ଜନାବାଈ ସୋନାୱନେ କେବେ ବି ଯୁକ୍ତି କରି ନଥିଲେ କି ଘନିଷ୍ଠ ସାଙ୍ଗମାନଙ୍କ ସହ କଳି କରି ନଥିଲେ ।
କିନ୍ତୁ ଏ ବର୍ଷଟି ଭିନ୍ନ ଧରଣର ଥିଲା । “ଟିକିଏ କଥାରେ ମୁଁ ରାଗି ଯାଉଥିଲି ଓ ସାମାନ୍ୟ ମତଭେଦକୁ ନେଇ ମୋ ସାଙ୍ଗମାନଙ୍କ ସହ ଲଢୁଥିଲି”, ମହାରାଷ୍ଟ୍ରର ଭାଦୋଲେ ଗାଁରେ ତାଙ୍କ ଘର ଆଗରେ ବସିଥିବା ଏହି ୬୨-ବର୍ଷୀୟା ମହିଳା କହନ୍ତି ।
୨୦୨୫ ଖରାଦିନରେ ରାଜ୍ୟର କୋହ୍ଲାପୁର ଜିଲ୍ଲାର ରାତିର ତାପମାନ ଉଲ୍ଲେଖନୀୟ ଭାବେ ବୃଦ୍ଧି ପାଇଲା । ଏବଂ ଜନାବାଈ ଦେଖିଲେ ଯେ ନିଦ ହେବା ପାଇଁ ତାଙ୍କୁ ସଂଘର୍ଷ କରିବାକୁ ପଡୁଛି । ପ୍ରଥମେ ସେ ଭାବିଲେ କି ତାଙ୍କର ଏହି ଅସୁବିଧା ଦିନେ ଦି’ ଦିନରେ କଟିଯିବ । ତେବେ ଏମିତି ଦିନସବୁ କଟିଲା ଯେତେବେଳେ କି ସେ ଛଟପଟ ହୋଇ ମାତ୍ର ଦୁଇ ତିନି ଘଣ୍ଟା ଶୋଇ ପାରିଲେ । ଏଭଳି ଦିନଗୁଡ଼ିକ କ୍ରମେ ସପ୍ତାହ ସପ୍ତାହ ଓ ମାସ ମାସକୁ ପରିବ୍ୟାପ୍ତ ହେଲା । ସେ ଦେଖିଲେ ଯେ ତାଙ୍କୁ ଅବିରତ ଭାବେ ବିରକ୍ତି ଓ କ୍ଳାନ୍ତ ଲାଗୁଛି ।
ଜଣେ ଭୂମିହୀନ କୃଷିଜୀବୀ ଭାବେ ଜନାବାଈ ଅନ୍ୟମାନଙ୍କ ଜମିରେ ଦିନକୁ ଆଠ ଘଣ୍ଟା ହାଡ଼ଭଙ୍ଗା ପରିଶ୍ରମ କରନ୍ତି । ସେ ଘାସ ଉପାଡ଼ନ୍ତି, ଓଜନିଆ ଗଛବୃଚ୍ଛ ଟେକନ୍ତି ଏବଂ ଫସଲ ଅମଳ କରନ୍ତି । ସନ୍ଧ୍ୟା ହେଲା ବେଳକୁ ସେ କ୍ଳାନ୍ତ ହୋଇଯାଇଥାନ୍ତି – ତାଙ୍କ କାନ୍ଧ ବିନ୍ଧୁଥାଏ, ଭାରାକ୍ରାନ୍ତ ଦିନଟିର ଚାପରେ ତାଙ୍କ ଗୋଡ଼ ଦି’ଟା ଅଚଳ ଲାଗୁଥାଏ । ସେଭଳି ଗୋଟିଏ ଦିନ ସରିଯିବା ପରେ ସେ ସାଧାରଣତଃ ରାତି ଦଶଟା ସୁଦ୍ଧା ତାଙ୍କ ଘର ଦୁଆରମୁହଁରେ ବସିଥାଆନ୍ତି । କିଛି ମିନିଟ ଭିତରେ ସେ ଶୋଇବାକୁ ଯାଆନ୍ତି ।
କିନ୍ତୁ ସେଭଳି ବିଶ୍ରାମଦାୟୀ ଗଭୀର ନିଦ ହେବା ରାତିସବୁ ଏବେ ଏକ ସୁଦୂରପରାହତ ସ୍ଵପ୍ନ । ନିକଟରେ କଟି ଯାଇଥିବା ମାସଗୁଡ଼ିକରେ ଏହି ଅଞ୍ଚଳରେ ବୃଦ୍ଧି ପାଉଥିବା ତାପମାନ ଓ ଗୁଳୁଗୁଳି ତାଙ୍କୁ ସାରା ରାତି ଝାଳ ପଚପଚ କରିଦିଏ । କଡ଼ ଏପଟ ସେପଟ କରିକରି ସେ ଅସ୍ଥିର ହୁଅନ୍ତି, ଟିଣଘୋଡ଼ା ହୋଇଥିବା ଘର ଛାତରୁ ତାତି ବାହାରି ଘରେ ବ୍ୟାପିବା ଯୋଗୁଁ ସେ ବାରମ୍ବାର ନିଦରୁ ଉଠନ୍ତି ।
ଥରେ ନିଦ ଭାଙ୍ଗିଗଲା ପରେ ପୁଣି ଥରେ ତାଙ୍କୁ ନିଦ ହେବାକୁ ଅନ୍ତତଃ ଘଣ୍ଟାଏ ଲାଗିଯାଏ ।












