ସାରା ଜୀବନ ମୁଁ ପଶୁଙ୍କ ଦେଖାଶୁଣା କାମ କରି ଆସୁଛି। ରାଇକା ଭାବେ ଏହା ଆମର କାମ : ଆମେ ପଶୁ ପାଳନ କରିଥାଉ।
ମୋ ନାଁ ସୀତା ଦେବୀ ଏବଂ ମୋତେ ୪୦ ବର୍ଷ ବୟସ ହେଲାଣି। ଆମ ସମୁଦାୟ ଐତିହାସିକ ରୂପରେ ପଶୁପାଳନ କରି ଆସୁଛି। ଆମେ ମୁଖ୍ୟତଃ ଓଟ ପାଳନ କରିଥାଉ। ଏଇ କିଛି ବର୍ଷ ହେବ ମେଣ୍ଢା, ଛେଳି, ଗାଈ ଓ ମଇଁଷି ପାଳନ କରୁଛୁ। ରାଜସ୍ଥାନର ପାଲି ଜିଲ୍ଲା ଅନ୍ତର୍ଗତ ଜୈତାରଣ ବ୍ଲକରେ ଥିବା କୁଡ଼କୀ ଗ୍ରାମଠାରୁ ଗୋଟିଏ କିଲୋମିଟର ଦୂରରେ ଆମ ପଡ଼ା ତାରାମଗିରି ଅବସ୍ଥିତ।
ମୋ ସ୍ୱାମୀଙ୍କ ନାଁ ହରି ରାମ ଦେୱାସୀ (୪୬)। ଆମର ଦୁଇ ପୁଅ ସୱାଇ ରାମ ଦେୱାସୀ ଓ ଜାମତା ରାମ ଦେୱାସୀ ଏବଂ ସେମାନଙ୍କ ପତ୍ନୀ ଯଥାକ୍ରମେ ଆଚୁ ଦେବୀ ଓ ସଞ୍ଜୁ ଦେବୀଙ୍କ ସହିତ ରହିଥାଉ। ଆଚୁ ଓ ସୱାଇଙ୍କର ୧୦ ମାସର ଗୋଟିଏ ପୁଅ ଅଛି। ମୋ ମା’, ଶୟରୀ ଦେବୀ (୬୪) ମଧ୍ୟ ଆମ ସହ ରୁହନ୍ତି।
ସକାଳ ୬ଟାରେ ଛେଳି କ୍ଷୀରରେ ତିଆରି ଗୋଟିଏ କପ୍ ଚା’ ସହିତ ମୋର ଦିନ ଆରମ୍ଭ ହୋଇଥାଏ। ମୁଁ, ନହେଲେ ମୋ ବୋହୂମାନେ ଚା’ କରି ଦିଅନ୍ତି। ତା’ପରେ ଆମେ ରୋଷେଇ କରୁ ଏବଂ ବାଡ଼ା (ପଶୁଙ୍କ ଗୁହାଳ) ଆଡ଼କୁ ଯାଇଥାଉ। ସେଠାରେ ଆମ ମେଣ୍ଢା ଓ ଛେଳି ରୁହନ୍ତି। ସେଠି ମୁଁ କାଦୁଆ ଚଟାଣକୁ ଝାଡ଼ୁ ମାରି ସଫା କରିଥାଏ ଏବଂ ପଶୁଙ୍କ ମଳମୂତ୍ର ସଂଗ୍ରହ କରି ପରେ ବ୍ୟବହାର କରିବା ଲାଗି ସେଗୁଡ଼ିକୁ ସଂରକ୍ଷିତ ରଖିଥାଏ।
ଆମ ଘରର ଠିକ୍ ପଛପଟେ ବାଡ଼ା ଅଛି ଏବଂ ଏଠାରେ ଛେଳି ଓ ମେଣ୍ଢାଙ୍କୁ ମିଶାଇ ଆମର ୬୦ଟି ଗୃହପାଳିତ ପଶୁ ରୁହନ୍ତି। ଏହା ଭିତରେ ଏକ ଛୋଟ ବାଡ଼ ଘେରା ଆବଦ୍ଧ କ୍ଷେତ୍ର ରହିଛି ଯେଉଁଠାରେ ଆମେ ମେଣ୍ଢା ଛୁଆ ଓ ଛେଳି ଛୁଆଙ୍କୁ ରଖିଥାଉ। ବାଡ଼ା ର ଗୋଟିଏ ପଟେ ଆମେ ଶୁଖିଲା ପଶୁଖାଦ୍ୟ ରଖିଥାଉ, ଏହା ମୁଖ୍ୟତଃ ଗୁଆଁରର ଶୁଖିଲା ନଡ଼ା ହୋଇଥାଏ। ମେଣ୍ଢା ଓ ଛେଳିଙ୍କ ବ୍ୟତୀତ ଆମର ଦୁଇଟି ଗାଈ ମଧ୍ୟ ଅଛନ୍ତି ଏବଂ ସେମାନଙ୍କ ପାଇଁ ଘରର ମୁଖ୍ୟ ପ୍ରବେଶଦ୍ୱାର ନିକଟରେ ଅଲଗା ଗୁହାଳ ରହିଛି।










