ଉତ୍ତର କେରଳର କୋଝିକୋଡ ସହରକୁ ଭିଜାଇ ଦେଇଛି ମୌସୁମୀ ବର୍ଷା । ହେଲେ, ରାତିରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ବାହାରେ ଶୋଇଥିବା ଏହି ବୟସ୍କ ବ୍ୟକ୍ତିଙ୍କୁ ଏହା କୌଣସି ପ୍ରକାରେ ପ୍ରଭାବିତ କରିପାରିନାହିଁ । ମୁଣ୍ଡ ଉପରେ କପଡ଼ାରେ ତିଆରି ତମ୍ବୁ ତାଙ୍କୁ ଆଶ୍ରୟ ଦେବାକୁ ପର୍ଯ୍ୟାପ୍ତ ହେଉନାହିଁ । ଦିନବେଳା ସେ ଆନ୍ଦୋଳନକାରୀ ଆଦିବାସୀ ପରିବାର ସହିତ କାନ୍ଧରେ କାନ୍ଧ ମିଳାଇ ବସି ରହିଥିବା ଦେଖାଯାଇଥାଏ । ଦୀର୍ଘ ଦିନ ତଳେ ସରକାର ସେମାନଙ୍କୁ ଯେଉଁ ଜମି ଦେବେ ବୋଲି ପ୍ରତିଶ୍ରୁତି ଦେଇଥିଲେ, ସେହି ଜମି ଦାବିରେ ନୀଲାମ୍ବୁରର ୬୦ଟିଆଦିବାସୀ ପରିବାର ୭୦ ଦିନ ହେଲା ନିକଟବର୍ତ୍ତୀ ମାଲ୍ଲାପୁରମରେ ଅନିର୍ଦ୍ଦିଷ୍ଟ କାଳ ପାଇଁ ଆନ୍ଦୋଳନ ଚଳାଇଛନ୍ତି ।
ଏହି ଲଢ଼େଇର ଠିକ୍ କେନ୍ଦ୍ରସ୍ଥଳରେ ଅଛନ୍ତି- ଏହାର ଆବାହକ, ଏଥିରେ ଅବିରତ ଉପସ୍ଥିତ ରହୁଥିବା ଏହାର ନୈତିକ ମେରୁଦଣ୍ଡ -୯୬ ବର୍ଷୀୟ ଆୟିନୁର ବାସୁ । ଲୋକେ ତାଙ୍କୁ ଶ୍ରଦ୍ଧାରେ ଡାକନ୍ତି ‘ଗ୍ରୋ’ ବାସୁ । ଏହି କ୍ଷୀଣ ଶରୀର ଏବଂ ନମ୍ର କଣ୍ଠସ୍ୱରରେ ଭରି ରହିଛି ଅଦମ୍ୟ ଆତ୍ମବିଶ୍ୱାସ । ଯେଉଁ ବୟସରେ ଅଧିକାଂଶ ଲୋକେ ନିରବରେ ଏବଂ ଆରାମରେ ସମୟ କାଟିବାକୁ ପସନ୍ଦ କରନ୍ତି, ସେହି ବୟସରେ ବାସୁ, ନିଜସ୍ୱ ନ୍ୟାଯ୍ୟ ଅଧିକାରରୁ ବଞ୍ଚିତ ଏହି ଲୋକମାନଙ୍କ ପଛରେ ଦୃଢ଼ତାର ସହ ଠିଆ ହୋଇଛନ୍ତି । “ସରକାରୀ ନିୟମ ଓ ପ୍ରକ୍ରିୟା ଆଳରେ ସରକାର ଏହି (ଆଦିବାସୀ) ପରିବାରମାନଙ୍କୁ ଠକି ଚାଲିଛନ୍ତି,” ସେ କହନ୍ତି, କୁଞ୍ଚିତ କପାଳ ତଳେ ତାଙ୍କ ଆଖି ଦୁଇଟିରେ ଫୁଟି ଉଠେ ଉଗ୍ର ଅଗ୍ନିକଣାର ଝଲକ । “ଜମି ସେମାନଙ୍କର ଅଧିକାର, କାହାରି ବଦାନ୍ୟତା ନୁହେଁ ।”
ଏହି ଆନ୍ଦୋଳନ ପୂର୍ବରୁ, ୨୦୨୩-୨୪ରେନୀଲାମ୍ବୁରର ଏହି ସବୁ ଆଦିବାସୀ ପରିବାରର ଲୋକେ ଆଇଟିଡିପି (ସମନ୍ୱିତ ଆଦିବାସୀ ଉନ୍ନୟନ ପ୍ରକଳ୍ପ) କାର୍ଯ୍ୟାଳୟ ସମ୍ମୁଖରେ ୩୧୪ ଦିନ କାଳ ଅନଶନ କରିଥିଲେ ।
ଛଅ ମାସ ଭିତରେ ସମସ୍ତ ୬୦ଟି ପରିବାରକୁ ୫୦ ସେଣ୍ଟ ଲେଖାଏଁ ଜମି ଦିଆଯିବ ବୋଲି ଜିଲ୍ଲାପାଳ ଲିଖିତ ପ୍ରତିଶ୍ରୁତି ଦେବା ପରେ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଥିଲା । କିନ୍ତୁ ୧୫ ମାସ ପରେ ବି ବିଭିନ୍ନ ଆଳ ଦେଖାଇ ସରକାରୀ ପ୍ରତିଶ୍ରୁତି ପୂରଣ କରାଯାଇ ନଥିବାରୁ ପୁଣି ଏହି ସବୁ ପରିବାର ଆନ୍ଦୋଳନ ପାଇଁ ରାସ୍ତାକୁ ବାହାରିଥିଲେ । ଏବଂ ଏକଦା ଜଣେ ଦୁର୍ଦ୍ଦାନ୍ତ ନକ୍ସଲପନ୍ଥୀ ରୂପେ ଆଖ୍ୟାୟିତ ଗ୍ରୋ ବାସୁଙ୍କର ଅଧିକାଂଶ ରାତି ଆଜି କଟୁଛି ସତ୍ୟାଗ୍ରହ ମଞ୍ଚର କଠିନ ଚଟାଣରେ ।
ନିକଟ ଅତୀତର ବର୍ଷଗୁଡ଼ିକରେ ରାଜ୍ୟ ସରକାରଙ୍କ ସହ ଏହା ତାଙ୍କର ପ୍ରଥମ ସଂଘର୍ଷ ନୁହେଁ । ୨୦୨୩ରେ, କୋଝିକୋଡ ଜିଲ୍ଲାରେ ପୋଲିସ କାର୍ଯ୍ୟାନୁଷ୍ଠାନ ପ୍ରତିବାଦରେ ଚାଲିଥିବା ଆନ୍ଦୋଳନରେ ତାଙ୍କର ଭୂମିକା ଲାଗି ତାଙ୍କୁ ଦୁଇ ମାସ ଜେଲରେ କାଟିବାକୁ ପଡ଼ିଥିଲା ।ଏହି ଘଟଣା ଘଟିଥିଲା ନଭେମ୍ବର ୨୦୧୬ରେ । ନୀଲାମ୍ବୁର ଜଙ୍ଗଲରେ ମିଥ୍ୟା ଏନକାଉଣ୍ଟରରେ ମାଓବାଦୀ କୋପ୍ପମ ଦେବରାଜନ ଏବଂ ଅଜିତାଙ୍କୁ ପୋଲିସ ହତ୍ୟା କରିଥିବା ଅଭିଯୋଗ ହୋଇଥିଲା ଏବଂ ଏହି ଘଟଣାର ବିଚାର ବିଭାଗୀୟ ତଦନ୍ତ ଦାବି କରି ସେ କୋଝିକୋଡ ମେଡିକାଲ କଲେଜର ଶବ ସଂରକ୍ଷଣ ଗୃହ ବାହାରେ ଠିଆ ହୋଇ ରହିଥିଲେ ।
ଗିରଫ ହେବା ପରେ ଜାମିନ ପାଇଁ ଆବେଦନ କରିବାକୁ ସେ ମନା କରିଦେଇଥିଲେ । କାରଣ ଅତୀତରେ ଜେଲଦଣ୍ଡ ତାଙ୍କ ମନୋବଳ ଭାଙ୍ଗି ପାରୁ ନଥିଲା; ବରଂ ଖଲାସ ହେବା ପରେ ସରକାରୀ ହିଂସା ବିରୋଧରେ ତାଙ୍କ ସମାଲୋଚନାର ସ୍ୱର ଆହୁରି ଶାଣିତ ହୋଇ ଉଠୁଥିଲା ।








