…ମୋନ୍ୟୁଲଚୋଲେଗ୍ୟାଲୋ
ମୋନ୍ୟୁଲଚୋଲେଗ୍ୟାଲୋ
[ମୋନପା ଭୂମିର ଜୟ ହେଉ
ମୋନ୍ୟୁଲର ଜୟ ହେଉ]
ଏହା ହେଉଛି ବିଦ୍ୟାଳୟ ପ୍ରାର୍ଥନା ସଭାର ଶେଷ ଗୀତ ଯାହା ମୋ ମନରେ ଅନେକ ପ୍ରଶ୍ନ ଛାଡ଼ି ଯାଇଥାଏ। କେବଳ ଏଇଥିପାଇଁ ନୁହେଁ ଯେ ଏହା ମୋ ପାଇଁ ଅପରିଚିତ, କିମ୍ବା ଏହା ମୁଁ ଜାଣିଥିବା ଭାଷା ନୁହେଁ, ବରଂ ଏଥିପାଇଁ ଯେ ଏହା ସମ୍ପୂର୍ଣ୍ଣ ଭିନ୍ନ ଭାଷା। ଏପରିକି ଏହା ସେହି ଭାଷାଠାରୁ ସମ୍ପୂର୍ଣ୍ଣ ଅଲଗା ଯାହାକୁ ଏହି ହିମାଳୟ ଉପତ୍ୟାକାର ସ୍ଥାନୀୟ ଲୋକମାନେ କଥାବର୍ତ୍ତା ହେଉଥିବା ବେଳେ ମୁଁ ଶୁଣିଛି। ମୁଁ ଗତ କିଛି ଦିନ ଧରି ପଶ୍ଚିମ କାମେଙ୍ଗ ଜିଲ୍ଲାର ଚୁଗ୍ ଗ୍ରାମରେ ମୋନପା ଲୋକଙ୍କ ଜୀବନକୁ ନେଇ ଗବେଷଣା କରୁଛି।
ଜୁଲାଇ ଶେଷ ଗୁରୁବାର ସକାଳ। ଅରୁଣାଚଳ ପ୍ରଦେଶର ସବୁଠୁ ସୁନ୍ଦର ଗ୍ରାମ ରୂପେ ଲୋକମୁଖରେ ଚର୍ଚ୍ଚିତ ଗାଁରେ ମୁଁ ଥାଏ। ଗୋଟିଏ ସରକାରୀ ବିଦ୍ୟାଳୟରେ ଶିକ୍ଷକ ଥିବା ନୱାଙ୍ଗ ସେରିଙ୍ଗଙ୍କ ବାଇକ୍ ପଛରେ ମୁଁ ବସିଥାଏ। ଚୁଗ୍ଠାରୁ ପାଖାପାଖି ୬ କିଲୋମିଟର ଦୂର ରାମାକ୍ୟାମ୍ପସ୍ଥିତ ପିଏମ୍ ଶ୍ରୀ ସରକାରୀ ମାଧ୍ୟମିକ ବିଦ୍ୟାଳୟରେ ମୁଁ ପହଞ୍ଚେ। ଆଖପାଖ ଗାଁରେ ଅନେକ ପିଲା ସକାଳୁ ସକାଳୁ ଚାଲି ଚାଲି ବିଦ୍ୟାଳୟକୁ ଯାଆନ୍ତି ।
ସକାଳ ୯ଟା ବାଜିଛି… ପ୍ରାର୍ଥନା ସମୟ। ମଞ୍ଚରୁ କାର୍ଯ୍ୟକ୍ରମର ନେତୃତ୍ୱ ନେଉଥିବା କିଛି ଛାତ୍ରଛାତ୍ରୀଙ୍କ ଠିକ୍ ପଛରେ ମୁଁ ଯଥାସମ୍ଭବ କାନ୍ଥକୁ ଲାଗି ଛିଡ଼ା ହୋଇଥାଏ। ମୋ ସାମ୍ନାରେ ଘଞ୍ଚ ସବୁଜ ପର୍ବତ। ଜଳଜ ନୀଳ ଓ ବେଦାଗ ଧଳା ବାଦଲକୁ ଧରି ରଖିଥିବା ବିସ୍ତିର୍ଣ୍ଣ ଆକାଶ ଛାତ୍ରଛାତ୍ରୀଙ୍କ ୟୁନିଫର୍ମର ରଙ୍ଗ ସହ ମେଳ ଖାଉଥାଏ। ସେମାନଙ୍କ ମଧ୍ୟରୁ ୨୬୦ ଜଣ ସମ୍ପୂର୍ଣ୍ଣ ସିଧା ଧାଡ଼ିରେ ଛିଡ଼ା ହୋଇଯାଆନ୍ତି।





