‘‘ମୋର ନାମ ହେଉଛି ତୁଳସୀ ଭାଇ ନାରଣଭାଇ, କିନ୍ତୁ ଯଦି ଆପଣ ମୋତେ ଖୋଜୁଛନ୍ତି ତେବେ ଆପଣଙ୍କୁ କହିବାକୁ ହେବ ଯେ ‘ବଚନକୁ ଡାକ’। ଏହି ନାଁରେ ମୋତେ ସମସ୍ତେ ଜାଣନ୍ତି।’ ତୁଳସୀଭାଇଙ୍କୁ ସମସ୍ତେ ସ୍ନେହରେ ଚଳଚ୍ଚିତ୍ର ନାୟକଙ୍କ ନାମରେ କାହିଁକି ଡାକନ୍ତି କହନ୍ତି।
ତାଙ୍କର ବୟସ ୬୦ ବର୍ଷ ଓ ସେ ତାଙ୍କର ପୁଅ ତନୁ ଭାଇଙ୍କ ସହିତ ଅହମ୍ମଦାବାଦର ଏକ ଖୋଲା ବସ୍ତି ଗୁଲବାଇ ଟେକ୍ରା ନିକଟରେ ଫୁଟପାଥରେ ବାସ କରନ୍ତି। ତନୁଭାଇଙ୍କ ଜନ୍ମ ପରେ ପରେ ତାଙ୍କ ପତ୍ନୀଙ୍କର ଦେହାନ୍ତ ହେଲା। ତିରିଶ ବର୍ଷ ପାଖାପାଖି ବୟସର ତନୁଭାଇ କହନ୍ତି ‘‘ମୋ ଜେଜେ ମାଆ ମୋତେ ପାଳିଛନ୍ତି। ସେ ଏବେ ବି ବଞ୍ଚିଛନ୍ତି, ତାଙ୍କର ବୟସ ଶହେରୁ ଅଧିକ ହେବ।’’
ବାପା ପୁଅ ଦୁହେଁ ସକାଳ ୯ଟାରୁ ପ୍ରାୟ ରାତି ୯ଟା ପର୍ଯ୍ୟନ୍ତ ଅଳିଆ ସଂଗ୍ରହ କରିଥାନ୍ତି ଏବଂ ଏହାକୁ ଭଙ୍ଗାଟିଣବାଲା (ଅଳିଆ ଡିଲର)ଙ୍କୁ ମେମନଗରରେ ବିକ୍ରି କରିଥାନ୍ତି – ଏହା ହେଉଛି ଏକ ସହରରେ ଥିବା ଏକ ତହସିଲ ଯେଉଁଠାରେ ଅଳିଆ ଗୋଟାଳିମାନେ ସଂଗ୍ରହ କରିଥିବା ଜିନିଷ କିଲୋଗ୍ରାମ୍ ହିସାବରେ ବିକ୍ରି କରିଥାନ୍ତି।
ଏହି ରିପୋର୍ଟର ତାଙ୍କୁ ଭେଟିବା ଦିନ ସେମାନେ ପ୍ରାୟ ୪ କିଲୋଗ୍ରାମ୍ ପ୍ଲାଷ୍ଟିକ ବୋତଲ ଏବଂ ଗୋଟିଏ କିଲୋ କାର୍ଡବୋର୍ଡ ସଂଗ୍ରହ କରିଥିଲେ, ସକାଳୁ ଅପରାହ୍ନ ୨ଟା ପର୍ଯ୍ୟନ୍ତ କାମ କରି ଏତିକି ପାଇଥିଲେ। ସେଥିରୁ ସେମାନେ ଅଳିଆ ଡିଲରଙ୍କଠାରୁ ୧୧୦ଟଙ୍କା ଆୟ କରିଥିଲେ। ‘‘ଏଥର ଖରାଦିନେ ଭାରି ଖରା’’ ତୁଳସୀଭାଇ କହିଲେ। ‘‘ଆମ ଦେହ ଖରାପ ହୋଇଯିବ। ଖରାରୁ ରକ୍ଷା ପାଇବା ପାଇଁ ଆମେ ସଂଗ୍ରହ କରିଥିବା କାର୍ଡବୋର୍ଡରେ ନିଜେ ବିଞ୍ଚି ହେଉଥିଲୁ।’’






