ଗୋଲାପର ପାଖୁଡ଼ା, ପତ୍ରର ଶିରା – ଏହି ଭଳି ଅନେକ କିଛି ପିତ୍ତଳ ଧାତୁ ଉପରେ ଖୋଦେଇ କରି ପାରନ୍ତି ଇର୍ସାଦ ହୁସେନ। ସେ ଜଣେ କଳାକାର ଓ ସେ ପ୍ରସ୍ତୁତ କରୁଥିବା କଳା ହେଉଛି ସିଆ କଲମ। ଏହାକୁ ପ୍ରସ୍ତୁତ କରାଯାଉଥିବା ଉତ୍ତର ପ୍ରଦେଶର ମୋରାଦାବାଦକୁ ପିତ୍ତଳ ନଗରୀ ବା ବ୍ରାସ ସିଟି ବୋଲି କୁହାଯାଏ।
ସେ ଦିନସାରା ଖୋଦେଇ କରିଥିବା ଜିନିଷଗୁଡ଼ିକ ପିରଜାଦାରେ ଥିବା ତାଙ୍କ ୱାର୍କସପ୍ରେ ଏଣେତେଣେ ଖେଳେଇ ହେଇ ପଡ଼ିଥାଏ – ମୟୁର, ତେଲ ଡିବିରି, ସ୍ଵସ୍ତିକ ଚିହ୍ନ ଥିବା କପ୍, ପ୍ରାର୍ଥନା ଘଣ୍ଟି ଓ ତରବାରୀର ହାତମୁଠାରେ ଲାଗୁଥିବା ସିଂହ-ମୁଣ୍ଡ, ଇତ୍ୟାଦି।
ହୁସେନ ସିଆ କଲମ କାରୀଗରମାନଙ୍କ ଏକ ପ୍ରଲମ୍ବିତ ବଂଶାନୁକ୍ରମର ଅଂଶ ଓ ତାଙ୍କୁ ଯେତେବେଳେ ମାତ୍ର ଦଶ ବର୍ଷ ବୟସ ହେଇଥିଲା ସେ କାମ କରିବା ଆରମ୍ଭ କରିଥିଲେ। ସେ ଖୋଦେଇ କରୁଥିବା ଦିୟା (ଦୀପ)ଟି ଗୋଟିଏ ଟିପାୟୀ, ଛୋଟ କାଠ ଟେବୁଲ ଉପରେ ଥିବା ଦୁଇଟି ପଥର ମଝିରେ ରହିଥିଲା। ଦିୟାରେ ବନ୍ଧା ଯାଇଥିବା ସୂତା ଟେବୁଲ ତଳେ ବୁଲୁଥିଲା ଓ ସେ ତାକୁ ତାଙ୍କ ଡାହାଣଗ୍ ପାଦରେ ଟାଣି ଧରିଥିଲେ। ଗୋଟିଏ କାଠ ଡାଙ୍ଗକୁ ହୁସେନ କଲମ ଆକାରର ନିହାଣ ଉପରେ ବାଡ଼େଇଲେ ଧାତୁ ଉପରେ ସୁନ୍ଦର ପ୍ରତିରୂପ ଆଙ୍କି ହେଇ ଯାଉଥିଲା।
“ଗ୍ରାହକମାନେ ଅଧିକାଂଶତଃ ସେମାନଙ୍କ ନିଜସ୍ଵ ଉପହାର ରୂପେ ସ୍ଵତନ୍ତ୍ର ପ୍ରତିରୂପ କରିବାକୁ ବରାଦ କରନ୍ତି – ଯେମିତି କି ହିନ୍ଦୀ, ଉର୍ଦ୍ଦୁ, ଇଂରାଜୀ ବା କୋରାନର ସୁରହସ (ଅଧ୍ୟାୟ) ଭଳି ଆରବୀୟ ଭାଷାରେ ଲିଖିତ କାନ୍ଥରେ ଟାଙ୍ଗିବା ପାଇଁ ସ୍ଵାମୀ-ସ୍ତ୍ରୀମାନଙ୍କ ନାଁ। ମୁଁ ତାହାକୁ ଫୁଲରେ ମଧ୍ୟ ସଜେଇ ଦିଏ, କାରଣ ସେମାନେ ତାକୁ ପସନ୍ଦ କରନ୍ତି”, ସେ ‘ପରୀ’କୁ କହନ୍ତି। “ଗୋଲାପ ଫୁଲରେ ଯେଉଁଗୁଡ଼ିକ ସଜା ହୋଇଥାଏ ମତେ ଭଲ ଲାଗେ”।
ଏହି କୁଶଳୀ ଖୋଦେଇ କାରିଗର ଜଣକ ଅନ୍ୟମାନଙ୍କ ସହିତ ସହଭାଗରେ ବ୍ୟବହାର କରୁଥିବା ତାଙ୍କ ୧୦ ବର୍ଗଫୁଟ କୋଠରୀର ବାଟ ମୁହଁରେ ବସିଥାନ୍ତି। “ଶିଖନେ କେ ୱକ୍ତ ୟେ କଲାକାରୀ ଲଗତା ଥା [ଶିଖିଲା ବେଳେ ଏହା କଳା ପରି ଲାଗୁଥିଲା],” ଆରମ୍ଭ ସମୟକୁ ମନେ ପକେଇ ସେ କହନ୍ତି। “ଔର ଅବ ବସ୍ କାମ [ଆଉ ଏବେ କେବଳ କାମ]”।




















