ମେ ୨୦୨୬ର ଏକ ରବିବାର, ପଶ୍ଚିମବଙ୍ଗର ଉତ୍ତର ୨୪ ପ୍ରଗଣାରେ ମତୁଆ ସମ୍ପ୍ରଦାୟର ଆଧ୍ୟାତ୍ମିକ କେନ୍ଦ୍ର ଠାକୁରବାଡ଼ିରେ ବିପୁଳ ଜନସମାଗମ ହୋଇଛି, କିନ୍ତୁ ଅଧିକାଂଶ ଲୋକ ମନ୍ଦିରରେ ପ୍ରାର୍ଥନା କରିବାକୁ ଆସିନାହାନ୍ତି, ବରଂ ସେମାନଙ୍କ ନାଗରିକତା ପ୍ରମାଣ କରିପାରିବେ ବୋଲି ଆଶା କରୁଥିବା ଦଲିଲ ପାଇବା ପାଇଁ ସେମାନେ ଗ୍ରୀଷ୍ମର ଭୀଷଣ ଗରମରେ ଲମ୍ୱା ଧାଡ଼ିରେ ଠିଆ ହୋଇଛନ୍ତି।
ଏମାନେ ସେହି ଲୋକ, ଯେଉଁମାନଙ୍କ ନାମ ବାଦ୍ ପଡ଼ିଛି - ଭୋଟର ତାଲିକାର ସ୍ପେଶାଲ ଇଣ୍ଟେନସିଭ ରିଭିଜନ (ଏସଆଇଆର) ବେଳେ ବାଦ୍ ପଡ଼ିଥିବା ୯୦ ଲକ୍ଷରୁ ଅଧିକ ନାମ ମଧ୍ୟରୁ ଅନ୍ୟତମ। ୨୦୨୬ ଏପ୍ରିଲରେ ଅନୁଷ୍ଠିତ ହୋଇଥିବା ବିଧାନସୠା ନିର୍ବାଚନରେ ସେମାନେ ଭୋଟ ଦେଇପାରିନଥିଲେ।
ମତୁଆ-ବହୁଳ ୧୫ଟି ବିଧାନସଭା ନିର୍ବାଚନମଣ୍ଡଳୀରେ ବହୁ ସଂଖ୍ୟାରେ ହିନ୍ଦୁମାନଙ୍କର ନାମ ବାଦ୍ ପଡ଼ିଛି।
ଠାକୁରବାଡ଼ିରେ ଥିବା ଭିଡ଼ ଭିତରେ ଜଣେ ହେଉଛନ୍ତି ଲଳିତା ଢାଲି। ସ୍ୱାମୀ କାର୍ତ୍ତିକଙ୍କ ସହ ସେ ଏଠାକୁ ହିନ୍ଦୁ କାର୍ଡ ନେବାକୁ ଆସିଛନ୍ତି। କବିଳାଶପୁରର ୪୩ ବର୍ଷୀୟା ଲଳିତା ସ୍କୁଟିରେ ପ୍ରାୟ ୩୦ କିଲୋମିଟର ଯାତ୍ରା କରି ଏଠାକୁ ଆସିଛନ୍ତି। ଏସଆଇଆରର ଚୂଡ଼ାନ୍ତ ତାଲିକାରେ ତାଙ୍କ ନାମ ନାହିଁ, କିନ୍ତୁ କାର୍ତ୍ତିକଙ୍କ ନାମ ରହିଛି।
ଲଳିତାଙ୍କ ଜେଜେବାପା ଓ ବାପା ୧୯୫୦ ଦଶକରେ ଭାରତ ଆସିଥିଲେ, କିନ୍ତୁ ୧୯୮୪ରେ ବାଂଲାଦେଶ ଫେରିଯାଇଥିଲେ। କିଛି ବର୍ଷ ପରେ ସେମାନେ ପୁଣି ଭାରତ ଫେରିଆସିଥିଲେ। “ଓର୍ ବାବା ଏପାରଓପାର୍ କର୍ତ୍ତୋ। କେ ଜାଣେ କୋନ୍ ପାରେ ଜନ୍ମେଛେ। [“ତାଙ୍କ ବାପା ଏପଟ-ସେପଟ ହେଉଥିଲେ]” ସେ କେଉଁ ପାର୍ଶ୍ୱରେ ଜନ୍ମ ନେଇଥିଲେ, କିଏ ଜାଣେ,” ବୋଲି ୫୩ ବର୍ଷୀୟ କାର୍ତ୍ତିକ କହନ୍ତି।
ମତୁଆମାନେ ଊନବିଂଶ ଶତାବ୍ଦୀର ଶେଷ ଭାଗରେ ଜନ୍ମ ନେଇଥିବା ଏକ ବ୍ରାହ୍ମଣବାଦ୍-ବିରୋଧୀ ସମ୍ପ୍ରଦାୟ। ଅବିଭକ୍ତ ବଙ୍ଗର ପୂର୍ବ ଅଞ୍ଚଳରେ ମୁଖ୍ୟତଃ ନମଶୂଦ୍ରଙ୍କ ସମେତ ନିମ୍ନବର୍ଗୀୟ ଲୋକଙ୍କୁ ହରିଚାନ୍ଦ ଠାକୁର ସଂଗଠିତ କରିବା ସମୟରେ ଏହି ସମ୍ପ୍ରଦାୟର ଉଦ୍ଭବ ହୋଇଥିଲା। ପଶ୍ଚିମବଙ୍ଗରେ ନମଶୁଦ୍ରମାନଙ୍କୁ ଅନୁସୂଚିତ ଜାତି ଭାବରେ ତାଲିକାଭୁକ୍ତ କରାଯାଇଛି। ଅନେକ ମତୁଆ ଦୁର୍ଦ୍ଦଶାଗ୍ରସ୍ତ ହୋଇ ପଶ୍ଚିମବଙ୍ଗକୁ ଆସିଥିଲେ ଏବଂ ସେମାନଙ୍କ ପାଖରେ କାଗଜପତ୍ର ନାହିଁ। “ବିଭାଜନ ପରେ ପୂର୍ବ ପାକିସ୍ତାନ/ବାଂଲାଦେଶରେ ଧାର୍ମିକ ନିର୍ଯାତନାର ଶିକାର ନମଶୁଦ୍ରମାନେ ମଧ୍ୟ ହୋଇଥିଲେ,” ବୋଲି ଆୟନ ଗୁହା କହନ୍ତି। ବ୍ରିଟେନର ସସେକ୍ସ ବିଶ୍ୱବିଦ୍ୟାଳୟର ଫେଲୋ ଗୁହା ପଶ୍ଚିମବଙ୍ଗରେ ଜାତିର ରାଜନୈତିକ ଗତିଶୀଳତା ଉପରେ ବ୍ୟାପକ ଭାବେ କାମ କରିଛନ୍ତି।












