ହାଇଦ୍ରାବାଦୀ ଲାଖ ଚୁଡ଼ି କେଉଁଠି ତିଆରି ହେଉଛି ବୋଲି ଆପଣ ପୁରୁଣା ସହରରେ କାହାକୁ ପଚାରିଥିଲେ ଆପଣଙ୍କୁ ସେ ସହରର ଲାଡ୍ ବଜାର (ଲାଖ ବଜାର)ରେ ଥିବା ଓସମାନ କା କାରିଗରୀ ଆଡ଼କୁ ରାସ୍ତା ଦେଖାଇଦେବେ । ଏହି ପ୍ରସିଦ୍ଧ ହସ୍ତଶିଳ୍ପ ଦୋକାନର କୌଣସି ନାମ ଫଳକ ନାହିଁ। ସାମାନ୍ୟ କଳଙ୍କି ଲାଗିଯାଇଥିବା ଧାତବ ସଟର ଖୋଲି ଦେଲେ ତିନୋଟି କାନ୍ଥ ଘେରା ଗୋଟିଏ ବଖରା ସାମ୍ନାକୁ ଆସିଥାଏ ଯେଉଁଠି ଲାଖ କାରିଗର ଶେଖ ଅଖିଲ ଏବଂ ଶେଖ ହଜିଲ ବସିଥା’ନ୍ତି, ସେମାନଙ୍କ ମଝିରେ ଗୋଟିଏ ଛୋଟ ଧାତବ ଟେବୁଲ ରଖାଯାଇଥାଏ।
ଏହି ଭାଇମାନେ ଏକ ଦଶନ୍ଧିରୁ ଅଧିକ ସମୟ ଧରି ଚୁଡ଼ି ତିଆରି କରୁଛନ୍ତି, ଏବଂ ବ୍ୟକ୍ତିଗତ ଭାବରେ ଦିନକୁ ୫୦୦ ଟଙ୍କା ପର୍ଯ୍ୟନ୍ତ ରୋଜଗାର କରିପାରନ୍ତି। ପ୍ରସ୍ତୁତିର ବିଭିନ୍ନ ସ୍ତରରେ ଥିବା ଲାଖ ଚୁଡ଼ି ଚାରିପଟେ ପଡ଼ି ରହିଛି। ‘‘ଗୋଲାପୀ ସବୁଠୁ ଲୋକପ୍ରିୟ ରଙ୍ଗ,’’ ଗାଢ଼ ଗୋଲାପୀ ରଙ୍ଗ ଦିଆଯାଇଥିବା ଲାଖର ଗୋଟିଏ ବ୍ଲକକୁ ଉଠାଇ ଅଖିଲ କୁହନ୍ତି। ଗୋଲାପୀ, କଳା, ସୁନେଲି ଏବଂ ଫିରୋଜା ସବୁଠାରୁ ଲୋକପ୍ରିୟ ରଙ୍ଗ । ଏସବୁ ରଙ୍ଗୀନ ଚୁଡ଼ିରେ ଉଜ୍ଜ୍ୱଳ କାଚ ମାଳି ଲାଗିଥାଏ ଏବଂ ଏଗୁଡ଼ିକୁ ପାରଦର୍ଶୀ ସିଲୋଫେନ ବାକ୍ସରେ ରଖାଯାଏ।
ଚାରମିନାର ନିକଟସ୍ଥ ଲାଡ ବଜାରର ସଂକୀର୍ଣ୍ଣ ରାସ୍ତାରେ ଅବସ୍ଥିତ ଏହି ଦୋକାନ ତଥା କର୍ମଶାଳାରୁ ପୁରୁଣା କାଠ ଏବଂ ପିତ୍ତଳର ଗନ୍ଧ ଆସିଥାଏ। ଅଖିଲ ଏବଂ ହଜିଲ୍ କାମ କରିବା ଆରମ୍ଭ କରିବା ମାତ୍ରେ ନିକଟସ୍ଥ ମସଜିଦରୁ ଆଜାନ୍ ଶବ୍ଦ ଏବଂ ବାହାରେ ଖେଳୁଥିବା ପିଲାମାନଙ୍କ କୋଳାହଳ ଅସ୍ପଷ୍ଟ ହୋଇଯାଏ। ପ୍ରାୟ ୩୫ ବର୍ଷ ପାଖାପାଖି ବୟସର ଦୁଇ ଭାଇ କେବଳ ଏହି ବେଉସାକୁ ଆପଣାଇଛନ୍ତି ଏବଂ ସେମାନେ ଶାନ୍ତ ପରିବେଶରେ ନିଜ କାରିଗରୀରେ ବୁଡ଼ି ରହିବାକୁ ଚାହାନ୍ତି।
ସେମାନେ ପରୀକୁ କହିଛନ୍ତି, ଦୋକାନଟିର ନାମ ଜଣେ ସମ୍ପର୍କୀୟ ‘ଓସମାନ’ଙ୍କ ନାମରେ ରଖାଯାଇଛି। ‘‘ସେ ଏହି ଦୋକାନର ମାଲିକ କିନ୍ତୁ ଏଠାରେ କାମ କରନ୍ତି ନାହିଁ। କେବଳ ମୋ ଭାଇ ଏବଂ ମୁଁ ଏଠି କାମ କରୁ,’’ ଅଖିଲ୍ କୁହନ୍ତି ଏବଂ ସେ ଆହୁରି କୁହନ୍ତି ଯେ ସେମାନେ କୌଣସି ଭଡ଼ା ଦିଅନ୍ତି ନାହିଁ।














