ପଲାମୁ ଜିଲ୍ଲା ଅନ୍ତର୍ଗତ ଚୈନପୁର ବ୍ଲକସ୍ଥିତ କଙ୍କାରି ଗାଁରେ ବଳକା ରହିଥିବା ମେଷପାଳକମାନଙ୍କ ମଧ୍ୟରୁ ନନ୍ଦୁ ପାଲ ହେଉଛନ୍ତି ଜଣେ। ରାଜ୍ୟରେ ସମୁଦାୟ ଛ’ ଲକ୍ଷ ମେଣ୍ଢା ରହିଥିବା (୨୦୧୯) ବେଳେ ସାରା ଦେଶରେ ୮୮ ଲକ୍ଷ ଛାଗଳ ରହିଥିବା ରାଜ୍ୟଗୁଡ଼ିକ ମଧ୍ୟରେ ଏହାର ଏକ ପ୍ରମୁଖ ସ୍ଥାନ ରହିଛି, ଏବଂ ଏହା ବ୍ୟତୀତ ରହିଛନ୍ତି ୧୧ ନିୟୁତ ଗୋରୁଗାଈ। ଏହି ସମସ୍ତ ଜନ୍ତୁ ସମାନ ଚାରଣ ଭୂମିରେ ହିଁ ଚରନ୍ତି।
“ଦିନେ ଦିନେ ଚାରଣ ଭୂମି ଖୋଜି ଖୋଜି ଆମକୁ ୧୨-୧୩ କୋଷ ବାଟ [ପ୍ରାୟ ୪୦ କି. ମି.] ଯିବାକୁ ପଡ଼େ”, କହନ୍ତି ନନ୍ଦୁ ପାଲଙ୍କ ବଡ଼ବାପା ପୁଅ ଭାଇ ୬୨-ବର୍ଷୀୟ ରାମରତି। “ପୂର୍ବେ, ଦୋହରରେ ମଗର ଘାସ ଓ ବେଣାଘାସ ଯଥେଷ୍ଟ ପରିମାଣରେ ଥିଲା। କିନ୍ତୁ ଏବେ, ତାହା ମଧ୍ୟ ଆଉ ନାହିଁ”, ସେ କହନ୍ତି। ମଗର ଘାସ ହେଉଛି ଏକ ପ୍ରକାରର ଟାଣୁଆ ଘାସ ଯାହା ଏହି ଅଞ୍ଚଳର ଦୋହର (ପ୍ରାକୃତିକ ଜଳାଶୟ ବା ଜୋର) ଚାରିପଟେ ପ୍ରଚୁର ପରିମାଣରେ ହୁଏ। ଏହାକୁ ଅଧିକାଂଶତଃ ପ୍ରାଣୀମାନଙ୍କୁ ଖାଦ୍ୟ ରୁପେ ଦିଆଯାଏ ଓ ଏହା ଆର୍ଦ୍ର ଭୂମିରେ ବଢେ। ଜଳାଶୟଗୁଡ଼ିକ ଶୁଖି ଯିବାରୁ ଏହି ଘାସ ଉଭେଇ ଯାଇଛି।
ଏପରିକି ଚାଷ ଜମିରୁ ମଧ୍ୟ ପ୍ରାଣୀମାନଙ୍କୁ ଯଥେଷ୍ଟ ଖାଇବାକୁ ମିଳୁନାହିଁ। ପୂର୍ବରୁ ଚଣା ଓ ଚକୱାଡ଼ (ସେନ୍ନା ଅବତୁସିୟା) ପରି ଶସ୍ୟ ବଢି ସାରିଲା ବେଳକୁ ସେଗୁଡ଼ିକର ବିହନ ଜମିରେ ରହିଯାଉଥିଲା, କିନ୍ତୁ ଏବେ କୌଣସି ଚାଷୀ ସେଗୁଡ଼ିକୁ ଚାଷ କରୁ ନ ଥିବାରୁ ସେଗୁଡ଼ିକ ମଧ୍ୟ ମିଳୁନାହିଁ। ତା’ ପରିବର୍ତ୍ତେ ଏବେ ଅଧିକାଂଶ ଲୋକ ମକା, ଧାନ ଓ ଗହମ ଆଦି ଫସଲ ଚାଷ କରୁଛନ୍ତି ଓ ସେଥିରୁ ଚରିବା ପାଇଁ ବଳକା କିଛି ରହୁ ନାହିଁ। “ମେଣ୍ଢାମାନେ ପୂର୍ବରୁ ଯେମିତି ପୋଷଣଯୁକ୍ତ ଖାଦ୍ୟ ପାଉଥିଲେ ଆଉ ପାଉ ନାହାନ୍ତି। ବର୍ତ୍ତମାନ ଯାହା ତୁମେ ଦେଖୁଛ ସବୁ ହେଉଛି କିଛିଟା ସବାନ୍ନା ଘାସ ଓ ଘାସ ବୋଲି କୁହାଯାଉଥିବା ଅନ୍ୟକିଛି [ସିନୋଦନ ଡାକଟାଇଲନ]”, ନନ୍ଦୁ କହନ୍ତି।
ଏହି ଅଞ୍ଚଳରେ ଲଗାତାର ଦୁଇ ବର୍ଷ (୨୦୨୨ ଓ ୨୦୨୩ରେ) ମରୁଡ଼ି ହେବା ଯୋଗୁ ଜଳାଶୟଗୁଡ଼ିକ ଶୁଖିଗଲା ବା ଏବେ ସେଗୁଡ଼ିକ ବେଶ ପ୍ରଦୂଶିତ ହୋଇଯାଇଛି। “ମେଣ୍ଢାମାନେ ବଞ୍ଚି ରହିବା ପାଇଁ ସଫା ପାଣି ଦରକାର”, କହନ୍ତି ନନ୍ଦୁ, ଯେ କି ଗତ ଦଶନ୍ଧି ଭିତରେ ଏକାଧିକ ଜଳାଶୟ ହଜି ଯାଇଥିବା ଦେଖିଛନ୍ତି।
ଗତ ମରୁଡ଼ି ସମୟରେ, “ଆମେ ଭାଙ୍ଗି ପଡ଼ିଥିଲୁ। ଦିନସାରା ଚରିବା ପରେ ମେଣ୍ଢାମାନେ ଭୋକିଲା ରହୁଥିଲେ”, ନନ୍ଦୁ ଗମ୍ଭୀର ସ୍ଵରରେ କହନ୍ତି। “ମୁଁ ଗତ ବର୍ଷ ୨୦ଟି ମେଣ୍ଢା ହରେଇଲି”, ଟିକିଏ ଚୁପ ରହିବା ପରେ ନନ୍ଦୁ କହନ୍ତି।
ନିକଟରେ ନନ୍ଦୁ ଓ ତାଙ୍କ ସାଥୀମାନେ ସେମାନଙ୍କ ମେଣ୍ଢାଗୁଡ଼ିକୁ ଏକ ପ୍ରକାର ବୀଜାଣୁଜନିତ ନିମୋନିଆ (ନ୍ୟୁମୋକୋକାଲ୍) ରୋଗର, ଯେଉଁ ରୋଗ ସଫା ପାଣି ନପାଉଥିବା ଜନ୍ତୁମାନଙ୍କୁ ହୁଏ ବୋଲି କୁହାଯାଏ, ତା’ର ପ୍ରତିଷେଧକ ଟିକା ଦେଇଛନ୍ତି। ।