସିକାଝି ତାଲୁକାର ପଜାୟାରଠାରୁ ଛ’ କି. ମି. ଦୂର ଠଣ୍ଡାଭାକୁଲାମ ଗାଁର ଦଳିତ ଆବାସସ୍ଥଳ ଆନ୍ନା ନଗରଠାରେ ଏହା ଏକ ସାଧାରଣ ଦୃଶ୍ୟ। ସ୍ଥାନୀୟ ଅନ୍ୟ ସବୁ ମହିଳାଙ୍କ ପରି ପାହାନ୍ତା ଚାରିଟାରୁ ଗୋମତୀଙ୍କର ଦିନ ଆରମ୍ଭ ହେଇଯାଏ। ତାଙ୍କ ପାଇଁ ପ୍ରତିଦିନ ସକାଳର କାମ ହେଉଛି ନିକଟରେ ଥିବା ଏକ ପାଣିକଳରୁ ପାଣି ଆଣିବା, ଆବୁଡ଼ାଖାବୁଡ଼ା ଘରକୁ ସଫା କରିବା, ଓ ଘର ବାହାରେ ବସି କାଠଲଗା ଚୁଲିରେ ରୋଷେଇ କରିବା।
“ଗ୍ୟାସ ସିଲିଣ୍ଡର ମିଳୁଛି, କିନ୍ତୁ ଏମିତିରେ ଶସ୍ତା”, ଅଭ୍ୟାସଗତ ଭାବେ କଢେଇରେ କିଛି ଘାଣ୍ଟିବା ବେଳେ କହନ୍ତି ଗୋମତୀ। ସ୍ଵାମୀ,ଶାଶୁ ଓ ପୁଅଙ୍କ ପାଇଁ ଜଳଖିଆ ସହ ଦିନ ଖାଇବା ତିଆରି କରିବା ସାରିଲା ବେଳକୁ ସମୟ ହେଇଯାଏ ଓ ସେ ନିଜେ ଖାଇବାକୁ ସମୟ ମିଳେନି।
ସେ ତରବର ହେଇ ପଜାହିୟାର ମାଛଧରା ବନ୍ଦରକୁ ଯାଏ, ଯେଉଁଠି ସେ ମାଛ ଶୁଖେଇବା କାମ କରେ। ପାଣିର ତରଙ୍ଗ ଓ ଚାନ୍ଦ୍ରମାସର ଚକ୍ର ଅନୁଯାୟୀ ସେ କାମ କରେ, ସେହି ଅନୁଯାୟୀ ତା’ର ପ୍ରତିଟି ଦିନ ଆରମ୍ଭ ହୋଇ ଶେଷ ହୁଏ।
ଘରକାମ ସାରିଲା ପରେ ଅଳ୍ପ ଜୁଆର ଥିଲାବେଳେ ଜଣ ଜଣକରି ମହିଳାମାନେ ନଦୀକୂଳକୁ ଯାଆନ୍ତି। ଯଦି କାହାକୁ ପଜାହିୟାର ଯିବାର ଥାଏ, ତେବେ ସେମାନେ ସକାଳ ଆଠଟା ବେଳକୁ ଯାଇ ପାଖ ବସଷ୍ଟାଣ୍ଡରେ ପହଞ୍ଚନ୍ତି। ସେମାନଙ୍କର ଏହି ଯିବା ସମୟ ଜୁଆର ଉପରେ ନିର୍ଭର କରେ। “ପଜାହିୟାର ହେଉଛି ସ୍ଥାନୀୟ ଲୋକମାନଙ୍କ ଜୀବନରେଖା! ଆଖପାଖର ସବୁ ଗାଁଗୁଡ଼ିକ ପାଇଁ ଏହା ହିଁ ସବୁକିଛି”, କହନ୍ତି ଗୋମତୀ, ଯେ କି ପଜାହିୟାର ମାଛଧରା ବନ୍ଦରଠାରେ ଜଣେ ମାଛ ଶୁଖାଳି ଭାବେ କାମ କରନ୍ତି।
କୋଲ୍ଲିଦାମ ନଦୀ ଯେଉଁଠାରେ ବଙ୍ଗୋପସାଗରରେ ମିଶିଛି ସେହି ମୁହାଁଣଠାରେ ପଜାହିୟାର ମାଛଧରା ବନ୍ଦର ରହିଛି। ମୟଲାଦୁଥୁରାଇ ଜିଲ୍ଲାରେ (ପୂର୍ବରୁ ଥିବା ନାଗପଟ୍ଟିନାମ ଜିଲ୍ଲାରୁ ସୃଷ୍ଟ) ଥିବା ପଜାହିୟାର ହେଉଛି ତାମିଲନାଡୁର ୧୨ଟି ମାଛଧରା ବନ୍ଦରରୁ ଗୋଟିଏ ଓ ଆଖପାଖ ଗାଁଗୁଡିକର ହଜାର ହଜାର ଶ୍ରମିକଙ୍କ ଜୀବିକା ଏଠାରେ ଧରାହେଉଥିବା ମାଛ ଉପରେ ନିର୍ଭର କରେ
ପଜାହିୟାର ମାଛଧରା ବନ୍ଦରଠାରେ ବହୁ ବର୍ଷ ହେଲାଣି ଗୋମତୀ ଭିରାୟାନ ମାଛ ଶୁଖେଇବା କାମ କରୁଛି। “ମହିଳାମାନଙ୍କ ଜୀବନ ବନ୍ଦର ସହ ଓତଃପ୍ରୋତ ଭାବେ ଜଡ଼ିତ”, ଗୋମତୀ ବୁଝାଏ। “ଆମେ ଜନ୍ମ ହେଇଛୁ ଏଇଠି, ବାହା ହେଇଛୁ ଏଇଠି ଓ ଜୀବନ ବଞ୍ଚୁଛୁ ଏଇଠି। ଆଗରୁ ଚାଷ ଜମିରେ ଧାନ, ବାଜରା ଓ କାନ୍ଦୁଲ ରୋଇବା କାମ କରୁଥିଲୁ। କିନ୍ତୁ ଏବେ ସେସବୁ କରିବା ସ୍ଥାନ ଆଉ ନାହିଁ – ଅତି ଜୋର ବର୍ଷା ହେଉଛି, ନଚେତ ଆଦୌ ହେଉନାହିଁ, କିଛି ଫସଲ ବି ହେଉନାହିଁ”।
ସେ କହି ଚାଲନ୍ତି, “ମୁଁ ୧୫ ବର୍ଷ ବୟସ ବେଳୁ ନଦୀରୁ ହାତରେ ଚିଙ୍ଗୁଡ଼ି [କାରିଡିଆ] ଧରୁଛି। ମୋ ମା’ ଓ ଶାଶୁ ବି ତାହା କରୁଥିଲେ”, ଓ ପୁଣି କହନ୍ତି, “ମୁଁ ଅନ୍ତଃସତ୍ତ୍ଵା ଥିଲାବେଳେ ବି ମୋର ଇଚ୍ଛା ହେଉଥିଲା ଓ ମୁଁ ଚିଙ୍ଗୁଡ଼ି ଧରୁଥିଲି। ମୋ ରାଜଗାରରେ ମୁଁ ମୋ ପିଲାମାନଙ୍କ ପଢା ଖର୍ଚ୍ଚ ଯୋଗାଉଥିଲି। ମୁଁ ଯେତେଦିନ ବଞ୍ଚିଥିବି, ସେତେଦିନ ଚିଙ୍ଗୁଡ଼ି ଧରିବା ଜାରି ରଖିବି”।
ବନ୍ଦରଠାରୁ ଛ’ କି. ମି. ଦୂରରେ ସେ ଯେଉଁଠି ରହୁଛି ସେଠାରୁ ୨୦ ଜଣରୁ ଅଧିକ ମହିଳା ମଧ୍ୟ ଏହି କାମ କରୁଛନ୍ତି। “ସେହି ସ୍ତ୍ରୀଲୋକମାନେ ସକାଳ ଛ’ଟା ବସ ଧରି କାମକୁ ଆସନ୍ତି। ଆମେ ଚିଙ୍ଗୁଡ଼ି, ମାଛ ଓ ସ୍କୁଇଡ଼୍ (ଏକ ପ୍ରକାର ଜଳଚର ପ୍ରାଣୀ) ଆଦି ପ୍ରତ୍ୟେକକୁ ଅଲଗା ଭାବେ ଚାରି ପାଞ୍ଚ ଥର ଧୋଇ, ଲୁଣ ଦେଇ ଶୁଖାଉ ଓ ସଂରକ୍ଷଣ କରୁ”, କହନ୍ତି ପରାଇୟାର ଗୋଷ୍ଠୀର (ରାଜ୍ୟ ସରକାରଙ୍କ ପକ୍ଷରୁ ଅନୁସୂଚିତ ଜାତି ଭାବେ ତାଲିକାଭୁକ୍ତ) ଗୋମତୀ।




















