ସେ ଜର୍ଜରିତ ପୁରୁଣା ହୁଇଲ୍ ଚେୟାରକୁ ପାଖକୁ ଟାଣି ଆଣିଲେ, ଡାକ୍ତରଖାନାର ଯେଉଁ ଶଯ୍ୟାରେ ସେ ଆଜିକାଲି ବନ୍ଦୀ ହୋଇ ରହିଛନ୍ତି ତାହା ଆଡ଼କୁ ମୁହଁ କରି। ତାଙ୍କ ବାମ ହାତରେ ସେ ଛାତର କାଠ ବିମ୍ରୁ ଝୁଲୁଥିବା ଏକ ମୋଟା କପଡ଼ାକୁ ଜାବୁଡ଼ି ଧରିଛନ୍ତି। ଡାହାଣ ହାତରେ ନିଜ ଶରୀରର ଉପରଭାଗକୁ ବୁଲେଇ ଓ ଶଯ୍ୟାରୁ ଦୂରକୁ ଠେଲି ସେ ଧୀରେ ଧୀରେ ହୁଇଲ୍ ଚେୟାର ଭିତରକୁ ଖସି ଆସିଲେ। ଏହାପରେ ସେ ନିଜ ଗୋଡ଼କୁ ତଳକୁ ଟାଣିଲେ, ଦୁଇ ହାତରେ ଗୋଟିଏ ପରେ ଗୋଟିଏ ଗୋଡ଼କୁ ଧରି ଧୀରେ ଧୀରେ ଚେୟାରର ଫୁଟ୍ପ୍ଲେଟ୍ ଉପରେ ରଖିଲେ। ସେ ଯେଉଁ ଦକ୍ଷତାର ସହିତ ଏହା କରୁଛନ୍ତି, ତାହା କହିଦିଏ ଯେ ସେ ଏହାକୁ ପୂର୍ବରୁ ହଜାର ହଜାର ଥର କରିସାରିଛନ୍ତି। ଠିକ୍ ସେହି ସହଜତା, ଯେଉଁଥିରେ ସେ ଦିନେ ବିଲିଗିରିରଙ୍ଗନା ପାହାଡ଼ର ସେହି ଉଚ୍ଚା ଗଛଗୁଡ଼ିକୁ ଚଢ଼ୁଥିଲେ. ଯେ ପର୍ଯ୍ୟନ୍ତ ସେହି ...


Chamarajanagar, Karnataka
|THU, MAR 19, 2026
ବିଆର ହିଲ୍ସର ଡେଣା ଭାଙ୍ଗିଯାଇଥିବା ପକ୍ଷୀ
କର୍ଣ୍ଣାଟକର ବି.ଆର. ହିଲ୍ସର ଜଣେ ଯୁବ ସୋଲିଗା ଆଦିବାସୀ, ଯିଏ କି ଉଚ୍ଚ ଗଛରୁ ମହୁ ସଂଗ୍ରହ କରୁଥିଲେ, ଏକ ଭୟଙ୍କର ଦୁର୍ଘଟଣା ପରେ ଆଜି ନିଜ ଜୀବନର ସେହି ପୁରୁଣା ସଙ୍ଗୀତକୁ ଖୋଜୁଛନ୍ତି
Author
Editor
Photo Editor
Translator

M. Palani Kumar
"ସେତେବେଳେ ସନ୍ଧ୍ୟା ସମୟ, ପ୍ରାୟ ଛଅଟା ହୋଇଥିଲା। ବର୍ଷା ହେଉଥିଲା। ଗଛର ବକଳ ଟିକେ ପିଛିଳ ଥିଲା। ଏକ ତାରେ ମାରା (ଟର୍ମିନାଲିଆ ବେଲିରିକା) ଗଛରେ ଏକ ବଡ଼ ମହୁଫେଣା ଥିଲା। ତାକୁ କାଟିବା ପାଇଁ ମୁଁ ତା' ପାଖରେ ଥିବା ଏକ ହୋନ୍ନେ ମାରା (ଟେରୋକାର୍ପସ ମାର୍ସୁପିୟମ) ଗଛ ଉପରକୁ ଚଢ଼ିଥିଲି। ଏଗୁଡ଼ିକ ବହୁତ ବଡ଼ ଗଛ। ବହୁତ ଉଚ୍ଚ ଗଛ।" ଅରୁଣ କୁମାର ଯେଉଁ ଗଛ ବିଷୟରେ କହୁଛନ୍ତି, ତାହା ୧୩୦ ଫୁଟ ପର୍ଯ୍ୟନ୍ତ ଉଚ୍ଚ ହୋଇପାରେ।
"ମୋ ହାତରେ ନିଆଁ ହୁଳା ଥିଲା, କିନ୍ତୁ ମହୁମାଛିମାନେ ମୋତେ ବିନ୍ଧୁଥିଲେ ଏବଂ ମୁଁ ଶୀଘ୍ର ତଳକୁ ଓହ୍ଲାଇବାକୁ ଚାହୁଁଥିଲି। ହଠାତ୍ ମୋ ଗୋଡ଼ ଖସିଗଲା ଏବଂ ମୁଁ ପ୍ରାୟ ୨୫ ଫୁଟ ଉଚ୍ଚରୁ ପିଠି ପଟିଆ ହୋଇ ତଳେ ପଡ଼ିଗଲି।" ସେ ୨୦୨୪ ମେ ୧୨ ର ସେହି ଭୟଙ୍କର ସନ୍ଧ୍ୟା ବିଷୟରେ କହୁଛନ୍ତି - ଯେଉଁ ଦିନ ସେ ଶେଷ ଥର ପାଇଁ ନିଜ ଦୁଇ ଗୋଡ଼ରେ ଠିଆ ହୋଇଥିଲେ।
ଅରୁଣ ନିଜ ହାତରେ ସେହି ପୁରୁଣା ଚେୟାରକୁ ନିଜର ୮ x ୧୦ ଫୁଟର ଟିଣ ଚାଳିଆ ଘରର ଛୋଟ ଦ୍ୱାର ଦେଇ ବାହାରକୁ ଆଣନ୍ତି। ସେହି ଛୋଟ ଦ୍ୱାର ଦେଇ ଆସୁଥିବା ସାମାନ୍ୟ ଆଲୋକକୁ ଛାଡ଼ିଦେଲେ ଭିତରଟା ପୂରା ଅନ୍ଧାର। ଇଟା ଏବଂ କାଦୁଅରେ ତିଆରି ସେହି ଘରର, ଯେଉଁଠାରେ ତାଙ୍କ ପରିବାରର ଅନ୍ୟ ସଦସ୍ୟମାନେ ରହନ୍ତି, ଗୋଟିଏ ପାର୍ଶ୍ୱରେ ଏହା ପ୍ରାୟ ଲୁଚି ରହିଛି। ଅନ୍ୟ ପଟେ ପାରା ମାନଙ୍କ ପାଇଁ ଛୋଟ ଛୋଟ ଖୋପ ତିଆରି ହୋଇଛି, ଯେଉଁଠାରେ ତାଙ୍କ ବାପା ପାରାମାନଙ୍କର ଯତ୍ନ ନିଅନ୍ତି।

Pratishtha Pandya

M. Palani Kumar
"ସାହାଯ୍ୟ କରିବାକୁ କେହି ନାହାନ୍ତି। ସକାଳେ ମୁଁ ନିଜକୁ ଏହି ରୁମ୍ରୁ ବାହାରକୁ ଆଣେ ଏବଂ ଖରାରେ ବସେ," ବୋଲି ୨୪ ବର୍ଷୀୟ ଯୁବକ ଜଣକ, ଚେୟାରକୁ ତାଙ୍କ ରୁମ୍ ପଛରେ ଥିବା ଟିକେ ଖୋଲା ସ୍ଥାନ ଆଡ଼କୁ ବୁଲାଇ କୁହନ୍ତି। ସେହି ସ୍ଥାନକୁ ଘେରି ରହିଥିବା ସିଲଭର ଓକ୍ ଗଛର ଡାଳ ଦେଇ ସୂର୍ଯ୍ୟ କିରଣ ମାତ୍ର ପ୍ରବେଶ କରିଛି।
ସାଧାରଣତଃ ବର୍ଷର ଏହି ସମୟରେ, ଅରୁଣ ନିଜ ପରିବାରକୁ ଏହି ଗଛର ଉପର ଡାଳ କାଟିବାରେ ସାହାଯ୍ୟ କରିଥାନ୍ତେ, ଯାହାଫଳରେ କଫି ଗଛଗୁଡ଼ିକୁ ଠିକ୍ ପରିମାଣର ସୂର୍ଯ୍ୟକିରଣ ମିଳିପାରିବ। ଏହି ବର୍ଷ ସେମାନେ ମୂଲିଆମାନଙ୍କ ଉପରେ ନିର୍ଭରଶୀଳ। ତାହା ବହୁତ ମହଙ୍ଗା ହୋଇଥିବାରୁ ଗଛ ଗୁଡ଼ିକ ମନଇଚ୍ଛା ବଢ଼ି ଚାଲିଛନ୍ତି।
ଅରୁଣ ଶୀତଦିନିଆ ସୂର୍ଯ୍ୟର କିରଣ ପଡ଼ୁଥିବା ସ୍ଥାନକୁ ଘୁଞ୍ଚି ଆସିଲେ।
"ମୁଁ ଏହି ଋତୁରେ କିଛି ରୋଜଗାର କରିବା ପାଇଁ ମହୁ ସଂଗ୍ରହ କରୁଥିଲି। ଏହା ଏପ୍ରିଲ୍ ଏବଂ ଜୁନ୍ ମଧ୍ୟରେ ମାତ୍ର ପାଞ୍ଚରୁ ଛଅ ସପ୍ତାହ ପାଇଁ ରହିଥାଏ," ବୋଲି ସେ କୁହନ୍ତି। "ଖରାଦିନେ ବାହାରେ କୌଣସି କାମ ନଥାଏ। ଘରେ ମଧ୍ୟ ଟଙ୍କା ପଇସାର ସମସ୍ୟା ଥାଏ। ତେଣୁ, ଆମେ ଚାରି-ପାଞ୍ଚ ଜଣ ସାଙ୍ଗ ମିଶି ଏକ ଗ୍ରୁପ୍ କଲୁ ଏବଂ ସାମାନ୍ୟ ଆୟ ପାଇଁ ଏହି କାମ ଆରମ୍ଭ କଲୁ।" ସେହି ସାମାନ୍ୟ ଟଙ୍କା ସେମାନଙ୍କ ଘର ଚଳାଇବାରେ ସାହାଯ୍ୟ କରୁଥିଲା।

Courtesy: Arun
"ମୁଁ ମୋ ସାଙ୍ଗମାନଙ୍କ ସହ ସମୟ ବିତାଇବାକୁ ଭଲ ପାଉଥିଲି, କିନ୍ତୁ ଶ୍ରେଣୀ ଗୃହରେ କ'ଣ ପଢ଼ା ହେଉଥିଲା ସେଥିପ୍ରତି ମୋର ବିଶେଷ ଧ୍ୟାନ ନଥିଲା। ମୁଁ ସପ୍ତମ ଶ୍ରେଣୀରୁ ପାଠ ପଢ଼ା ଛାଡ଼ିଦେଲି," ଅରୁଣ କୁହନ୍ତି। "ଅନ୍ୟ ପିଲାମାନଙ୍କୁ ଦେଖି ମୁଁ ଗଛ ଚଢ଼ିବା ଏବଂ ମହୁ ସଂଗ୍ରହ କରିବା ଶିଖିଲି। ପ୍ରଥମେ ପ୍ରଥମେ ମୋତେ ଡର ଲାଗୁଥିଲା, କିନ୍ତୁ ପରେ ମୁଁ ଏଥିରେ ଅଭ୍ୟସ୍ତ ହୋଇଗଲି। ଲୋକମାନେ ସାଧାରଣତଃ 'ଜେନୁକୁଇୟୋହାଡୁ' [ଏକ ମହୁ ସଂଗ୍ରହ ଗୀତ] ଗାଇ ଗାଇ ଗଛ ଆଡ଼କୁ ଯାଆନ୍ତି। ମୁଁ ସେହି ଗୀତ କେବେ ଶିଖିନାହିଁ।" ସୋଲିଗାମାନେ ପାରମ୍ପରିକ ଭାବେ ଦକ୍ଷ ମହୁ ସଂଗ୍ରହକାରୀ। କିନ୍ତୁ ଅରୁଣଙ୍କ ବାପା, ୫୩ ବର୍ଷୀୟ ଏମ. ସାନ୍ନାରଙ୍ଗେ ଗୌଡ଼ା, ଅଧିକ ସମୟ ଏହି କାମରେ ନଥିଲେ।
ଗୌଡ଼ା ହେଉଛନ୍ତି ଚାମରାଜନଗର ଜିଲ୍ଲାର ଜଣେ କୃଷକ ଏବଂ ଗୋଷ୍ଠୀ କର୍ମୀ। ୧୯୭୦ ଦଶକରେ, ସରକାର ସୋଲିଗା ଆଦିବାସୀମାନଙ୍କୁ ଜଙ୍ଗଲ ଭିତରେ ଥିବା ପୋଡୁସ୍ [ଛୋଟ ବସ୍ତି] ଗୁଡ଼ିକରେ ବସବାସ କରିବାକୁ ଏବଂ ସ୍ଥାନାନ୍ତରିତ ଚାଷ ଛାଡ଼ିବାକୁ ପ୍ରବର୍ତ୍ତାଇଥିଲେ। ତାଙ୍କ ପରିବାର ୧୯୭୪ ମସିହାରୁ ୟେଲାନ୍ଦୁର ତାଲୁକାର ମୁତ୍ତୁଗଡଗାଡ଼ୁରେ ପୋଡୁରେ ସେମାନଙ୍କୁ ମିଳିଥିବା ଦୁଇ ଏକର ଜମିରେ ଚାଷ କରିଆସୁଛନ୍ତି।

Courtesy: Arun
"ଆମେ ଅଭାରେକାଇ [ଶିମ୍ବ ଜାତୀୟ], ଜୋଲା [ଜଅ], ତୋଗାରୀ [ହରଡ଼] ଏବଂ ରାଗି (ମାଣ୍ଡିଆ) ଚାଷ କରୁଥିଲୁ। କିନ୍ତୁ ହାତୀ ଏବଂ ଘୁଷୁରିମାନେ ସେହି ଫସଲଗୁଡ଼ିକୁ ନଷ୍ଟ କରିଦେଉଥିଲେ। ତେଣୁ, ୧୯୯୦ ଦଶକରେ ଆମେ କଫି ଚାଷ ଆରମ୍ଭ କଲୁ," ଗୌଡ଼ା କୁହନ୍ତି।
ସ୍କୁଲ୍ ଛାଡ଼ିବା ପରେ ଅରୁଣ ତାଙ୍କ ବାପାଙ୍କୁ ଚାଷ କାମରେ ସାହାଯ୍ୟ କରୁଥିଲେ - ଗଛ ଲଗାଇବା, ଡାଳ କାଟିବା, ଆଖପାଖ ସଫା କରିବା, ଅନାବନା ଗଛ ଉପାଡ଼ିବା ଏବଂ କଫି ଫଳ ତୋଳିବା। ସେ ଅନ୍ୟ ଛୋଟ ଛୋଟ କାମ କରି ରୋଜଗାର କରିବାକୁ ଚେଷ୍ଟା କରୁଥିଲେ। "ମୋତେ ଯେଉଁ କାମ ମିଳୁଥିଲା ମୁଁ ତାହା କରୁଥିଲି, ଗଛ କାଟିବା, କାଠ ଚିରିବା, ମହୁ ସଂଗ୍ରହ କରିବା ଏବଂ ପାଚି [ଫୁରୁଫୁରୀ] ସଂଗ୍ରହ କରିବା। ଦିନେ ଦିନେ ମୋତେ ୧,୦୦୦ ଟଙ୍କା ମଧ୍ୟ ମିଳୁଥିଲା, କିନ୍ତୁ ଏହି ଆୟ କେବେ ସ୍ଥିର ନଥିଲା।"
"ଯୁବ ସୋଲିଗାମାନଙ୍କୁ ବାହାରେ କାମ ମିଳେ ନାହିଁ। ସେମାନଙ୍କ ପାଖରେ ଅନ୍ୟ କୌଣସି ଦକ୍ଷତା ନାହିଁ ଏବଂ ଶିକ୍ଷା ଚାକିରିର ନିଶ୍ଚିତତା ଦିଏ ନାହିଁ," ବୋଲି କୁହନ୍ତି ଡକ୍ଟର ସି. ମାଡେଗୌଡ଼ା, ଯିଏ କି ଜଣେ କର୍ମୀ ଏବଂ ଏହି ସମୁଦାୟର ପ୍ରଥମ ପିଏଚଡି ଗବେଷକ।
୧୮ ବର୍ଷ ବୟସରେ ଅରୁଣ ପ୍ରଥମେ ବାଙ୍ଗାଲୋରକୁ ନିର୍ମାଣ ଶ୍ରମିକ ଭାବରେ ଏବଂ ପରେ କର୍ଣ୍ଣାଟକ ଓ କେରଳର କଫି ଏବଂ ଗୋଲମରିଚ ବଗିଚାକୁ କାମ କରିବାକୁ ଯାଇଥିଲେ। ଅମଳ ପରେ ସେ ମାର୍ଚ୍ଚ-ଏପ୍ରିଲ୍ ମାସରେ ଫେରି ଆସୁଥିଲେ।
ସେହି ମାସଗୁଡ଼ିକ ତାଙ୍କ ଗାଁରେ ମହୁ ସଂଗ୍ରହର ଋତୁ ବୋଲି ଜଣାଯାଏ।

M. Palani Kumar

M. Palani Kumar
"ପ୍ରତ୍ୟେକ ଥର ଗଲାପରେ ସେଠି ଆପଣଙ୍କୁ ମହୁଫେଣା ମିଳେନାହିଁ। ଆପଣ ସେହି ଋତୁରେ ପ୍ରତିଦିନ ଜଙ୍ଗଲକୁ ମଧ୍ୟ ଯାଆନ୍ତି ନାହିଁ। ମାସକୁ ମାତ୍ର ଚାରି-ପାଞ୍ଚ ଥର ଯାଉ। ଆମେ ସକାଳେ ପ୍ରାୟ ୧୫ କିଲୋମିଟର ବ୍ୟାସ ମଧ୍ୟରେ ଜେନୁଗୁଡୁ [ମହୁଫେଣା] ଅଛି କି ନାହିଁ ଦେଖିବାକୁ ଯାଉ, ତାପରେ ଘରକୁ ଫେରିଆସୁ ଏବଂ ସନ୍ଧ୍ୟାରେ ମହୁ ସଂଗ୍ରହ କରିବାକୁ ଯାଉ। କିନ୍ତୁ ଅନେକ ସମୟରେ, ଆମେ ଦୁଇ-ତିନି ଦିନର ଖାଦ୍ୟ ଧରି ଜଙ୍ଗଲର ବହୁତ ଭିତରକୁ ମଧ୍ୟ ଯାଉ" ବୋଲି ଅରୁଣ କୁହନ୍ତି।
ସେମାନଙ୍କର ରୋଜଗାର ମିଳିଥିବା ମହୁଫେଣାର ସଂଖ୍ୟା ଏବଂ ଆକାର ଉପରେ ନିର୍ଭର କରିଥାଏ। ସେମାନେ ଗୋଟିଏ ଯାତ୍ରାରେ ୬୦-୭୦ କିଲୋଗ୍ରାମ ପର୍ଯ୍ୟନ୍ତ ମହୁ ସଂଗ୍ରହ କରିପାରୁଥିଲେ। ଘରକୁ ଫେରିବା ପରେ, ସେମାନେ ଏହାକୁ ଏକ ସଫା କପଡ଼ାରେ ଛାଣି କ୍ୟାନ୍ରେ ଭର୍ତ୍ତି କରୁଥିଲେ। ଏହାକୁ ସେମାନେ ଜଣେ ଏଜେଣ୍ଟଙ୍କୁ କିଲୋ ପ୍ରତି ୨୦୦ ରୁ ୩୦୦ ଟଙ୍କାରେ ବିକ୍ରି କରୁଥିଲେ ଏବଂ ମିଳିଥିବା ଟଙ୍କାକୁ ସମସ୍ତେ ସମାନ ଭାବେ ବାଣ୍ଟି ନେଉଥିଲେ।
"ମୋର ତିନି ଜଣ ସାଙ୍ଗ ମୋ ସହିତ ଥିଲେ।" ଅରୁଣ ସେହି ଦୁର୍ଭାଗ୍ୟଜନକ ଦିନର ସ୍ମୃତି ଚାରଣ କରନ୍ତି। "ପଡ଼ିବା ପରେ ମୁଁ ଉଠିବାକୁ ଚେଷ୍ଟା କଲି। କିନ୍ତୁ ମୁଁ ପିଠି ପଟିଆ ହୋଇ ପଡ଼ିଥିଲି ଏବଂ ଅସହ୍ୟ ଯନ୍ତ୍ରଣା ହେଉଥିଲା। ମୋ ହାଡ଼ ଭାଙ୍ଗି ଯାଇଥିଲା। ମୁଁ ସାମାନ୍ୟ ହଲଚଲ ମଧ୍ୟ ହୋଇପାରୁନଥିଲି। ସେତେବେଳକୁ ରାତି ହୋଇଯାଇଥିବାରୁ ମୋ ସାଙ୍ଗମାନେ ମୋ ସହିତ ଘଣ୍ଟା ଘଣ୍ଟା ଧରି ରହିଥିଲେ ଏବଂ ବନ୍ୟଜନ୍ତୁଙ୍କଠାରୁ ରକ୍ଷା ପାଇବା ପାଇଁ ନିଆଁ ଜାଳିଲେ। ସକାଳେ, ଗାଁ ଲୋକମାନେ ଆସିଲେ ଏବଂ ଆମ୍ବୁଲାନ୍ସ ମୋତେ ହସ୍ପିଟାଲ୍କୁ ନେଇଗଲା।" ଅର୍ଥାତ୍ ପାଖରେ ଥିବା ବିବେକାନନ୍ଦ ଟ୍ରାଇବାଲ୍ ହେଲଥ୍ ସେଣ୍ଟର (ଭିଟିଏଚସି)।

M. Palani Kumar
"ସେହିଦିନ ସକାଳଠାରୁ ଡାକ୍ତରଖାନାକୁ ଯିବା ଆସିବା ବର୍ଷ ପରେ ବର୍ଷ ଲାଗି ରହିଛି," ବୋଲି ତାଙ୍କ ବାପା କୁହନ୍ତି। ଭିଟିଏଚସିର ଡାକ୍ତରମାନେ ଅରୁଣଙ୍କ ଅଣ୍ଟାଠାରୁ ତଳ ଆଡ଼କୁ ଅକାମି ହୋଇ ପଡ଼ିଥିବା ଜାଣିବାକୁ ପାଇଲେ।। ତା’ ମେରୁଦଣ୍ଡ ଗୁରୁତର ଭାବେ କ୍ଷତିଗ୍ରସ୍ତ ହୋଇଥିଲା। "ସେମାନେ ଆମକୁ ଚାମରାଜନଗର ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍ସେସ (ସିଆଇଏସଏମ) କୁ ପଠାଇଲେ। ସେଠାରେ ଡାକ୍ତରମାନେ କହିଲେ ଯେ ତାଙ୍କର ହାଡ଼ ଜାମ୍ ହୋଇଯାଇଛି ଏବଂ ଏକ ଅପରେସନ୍ ଦରକାର। ଏକ ସ୍ନାୟୁ ମଧ୍ୟ କଟିଯାଇଥିଲା। ହସ୍ପିଟାଲ୍ ସମସ୍ତ ରିପୋର୍ଟ ରଖିଦେଲା। ଆମକୁ କେବଳ ଔଷଧ ଏବଂ ଇଞ୍ଜେକ୍ସନ୍ ଦିଆଗଲା," ବୋଲି କୁହନ୍ତି ଏମ. ସାନ୍ନାରଙ୍ଗେ ଗୌଡ଼ା।
ଭାଙ୍ଗିଯାଇଥିବା ସ୍ପାଇନାଲ କ୍ୟାନାଲକୁ ଠିକ୍ କରିବା ଏବଂ ସ୍ନାୟୁକୁ ଅଧିକ କ୍ଷତିରୁ ରକ୍ଷା କରିବା ପାଇଁ ସିଆଇଏସଏମରେ ଏକ ଅସ୍ତ୍ରୋପଚାର ପରେ ଅରୁଣ ଭିଟିଏଚସି କୁ ଫେରିଲେ। ସେଠାରେ କର୍ମଚାରୀମାନେ ଅରୁଣଙ୍କ ପରିବାରର ସଦସ୍ୟ ଏବଂ ତାଙ୍କର ଅଳ୍ପ ବୟସର ସ୍ତ୍ରୀଙ୍କୁ ତାଙ୍କର ଯତ୍ନ ନେବା ପାଇଁ ତାଲିମ ଦେଲେ।

M. Palani Kumar

M. Palani Kumar
ତାଙ୍କର ସେହି ଭୟଙ୍କର ଦୁର୍ଘଟଣା ଘଟିବା ବେଳକୁ ସେମାନଙ୍କ ବିବାହକୁ ମାତ୍ର ଛଅ ମାସ ହୋଇଥିଲା। "ତାଙ୍କ ସ୍ତ୍ରୀ ପୂର୍ବରୁ ତାଙ୍କର ସମ୍ପୂର୍ଣ୍ଣ ଯତ୍ନ ନେଉଥିଲେ, ଯେ ପର୍ଯ୍ୟନ୍ତ..." ଅରୁଣଙ୍କ ମାଆ ୪୫ ବର୍ଷୀୟା ମାସାନାମ୍ମା ସେହି ବାକ୍ୟଟିକୁ ସମ୍ପୂର୍ଣ୍ଣ କରିପାରିଲେ ନାହିଁ। "ଆମେ ସାରା ଦିନ ଜଙ୍ଗଲରେ ରହୁ। ସେ ଘରେ ରହେ, ମୋବାଇଲ୍ ଦେଖେ। ଆଗ ଭଳି କୌଣସି ସାଙ୍ଗସାଥୀ ତାକୁ ଦେଖା କରିବାକୁ ଆସନ୍ତି ନାହିଁ। ସେ ବିରକ୍ତ ହୋଇଯାଏ, ନିଜକୁ ଅସହାୟ ମନେ କରେ। ମୁଁ କିଛି କରିପାରେ ନାହିଁ। କେବଳ ଚିନ୍ତା କରେ, ସେତିକି," ସେ କୁହନ୍ତି।
"ଡାକ୍ତରମାନେ ମୋ ବାପାମାଆଙ୍କୁ କ'ଣ କହିଲେ ମୁଁ ଜାଣିନି। ମୋତେ କହିଲେ ଯେ ମୁଁ ପୁଣି ନିଜ ଗୋଡ଼ରେ ଠିଆ ହୋଇପାରିବି। ସେମାନେ ମୋତେ ଚାଲିବାକୁ ଚେଷ୍ଟା କରିବା ପାଇଁ କହିଲେ। କିନ୍ତୁ କୌଣସି ସାହାରା ନଥିବାରୁ ମୁଁ ଚେଷ୍ଟା କଲିନାହିଁ," ଅରୁଣ କୁହନ୍ତି। ତାଙ୍କ ଆଙ୍ଗୁଠିରେ ସେ ହୁଇଲ୍ ଚେୟାରର ବାମ ପଟେ ଥିବା କ୍ୟାଥେଟର ବ୍ୟାଗ୍ର ପ୍ଲାଷ୍ଟିକ୍ ନଳୀକୁ ଏପଟ ସେପଟ କରଛନ୍ତି।
ଅସ୍ତ୍ରୋପଚାରର କିଛି ଦିନ ପରେ ଅରୁଣଙ୍କର ମୂତ୍ର ଧାରଣ କରି ରଖିବା ସମସ୍ୟା ଦେଖାଦେଲା। ଭିଟିଏଚସି ଡାକ୍ତରଙ୍କ ସମସ୍ତ ଚେଷ୍ଟା ସତ୍ତ୍ୱେ ଏହାର ସମାଧାନ ହୋଇପାରିଲା ନାହିଁ। ଅରୁଣଙ୍କ ତଳ ପେଟରେ ଏକ ଯନ୍ତ୍ରଣାଦାୟକ ସ୍ପର୍ଶଯୋଗ୍ୟ ସ୍ଫିତି ଦେଖାଦେଲା। ଜୁନ୍ ୨୦୨୪ ରେ ଆଉ ଏକ ପର୍ଯ୍ୟାୟ ହସ୍ପିଟାଲ୍ ଯାତ୍ରା ଆରମ୍ଭ ହେଲା। ପ୍ରଥମେ ସିଆଇଏମଏସ; ତା’ପରେ ମହିଶୂରର କେ,ଆର, ହସ୍ପିଟାଲ୍ର ଜଣେ ମୂତ୍ରରୋଗ ବିଶେଷଜ୍ଞଙ୍କ ପାଖକୁ ଗଲେ, ଯେଉଁଠାରେ ତାଙ୍କୁ ଅଧିକ ପରୀକ୍ଷା ପାଇଁ ଭର୍ତ୍ତି କରାଗଲା ଏବଂ ପାଞ୍ଚ ଦିନ ପରେ ଛାଡ଼ି ଦିଆଗଲା।

M. Palani Kumar

Pratishtha Pandya
ପୁରା ଜୁଲାଇ ଏବଂ ଅଗଷ୍ଟରେ ଏହି ସମସ୍ୟା ବାରମ୍ବାର ଦେଖାଦେଲା। ପ୍ରତିଥର, ଅରୁଣଙ୍କୁ ମହିଶୂରରେ ଜଣେ ମୂତ୍ରରୋଗ ବିଶେଷଜ୍ଞଙ୍କ ତତ୍ତ୍ୱାବଧାନରେ କିଛି ଦିନ ପାଇଁ ଭର୍ତ୍ତି କରାଯାଉଥିଲା। ପ୍ରାୟତଃ, ତାଙ୍କର ସଂକ୍ରମଣ ହେଉଥିଲା ଯେଉଁଥିପାଇଁ ଆଣ୍ଟିବାୟୋଟିକ୍ ଦରକାର ପଡ଼ୁଥିଲା। ବେଳେବେଳେ ତାଙ୍କର ରକ୍ତଚାପ ବଢ଼ି ଯାଉଥିଲା, ଯେଉଁଥିପାଇଁ ଚିନ୍ତାମୁକ୍ତ ଔଷଧ ଖାଇବା ଦରକାର ହେଉଥିଲା। ତାଙ୍କର ଯତ୍ନ ନେବା ଦିନକୁ ଦିନ କଷ୍ଟକର ହୋଇପଡ଼ିଲା।
"ଥରେ ପରିସ୍ରା ସମସ୍ୟା ଦେଖାଦେବା ପରେ ଆମକୁ ଅନେକ ଥର ମହିଶୂର ଯିବାକୁ ପଡ଼ିଲା," ଅରୁଣଙ୍କ ବାପା କୁହନ୍ତି। "ସରକାରୀ ହସ୍ପିଟାଲରେ ଚିକିତ୍ସା ମାଗଣା, କିନ୍ତୁ ଚାମରାଜନଗର ପହଞ୍ଚିବା ପାଇଁ ଗାଡ଼ି ଭଡ଼ା ୩,୦୦୦ ଟଙ୍କା ଏବଂ ମହିଶୂର ପାଇଁ ୫,୦୦୦ ଟଙ୍କା ଲାଗେ। ତା' ସହିତ ଖାଇବା ଏବଂ ରହିବା... ପ୍ରତିଟି ଯାତ୍ରାରେ ଅତିକମରେ ୧୦,୦୦୦ ଟଙ୍କା ଖର୍ଚ୍ଚ ହୁଏ।"
ସରକାର ଅରୁଣଙ୍କ ଭଳି ଲୋକଙ୍କ ପାଇଁ ବହୁତ କମ୍ କରନ୍ତି ବୋଲି ଡକ୍ଟର ମାଡେଗୌଡ଼ା କୁହନ୍ତି। "ବାଘ ମାରିଦେଲେ କିମ୍ବା ହାତୀ ଆକ୍ରମଣ କଲେ ପ୍ରାୟ ୨୦ ଲକ୍ଷ ଟଙ୍କାର କ୍ଷତିପୂରଣ ମିଳିପାରେ। ଏପରିକି ଲାର୍ଜ ଏରିଆ ମଲ୍ଟିପରପଜ୍ ସୋସାଇଟିସ୍ ଗୁରୁତର ଦୁର୍ଘଟଣା ଏବଂ ସ୍ୱାସ୍ଥ୍ୟ ସମସ୍ୟା ପାଇଁ ବୀମା ପଲିସି ପ୍ରଦାନ କରେ। କିନ୍ତୁ ଯଦି ଆପଣ ମହୁ ସଂଗ୍ରହ କରିବା ବେଳେ ଗଛରୁ ପଡ଼ିଯାନ୍ତି, ତେବେ କୌଣସି ବୀମା କିମ୍ବା କ୍ଷତିପୂରଣ ନାହିଁ।" ବିଆର ହିଲ୍ସ ସମେତ ସାରା ଭାରତର ଆଦିବାସୀ ଜଙ୍ଗଲ ସଂଗ୍ରହକାରୀମାନେ ଏହି ସମସ୍ୟାର ସମ୍ମୁଖୀନ ହୁଅନ୍ତି। "ଅରୁଣଙ୍କ ପୂର୍ବରୁ, କେରେଡିମ୍ବା ପୋଡୁର ଆଉ ଜଣେ ପିଲା ଗଛରୁ ପଡ଼ି ନିଜର ଗୋଡ଼ ହରାଇଥିଲା।" ସମବାୟ ସମିତି ବେଳେବେଳେ କ୍ଷତିପୂରଣ ବାବଦରେ ୨,୦୦୦ - ୩,୦୦୦ ଟଙ୍କା ଦିଏ, କିନ୍ତୁ ବଞ୍ଚିବା ପାଇଁ ତାହା ଯଥେଷ୍ଟ ନୁହେଁ।

Pratishtha Pandya
"ଡାକ୍ତରମାନେ କେବଳ ଆଂଶିକ ଭାବେ [ଅରୁଣଙ୍କ ସମସ୍ୟା] ସମାଧାନ କରିପାରିଲେ," ତାଙ୍କ ବାପା କୁହନ୍ତି। "କେ.ଆର. ହସ୍ପିଟାଲରେ ତାଙ୍କୁ କୌଣସି ବଡ଼ ଚିକିତ୍ସା କେନ୍ଦ୍ରରେ ଦେଖାଇବା ଦରକାର ବୋଲି କହିଲେ। ଆମ ପାଖରେ ଟଙ୍କା ନାହିଁ। ଏବେ ଜଣେ [VTHC] ଡାକ୍ତର ପ୍ରତି ତିନି ମାସରେ ଆସି ମାଗଣାରେ ତାଙ୍କ କ୍ୟାଥେଟର ବଦଳାଇ ଦିଅନ୍ତି। ଯଦି କୌଣସି ଗୁରୁତର ସମସ୍ୟା ଦେଖାଦିଏ, ତେବେ ଆମକୁ ଚାମରାଜନଗର ଯିବାକୁ ପଡ଼େ।"
ଅରୁଣଙ୍କ ଜୀବନର ସେହି ପରିଚିତ ଛନ୍ଦ ଏବେ ସମ୍ପୂର୍ଣ୍ଣ ରୂପେ ହଜିଯାଇଛି।
"ମୁଁ ସକାଳୁ ଏଠାରେ ବସି ରହେ, କେବେ କେବେ ନିଜ ଚେୟାରକୁ ମୁଖ୍ୟ ଫାଟକ ପର୍ଯ୍ୟନ୍ତ ଟାଣି ନିଏ। କିମ୍ବା କିଛି ସମୟ ଖରାରେ ବସେ। ତା'ପରେ ପୁଣି ରୁମ୍କୁ ଫେରିଆସେ। ପୂର୍ବରୁ ସମସ୍ତେ [ମୁଖ୍ୟ ଘରେ] ଏକାଠି ରହୁଥିଲୁ। ଦୁର୍ଘଟଣା ପରେ - କେହି ନାହାନ୍ତି। ମୁଁ ମୋବାଇଲ୍ରେ କିଛି ନା କିଛି ଦେଖୁଥାଏ। ଏହି ଚାଳିଆଟି ଆଗରୁ ତିଆରି ହୋଇଥିଲା। ବାହାରେ ବୁଲାବୁଲି କରିବା ସହଜ ହେବ ବୋଲି ମୁଁ ଏଠାକୁ ଚାଲିଆସିଲି। ଯଦିଓ ସାହାଯ୍ୟ କରିବାକୁ କେହି ନାହାନ୍ତି। ମୁଁ ଯେମିତି ଅଛି, ମୋତେ ସେମିତି ରହିବାକୁ ଆଦୌ ଭଲ ଲାଗୁନି।"
ଏପରିକି ମୋ ସ୍ତ୍ରୀ ମଧ୍ୟ ମୋତେ ଛାଡ଼ି ଚାଲିଗଲା," ଅରୁଣ କୁହନ୍ତି। "ସେ ମୋର ବହୁତ ଯତ୍ନ ନେଉଥିଲା। କିନ୍ତୁ ଯେତେବେଳେ ସ୍ୱାସ୍ଥ୍ୟରେ କୌଣସି ସୁଧାର ଆସିଲାନି, ସେ ଚାଲିଗଲା। ଥରେ ସେ ମୋତେ ଫୋନ୍ କରି କହିଥିଲା, 'ତୁମେ ଠିକ୍ ହୋଇଗଲେ ମୁଁ ଫେରିଆସିବି।' ସେ ଛାଡ଼ି ଚାଲିଯିବାର ତିନି ମାସ ହୋଇଗଲାଣି।" ଅରୁଣଙ୍କ ସ୍ୱର ତାଙ୍କ ଶରୀର ଭଳି ଅତ୍ୟନ୍ତ କ୍ଷୀଣ ଏବଂ ଦୁର୍ବଳ ଶୁଣାଯାଉଥିଲା।

M. Palani Kumar

M. Palani Kumar
"ମୁଁ ତାକୁ ଜଳଖିଆ ଓ ରାତି ଖାଇବା ଦିଏ," ଅରୁଣଙ୍କ ମାଆ କୁହନ୍ତି। "ମୁଁ ତାକୁ ଗାଧୋଇ ମଧ୍ୟ ଦିଏ। ଯଦି ଶୌଚାଳୟ ଯିବାକୁ ପଡ଼େ, ତେବେ ତା' ବାପା ସାହାଯ୍ୟ କରନ୍ତି।" ମୁଁ ତାଙ୍କ ରୁମ୍ରେ ବଡ଼ମାନଙ୍କ ପାଇଁ ବ୍ୟବହୃତ ହେଉଥିବା ଡାଇପର୍ର ଏକ ବ୍ୟାଗ୍ ଝୁଲୁଥିବାର ଦେଖିଲି। "ଆମେ ସେଥିପାଇଁ ମାସକୁ ୧,୫୦୦ ଟଙ୍କା ଖର୍ଚ୍ଚ କରୁ," ତାଙ୍କ ବାପା କୁହନ୍ତି।
"ତାଙ୍କ ଭଉଣୀମାନେ ଦିନକୁ ୫-୧୦ ମିନିଟ୍ ତା' ସହ କଥା ହୁଅନ୍ତି, ସେମାନଙ୍କର କଲେଜ କାମ ଥାଏ।" ତାଙ୍କ ମାଆ ଟିକେ ରହିଗଲେ ଏବଂ ତା'ପରେ କହିଲେ: "ଆମେ କେବଳ ଏତିକି ଚାହୁଁ ଯେ ସେ ଟିକେ ଚାଲାବୁଲା କରୁ ଏବଂ ନିଜ କାମ ନିଜେ କରିବାକୁ ସମର୍ଥ ହେଉ।"
"ସେଥିପାଇଁ ଆମକୁ ଏକ ବଡ଼ ଡାକ୍ତରଖାନାକୁ ଯିବାକୁ ହେବ" ତାଙ୍କ ବାପା ସଙ୍ଗେ ସଙ୍ଗେ କହିଲେ।
"ମୁଁ ତାକୁ ଆଉ ଭର୍ତ୍ତି କରିବି ନାହିଁ," ସେ ଅତି ରୁକ୍ଷ ଭାବେ କହିଲେ। "ଗତଥର ଯେତେବେଳେ କରିଥିଲୁ, କିଛି ବି ବଦଳିଲାନି। ମୁଁ ପୁଣି ସେହି ସବୁ ଜିନିଷ କରିବାକୁ ପ୍ରସ୍ତୁତ ନୁହେଁ।"
"ମୋ ସ୍ତ୍ରୀ ଡାକ୍ତରଖାନା ଯିବାକୁ ଭଲ ପାଆନ୍ତି ନାହିଁ, ତେଣୁ ସେ..." ଗୌଡ଼ା ବୁଝାଇବାକୁ ଚେଷ୍ଟା କଲେ।

M. Palani Kumar

M. Palani Kumar
"ସେଠାରେ ତା'ର ଯତ୍ନ କିଏ ନେବ?" ସେ କଥା ଶେଷ କରିବା ପୂର୍ବରୁ ମାସାନାମ୍ମା ପାଲଟା ଜବାବ ଦେଲେ। "କେହି ନୁହେଁ। ଯଦି ଆମେ ଯିବୁ, ତେବେ ଏଠାରେ ସବୁ କିଛି ଦେଖାଶୁଣା କରିବାକୁ କେହି ରହିବେ ନାହିଁ। ଆମେ ଯାଇପାରିବୁ ନାହିଁ। ଏହା ଆମ ପାଇଁ ବହୁତ କଷ୍ଟକର।" ଏବଂ ସେ ହଠାତ୍ ଉଠି ଠିଆ ହେଲେ ଏବଂ ବଗିଚା କାମ କରିବାକୁ ବାହାରିଗଲେ। ବୋଧହୁଏ ସେ ନିଜ କାମ ମଧ୍ୟରେ ହିଁ ନିଜ ଦୁଃଖର ସମାଧାନ ଖୋଜୁଛନ୍ତି।
ଅରୁଣ ଆଉ କାମକୁ ଫେରିପାରିବେ ନାହିଁ। ତାଙ୍କୁ ଅପେକ୍ଷା କରିବାକୁ ପଡ଼ିବ। ଅପେକ୍ଷା ତା’ପାଇଁ ଯିଏ, ତାଙ୍କ କଥା ବୁଝିବ। କେବଳ ସମୟ ବିତିବାକୁ ଅପେକ୍ଷା।

M. Palani Kumar

M. Palani Kumar

M. Palani Kumar
ମାର୍ଚ୍ଚ ଆସିଲେ, ଜାମୁନ ଗଛଗୁଡ଼ିକ ପୁଣି ଥରେ କୁସୁମିତ ହେବେ। ପ୍ରବାସୀ ଭାରତୀୟ ପାହାଡ଼ି ମହୁମାଛିମାନେ ସେମାନଙ୍କର ସୁଗନ୍ଧିତ, ଫିକା ହଳଦିଆ ମଞ୍ଜରୀର ମକରନ୍ଦ ସନ୍ଧାନରେ ପାହାଡ଼ ଆଡ଼କୁ ଛୁଟି ଆସିବେ। ଯେହେତୁ ବିଆର ପାହାଡ଼ ଜଙ୍ଗଲରେ ଆଉ ଏକ ମହୁ ସଂଗ୍ରହ ଋତୁ ଆସି ପହଞ୍ଚିଛି, ଅରୁଣଙ୍କ ଯୁବ ବନ୍ଧୁମାନେ ସେହି ଉଚ୍ଚ ଗଛଗୁଡ଼ିକ ଆଡ଼କୁ ଅଗ୍ରସର ହେବେ। ଏବଂ ପୁଣି ଥରେ, ଜେନୁକୁଇୟାହାଡୁ ର ସେହି ମନଛୁଆଁ ସ୍ୱର ଜଙ୍ଗଲରେ ପ୍ରତିଧ୍ୱନିତ ହେବ:
ତାକୁ ଡାକ, ତାକୁ ଡାକ, ହେ ଡାକ ଦେଉଥିବା ଲୋକ...
ପତ୍ରମୟ ଜଙ୍ଗଲର ସେହି ମଣିଷକୁ ଡାକ...
ଝୁଲୁଥିବା ମହୁଫେଣାରେ ମହୁ ଅଛି...
ଝୁଲୁଥିବା ମହୁଫେଣାରେ ମହୁ ଅଛି...
ଝୁଲୁଥିବ-ମହୁଫେଣା ମହୁ, ବହଳିଆ ମହୁ...
ଝୁଲୁଥିବ-ମହୁଫେଣା ମହୁ, ବହଳିଆ ମହୁ...
ତାକୁ ଡାକ, ତାକୁ ଡାକ, ହେ ଡାକ ଦେଉଥିବା ଲୋକ...
ଅରୁଣ ସେତେବେଳେ ସେହି ଗୀତଟି ଜାଣିନଥିଲେ; ସେ ଏବେ ମଧ୍ୟ ତାହା ଗାଇବାକୁ ଯାଉନାହାନ୍ତି...

M. Palani Kumar

M. Palani Kumar

M. Palani Kumar

M. Palani Kumar
ଲେଖିକା ଅରୁଣ ଏବଂ ତାଙ୍କ ପରିବାର, ଡକ୍ଟର ତାନିଆ ଶେଷାଦ୍ରି, ଡକ୍ଟର ସଙ୍ଗୀତା ଭି, ବିବେକାନନ୍ଦ ଗିରିଜନ କଲ୍ୟାଣ କେନ୍ଦ୍ର ବିଆର ହିଲ୍ସର ସୋଲିଗା ଗୋଷ୍ଠୀ କର୍ମୀ କରଣ କେଥେଗୌଡା ଓ ମହାଦେବମ୍ମା କୁମ୍ବେଗୌଡା, ଏବଂ ଇନଷ୍ଟିଚ୍ୟୁଟ୍ ଅଫ୍ ପବ୍ଲିକ୍ ହେଲଥ୍, ବାଙ୍ଗାଲୋରର ଡକ୍ଟର ପ୍ରଥମେଶଙ୍କ ନିକଟରେ ସେମାନଙ୍କ ଅମୂଲ୍ୟ ସହଯୋଗ ପାଇଁ କୃତଜ୍ଞ, ଯାହା ଏହି କାହାଣୀ ଲେଖିବାରେ ସହାୟକ ହୋଇଛି। ସେ କାହାଣୀ ଲେଖିବାର ବିଭିନ୍ନ ପର୍ଯ୍ୟାୟରେ ଅନୁବାଦରେ ସାହାଯ୍ୟ କରିଥିବା ଡକ୍ଟର ଶୋଭନା କିରଣ, ଶଙ୍କର କେଞ୍ଚାନୁର ଏବଂ ଦୀପାଙ୍କୁ ମଧ୍ୟ ଧନ୍ୟବାଦ ଜଣାଇବାକୁ ଚାହାଁନ୍ତି।
ଅନୁବାଦ: ଓଡ଼ିଶାଲାଇଭ୍
Want to republish this article? Please write to [email protected] with a cc to [email protected]
Donate to PARI
All donors will be entitled to tax exemptions under Section-80G of the Income Tax Act. Please double check your email address before submitting.
PARI - People's Archive of Rural India
ruralindiaonline.org
https://ruralindiaonline.org/articles/the-broken-winged-bird-of-br-hills-or

