“ଏହାର ସର୍ବାଧିକ ବେଗ ଘଣ୍ଟା ପ୍ରତି ୩୦ କିଲୋମିଟର, କିନ୍ତୁ ଏହା ୨୭ରୁ ଅଧିକ ଯାଏ ନାହିଁ ।”
ତଥାପି, ପୁଣି ଥରେ ତାଙ୍କ ଗାଡ଼ି ଚାଲୁଥିବାରୁ ୱାସିମ କ୍ୟୁରେସି ଖୁସି । କାମକୁ ଯିବା ଏବଂ ଘରକୁ ଫେରିବା ଲାଗି ତାଙ୍କର ଏହି ମୋଟରଚାଳିତ ତିନିଚକିଆ ଗାଡ଼ି ବ୍ୟବହାର କରନ୍ତି ଏହି ୩୪ ବର୍ଷୀୟ ଯୁବକ ଜଣକ ।
ଗାଡ଼ିରେ ବସିବା ପରେ ସେ ମୋତେ କହନ୍ତି ଯେ, ଏଥିରେ ଲାଗିଥିବା ତାରରେ କିଛି ଅଡୁଆ ରହିଛି ଏବଂ ବ୍ରେକ୍ ମାରିଲା ବେଳେ ତାଙ୍କୁ ସତର୍କ ହେବାକୁ ପଡୁଛି । ତିନିଚକିଆ ଗାଡ଼ିରେ ଲାଗିଥିବା ଚଉକିରେ ଆରାମରେ ବସିବା ପରେ, ସିଟ୍ ତଳେ ଥିବା ବ୍ୟାଟେରୀ ଏବଂ ଜିନିଷପତ୍ର ରଖିବା ଲାଗି ପଛରେ ଥିବା ଛୋଟିଆ ବାକ୍ସଟିକୁ ମୋତେ ଦେଖାଇବା ଲାଗି ସେ ଟିକେ ତଳକୁ ଝୁଙ୍କି ପଡ଼ନ୍ତି ।
ୱାସିମ ତାଙ୍କ ବାଇକ୍ ଷ୍ଟାର୍ଟ କରନ୍ତି, ଏବଂ ତାଙ୍କ ଗାଁ, ହରିଆଣାର ମାଣ୍ଡିଖେଡ଼ାରୁ ଗୋଟିଏ କିଲୋମିଟରରୁ କମ୍ ଦୂରରେ, ଦିଲ୍ଲୀ-ଅଲୱାର ଜାତୀୟ ରାଜପଥ କଡ଼ରେ, ଗଛ ଆଢୁଆଳରେ ରହିଥିବା ତାଙ୍କ ଛୋଟିଆ ମୋବାଇଲ ମରାମତି ଦୋକାନ ଅଭିମୁଖେ ବାହାରି ଯାଆନ୍ତି । ମୁଁ ଦେଖୁଥାଏ, ତାଙ୍କ ଘରପାଖ ଅଞ୍ଚଳର ପିଲାମାନେ ହସି ହସି ପଛରେ ଧାଉଁଥାଆନ୍ତି ଏବଂ ତିନିଚକିଆ ଗାଡ଼ି ପଛରେ ଲାଗିଥିବା ବାକ୍ସ ଉପରେ ଚଢ଼ିବାକୁ ଉଦ୍ୟମ କରି ଡେଉଁଥାଆନ୍ତି । ସେ କିଛି ଖରାପ ଭାବିଲା ଭଳି ଲାଗେନି, ବରଂ ସେମାନଙ୍କ ସହ ମିଶି ସେ ବି ହସୁଥାଆନ୍ତି ।












