“ମୁଁ ଖୁବ୍ ଜୋରରେ କିଛି ଫାଟିଯିବାର ଶବ୍ଦ ଶୁଣିଲି ଓ ଧୂଆଁର ବାଦଲକୁ ଚାହିଁ ସେହି ଦିଗରେ ଧାଇଁଗଲି। କେତେକ କାରଖାନାର ପାଚେରୀ ସେହି ବିସ୍ଫୋରଣରେ ଭାଙ୍ଗି ଯାଇଥିଲା। ଭଙ୍ଗା ଇଟାପଥର ଭିତରୁ ଲିଙ୍ଗାସାମିକୁ ଉଠୁଥିବାର ମୁଁ ଦେଖିଲି, ତାଙ୍କର ପୋଷାକ ପୋଡ଼ି ଯାଇଥିଲା ଓ ସେ ଅଧା-ନଙ୍ଗଳା ହେଇ ଧାଉଁଥିଲା। ଆମେ ତାଙ୍କୁ ଚିକିତ୍ସା ପାଇଁ ନେଇଯିବା ବ୍ୟବସ୍ଥା କରୁଥିବା ଭିତରେ ସେ ବଞ୍ଚିଛନ୍ତି କି, ରକ୍ଷା ପାଇଯାଇଛନ୍ତି କି ବୋଲି ମତେ ପଚାରି ଚାଲିଥିଲା। ଦୁଇଚକିଆ ଗାଡ଼ିରେ ସେ ବସି ପାରୁ ନଥିଲେ, ତେଣୁ ଆମକୁ ଗୋଟିଏ ଠେଲାଗାଡ଼ିରେ ତାଙ୍କୁ ଶୁଆଇକି ହସ୍ପିଟାଲ ନେବାକୁ ପଡ଼ିଲା”। ତା’ ପରଦିନ ଜଣେ ସ୍ଥାନୀୟ ସାମ୍ବାଦିକ ମରୀଶ୍ଵରନ ମୋତେ କହୁଥିଲେ। ଶିବକାଶୀର ଯେଉଁ ବାଣ କାରଖାନାରେ ଜୁଲାଇ ୧, ୨୦୨୫ ରେ ଏହି ବିସ୍ଫୋରଣ ହୋଇଥିଲା ସେ ସେଠାରୁ ଅଳ୍ପ ଦୂରରେ ରହନ୍ତି।
ଗୋଟିଏ ଦିନ ପରେ ମୁଁ ସେହି ସ୍ଥାନକୁ ଗଲି। କାରଖାନାର ଫାଟକ ବନ୍ଦ ଥିଲା, ଗୋଟିଏ ୟୁନିଟର ଗଢ଼ଣ ଧ୍ଵଂସ ହେଇଯାଇଥିଲା, ଓ ଚାରିପାଖ ଅଞ୍ଚଳରେ ଚଲା ରାସ୍ତା ନଥିଲା। ମୋ ଦୁଇଚକିଆ ଯାନକୁ ସେଠାକୁ ପେଲି ପେଲି ନେବାକୁ ବେଶ କଷ୍ଟ କରିବାକୁ ପଡ଼ିଲା। ଏଠାରୁ ୨୫ କି. ମି. ଦୂରରେ ଥିବା ହସ୍ପିଟାଲକୁ ନେବାକୁ ଲୋକଙ୍କୁ ଯେ କେତେ କଷ୍ଟ କରିବାକୁ ପଡ଼ିଥିବ ତାହା ମତେ ଚକିତ କରୁଥିଲା।




















