ପଲିଜର ସେଣ୍ଟର ସହଯୋଗରେ ପ୍ରସ୍ତୁତ ଏହି ବିବରଣୀଟି ଶୃଙ୍ଖଳାର ଅଂଶବିଶେଷ।
ଋଣଭାରରେ ବୁଡ଼ି ରହିଥିବା କେରୁ ଦହିଫାଲେଙ୍କୁ ମେ ୨୦୨୫ରେ ତାଙ୍କ ସାରା ଗାଁ ମୋହଟେରେ ସମସ୍ତଙ୍କୁ ଭୋଜି ଦେବାକୁ ରୋକି ନଥିଲା। ତାଙ୍କର ଏକ ଏକର ଚାଷ ଜମିରେ ଥିବା ଟିଣ ଛାତ ଘର ଆଗରେ ପ୍ରାୟ ୩,୦୦୦ ଲୋକ ପହଞ୍ଚିଥିଲେ ଏବଂ ସମସ୍ତେ ଏକ ଉତ୍ସବମୁଖର ନିରାମିଷ ଭୋଜିରେ ମନଇଚ୍ଛା ଖାଇଥିଲେ।
ଖର୍ଚ୍ଚ: ୧ ଲକ୍ଷ ୫୦ ହଜାର ଟଙ୍କା।
ସେହି ପରିମାଣର ଟଙ୍କା ୭୦ ବର୍ଷ ବୟସ୍କ ଦହିଫାଲେଙ୍କର ନାହିଁ। ତେଣୁ ସେ ଜଣେ ଘରୋଇ ଋଣଦାତାଙ୍କଠାରୁ ମାସକୁ ୩ ପ୍ରତିଶତ, ବା ବର୍ଷକୁ ୩୬ ପ୍ରତିଶତ ସୁଧ ହାରରେ ଋଣ କଲେ। ଘୋର ନୈରାଶ୍ୟଜନକ ରବି ଫସଲ ପରେ ଏହି ଘଟଣା ତାଙ୍କ ବେକ ଚିପିଦେଲା ପରି ହେଲା। ସେ ପିଆଜ ଚାଷ କରିଥିଲେ, କିନ୍ତୁ ମରୁଡ଼ି ଯୋଗୁଁ ଫସଲସବୁ ଶୁଖିଗଲା ଓ ତାଙ୍କର ୩୫,୦୦୦ ଟଙ୍କା ବୁଡ଼ିଗଲା।
ଗୁଜୁରାଣ ମେଣ୍ଟେଇବା ପାଇଁ ସଂଘର୍ଷ କରୁଥିବା ସତ୍ତ୍ୱେ ଦହିଫାଲେ ଭୋଜିଦେବା ବାବଦରେ ଥରେ ବି ଚିନ୍ତା କଲେ ନାହିଁ। “ନଚେତ, ଠାକୁରାଣୀ ମତେ ଆଶୀର୍ବାଦ ଦେବେ ନାହିଁ ଓ ମୋ ମନୋବାଞ୍ଛା ପୂରଣ ହେବ ନାହିଁ”, ସେ କହନ୍ତି।
ମୋହଟେ ଗାଁ ଅହିଲ୍ୟାନଗର (ପୂର୍ବତନ ଅହମ୍ମଦନଗର) ଜିଲ୍ଲାର ପଥରଡ଼ି ତାଲୁକାରେ ଅବସ୍ଥିତ। ୨୦ କୋଟି ଟଙ୍କା ଖର୍ଚ୍ଚରେ ୨୦୦୯ରୁ ୨୦୧୩ ମଧ୍ୟରେ ପୁନଃନିର୍ମିତ ହୋଇଥିବା ସୁଦୃଶ୍ୟ ଚାରି ମହଲା ବିଶିଷ୍ଟ ମୋହଟା ଦେବୀ ମନ୍ଦିରଠାରୁ ଗଡ଼ି ଆସିଥିବା ଅଙ୍କାବଙ୍କା ରାସ୍ତାରେ ଦହିଫାଲେଙ୍କ ଘର। ଏହା ମହାରାଷ୍ଟ୍ରରେ ଥିବା ହିନ୍ଦୁମାନଙ୍କ ଲୋକପ୍ରିୟ ତୀର୍ଥସ୍ଥଳୀ ମଧ୍ୟରୁ ଗୋଟିଏ, ଯେଉଁଠାକୁ ପ୍ରତି ବର୍ଷ ପ୍ରାୟ ୨୫ ଲକ୍ଷ ଲୋକ ଆସନ୍ତି।













