ସନ୍ଧ୍ୟା ସମୟ ହୋଇଥିଲା ଯେତେବେଳେ ଦୁର୍ଗା ଏବଂ ନାରାୟଣସ୍ୱାମୀଙ୍କ ଗଙ୍ଗାମ୍ମା ନୀରନାଗା ଜାଡେ ହେନିତାଭଲେ ପ୍ରଦର୍ଶନ ଶେଷ ହେଲା। କୋଟିଗାନହାଲ୍ଲି ରମୈୟାଙ୍କ ଦ୍ଵାରା ଲିଖିତ ଏହି କନ୍ନଡ ନାଟକଟି ଜମି ଏବଂ ଜଳ ଉପରେ ସାମ୍ବିଧାନିକ ଅଧିକାର ବିଷୟରେ ଥିଲା। ଅସ୍ପୃଶ୍ୟତା ପ୍ରତି ଧ୍ୟାନ ଆକର୍ଷଣ କରିବା ପାଇଁ ଏହା ପ୍ରାୟତଃ ସାରା ରାଜ୍ୟରେ ପ୍ରଦର୍ଶିତ ହୋଇଥାଏ।
ସେମାନଙ୍କ ସଙ୍ଗୀତର ଶେଷ ସ୍ୱର ମିଳେଇ ଯିବା ପରେ, ସେମାନେ ବାବାସାହେବ ଆମ୍ବେଦକରଙ୍କ ଏକ ଫଟୋ ସେହି ପଥପ୍ରାନ୍ତ ମଞ୍ଚରେ ରଖିଲେ ଯେଉଁଠାରେ ସେମାନେ ନାଟକ ପରିବେଷଣ କରୁଥିଲେ। ବାବାସାହେବ ଆମ୍ବେଦକର ଜଣେ ପଣ୍ଡିତ, ସମାଜ ସଂସ୍କାରକ ଏବଂ ସମାନତାର ପ୍ରବକ୍ତା ଥିଲେ, ଯିଏ ଦଳିତମାନଙ୍କ ଅଧିକାର ପାଇଁ ଲଢୁଥିଲେ।
ଯଦିଓ ଲୋକମାନେ ନାଟକଟିକୁ ଶେଷ ପର୍ଯ୍ୟନ୍ତ ବସି ଏକାଗ୍ରତାର ସହ ଶୁଣୁଥିଲେ, ଯେମିତି ଆମ୍ବେଦକରଙ୍କ ଫଟୋ ସାମନାକୁ ଅଣାଗଲା, କର୍ଣ୍ଣାଟକର ସେହି ଛୋଟ ଗାଁର ପରିବେଶ ମୁହୂର୍ତ୍ତକ ମଧ୍ୟରେ ବଦଳିଗଲା।
‘‘ଯେତେବେଳେ ଆମେ ଫଟୋଟି ରଖୁ, ଲୋକମାନେ ଆମ ଜାତି ଅନୁମାନ କରନ୍ତି। ସେମାନେ ଆମକୁ ପାଣି ଦେବାକୁ ମନା କରନ୍ତି। ସେମାନଙ୍କ ବାରଣ୍ଡାରେ ନ ବସିବାକୁ ଆମକୁ କହନ୍ତି। କିଛି ଗାଁରେ, ଆୟୋଜକମାନେ ଆମର କାର୍ଯ୍ୟକ୍ରମକୁ ବାତିଲ୍ ମଧ୍ୟ କରିଦିଅନ୍ତି,’’ କହିଛନ୍ତି ନାରାୟଣସ୍ୱାମୀ।
୩୧ ବର୍ଷୀୟା ଦୁର୍ଗାଙ୍କୁ ତାଙ୍କ ବୟସ, ବୈବାହିକ ସ୍ଥିତି ଏବଂ ଆହୁରି ଅନେକ ପ୍ରଶ୍ନ ପଚାରିଛୁ: “ତୁମର ବାପାମାଆ ଏବଂ ପରିବାର କ’ଣ ତୁମକୁ ଏମିତି ପ୍ରଦର୍ଶନ କରିବାକୁ ଅନୁମତି ଦେଇଛନ୍ତି?”



























