ଦାନମତୀ ମାଝୀ ତାଙ୍କ ପେନ୍ସନ୍ର ଅଧା ଟଙ୍କା ପ୍ରାୟ ଏକ ଦନ୍ତମଞ୍ଜନ ଯେଉଁଥିରେ ଗୁଡ଼ ଏବଂ ତମାଖୁ ରହିଛି, ସେଥିପାଇଁ ଖର୍ଚ୍ଚ କରିଦିଅନ୍ତି।
‘‘ମୁଁ ପେନ୍ସନ୍ ବାବଦକୁ ୧,୦୦୦ ଟଙ୍କା ପାଏ ଏବଂ ମୋ ଭାଇର ବୋହୂଙ୍କୁ ୫୦୦ ଟଙ୍କା ଦିଏ, ଯିଏ ମୋତେ ଖାଇବାକୁ ଦିଅନ୍ତି,’’ ସେ କୁହନ୍ତି। ‘‘ବାକି ଟଙ୍କାରେ ମୁଁ ଲୁଣ, ଲଙ୍କା, ସାବୁନ୍, ମାଲିସ୍ ତେଲ ଏବଂ ଗୁଡ଼ାଖୁ କିଣିଥାଏ।”
ଯେତେବେଳେ ଏହି ସାମ୍ବାଦିକ ଜଣକ ତାଙ୍କୁ ଥଟ୍ଟା କରି କହିଥିଲେ ଯେ, ତାଙ୍କର ମାତ୍ର ଦୁଇ-ତିନିଟି ଦାନ୍ତ ଥିବା ବେଳେ ଦନ୍ତମଞ୍ଜନ ପାଇଁ ଅଧିକ ଟଙ୍କା ଖର୍ଚ୍ଚ କରୁଛନ୍ତି, ସେତେବେଳେ ସେ ଟିକିଏ ହସିଦେଇ ମାନିଥିଲେ, ‘‘ଏଇଟା ବିନା ମତେ ଭଲ ଲାଗେନି। ଏହା ଏକ ନିଶା, ଆପଣମାନଙ୍କର ଗୁଟ୍ଖା ଚୋବାଇବା ଭଳି।’’
ଦାନମତୀ ଏକ ମାଟି ଘରେ ରହନ୍ତି, ଯାହାର ଛାତ ମଧ୍ୟ ମାଟି ଖପରାରେ ତିଆରି। ଏହି ଗୋଟିଏ କୋଠରୀ ବିଶିଷ୍ଟ ଘର ଭିତରକୁ ଯିବାକୁ ହେଲେ ନଇଁକି ଯିବାକୁ ପଡ଼େ। ଏଠାରେ ମୁଖ୍ୟ ଜିନିଷ ଭାବରେ ମାଣ୍ଡିଆ ଚୁରିବାକୁ ଗୋଟିଏ ପଥର ଚକି, ଗୋଟିଏ ଟର୍ଚ୍ଚ, ଏକ ମାଟି ଚୁଲି ଏବଂ ଲୁଗାପଟା ରଖିବା ପାଇଁ ଏକ ବାଉଁଶ ଟୋକେଇ ଅଛି। ଏହି ବୟସ୍କା ମହିଳା ଜଣକ ମାଟି ଚଟାଣରେ ଶୁଅନ୍ତି।
ଆମେ କଥାବାର୍ତ୍ତା ଆରମ୍ଭ କରିବା ବେଳେ ସେ ପଥର ଚକି ବାହାର କରି ପେସିବାକୁ ଲାଗିଲେ ଏବଂ ଏଠାରେ (ଦେଶର ସବୁଠାରୁ ଗରିବ ଅଞ୍ଚଳ ମଧ୍ୟରୁ ଅନ୍ୟତମ ଓଡ଼ିଶାର କଳାହାଣ୍ଡିରେ) ତାଙ୍କର ପିଲାଦିନ ଏବଂ ବଡ଼ ହେବା ସମୟର କଥା କହିଲେ।












