ସାତଜଣ ଝିଅ, ଛଅଟି ଗାଁ, ପାଞ୍ଚଟି ମାତୃଭାଷା, ଦୁଇଟି ଖେଳ ଏବଂ କଥାବାର୍ତ୍ତା ପାଇଁ ଗୋଟିଏ ଭାଷା!
୧୨ ବର୍ଷୀୟ ରଞ୍ଜନ ରାଠୱା, ୧୧ ବର୍ଷୀୟ ଜ୍ୟୋତି ଭିଲ, ୯ ବର୍ଷୀୟ ଶର୍ମିଳା ଧାଏକି, ୧୦ବର୍ଷୀୟ କାଜଲ ନାୟକ ଏବଂ ୧୦ ବର୍ଷୀୟ ନିରଲ ରାଠୱା ସମସ୍ତେ ବସନ୍ତ ଶାଳା ସେମାନଙ୍କର ଆଵାସିକ ପ୍ରାଥମିକ ଵିଦ୍ୟାଳୟ ପଡ଼ିଆରେ ଖେଳରେ ବ୍ୟସ୍ତ ଅଛନ୍ତି। ଏହି ବିଦ୍ୟାଳୟ ଗୁଜରାଟର ଛୋଟାଉଦେପୁର ଜିଲ୍ଲା ଅନ୍ତର୍ଗତ ଆଦିଵାସୀ ଗ୍ରାମ ତେଜଗଡ଼ରେ ଥିଵା କୋରାଜ ପାହାଡ଼ର ପାଦଦେଶରେ ଅଵସ୍ଥିତ।
ଅଦାକୋ, ଦାଦୁକୋ, ଦହି ଦାଦୁକୋ
ଶ୍ରାବଣ ଗାଜେ, ପିଲ୍ଲୁ ପାକେ…
ଏହା ହେଉଛି ଗୁଜରାଟୀରେ ପିଲାମାନେ ଖେଳିଵା ସମୟରେ ଗାଉଥିଵା ଵଡ-ଵଡ୍ ଗୀତ ଵା ଅନାବନା କବିତାର ଵିଶାଳ ସଂଗ୍ରହ ମଧ୍ୟରୁ ଗୋଟିଏ, ଏହାକୁ ସାରାରାଜ୍ୟରେ ପିଲାମାନେ ଖେଳିବା ସମୟରେ ଗାଇଥାନ୍ତି। ସବୁଠାରୁ ମଜାଦାର କଥା ହେଲା ଏ କବିତାର ଭାଷା ଏସବୁ ବାଳିକାମାନଙ୍କର କାହାର ବି ମାତୃଭାଷା ନୁହେଁ। ଏହି ପାଞ୍ଚଜଣ ବାଳିକା ସେମାନଙ୍କର ଘରେ, ଅର୍ଥାତ୍ ବିଦ୍ୟାଳୟଠାରୁ ୩୦ରୁ ୫୦ କିଲୋମିଟର ପରିଧି ମଧ୍ୟରେ ରହିଥିବା ଗାଁରେ ସେମାନେ ରାଠୱି, ଧଣକୀ, ଡୁଙ୍ଗରା ଭିଲି, ନାୟକୀ ଭଳି ଆଦିବାସୀ ଭାଷାରେ କଥାବାର୍ତ୍ତା କରିଥାନ୍ତି। କିନ୍ତୁ ଏହି ଆଦିବାସୀ ଏକାଡେମୀ ପରିସରରେ, ଯେଉଁଠାରେ ସେମାନଙ୍କର ଵିଦ୍ୟାଳୟ ଓ ହଷ୍ଟେଲ ରହିଛି, ଗୁଜରାଟୀ ଭାଷା ଏମାନଙ୍କର ଭାବର ଆଦାନପ୍ରଦାନର ପ୍ରମୁଖ ମାଧ୍ୟମ ପାଲଟିଛି।





