ରୁଖାବାଈ ପଡ଼ୱୀ ନିଜ ଆଙ୍ଗୁଠିକୁ କପଡ଼ା ଉପରେ ଚଳାଇବାରୁ ନିଜକୁ ଅଟକାଇ ପାରୁନାହାନ୍ତି। ଆମର କଥାବର୍ତ୍ତା ସମୟରେ, ମୋତେ ଜଣାପଡ଼େ ଯେ ଏପରି କରିବା ଦ୍ୱାରା ସେ ତାଙ୍କ ଜୀବନର ବିତିଯାଇଥିବା ଅତୀତର ସ୍ମୃତିଚାରଣ କରୁଛନ୍ତି।
‘‘ଏହା ହେଉଛି ମୋ ବାହାଘର ଶାଢ଼ୀ,’’ ସେ ଅକରାନୀ ତାଲୁକାର ପାହାଡ଼ିଆ ଓ ଆଦିବାସୀ ଅଞ୍ଚଳରେ କଥିତ ଆଦିବାସୀ ଭାଷା ‘ଭିଲ’ରେ କଥା ହୋଇ କହିଥାନ୍ତି। ଚାରପାଇରେ ବସିଥିବା ୯୦ ବର୍ଷ ବୟସ୍କା ଏହି ମହିଳା ଜଣଙ୍କ ତାଙ୍କ କୋଳରେ ହାଲୁକା ଗୋଲାପୀ ଏବଂ ସୁନେଲି ରଙ୍ଗର ଧଡ଼ି ଥିବା ସୂତା ଶାଢ଼ୀକୁ ଧୀରେ ଧୀରେ ହାତ ବୁଲାଇ ଅନୁଭବ କରନ୍ତି।
ସେ ପିଲାଙ୍କ ଭଳି ସ୍ମିତ ହସି କୁହନ୍ତି, ‘‘ମୋ ବାପା-ମା’ ସେମାନଙ୍କ ପରିଶ୍ରମର ରୋଜଗାରରରୁ ଏହାକୁ କିଣିଥିଲେ। ଏହି ଶାଢ଼ୀରେ ସେମାନଙ୍କର ସ୍ମୃତି ରହିଛି।’’
ରୁଖାବାଈଙ୍କ ଜନ୍ମ ମହାରାଷ୍ଟ୍ରର ନନ୍ଦୁରବାର ଜିଲ୍ଲା ଅନ୍ତର୍ଗତ ଅକରାନୀ ତାଲୁକାର ମୋଜାରା ଗାଁରେ ହୋଇଥିଲା; ଏହି ଅଞ୍ଚଳ ସବୁଦିନ ପାଇଁ ତାଙ୍କର ଘର ହୋଇ ରହିଆସିଛି ।
‘‘ମୋ ବାପା ମା’ ମୋ ବାହାଘରରେ ୬୦୦ ଟଙ୍କା ଖର୍ଚ୍ଚ କରିଥିଲେ। ସେତେବେଳେ ଏତିକି ଟଙ୍କାର ବହୁତ ମୂଲ୍ୟ ଥିଲା। ସେମାନେ ଏହି ବାହାଘର ଶାଢ଼ୀ ସମେତ ପାଞ୍ଚ ଟଙ୍କା ମୂଲ୍ୟରେ ଲୁଗାପଟା କିଣିଥିଲେ,’’ ସେ କୁହନ୍ତି। ତେବେ ତାଙ୍କର ପ୍ରିୟ ମା’ ଘରେ ହିଁ ତାଙ୍କ ପାଇଁ ଗହଣା ତିଆରି କରିଥିଲେ।
‘‘ସେତେବେଳେ କେହି ବଣିଆ କିମ୍ବା କାରୀଗର ନଥିଲେ। ମୋ ମା’ ରୂପା ମୁଦ୍ରାରୁ ଗୋଟିଏ ହାର ତିଆରି କରିଥିଲେ। ଅସଲି ମୁଦ୍ରାରେ। ପ୍ରଥମେ ସେ ଖୁଚୁରା ମୁଦ୍ରାରେ କଣା କରିଥିଲେ ଏବଂ ତା’ ଭିତର ଦେଇ ଗୋଧଡ଼ି (ହାତ ତିଆରି ଚଦର)ର ଗୋଟିଏ ମୋଟା ଧଡ଼ି ଭର୍ତ୍ତି କରି ସିଲେଇ କରିଦେଇଥିଲେ,’’ ରୁଖାବାଇ କୁହନ୍ତି । ସେହି ପ୍ରୟାସର ସ୍ମୃତି ମନେ ପକାଇ ସେ ହସନ୍ତି। ତା’ପରେ ସେ ଦୋହରାଇ କୁହନ୍ତି, ‘‘ରୂପା ମୁଦ୍ରା ହା । ବର୍ତ୍ତମାନର କାଗଜ ଟଙ୍କା ନୁହେଁ।’’








