ବିହାରର ସୀତାମଢ଼ି ଜିଲ୍ଲାରେ ଥିବା ଆମ ଗାଁ ବାରି ଫୁଲୱାରିଆରୁ ପ୍ରାୟ ଏକ ଘଣ୍ଟା ଦୂରରେ ଅନ୍ୟ ଏକ ଗାଁ ଅଛି - ଭବାନୀପୁର । ସେଠାକାର ଜଣେ ମହିଳା ନିଜ ମୁଣ୍ଡରେ ଏକ ଛ୍ୟାନ୍ତି (ବାଉଁଶ ଟୋକେଇ) ରେ ମାଂସ ଧରି ଆମ ଗାଁର ମୋହଲ୍ଲାଗୁଡ଼ିକରେ ବୁଲୁଥିଲେ । ସେ ପାନ ଖାଇବାକୁ ବହୁତ ଭଲ ପାଉଥିଲେ, ତେଣୁ ସମସ୍ତେ ତାଙ୍କୁ ପାନବାଲୀ ବୋଲି ଡାକୁଥିଲୁ । ଏହା ୧୯୭୯ ମସିହାର କଥା ।
ସେତେବେଳେ ଭୀଷଣ ଅଭାବର ଦିନ ଥିଲା, ଖୁବ୍ କମ୍ ଲୋକ ମାଛ କିମ୍ବା ମାଂସ କିଣିବାକୁ ସମର୍ଥ ଥିଲେ । କିନ୍ତୁ ଦୁଇମାସରେ ଥରେ ଯେତେବେଳେ ପାନବାଲୀ ଆସୁଥିଲେ, ତାହା ଆମ ପାଇଁ ଇଦ୍ ପରି ଥିଲା । ଗୋସ୍ ଲେ ଲୋ ଗୋସ୍ (ମାଂସ ନିଅ, ମାଂସ ନିଅ)!
ପିଲାଦିନେ ମୁଁ ମାଂସକୁ ଏତେ ଭଲ ପାଉଥିଲି ଯେ, ମୋ ଜେଜେବାପା ଶେଖ୍ ଅବଦୁଲ ହକିମ୍ ମୋତେ ଚିଡ଼ାଇ କହୁଥିଲେ ଯେ “ଜଵ୍ ଵଡ଼ା ହୋଗା, ତେରି ଶାଦି ପାନଵାଲୀର ଝିଅ ସହିତ କରିଦେଵି [ଯେତେବେଳେ ତୁ ବଡ଼ ହେବୁ, ମୁଁ ପାନବାଲୀର ଝିଅ ସହ ତତେ ବାହା କରିଦେବି] ।"
ଆମ ଗାଁ ଏକ ମୁସଲିମ୍ ବହୁଳ ଗାଁ ଥିଲା । ଭବାନୀପୁରରୁ ଫୁଲୱାରିଆ ପର୍ଯ୍ୟନ୍ତ ମାତ୍ର ଦୁଇଟି ରାସ୍ତା ଥିଲା । ଗୋଟିଏ ନରହରପୁର ଦେଇ ଯାଇଥିଲା ଏବଂ ଅନ୍ୟଟି ବସୌଲ ଦେଇ ଯାଇଥିଲା । ଏହି ଉଭୟ ସ୍ଥାନରେ ହିନ୍ଦୁ ଏବଂ ମୁସଲିମ୍ଙ୍କ ମିଶ୍ରିତ ଜନସଂଖ୍ୟା ଥିଲା । ଏବଂ ତା'ପରେ ଅଧୱାରା ନଦୀ ଥିଲା, ଯାହାକୁ ପାର ହୋଇ ପାନବାଲୀଙ୍କୁ ଆମ ଗାଁକୁ ଆସିବାକୁ ପଡ଼ୁଥିଲା ।
ଆମ ଗାଁରୁ ସେ ବାରି ଏବଂ ବାଜିତପୁର ଦେଇ ଚାଲି ଚାଲି ଯାଉଥିଲେ (ଯେଉଁଠାରେ ହିନ୍ଦୁମାନେ ବହୁ ସଂଖ୍ୟାରେ ଥିଲେ), କାଞ୍ଚନପୁରରେ ପହଞ୍ଚିବା ପାଇଁ, ଯେଉଁଠାରେ ସେ ବାକି ରହିଥିବା ମାଂସ ବିକ୍ରି କରୁଥିଲେ ।
ଆଜି ଏହା ଅବିଶ୍ୱାସନୀୟ ମନେହେବ, କିନ୍ତୁ ମୁଣ୍ଡରେ ଏକ ଟୋକେଇ ଭର୍ତ୍ତି ମାଂସ ଧରି ଦ୍ୱାର ଦ୍ୱାର ବୁଲୁଥିବା ସେହି ମହିଳାଙ୍କୁ କେହି ଅଟକାଇ ନଥିଲେ, ବିଭିନ୍ନ ଗାଁ ଦେଇ ଯାଉଥିବା ସମୟରେ କେହି ତାଙ୍କର କୌଣସି କ୍ଷତି କରିନଥିଲେ । ଆମ ଅଞ୍ଚଳରେ ହିନ୍ଦୁମାନେ ଘୁଷୁରି ମାଂସ ଖାଇବା, ତାଡ଼ି ଏବଂ ମଦ୍ୟପାନ କରିବା ନେଇ ମୁସଲିମ୍ମାନେ ବିରକ୍ତ ହେଉ ନଥିଲେ । ଏବଂ ସେହିଭଳି, ମୁସଲିମ୍ମାନେ ମାଂସ ଖାଇବା ନେଇ ହିନ୍ଦୁମାନେ ମଧ୍ୟ ଅସନ୍ତୁଷ୍ଟ ହେଉ ନଥିଲେ ।
ଆଜି ମୁଁ ଜାଣିନାହିଁ ପାନବାଲୀ ଜୀବିତ ଅଛନ୍ତି କି ନାହିଁ, କିନ୍ତୁ ସେହି ସମୟଟି ନିଶ୍ଚିତ ଭାବେ ଆଉ ନାହିଁ । ଭବାନୀପୁର ଏବଂ ଫୁଲୱାରିଆ ମଧ୍ୟରେ ଦୂରତା କେବଳ ବଢ଼ିବାରେ ଲାଗିଛି ।