ହବିବ୍-ଉନ୍-ନିସା ସେଠାରେ ଘଟିଥିବା ହିଂସା ଦେଖି ଅତି ଭୟଭୀତ ହୋଇପଡ଼ିଥିଲେ, କିନ୍ତୁ ଆନ୍ଦୋଳନକାରୀମାନଙ୍କ ଦ୍ୱାରା ଅନୁପ୍ରାଣିତ ମଧ୍ୟ ହୋଇଥିଲେ। ‘ପରୀ’ ସହ କଥାବାର୍ତ୍ତା ବେଳେ ସ୍ୱର୍ଗତା ସାନା ଶେଖ୍ଙ୍କ ମାଆ କହିଥିଲେ, ‘‘ମୁଁ ଜଣେ ସାଧାରଣ ମା’ ଏବଂ ମୋର ପିଲାମାନେ ମୋର ସଂସାର। ମୁଁ ଜଣେ ଗୃହିଣୀ ଭାବରେ ଜୀବନ ବିତାଉଥିଲି, କିନ୍ତୁ କ୍ଷମତାରେ ଥିବା ଲୋକମାନେ ମୋ ଜୀବନକୁ ଦୁଃଖରେ ଭରି ଦେଇଛନ୍ତି। ସେମାନଙ୍କ ନିଷ୍ପତ୍ତି ଯୋଗୁଁ ମୋ’ ଝିଅର ମୃତ୍ୟୁ ଘଟିଛି। ଆପଣମାନେ ଆମକୁ ରକ୍ଷା କରିବା କଥା, ଆମ ଜୀବନ ବର୍ବାଦ କରିଦେବା ନୁହେଁ।’’
ମେ’ ୩, ୨୦୨୬ରେ ସାନା ‘ନିଟ୍’ ପରୀକ୍ଷା ଦେବା ପରେ, କେନ୍ଦ୍ର ସରକାର ଘୋଷଣା କଲେ ଯେ ‘ନିଟ୍’ ପ୍ରଶ୍ନପତ୍ର ଲିକ୍ ହୋଇଯାଇଛି ଏବଂ ଛାତ୍ରଛାତ୍ରୀମାନଙ୍କୁ ପୁଣିଥରେ ପରୀକ୍ଷା ଦେବାକୁ ପଡ଼ିବ। ସେ ସମ୍ପୂର୍ଣ୍ଣ ଭାଙ୍ଗି ପଡ଼ିଥିଲେ - ପୂର୍ବରୁ ଅର୍ଥାତ ପରୀକ୍ଷା ପାଇଁ ତାଙ୍କର କଠିନ ପ୍ରସ୍ତୁତି ବେଳେ ତାଙ୍କ ଉପରେ ବଡ଼ ଚାପ ପଡ଼ିଥିଲା। ‘ନିଟ୍’ ଏକ ଅତ୍ୟନ୍ତ ପ୍ରତିଯୋଗିତାମୂଳକ ପରୀକ୍ଷା, ଯେଉଁଠାରେ ଦୁଇ ନିୟୁତରୁ ଅଧିକ ଆଶାୟୀ, ମେଡିକାଲ୍ କଲେଜଗୁଡ଼ିକରେ ମାତ୍ର ୧ ଲକ୍ଷ ୩୦ ହଜାରରୁ କମ୍ ସିଟ୍ ପାଇଁ ପ୍ରତିଯୋଗିତା କରନ୍ତି। ବର୍ଷ ବର୍ଷ ଧରି ପ୍ରସ୍ତୁତି ପରେ, ସାନା ଭାବିଥିଲେ ଯେ ଚାପରେ ରହିଥିବା ସମୟ ଶେଷ ହୋଇ ଯାଇଛି। କିନ୍ତୁ ଏବେ ତାଙ୍କୁ ସମସ୍ତ ପ୍ରକାର କଠିନ ପରିସ୍ଥିତି ଦେଇ ପୁଣି ଥରେ ପରୀକ୍ଷା ଦେବାକୁ ପଡ଼ିବ।
ଦୁର୍ଭାଗ୍ୟବଶତଃ, ଆତ୍ମହତ୍ୟା ପତ୍ର ଲେଖିବା ଅପେକ୍ଷା ପୁନର୍ବାର ପରୀକ୍ଷା ଦେବାର ବୋଝ ଅଧିକ ବୋଲି ମନେ ହେଉଥିଲା। ଜୁନ୍ ୨୧ ତାରିଖରେ ହେବାକୁ ଥିବା ପୁନଃ-ପରୀକ୍ଷାର ଗୋଟିଏ ଦିନ ପୂର୍ବରୁ ସେ ନିଜ କୋଠରୀରେ ଫାଶୀ ଲଗାଇବା ପୂର୍ବରୁ ଏତିକି ଲେଖିଥିଲେ - ‘‘ମୁଁ ଦୁଃଖିତ’’।
ଏହି କାରଣରୁ ଆତ୍ମହତ୍ୟା କରିଥିବା ୨୦ରୁ ଅଧିକ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଜଣେ ହେଉଛନ୍ତି ସାନା।
ଜାଫର୍ କହିଛନ୍ତି, ‘‘ସେଦିନ ସକାଳେ ମୋ ଫୋନକଲ୍ର ସେ ଉତ୍ତର ଦେଇ ନଥିଲା। ଯଦି ମୁଁ ତା’ ସହ କଥା ହେବାରେ ସଫଳ ହୋଇଥା’ନ୍ତି, ତେବେ ହୁଏତ ସେ ଆଜି ଆମ ଗହଣରେ ଥାଆନ୍ତା।’’ - ଆନ୍ଦୋଳନସ୍ଥଳରେ କଥାବାର୍ତ୍ତା କରିବା ସମୟରେ ଦୁଃଖରେ ଭାଙ୍ଗି ପଡ଼ିଥିବା ବାପା ଜଣକ ଏପରି କହିଥିଲେ।
ଶୋକସନ୍ତପ୍ତ ମାଆ ହବିବ୍-ଉନ୍-ନିସା କହିଛନ୍ତି, ‘‘ମୁଁ ଯେଉଁ ଦୁଃଖଦ ସମୟ ଦେଇ ଗତି କରୁଛି, ତାହା ଜଣାଇବାକୁ ମୁଁ ଏତେ ବାଟ ଅତିକ୍ରମ କରି ଏଠାକୁ ଆସିଛି।’’ ସେ ଏପର୍ଯ୍ୟନ୍ତ ଯେ ତାଙ୍କର ବଡ଼ ଝିଅ ଆଉ ନାହିଁ ବୋଲି ଗ୍ରହଣ କରିବାକୁ ସଂଘର୍ଷ କରୁଛନ୍ତି । ସେ କୁହନ୍ତି, ‘‘ଆମେ ପାଞ୍ଚ ବର୍ଷ ଭିତରେ ମରିଯାଇପାରୁ, କିମ୍ବା ବୁଢ଼ାବୁଢ଼ି ହେବା ପର୍ଯ୍ୟନ୍ତ ବଞ୍ଚି ରହିପାରୁ, କିନ୍ତୁ ଆମେ ଏହି ଯନ୍ତ୍ରଣାର ବୋଝକୁ ଜୀବନର ଶେଷ ପର୍ଯ୍ୟନ୍ତ ବୋହି ଚାଲିବୁ। ରାତିରେ ମୁଁ ଭଲ ଭାବରେ ଶୋଇପାରୁ ନାହିଁ, ଅଧ ରାତିରେ ମୋ ହାତ ଏବଂ ଗୋଡ଼ ଥରିବାକୁ ଲାଗୁଛି।’’
ବାପାମା’ ସେମାନଙ୍କର ଦୁଇ ଝିଅ - ଯାହାଙ୍କ ବୟସ ୧୫ ଏବଂ ୧୧ ବର୍ଷ, ସେମାନଙ୍କୁ ଘରେ ଛାଡ଼ି ଦିଲ୍ଲୀ ଆସିଥିଲେ। ହବିବ୍-ଉନ୍-ନିସା କହିଛନ୍ତି, ‘‘ମୁଁ ଏହି ଦୁଇ ଝିଅଙ୍କ କଥା ଚିନ୍ତା କରୁଛି, ଆଉ ଭୟ ବି ଲାଗୁଛି। ତଥାପି, ମୁଁ ଏଠାକୁ କ୍ଷମତାରେ ଥିବା ଲୋକଙ୍କୁ କହିବାକୁ ଆସିଛି ଯେ ସେମାନେ ଭୁଲ୍ କରୁଛନ୍ତି। କ୍ଷମତା କ’ଣ ଆପଣମାନଙ୍କୁ ଅନ୍ଧ କରିଦେଇଛି? ଛାତ୍ରଛାତ୍ରୀମାନେ ମୋ’ ପରି ମାଆମାନଙ୍କ ପାଇଁ ଆନ୍ଦୋଳନ କରୁଛନ୍ତି। ସେମାନେ ସମସ୍ତଙ୍କ ପାଇଁ ସମ୍ବେଦନଶୀଳ। ଯେଉଁମାନେ ମୋର ଦୁଃଖରେ ସମଭାଗୀ ହେଉଛନ୍ତି, ପୁଲିସ ସେମାନଙ୍କୁ ନିଷ୍ଠୁର ଭାବେ ମାଡ଼ ମାରିବା ଦେଖି ମୋ ମନ ଯନ୍ତ୍ରଣା ଭରି ଯାଇଥିଲା। ଯଦି ଆପଣ ଆମର ଯନ୍ତ୍ରଣା ବୁଝିପାରୁ ନାହାନ୍ତି, ତେବେ ଆପଣଙ୍କ କ୍ଷମତାର ଅର୍ଥ କ’ଣ? ଦୟାକରି ପିଲାମାନଙ୍କ ଉପରେ ଅତ୍ୟାଚାର କରନ୍ତୁ ନାହିଁ। ବଚ୍ଚୋଁ ପେ ଇତନା ଜୁଲମ୍ ମତ୍ କରିଏ (ଦୟାକରି ଆମ ପିଲାମାନଙ୍କୁ ଏତେ ଦଣ୍ଡ ଦିଅନ୍ତୁ ନାହିଁ)।’’