ଏକ ପ୍ରାଚୀନ କାଠ ନିର୍ମିତ ଜିନ୍, ପୁରୁଣା ତନ୍ତ, କାଠର ପୋଲୋ ମାଲେଟ୍, ଘାସ ତିଆରି ଚପଲ, ପୁରୁଣା ରୁପାଅଳଙ୍କାର, ଶିନା କବିତାର ଏକ ଚିରାଫଟା ପାଣ୍ଡୁଲିପି, ବିବାହରେ ମହିଳାମାନେ ଅଳଙ୍କାର ଭଳି ବ୍ୟବହାର କରୁଥିବା ପାରମ୍ପରିକ ପାନିଆ ଏମିତି ଆହୁରି ଅନେକ। ଦୈନନ୍ଦିନ ଜୀବନରେ ବ୍ୟବାହାର ହେଉଥିବା ମାତ୍ର କିଛି ପ୍ରାଚୀନ ଜିନିଷ, ଯାହାକୁ ବସିର ଅହମଦ ତାଙ୍କ ସଂଗ୍ରହାଳ।ୟରେ ପ୍ରଦର୍ଶିତ କରିଛନ୍ତି।
ବସିର ଦର୍ଦ-ଶିନ ସମୁଦାୟର ହୋଇଥିବା ବେଳେ ସେ ଅଧିକାଂଶ ସମୟ ଗୁରେଜ ଏବଂ ଦ୍ରାସରେ ଅତିବାହିତ କରନ୍ତି। ଗତ ପାଞ୍ଚବର୍ଷ ହେବ ଗୁରେଜ ଉପତ୍ୟକାର ଲୋକମାନେ ମୂଲ୍ୟବାନ ଉତ୍ତରାଧିକାର, ଦୈନନ୍ଦିନ ଜୀବନରେ ବ୍ୟବହାର କରୁଥିବା ଅନ୍ୟ ପ୍ରାଚୀନ ଜିନିଷ ଦର୍ଦ-ଶିନ୍ ସଂଗ୍ରହାଳୟକୁ ପ୍ରଦାନ କରୁଛନ୍ତି, ଯାହାର ସଞ୍ଚାଳନ ବସିର ତାଙ୍କ ଦାବରସ୍ଥିତ ଘରେ କରୁଛନ୍ତି।
ସେ ମନେ ପକାଇ କହୁଛନ୍ତି ଯେ, “ମୁଁ ଦେଖିଛି ଲୋକମାନେ ଘରୁ କିପରି ପୁରଣା ତଥା ମୂଲ୍ୟବାନ ସାମଗ୍ରୀ ବାହାରେ ଫୋପାଡ଼ି ଦେଇଥାନ୍ତି, କାରଣ ସେମାନେ ଭାବନ୍ତି ଯେ, ଏହାର ଆଉ କୌଣସି ବ୍ୟବହାର ହୋଇପାରିବ ନାହିଁ, ପୁରୁଣା ଲୁଗାପଟା ପୋଡ଼ି ଦେଉଛନ୍ତି, ଦୀର୍ଘଦିନ ଧରି ବ୍ୟବହାର ନହୋଇ ପଡ଼ିରହିଥିବା କୃଷି ଉପକରଣ ବାହାରେ ଫୋପାଡ଼ି ଦେଉଛନ୍ତି।” ପୂର୍ବରୁ ଯେଉଁ ସବୁ ଜିନିଷ ପୁରୁଣା ଭାବି ତାକୁ ଫିଙ୍ଗି ଦିଆଯାଉଥିଲା କିମ୍ବା ପୋଡ଼ି ଦିଆଯାଉଥିଲା, ଏବେ ସେହିସବୁ ସାମଗ୍ରୀକୁ ସଂଗ୍ରହାଳୟରେ ଘର ମିଳିଛି।
ବସିର ଜାଣିଛନ୍ତି ଯେ, ରାଜ୍ୟ ସ୍ଵାସ୍ଥ୍ୟସେବା କର୍ମୀ ଭାବେ ତାଙ୍କର କାର୍ଯ୍ୟ ସଂଗ୍ରହାଳୟରେ ତାଙ୍କ ସମୁଦାୟର ଲୋକମାନଙ୍କ ଇତିହାସ ସଂରକ୍ଷଣ କରିବାରେ ସାହାଯ୍ୟ କରିଛି। ୪୪ବର୍ଷ ବୟସ୍କ ଏହି ରାଜ୍ୟ ସରକାରୀ କର୍ମଚାରୀ ଜଣକ କହନ୍ତି ଯେ, ଲୋକେ ତାଙ୍କୁ ବିଶ୍ଵାସ କରନ୍ତି ଏବଂ ତାହା ସଂଗ୍ରହାଳୟ ପାଇଁ ସଂଗ୍ରହକୁ ସହଜ କରିଛି। ପ୍ରତିବର୍ଷ କାଶ୍ମୀରର ଗୁରେଜ ଉପତ୍ୟକାରେ ଶୀତକାଳୀନ ତୁଷାରପାତ ଛଅମାସ ଲୋକଙ୍କୁ ବାହ୍ୟଜଗତରୁ ବିଚ୍ଛିନ୍ନ କରି ଦେଇଥାଏ, ଏବଂ ରାଜ୍ୟରେ ସ୍ଵାସ୍ଥ୍ୟସେବା ବାସ୍ତବରେ ଅତ୍ୟନ୍ତ ଦୁର୍ବଳ। ବସିରଙ୍କ ଭଳି ଗୋଷ୍ଠୀ ସ୍ଵାସ୍ଥ୍ୟକର୍ମୀଙ୍କ କାର୍ଯ୍ୟ ଅତ୍ୟନ୍ତ କଠିନ ହୋଇଥିବା ବେଳେ ତାଙ୍କ ଉପରେ ଲୋକଙ୍କ ଭରସା ହିଁ ସର୍ବୋପରି।


















