‘‘ନିଜକୁ ବଞ୍ଚିତ ଓ ଅବହେଳିତ ସମୁଦାୟର ପ୍ରତିନିଧି ବୋଲି ଦାବି କରି ଏସି ରୁମ୍ ଭିତରେ ହେଉଥିବା ପ୍ରଦର୍ଶନୀଗୁଡ଼ିକରେ ସେହି ଲୋକମାନଙ୍କ ପାଇଁ କୌଣସି ସ୍ଥାନ ନଥାଏ, ଯାହାଙ୍କ ବିଷୟରେ ଏହି କଳା ପ୍ରଦର୍ଶନୀ କହିଥାଏ। ମୁଁ ଥରେ ମୋର ପାଠ୍ୟକ୍ରମର ଆବଶ୍ୟକତା ପୂରଣ ପାଇଁ ଦିଲ୍ଲୀର ଏକ କଳା ପ୍ରଦର୍ଶନୀକୁ ଯାଇଥିଲି। ସେହି ହଲ୍ରେ ସମାଜର ବଞ୍ଚିତ ଓ ଅଭାବୀ ଲୋକଙ୍କ ଉପରେ ଆଧାରିତ ଅନେକ ଫଟୋଗ୍ରାଫ୍, ଶିଳ୍ପକଳା ଏବଂ ଚିତ୍ର ରହିଥିଲା। କିନ୍ତୁ ସେହି ସ୍ଥାନଟି ବେଶ୍ ଅଭିଜାତ ମନେହେଉଥିବାରୁ ମୁଁ ନିଜକୁ ସେଠାରୁ ବହୁତ ଦୂରରେ ଅନୁଭବ କରୁଥିଲି,’’ – ଆନ୍ତରିକତା ଭରା କଣ୍ଠରେ ଏପରି କହିଥିଲେ ୨୨ ବର୍ଷୀୟା ହାଇରୁନିଶା।
‘‘ଆପଣ କ'ଣ ଭାବୁଛନ୍ତି, ଜଣେ ବଞ୍ଚିତ ସମୁଦାୟର ବ୍ୟକ୍ତି ଯଦି କେବେ ଏପରି ସ୍ଥାନକୁ ଆସିଯିବେ, ତେବେ ସେ କିପରି ଅନୁଭବ କରିବେ? ମୋତେ ଲାଗୁନାହିଁ, ସେ ସେହି ସ୍ଥାନଟିକୁ ନିଜର ବୋଲି ମନେ କରିପାରିବେ। ଯଦି ମୁଁ କେବେ କୌଣସି ପ୍ରଦର୍ଶନୀ ଆୟୋଜନ କରେ, ତେବେ ଏହାକୁ ଭିନ୍ନ ଭାବରେ କରିବି। କେବଳ କାନ୍ଥରେ ଫଟୋ ଲଗାଇବା କିମ୍ବା କେହି ଜଣେ ସେ ବିଷୟରେ ବର୍ଣ୍ଣନା କରିବା ଯଥେଷ୍ଟ ନୁହେଁ। ମୁଁ ପ୍ରକୃତ ଲୋକଙ୍କୁ ସେହି ସ୍ଥାନକୁ ଆଣିବି ଯେଉଁଠାରେ ସେମାନେ ଅନ୍ୟମାନଙ୍କ ସହ ଖୋଲାଖୋଲି ମିଶି ପାରିବେ। ଆଉ ପ୍ରଦର୍ଶନୀ ହେଉଥିବା ସ୍ଥାନକୁ ସେହି ଭୂମି ସହିତ ଯୋଡ଼ିବି, ଯେଉଁଠି ଫଟୋଗୁଡ଼ିକ ଉଠା ଯାଇଛି।’’ ତାଙ୍କ ମନଭାବନାକୁ ଦ୍ରୁତ ଗତିରେ ସେ ବ୍ୟକ୍ତ କରୁଥିଲେ। ହାଇରୁନିଶା କେ.ଙ୍କ ପାଖରେ ମାତ୍ର ୨୦ ମିନିଟ୍ ସମୟ ଥିଲା, ଯାହା ପରେ କ୍ୟାମ୍ପସ୍କୁ ଫେରି ସେଠାରେ ଏକ କାର୍ଯ୍ୟକ୍ରମରେ ତାଙ୍କର ଆଙ୍କରିଂ କରିବାର ଥିଲା।
ନୂଆଦିଲ୍ଲୀର ଜାମିଆ ମିଲିଆ ଇସଲାମିଆ ବିଶ୍ୱବିଦ୍ୟାଳୟରୁ ଗଣଯୋଗାଯୋଗରେ ମାଷ୍ଟର୍ସ କରୁଥିବା ହାଇରୁନିଶା ହେଉଛନ୍ତି ଉତ୍ତର ଚେନ୍ନାଇର ଏକ ମୁସଲିମ୍ ପରିବାରର ପ୍ରଥମ ପିଢ଼ିର ଶିକ୍ଷାର୍ଥୀ। ସେ କୁହନ୍ତି, ‘‘ମୁଁ ମୋ ପରିବାରର ପ୍ରଥମ ସଦସ୍ୟ ଯିଏ ଏତେ ଦୂର ପାଠ ପଢ଼ିବାକୁ ଆସିଛି। ଆମ ସମ୍ପ୍ରଦାୟର ମହିଳାମାନଙ୍କୁ ଘରେ ରହିବାକୁ ଉତ୍ସାହିତ କରାଯାଏ ଏବଂ ସ୍ନାତକ ପଢ଼ିବାକୁ ଦିଆଯାଏ ନାହିଁ। ମୋତେ ୧୮ ବର୍ଷ ହେବା ମାତ୍ରେ ମୋ ଉପରେ ବିବାହ କରିବା ପାଇଁ ଚାପ ପଡ଼ିବା ଆରମ୍ଭ ହୋଇଥିଲା। କିନ୍ତୁ ମୁଁ ପଳାଇ ଆସିଲି। ଫଟୋଗ୍ରାଫି ମୋତେ ଦେଖାଇଲା ଯେ ବାହାରେ ଏକ ବଡ଼ ଦୁନିଆ ରହିଛି।’’
















