‘କାଟ୍ଟିଲେ କଦା’ରେ ପ୍ରଥମ ଗ୍ରାହକ ପହଞ୍ଚିବା ପୂର୍ବରୁ ଜଙ୍ଗଲରେ ଦିନଚର୍ଯ୍ୟା ଆରମ୍ଭ ହୋଇସାରିଥାଏ ।
ସିନ୍ଦୂରା ଫାଟିବା ବେଳକୁ, ଶଶିକୁମାରୀ କାନି ଓ ଅନ୍ୟ ମହିଳାମାନେ ତିରୁବନନ୍ତପୁରମ ଜିଲ୍ଲାର ବିଥୁରା-ପେପ୍ପରା ନଦୀବନ୍ଧ ରାସ୍ତାରୁ ତଳକୁ ଗଡ଼ି ଜଙ୍ଗଲ ଭିତରକୁ ଚାଲିବାରେ ଲାଗିଥାଆନ୍ତି । ପଶ୍ଚିମ ଘାଟ ପର୍ବତମାଳାର ପାଦଦେଶରେ ଅବସ୍ଥିତ ଏହି ଭୂଭାଗରେ ପେପ୍ପରା ଜଳଭଣ୍ଡାର କଡ଼େ କଡ଼େ ଲମ୍ବି ଯାଇଛି ଏହି ରାସ୍ତା, ଏବଂ ଆଗକୁ ଛୋଟ ଛୋଟ ଆଦିବାସୀ ପଲ୍ଲୀରେ ପରିଣତ ହୋଇଛି ଏଠାକାର ଜନବସତି । ଏଠାରେ, ରାନ୍ଧିବା ପାଇଁ ଜାଳେଣି ଘରେ ପହଞ୍ଚାଇ ଦିଆଯାଏ ନାହିଁ । ଏହା ସଂଗ୍ରହ କରିବାକୁ ପଡ଼େ ।
ସନ୍ତୁଳିତ ଭାବରେ ମୁଣ୍ଡ ଉପରେ ଜାଳେଣି କାଠ ବିଡ଼ା ରଖି ସେମାନେ ଫେରିଆସନ୍ତି । କେବଳ ତା’ପରେ ରନ୍ଧାଘର ଖୋଲାହୁଏ। ‘କାଟ୍ଟିଲେ କଦା’ର ଆକ୍ଷରିକ ଅନୁବାଦ ହେଉଛି ‘ଜଙ୍ଗଲ ଭିତରେ ଦୋକାନ’ ।
ରାସ୍ତାକଡ଼ର ଏହି ଛୋଟ ଭୋଜନାଳୟଟି ଭିତରେ ଧୂଆଁ ଉପରକୁ ଉଠୁଥାଏ ଏବଂ କଳା ପଡ଼ିଯାଇଥିବା ହାଣ୍ଡି ତଳେ ଲାଖି ରହୁଥାଏ । ଗୋଟିଏ କୋଣରେ ପଡ଼ି ରହିଥାଏ ଏକ ଅବ୍ୟବହୃତ ରନ୍ଧନ ଗ୍ୟାସ ସିଲିଣ୍ଡର । ଗ୍ୟାସ୍ ଭରିବାରେ ଅନିୟମିତତା, ଦରଦାମ ବୃଦ୍ଧି, ଏବଂ ଯୋଗାଣରେ ଅନିଶ୍ଚିତତା ।
“ଏଣିକି ଆମେ ଆଉ ଗ୍ୟାସ୍ ଉପରେ ଭରସା କରିପାରିବୁନି,” ୪୯ ବର୍ଷୀୟା ଶଶିକୁମାରୀ କହନ୍ତି । “ତେଣୁ ଆମେ ପୁଣି ଏହି ପୁରୁଣା ଉପାୟକୁ ଆଦରି ନେଇଛୁ ।”
ଇରାନ ବିରୋଧରେ ଆମେରିକା-ଇସ୍ରାଏଲର ଯୁଦ୍ଧ କାରଣରୁ ‘ଲିକ୍ୟୁଫାଏଡ୍ ପେଟ୍ରୋଲିୟମ୍ ଗ୍ୟାସ୍ (ଏଲପିଜି)’ ଯୋଗାଣ ବାଧାପ୍ରାପ୍ତ ହୋଇଛି ଏବଂ ସମଗ୍ର କେରଳର ଛୋଟ ଛୋଟ ଭୋଜନାଳୟ ସବୁ ଏହି ସ୍ଥିତି ସହିତ ସଂଘର୍ଷ କରୁଛନ୍ତି । ଗ୍ୟାସ ମିଳିବାରେ ବିଳମ୍ବ ଏବଂ ଚଢ଼ା ଦର ଯୋଗୁଁ ଅନେକ ପୁଣି ଜାଳେଣି କାଠରେ ରାନ୍ଧିବାକୁ ବାଧ୍ୟ ହୋଇଛନ୍ତି ।
‘କାଟ୍ଟିଲେ କଦା’ରେ ସାରା ଦିନର ରୂପରେଖ ବଦଳାଇ ଦେଇଛି ରନ୍ଧନର ଏହି ପରିବର୍ତ୍ତିତ ଧାରା ।
ଚାରି ବର୍ଷ ତଳେ, ତାଙ୍କ ସ୍ୱାମୀ ୫୮ ବର୍ଷୀୟ ମାନିୟାନ ରୋଗରେ ପଡ଼ି ଆଉ ଶାରୀରିକ ପରିଶ୍ରମ କରି ନପାରିବାରୁ ଶଶିକୁମାରୀ ଏହି ଭୋଜନାଳୟ ଖୋଲିଥିଲେ । ସେମାନେ କାନି ଜନଜାତିର - ଯେଉଁମାନେ କି ଜଙ୍ଗଲ ସହିତ ନିବିଡ଼ ସଂପର୍କ ରଖିଥିବା ଦକ୍ଷିଣ ପଶ୍ଚିମ ଘାଟର ଏକ କ୍ଷୁଦ୍ର ଆଦିବାସୀ ସଂପ୍ରଦାୟ । ତେଣୁ ଶଶିକୁମାରୀ ପୁଣି ସେହି ଉପାୟ ବାଛି ନେଲେ, ଯାହାକି ସେ ସବୁଠାରୁ ଭଲ ଭାବେ ଜାଣିଥିଲେ: ଭୂମି ଦ୍ୱାରା ସଂଯୋଜିତ ଖାଦ୍ୟ ।
‘ସମନ୍ୱିତ ଆଦିବାସୀ ଉନ୍ନୟନ କାର୍ଯ୍ୟକ୍ରମ’ ସହାୟତାରେ ଏବଂ କୁଡୁମ୍ବଶ୍ରୀ ଜରିଆରେ ମିଳିଥିବା ଋଣରେ, ଏହି ମହିଳାମାନେ ରୋଜଗାରର ଏକ ଉତ୍ସ ହାସଲ କରିବାକୁ, ରାସ୍ତାକଡ଼ରେ ମାମୁଲି ରନ୍ଧାଘରଟିଏ ତିଆରି କରିଥିଲେ । କୋଭିଡ-୧୯ ଲକଡାଉନ୍ ସମୟରେ ବହୁସଂଖ୍ୟକ ଲୋକଙ୍କ ଜୀବନ ଧାରଣରେ କୁଡୁମ୍ବଶ୍ରୀ ‘ହୋଟେଲ’ ସହାୟକ ହୋଇଥିଲା ।






