କାମ କରୁଥିବା ସମୟରେ ପର୍ଯ୍ୟଟକମାନେ ତାଙ୍କର ଫଟୋ ଉଠାଇବା ଏବଂ ଭିଡିଓ ରେକର୍ଡିଂ କରିବାକୁ କହିବାରେ ଅଭ୍ୟସ୍ତ ହୋଇଗଲେଣି ନବୀନ କୁମାର ଟମଟା । ବୟସର ପଚାଶ ଦଶକରେ, ସେ ଜଣେ ଖ୍ୟାତିପ୍ରାପ୍ତ ତାମ୍ରକାର – ଉତ୍ତରାଖଣ୍ଡର ଆଲମୋଡ଼ାରେ ହାତୁଡ଼ିରେ ପିଟି ପିଟି ତମ୍ବାରେ ସୁନ୍ଦର ସୁନ୍ଦର ଡିଜାଇନର କଳାକୃତି ଏବଂ ଘରକରଣା ସାମଗ୍ରୀ ଗଢ଼ିବାରେ ସିଦ୍ଧହସ୍ତ ।
କୁହାଯାଏ, ଟମଟାମାନେ ଶହ ଶହ ବର୍ଷ ପୂର୍ବରୁ ରାଜସ୍ଥାନରୁ ଆସି ହିମାଳୟ ପାର୍ବତ୍ୟ କ୍ଷେତ୍ରର କୁମାଓଁ ଅଞ୍ଚଳରେ ପହଞ୍ଚିଥିଲେ ଏବଂ ତା’ପରଠାରୁ ପିଢ଼ି ପରେ ପିଢ଼ି ଧରି ଏହି ତମ୍ବା କାରିଗରମାନେ ଏଠାରେ ବସବାସ କରିଆସୁଛନ୍ତି । ପ୍ରଥମେ ସେମାନେ ଲୋହାଘାଟ ନିକଟ ଗୋସନି ଗାଁରେ ଡେରା ପକାଇଥିଲେ । ପରେ, ଚମ୍ପାୱତରୁ ଆଲମୋଡ଼ାକୁ ରାଜଧାନୀ ଉଠିଯିବାରୁ କେତେକ ତମ୍ବା କାରିଗର ପରିବାର ସେଠାକୁ ଚାଲିଯାଇଥିଲେ ।
ଅତୀତରେ ସର୍ବାଧିକ ସମୟ ଲାଗି ଏହି ତାମ୍ରକାରମାନଙ୍କ କାମ ସେମାନଙ୍କର ପାରିବାରିକ ବୃତ୍ତି ରୂପେ ରହିଆସିଥିଲା । “କଥାରେ କଥାରେ ସମସ୍ତେ ଥଟ୍ଟାମଜା କରନ୍ତି ଏବଂ କହନ୍ତି । ସେଥିରେ ପ୍ରତିଯୋଗିତା ବି ରହିଥିଲା । ସେହି ପ୍ରତିଯୋଗିତାମୂଳକ ମନୋଭାବ ଭିତରେ ପ୍ରତ୍ୟେକ ପରସ୍ପରଠାରୁ ଭଲ କାମ କରୁଥିଲେ,” କାରିଗର ପ୍ରଦୀପ ଟମଟା କହନ୍ତି ।
ମହିଳାମାନେ ଏହି କାରିଗରୀ ପ୍ରକ୍ରିୟାର ଏକ ଅବିଚ୍ଛେଦ୍ୟ ଅଂଶ ଥିଲେ । ଚୁଲ୍ଲା ପାଇଁ ସେମାନେ ପାଖ ଜଙ୍ଗଲରୁ କାଠ ସଂଗ୍ରହ କରନ୍ତି, ପ୍ରସ୍ତୁତ ସାମଗ୍ରୀକୁ ପାଲିସ କରନ୍ତି, ଭାଟିର ପଙ୍ଖା ବୁଲାନ୍ତି, ଏବଂ ଝଳେଇ ପାଇଁ ପାଉଡର ତିଆରି କରନ୍ତି । ଅନେକ ମହିଳା, ରୋଷେଇବାସ ଏବଂ ପରିବାରର ଦେଖାରଖା କାମ ମଝିରେ ଡିଜାଇନ ପ୍ରସ୍ତୁତ କରିବା ଏବଂ ହାତୁଡ଼ିରେ ପିଟିବା ପୂର୍ବରୁ ଧାତବ ଚାଦରକୁ ଗରମ କରିବା ଭଳି ଅନ୍ୟାନ୍ୟ ସୂକ୍ଷ୍ମ କାମ ବି କରୁଥିଲେ ।































