“କନ୍ୟାର ମା’ ମତେ ରୋକଠୋକ କହିଲେ କି କିଛି ହାତବୁଣା ଦଉରି ଛଡା ଆଉ କୌଣସି ଜିନିଷ ଦେବା ଦରକାର ନାହିଁ”, ଟିକିଏ ହସି କହନ୍ତି ଚନ୍ଦ୍ରାବତୀ ଦେବୀ। “ଆମେ ଦାମିକିଆ ଉପହାର କିଣି ପାରିବୁ ନାହିଁ, ତେବେ ଆମ ପରମ୍ପରା ଅନୁଯାୟୀ ଆମେ ଏମିତି ହିଁ ଉପହାର ଦେଉ”, ଆଗକୁ ଆସୁଥିବା ଝିଆରୀର ବାହାଘରକୁ ଉପଲକ୍ଷ କରି ସେ ବୁଝାଇ କହନ୍ତି। ବଣିଆ ଛାପର ଗାଁର ଏହି ୪୫ ବର୍ଷ ବୟସର ମହିଳା ଶୁଖିଲା ମୁଞ୍ଜ ଘାସରେ ଦଉରି ବୋଲି କୁହା ଯାଉଥିବା ପେଡ଼ି ବନେଇବାରେ ଅତି ନିପୁଣ। ଏହି ହାତ ତିଆରି ସାମଗ୍ରୀ ସେହି ଅଞ୍ଚଳର କନ୍ୟାମାନଙ୍କ ବାହାଘର ବେଳେ ଉପହାର ରୂପେ ଦେବା ଅତି ଜନପ୍ରିୟ। ଚନ୍ଦ୍ରାବତୀ ହେଉଛନ୍ତି ଅଧ-ବିଘା ଚାଷ ଜମି ଥିବା ଜଣେ ଚାଷୀ ଓ ସେ ତାଙ୍କ ଫୁରସତ ସମୟରେ ବୁଣାକାମ କରନ୍ତି।
ଦଉରିର ଏକାଧିକ ବ୍ୟବହାର ରହିଛି। “ଶସ୍ୟ, ମିଠା, ଅଟା କି ପନିପରିବା ରଖିବା ପାଇଁ ଆମର ଆଲମାରୀ ନାହିଁ। ତା’ ବଦଳରେ ଆମେ ଦଉରି ବ୍ୟବହାର କରୁ”, କହେ ଚନ୍ଦ୍ରାବତୀଙ୍କର ୧୮-ବର୍ଷୀୟା ଝିଅ ପୁଷ୍ପା।
ବିହାରର ଗୋପାଳଗଞ୍ଜ ଜିଲ୍ଲାସ୍ଥିତ ସେମାନଙ୍କ ଘର କାନ୍ଥକୁ ଢେରା କରି ବିଡ଼ା ବିଡ଼ା ମୁଞ୍ଜ ଘାସ ଗଦେଇକି ରଖା ଯାଇଥାଏ। ଏଇଟା ଡିସେମ୍ବର ମାସ ଓ ଏହି କଞ୍ଚାଳିଆ ବଣୁଆ ଘାସକୁ ଏବେ ଏବେ ଅଣାଯାଇଛି। ଆଗକୁ ଖରା ମାସରେ ଏଗୁଡ଼ିକୁ ଶୁଖା ଯିବ।














