ପୂର୍ଣ୍ଣିଆ ଜିଲ୍ଲାର ମକା କ୍ଷେତ ଅଞ୍ଚଳର ଏକ ଅଂଶ ଦେଇ ଯାଉଥିବା ମୁଖ୍ୟ ଆସ୍ଫାଲ୍ଟ ରାସ୍ତାର ଉଭୟ ପାର୍ଶ୍ୱ ବର୍ଷର ଏହି ସମୟରେ ସୁନେଲି ରଙ୍ଗରେ ଝଲସୁଥାଏ। ମକା ଅମଳ ଶେଷ ହୋଇଯାଇଛି, ଏବଂ ଚାଷୀମାନେ ସେମାନଙ୍କ କ୍ଷେତକୁ ଲାଗିଥିବା ରାସ୍ତାର ପାର୍ଶ୍ୱରେ ଶୁଖାଇଥିବା ମକା ଦାନା ହଳଦିଆ କାର୍ପେଟ୍ ବିଛାଇବା ପରି ଦିଶୁଛି। ଚାନ୍ଦୱା-ରୂପାସ୍ପୁର ଆଦିବାସୀ ଟୋଲା ନିକଟରେ ପହଞ୍ଚି, ଆମେ ସାନ୍ତାଳ ପୁରୁଷ ଓ ମହିଳାମାନେ ଏକ କାଠ ତିଆରି ହଳ ଭଳି ଉପକରଣ ସାହାଯ୍ୟରେ ଦାନାଗୁଡ଼ିକୁ ଓଲଟାଇ ଶୀଘ୍ର ଶୁଖାଇବାରେ ଲାଗି ପଡ଼ିଥିବାର ଦେଖିବାକୁ ପାଇଲୁ। କୌଣସି ସ୍ଥାନରେ, ଏକ ଚୌକିଦାର ନିଶ୍ଚୟ ନଜର ରଖିଥିବ ଏବଂ ଶୀଘ୍ର ସେମାନଙ୍କ ଦ୍ୱାରରେ ପହଞ୍ଚି ଆଦିବାସୀମାନେ ପିଢ଼ି ପରେ ପିଢ଼ି ଭାଗଚାଷୀ ଭାବେ ଖଟୁଥିବା ଜମିଦାରମାନଙ୍କ ଭାଗ ଆଦାୟ କରିବ। ରାଜ୍ୟରେ ଜମି ଅଧିକାର ସଂସ୍କାର ହେବାର ବର୍ଷ ବର୍ଷ ପରେ ମଧ୍ୟ ସେମାନଙ୍କ ଅମଳର ଏକ ଭାଗ କାହାକୁ ପରିଶୋଧ କରୁଛନ୍ତି।
ମୁଖ୍ୟ ରାସ୍ତାର ଅନତି ଦୂରରେ, ଗାଁର ପାଖାପାଖି, ସେମାନଙ୍କ ପୂର୍ବଜମାନେ ଜାଗ୍ରତ ରହିଛନ୍ତି, ଯେଉଁଠିପାଞ୍ଚ ଦଶକ ପୂର୍ବର ଏକ ଗଣହତ୍ୟା ସମୟରେ ସେମାନଙ୍କ ମୃତ୍ୟୁର ସ୍ମୃତିରେ ସ୍ଥାପିତ ସ୍ମାରକୀ ରହିଛି। ଏକ ଆବଦ୍ଧ କ୍ଷେତ୍ର ମଧ୍ୟରେ ଏକ ଉଚ୍ଚ ପ୍ଲାଟଫର୍ମ ଉପରେ ଥିବା ଶ୍ୱେତ ସ୍ତମ୍ଭରେ ସମସ୍ତ ୧୪ ଜଣଙ୍କର ନାମ ଥିବା ଏକ ମାର୍ବଲ୍ ଫଳକ ଅଛି, ଯେଉଁମାନଙ୍କୁ ସେମାନଙ୍କ ଜମିଦାରମାନେ ୧୯୭୧ ନଭେମ୍ବର ୨୨ ତାରିଖରେ ନିର୍ମମ ଭାବେ ହତ୍ୟା କରିଥିଲେ।
“ସାରା ଗାଁ ଶ୍ମଶାନ ଭୂମି ପରି ଦିଶୁଥିଲା। ପ୍ରତ୍ୟେକ ଘରୁ କ୍ରନ୍ଦନର ସ୍ୱର ଓ ଧୂଆଁ ଉଠୁଥିଲା। ଲୋକମାନଙ୍କୁ ସାନ୍ତ୍ୱନା ଦେବା ଅସହଜ ଥିଲା। ସେମାନେ [ଜମିଦାରମାନଙ୍କର ବ୍ୟକ୍ତିଗତ ସୈନ୍ୟ] ୪୫ଟି ଘରକୁ ଜାଳିପୋଡ଼ି ପାଉଁଶ କରିଦେଇଥିଲେ। " ଶିବନାରାୟଣ ନିଜ କୋମଳ କିଶୋର ବୟସରେ ଅନୁଭବ କରିଥିବା ଏକ ଗଣହତ୍ୟାର ସ୍ମୃତି ବୟସ ବୃଦ୍ଧି ସହ କମିଯାଇ ନାହିଁ। ବିହାରରେ ତାଙ୍କ ପାଇଁ ସମୟ ମଧ୍ୟ ସେମିତି କିଛି ପରିବର୍ତ୍ତନ ଆଣିନାହିଁ।
ସେତେବେଳେ ମଧ୍ୟ, “ଏହା ଜମିଜମାକୁ ନେଇ ଏକ ଲଢ଼େଇ ଥିଲା,” ବୋଲି ୭୦ବର୍ଷୀୟ ଶିବନାରାୟଣ ମୁର୍ମୁ କୁହନ୍ତି। ଏହି ଗଣହତ୍ୟାରେ ସେ ତାଙ୍କର ଦୁଇ ଜଣ ସମ୍ପର୍କୀୟଙ୍କୁ ହରାଇଥିଲେ। “ସୂର୍ଯ୍ୟ ଅସ୍ତ ହୋଇ ନ ଥିଲା”। ୨୦୨୫ ମସିହା ଜୁଲାଇ ମାସର ଏକ ସନ୍ଧ୍ୟାରେ ଆମେ ତାଙ୍କ ସହ କଥାବାର୍ତ୍ତା କରିବା ବେଳେ, ସେ ଅନ୍ୟ ଏକ ସମୟକୁ ଚାଲିଯାଇଥିଲେ। ସେ କହିଲେ, “ସେମାନେ ବନ୍ଧୁକ, ଲାଠି, କୁରାଢ଼ି ଧରି ଆସିଥିଲେ ଏବଂ ଆମ ବସ୍ତିକୁ ଚାରିପଟୁ ଘେରି ଯାଇଥିଲେ। ସେମାନେ ଆମ ଆଦିବାସୀଙ୍କ ଘରେ ନିଆଁ ଲଗାଇ ଦେଇଥିଲେ ଏବଂ ସେମାନଙ୍କ ରାସ୍ତାରେ ବାଧା ଦେଉଥିବା ସମସ୍ତଙ୍କୁ ଗୁଳି କରି ଜୀବନ୍ତ ଜାଳି ଦେଇଥିଲେ।”
କିନ୍ତୁ ନିଜେ ଶିବନାରାୟଣଙ୍କ ପାଇଁ ଏହି ଆଘାତ ଅତୀତରେ ଆହୁରି ଗଭୀର ଓ ଗଭୀରତର ହୋଇଥିଲା। ଏହି ଗଣହତ୍ୟାର ପ୍ରାୟ ୭ବର୍ଷ ପୂର୍ବରୁ, ଯେତେବେଳେ ତାଙ୍କୁ ମାତ୍ର ୧୦ବର୍ଷ ହୋଇଥିଲା, ତାଙ୍କ ପିତା ଲଖନ ଲାଲ ହେମ୍ବ୍ରମଙ୍କୁ ହତ୍ୟା କରାଯାଇଥିଲା। ଏହାର କାରଣ ମଧ୍ୟ ଜମିବାଡ଼ି ହିଁ ଥିଲା। ସେ କହିଲେ, ‘‘ସେ ଶିକ୍ଷିତ ଥିଲେ ଏବଂ ସାନ୍ତାଳ ଆଦିବାସୀଙ୍କ ମାଲିକାନା ଅଧିକାର ପାଇଁ ଲଢ଼ିବା ଉଦ୍ଦେଶ୍ୟରେ ପ୍ରାୟତଃ ଅଦାଲତକୁ ଯାଉଥିଲେ। ଥରେ ସେ ତାଙ୍କ ପାଖକୁ ଆସୁଥିବା ଜମିଦାର ପକ୍ଷର ଲୋକଙ୍କୁ ଛାଡ଼ିବାକୁ ଯାଇ ଆଉ ଫେରିଲେ ନାହିଁ। ତିନି ଦିନ ପରେ ଘରଠାରୁ ପ୍ରାୟ ଚାରି କିଲୋମିଟର ଦୂର ଜଙ୍ଗଲରେ ଗଳା କଟାଯାଇଥିବା ତାଙ୍କର ମୃତଦେହ ଦେଖିବାକୁ ମିଳିଥିଲା।’’ ଏଥିରେ କାହାକୁ ଦୋଷୀ ସାବ୍ୟସ୍ତ କରାଯାଇ ନଥିଲା।
ପୂର୍ଣ୍ଣିଆରେ ଗଣହତ୍ୟାର ଏକ ଦଶନ୍ଧି ପରେ, ଏକ ନିମ୍ନ ଅଦାଲତ ଏହି ମାମଲାରେ 25 ରୁ 30 ଜଣ ଜମିଦାର ଦୋଷୀଙ୍କୁ 20 ବର୍ଷ କାରାଦଣ୍ଡରେ ଦଣ୍ଡିତ କରିଥିଲେ, ଶିବନାରାୟଣ ଭାବୁଥିଲେ ସମୟ ବଦଳୁଛି।
କିନ୍ତୁ, ସେ ଏ କାହାଣୀର କେବଳ ଅଧା ଜାଣିଥିଲେ।















