ଆମ୍ବିୟା ଖାତୁନ ନିଜ କେଶକୁ ଘୋଡ଼ାଇବା ପାଇଁ ସଂଘର୍ଷ କରୁଥିବା ବେଳେ ତାଙ୍କର ପୁରୁଣା ଧଳା ଶାଢ଼ିର ଅଂଚଳରେ ଥିବା ବାଇଗଣୀ ରଙ୍ଗର ଫୁଲଗୁଡ଼ିକ ନଭେମ୍ବର ମାସର ପବନରେ ଉଡୁଛି। ନିଜର ପୁରଧା କୁ ଟାଣି ଧରି ରଖିବା ପାଇଁ ତାଙ୍କ ଡାହାଣ ହାତ ମୁଣ୍ଡ ପାଖକୁ ଚାଲିଯାଉଥିବା ବେଳେ ସେ ଗୁଡ଼େଇ ହୋଇଯାଇଥିବା ଝୋଟ କପଡ଼ାକୁ ମୋଡ଼ିବା, ଗୁନ୍ଥିବା ଏବଂ ଗଣ୍ଠି ପକାଇବା କାମ ଜାରି ରଖିଛନ୍ତି। ଏକ ସନ୍ତସନ୍ତିଆ ସ୍ଥାନ କୂଳରେ ଥିବା ତାଙ୍କର ଅସ୍ଥାୟୀ ଘର ଦେଇ ଯାଉଥିବା ପୁରୁଷମାନଙ୍କ ଚାହାଣି ପ୍ରତି ଆମ୍ବିୟା ବେଶ୍ ସଚେତନ ଅଛନ୍ତି। ବେକି ନଦୀର କ୍ଷୟପ୍ରାପ୍ତ କୂଳ ଏପରି ଏକ ସ୍ଥାନ ଯେଉଁଠାରେ ମୌସୁମୀ ବନ୍ୟା ସମୟରେ ଗୋପନୀୟତା ବୋଲି କିଛି ରହେ ନାହିଁ।
ନିଜ ଘର ଚଟାଣରେ ବସି ଆମ୍ବିୟା ସିକାସ (ଯାହାକୁ ସିଗାସ ମଧ୍ୟ କୁହାଯାଏ) ତିଆରି କରୁଛନ୍ତି – ଯାହା ହେଉଛି ଝୋଟ ସୂତାରେ ତିଆରି ସାଜସଜ୍ଜା ସାମଗ୍ରୀ ହ୍ୟାଙ୍ଗର ଏବଂ ଏହାକୁ ବାସନକୁସନ, ମଞ୍ଜି, ଲୁଗାପଟା, ଗଦି ଏବଂ ଏପରିକି ଗହଣା ଟାଙ୍ଗିବା ପାଇଁ ବ୍ୟବହାର କରାଯାଏ। ସିକା କେବଳ ଏକ ସାଜସଜ୍ଜା ସାମଗ୍ରୀ ନୁହେଁ ବରଂ ସାଂସ୍କୃତିକ ଦୃଷ୍ଟିରୁ ଏକ ଗୁରୁତ୍ୱପୂର୍ଣ୍ଣ କଳାକୃତି, ଯାହା ଆସାମର ମିଆଁ ମୁସଲମାନମାନଙ୍କ ସହିତ ବର୍ତ୍ତମାନର ବାଂଲାଦେଶର କୃଷକମାନଙ୍କ ମଧ୍ୟରେ ଲୋକପ୍ରିୟ ଅଟେ। ଏହି ବନ୍ୟା ପ୍ରବଣ ଅଞ୍ଚଳରେ ସିକା ଜିନିଷଗୁଡ଼ିକୁ ଶୁଖିଲା ମଧ୍ୟ ରଖିଥାଏ।
୭୧ ବର୍ଷୀୟା ଏହି ଦକ୍ଷ କାରିଗର ଭୋର ହେବା ପୂର୍ବରୁ କାମରେ ଲାଗିଛନ୍ତି ଏବଂ ନିଜ ହସ୍ତକଳା କାମରେ ବସିବା ପୂର୍ବରୁ ସବୁ ଘରକାମ ସାରି ଦେଇଛନ୍ତି। ପାଣିକଖାରୁ ଲତାର ଛାଇରେ ଥିବା ତାଙ୍କର ଗୋଟିଏ ବଖରା ବିଶିଷ୍ଟ ଟିଣ ଓ ଛପର ଘରର ସାମ୍ନା ଅଗଣା ହିଁ ତାଙ୍କର କାର୍ଯ୍ୟକ୍ଷେତ୍ର। ପାଣିକଖାରୁ ଲତାର ପ୍ରଶସ୍ତ, ସବୁଜ ପତ୍ରର ଆବରଣ ଦେଇ ଛାଣି ହୋଇ ଆସୁଥିବା ସୂର୍ଯ୍ୟକିରଣରେ ରଙ୍ଗବେରଙ୍ଗର ମାଳିଗୁଡ଼ିକ ଝଟକୁଛି।
















