“ଅଭି ଯୋ ଆୟେଗା ନା ଭୋଟ୍ ଲେନେ, ତୋ କହେଙ୍ଗେ ପହଲେ ପେନ୍ସନ୍ ଦୋ (ସେମାନେ ଭୋଟ ମାଗିବାକୁ ଆସିଲେ, ଆମେ କହିବୁ, ‘ପ୍ରଥମେ ଆମକୁ ଭତ୍ତା ଦିଅ’),” ଲିଟାତି ମୁର୍ମୁ କହନ୍ତି ।
ଝାଡ଼ଖଣ୍ଡର ଦୁମକା ଜିଲ୍ଲା ଅନ୍ତର୍ଗତ କୁସୁମଡିହ ଗାଁର ବୁରୁଟୋଲା ପଲ୍ଲୀରେ ତାଙ୍କ କଚ୍ଚା ଘର ବାହାରେ ଏକ ଦଟ୍ଟି (ପିଣ୍ଢା) ଉପରେ ବସି ସେ ‘ପରୀ’କୁ କହନ୍ତି ।
“ଆମେ ଏଥର ଘର ଓ ଭତ୍ତା ଦାବି କରିବୁ,” କଥାରେ କଥା ମିଳାଇ ତାଙ୍କ ପାଖରେ ବସିଥିବା ତାଙ୍କ ପଡ଼ୋଶୀ ଓ ବନ୍ଧୁ ଶର୍ମିଲା ହେଂବ୍ରମ କହନ୍ତି ।
“ଏଇ ଥରକ ପାଇଁ ଯାହା ସେମାନେ ଆସିବେ,” ନେତାମାନଙ୍କୁ ଇଙ୍ଗିତ କରି ପରିହାସ ଛଳରେ ସେ କହନ୍ତି । ନିର୍ବାଚନ ପୂର୍ବରୁ ସେମାନେ ଯେତେବେଳେ ଗାଁକୁ ଆସନ୍ତି, ସାଧାରଣତଃ ଗାଁ ଲୋକଙ୍କୁ ଟଙ୍କା ଦେଇଥାଆନ୍ତି । “ସେମାନେ (ରାଜନୈତିକ ଦଳ) ଆମକୁ ୧,୦୦୦ ଟଙ୍କା ଦିଅନ୍ତି, ପୁରୁଷମାନଙ୍କୁ ୫୦୦ ଏବଂ ଆମକୁ ୫୦୦,” ଶର୍ମିଲା କହନ୍ତି ।
ସରକାରୀ ଯୋଜନା ଓ ସୁବିଧାଠାରୁ ଅନେକ ଦୂରରେ ରହିଆସିଥିବା ଏହି ଦୁଇ ମହିଳାଙ୍କ ପାଇଁ ଏତିକି ଟଙ୍କା ବି କିଛିଟା ମାନେ ରଖେ । ୨୦୨୨ରେ ଲିଟାତିଙ୍କ ସ୍ୱାମୀଙ୍କର ଆକସ୍ମିକ ମୃତ୍ୟୁ ହୋଇଥିଲା ଏବଂ ପ୍ରାୟ ମାସେ କାଳ ରୋଗରେ ପଡ଼ିବା ପରେ ୨୦୨୩ରେ ଶର୍ମିଲାଙ୍କ ସ୍ୱାମୀ ପ୍ରାଣ ହରାଇଥିଲେ। ଏହି ଦୁଇ ଦୁଃଖୀ ମହିଳାଙ୍କ କହିବା ଅନୁସାରେ ସେମାନେ ଦୁହେଁ ଦୁହିଁଙ୍କୁ ଭରସା କରି କାମକୁ ବାହାରି ଯାଆନ୍ତି। ଏତିକି ଯାହା ଉଭୟଙ୍କ ପାଇଁ ଆଶ୍ୱାସନାର କଥା।
ସ୍ୱାମୀଙ୍କୁ ହରାଇବା ପରେ, ଉଭୟ ଲିଟାତି ଓ ଶର୍ମିଲା ସର୍ବଜନ ପେନ୍ସନ ଯୋଜନା ଅନ୍ତର୍ଗତ ବିଧବା ଭତ୍ତା ପାଇବାକୁ ଚେଷ୍ଟା କରିଥିଲେ । ଏହି ଯୋଜନା ଅନୁସାରେ, ୧୮ ବର୍ଷରୁ ଅଧିକ ଜଣେ ବିଧବାଙ୍କୁ ମାସିକ ୧,୦୦୦ ଟଙ୍କା ଭତ୍ତା ପାଇବାକୁ ଯୋଗ୍ୟ ବିବେଚିତ ହୁଅନ୍ତି । ହତାଶ ଲିଟାତି କହନ୍ତି, “ଆମେ ଅନେକଗୁଡ଼ିଏ ଫର୍ମ ପୂରଣ କଲୁ ଏବଂ ମୁଖିଆ (ଗାଁର ମୁଖ୍ୟ)ଙ୍କ ପାଖକୁ ବି ଗଲୁ, କିନ୍ତୁ କିଛି ପାଇଲୁ ନାହିଁ ।”












