‘‘ଶିଳ କାଟା-ଓ!’’
ଉତ୍ତର ସୋନାରପୁର ନିକଟରେ ଥିବା ଗରିଆ ଅଞ୍ଚଳରେ ଲାଲବାବୁ ମାହାତୋଙ୍କ ବଡ଼ ପାଟିରେ ଏପରି ଡାକ ବହୁ ଦୂରକୁ ଶୁଭେ। ମଧ୍ୟାହ୍ନ ସାଢ଼େ ବାରଟା, କୋଲକାତା ନିକଟସ୍ଥ ଏହି ବଜାରରେ ତାଙ୍କ ସ୍ୱର ବ୍ୟତୀତ ଅଳ୍ପ କିଛି ଲୋକଙ୍କ କଥାବାର୍ତ୍ତାର ଶବ୍ଦ ଶୁଣାଯାଉଛି ।
‘‘ଶିଳ କାଟା-ଓ!’’ ସେ ପୁଣି ଡାକନ୍ତି, ଶିଳ-ପୁଆ ଖୋଦେଇ କରିବାକୁ ଚାହୁଁଥିବା ଗ୍ରାହକଙ୍କ ଆଶାରେ ଗଳିରାସ୍ତାରେ ଦ୍ରୁତ ବେଗରେ ଚାଲି ଚାଲି ଡାକ ଛାଡୁଥାନ୍ତି । ବଙ୍ଗଳାରେ, ‘ଶିଳ କାଟାଓ’ର ଅର୍ଥ ହେଉଛି ଗ୍ରାନାଇଟ୍ ପଥରର ଶିଳ ଏବଂ ହାତରେ ଧରାଯାଉଥିବା ପୁଆ ଉପରେ ଖୋଦେଇ କରିବାର ଏକ ପାରମ୍ପରିକ କାର୍ଯ୍ୟ । ଶିଳ-ପୁଆ ହେଉଛି ‘ସିଲ୍ ବଟା’ କିମ୍ବା ତାମିଲ୍ ‘ଅମ୍ମି କାଲୁ’ର ଏକ ରୂପ, ଯାହା ଗୋଟା ମସଲାକୁ ବାଟି ଏକ ସୁଗନ୍ଧିତ ପେଷ୍ଟ କିମ୍ବା ଗୁଣ୍ଡରେ ପରିଣତ କରିବା ପାଇଁ ବ୍ୟବହୃତ ହୁଏ । ଏହି ବଟା ମସଲା ଭାରତୀୟ ରୋଷେଇର ପ୍ରମୁଖ ଉପାଦାନ । ଭାରତୀୟ ରୋଷେଇଆମାନେ ବିଶ୍ୱାସ କରନ୍ତି ଯେ ଯେତେବେଳେ ପୁଆର ସ୍ଥିର ଚାପ କଠିନ ଶିଳ ଉପରେ ପଡ଼େ, ସେତେବେଳେ ହିଁ ମସଲାଗୁଡ଼ିକର ପ୍ରକୃତ ବାସ୍ନା ଓ ସ୍ୱାଦ ବାହାରିଆସେ ।
‘‘ଏହାର ମୁଖ୍ୟ କାମ ହେଉଛି ମସଲାକୁ ଅଧିକ ଚିକ୍କଣ କରିବା । ବଜାରରେ ମିଳୁଥିବା କୌଣସି ଆଧୁନିକ ମିକ୍ସର ଆପଣଙ୍କୁ ସେହି ସମାନ ଗୁଣବତ୍ତା ଦେବ ନାହିଁ,’’ ଏହି ଗୁରୁତ୍ୱପୂର୍ଣ୍ଣ ରୋଷେଇ ଉପକରଣ ବିଷୟରେ ଲାଲବାବୁଙ୍କର ଏହା ହେଉଛି ସବୁଠୁ ବଡ଼ ଯୁକ୍ତି ।
‘‘ବର୍ତ୍ତମାନ ଏହି ବୃତ୍ତିକୁ ଆପଣାଇବା ପାଇଁ ଆଉ ନୂଆ ଲୋକ ଆସୁନାହାନ୍ତି । ଆମେ ହିଁ ଶେଷ ପିଢ଼ି।’’ ବିହାରର ସିୱାନ ଜିଲ୍ଲାରୁ ଆସିଥିବା ପ୍ରବାସୀ ଲାଲବାବୁ ଆହୁରି କହନ୍ତି, ‘‘ପ୍ରାୟ ୧୦ ବର୍ଷ ପୂର୍ବେ ଯେତେବେଳେ ମୁଁ ଏଠାକୁ ପ୍ରଥମେ ଆସିଥିଲି, କେବଳ ଖିଦେରପୁରରେ ଆମେ ୨୫୦ ଜଣ ଥିଲୁ। ଏବେ, ସେମାନଙ୍କ ମଧ୍ୟରୁ ଅଧିକାଂଶ ବୁଢ଼ା ହୋଇ କାମରୁ ଅବସର ନେଇଗଲେଣି, ଏଭଳି କଷ୍ଟକର କାମ ପାଇଁ ସେମାନେ ଆଉ ସକ୍ଷମ ନୁହନ୍ତି।’’












