‘‘ଲାଇ ଦେ ୱେ ଜୁତ୍ତି ମୈନୁ,
ମୁକ୍ତସରି କଡ଼ାଇ ୱାଲି,
ପୈରନ ବିଚ୍ ମେରେ ଚନ୍ନା,
ଜା ଚୁଗି ପାଇ ବହାଲି’’


Sri Muktsar Sahib District, Punjab
|SAT, FEB 03, 2024
‘ଅନ୍ୟ କେହି ମୋ ଭଳି ଜୁତ୍ତି ତିଆରି କରିପାରିବେ ନାହିଁ’
ରୂପାଣା ଗାଁରେ ବରିଷ୍ଠ ଜୋତା ନିର୍ମାତା ହଂସରାଜ ଏକମାତ୍ର କାରୀଗର ଭାବେ ଏବେ ବି ନିଜ ହାତରେ ଚମଡ଼ା ଜୁତ୍ତି ତିଆରି କରୁଛନ୍ତି । ଏହି କାରିଗରୀ ପାଇଁ ଉଚ୍ଚ ଦକ୍ଷତା ଓ ସଠିକତା ଆବଶ୍ୟକ ଏବଂ ପାରମ୍ପରିକ ଭାବେ ପଞ୍ଜାବର ଦଳିତ ପରିବାରମାନେ ଏହାକୁ କରିଥା’ନ୍ତି
Author
Editor
Translator
‘‘ମୋତେ ହଳେ ଜୁତ୍ତି କିଣିଦିଅ,
ମୁକ୍ତସରୀ କାରୁକାର୍ଯ୍ୟ ହୋଇଥିବା,
ମୋ ପାଦରେ, ହେ ମୋର ପ୍ରିୟ, ଏହା ଖୁବ୍ ଭଲ ଦେଖାଯିବ।’’
ହଂସ ରାଜ ମୋଟା ସୂତାକୁ ଭିଡ଼ି ଧରିଛନ୍ତି। ଏହି ଅଭିଜ୍ଞ ମୋଚି ଜଣଙ୍କ ଗୋଟିଏ ମୁନିଆ ଲୁହା ଛୁଞ୍ଚି ସହାୟତାରେ ସୂତାକୁ ମୋଟା ଚମଡ଼ା ଭିତରେ ଭର୍ତ୍ତି କରୁଛନ୍ତି। ହଳେ ହାତ ତିଆରି ପଞ୍ଜାବୀ ଜୁତ୍ତି (ବନ୍ଦ ଜୋତା) ସିଲେଇ କରିବା ପାଇଁ ସେ ପାଖାପାଖି ୪୦୦ ଥର ଦକ୍ଷତା ପୂର୍ବକ ଭିତରକୁ ଓ ବାହାରକୁ ଛୁଞ୍ଚି ବୁଲାନ୍ତି। ଏପରି କରିବା ସମୟରେ ତାଙ୍କର ଦୀର୍ଘଶ୍ୱାସ ଓ ଏହାପରେ ‘ହୁଁ’ ଶବ୍ଦ ନିରବତାରେ ବିରାମ ଦେଉଥାଏ।
ପଞ୍ଜାବର ଶ୍ରୀ ମୁକ୍ତସର ସାହିବ ଜିଲ୍ଲା ଅନ୍ତର୍ଗତ ରୂପାଣା ଗ୍ରାମରେ ହଂସରାଜ ଏକମାତ୍ର କାରୀଗର ଭାବେ ପାରମ୍ପରିକ ଢଙ୍ଗରେ ଏହିସବୁ ଜୁତ୍ତି ତିଆରି କରନ୍ତି ।
‘‘ପଞ୍ଜାବୀ ଜୁତ୍ତି କେମିତି ତିଆରି ହୋଇଥାଏ ଏବଂ ଏହାକୁ କେଉଁମାନେ ତିଆରି କରନ୍ତି ସେ ବିଷୟରେ ଅଧିକାଂଶ ଲୋକ ଜାଣନ୍ତି ନାହିଁ । ଏଗୁଡ଼ିକ ମେସିନରେ ତିଆରି ହୁଏ ବୋଲି ସାଧାରଣରେ ଏକ ଭୁଲ ଧାରଣା ରହିଛି। କିନ୍ତୁ ପ୍ରସ୍ତୁତିଠାରୁ ଆରମ୍ଭ କରି ସିଲେଇ ପର୍ଯ୍ୟନ୍ତ ସବୁ କିଛି ହାତରେ ହୋଇଥାଏ,’’ ୬୩ ବର୍ଷ ବୟସ୍କ ଏହି କାରୀଗର କୁହନ୍ତି ଯିଏକି ପ୍ରାୟ ୫୦ ବର୍ଷ ହେବ ଜୁତ୍ତି ସିଲେଇ କରି ଆସୁଛନ୍ତି । ଏ ସମ୍ପର୍କରେ ତଥ୍ୟ ଦେଇ ହଂସ ରାଜ ଆହୁରି କୁହନ୍ତି, ‘‘ମୁକ୍ତସର, ମଲୋଟ୍, ଗିଦ୍ଦଡ଼ବାହା କିମ୍ବା ପଟିଆଲା, ଆପଣ ଯେଉଁଆଡ଼େ ଯାଆନ୍ତୁ କେହି ବି ମୋ ଭଳି ନିଖୁଣ ଜୁତ୍ତି ତିଆରି କରିପାରିବ ନାହିଁ।’’
ସବୁଦିନ ସକାଳ ୭ଟାରୁ ସେ ଭଡ଼ାରେ ନେଇଥିବା ଦୋକାନ ପ୍ରବେଶ ପଥ ଚଟାଣ ଉପରେ ପଡ଼ିଥିବା କପଡ଼ା ଗଦି ଉପରେ ବସି କାମ ଆରମ୍ଭ କରି ଦିଅନ୍ତି। ତାଙ୍କ ଦୋକାନ କାନ୍ଥର ଥାକରେ ଉଭୟ ପୁରୁଷ ଓ ମହିଳାଙ୍କ ପାଇଁ ପଞ୍ଜାବୀ ଜୁତ୍ତି ସବୁ ଭର୍ତ୍ତି ହୋଇ ରହିଛି। ହଳେ ଜୋତା ଦାମ୍ ୪୦୦ରୁ ୧,୬୦୦ ଟଙ୍କା ମଧ୍ୟରେ ହେବ ଏବଂ ଏହି ଜୀବିକାରୁ ସେ ମାସିକ ୧୦,୦୦୦ ଟଙ୍କା ରୋଜଗାର କରିପାରିବେ ବୋଲି ସେ କୁହନ୍ତି।

Naveen Macro

Naveen Macro

Naveen Macro

Naveen Macro
ପୁରୁଣା କାନ୍ଥକୁ ସାହାରା କରି ସେ ନଇଁପଡ଼ି ହାତ ତିଆରି ଜୋତା ସିଲେଇ କାମରେ ଲାଗି ପଡ଼ନ୍ତି । ପରବର୍ତ୍ତୀ ୧୨ ଘଣ୍ଟା ତାଙ୍କର ଏହି କାମରେ ବିତେ। ଯେଉଁ ସ୍ଥାନରେ ନିଜର ଥକି ଯାଇଥିବା ପିଠିକୁ ଭରା ଦେଇ ସେ ବସିଥା’ନ୍ତି ସେହି ସ୍ଥାନରେ ଜୀର୍ଣ୍ଣ କାନ୍ଥରୁ ସିମେଣ୍ଟ ବାହାରି କାନ୍ଥର ଇଟା ଦେଖା ଯାଉଛି। ହଂସ ରାଜ ନିଜ ଆଣ୍ଠୁ ଗଣ୍ଠିକୁ ମାଲିସ କରି କୁହନ୍ତି, ‘‘ଶରୀରରେ ଯନ୍ତ୍ରଣା ହୁଏ, ବିଶେଷ କରି ଗୋଡ଼ରେ।’’ ସେ ଆହୁରି କୁହନ୍ତି, ‘‘ଖରା ଦିନେ ଝାଳ ବୋହି ପିଠିରେ ଦାନେ ଜେ (ବଥ) ବାହାରି ପଡ଼େ ଫଳରେ ଯନ୍ତ୍ରଣା ହୁଏ।’’
ହଂସ ରାଜଙ୍କୁ ୧୫ ବର୍ଷ ହୋଇଥିବା ବେଳେ ସେ ତାଙ୍କ ବାପାଙ୍କ ଠାରୁ ଏହି କାରିଗରୀ ଶିଖିଥିଲେ । ‘‘ମୁଁ ବାହାର ଦୁନିଆ ଦେଖିବାକୁ ବିଶେଷ ଆଗ୍ରହୀ ଥିଲି। ଦିନେ ଦିନେ ମୁଁ ବସି ପାଠପଢ଼ୁଥିଲି, ଆଉ କେବେ ପଢ଼ୁନଥିଲି।’’ କିନ୍ତୁ ବଡ଼ ହେବା ସହିତ କାମ ଚାପ ବଢ଼ିଗଲା, ତେଣୁ ଅଧିକ ସମୟ ବସିବାକୁ ପଡ଼ିଥିଲା।
ପଞ୍ଜାବୀ ଓ ହିନ୍ଦୀ ମିଶା ଭାଷାରେ ସେ କୁହନ୍ତି, ‘‘ଏହି କାମରେ ବାରିକୀ (ନିଖୁଣତା) ଆବଶ୍ୟକ।’’ ହଂସ ରାଜ ବିନା ଚଷମାରେ ବହୁ ବର୍ଷ ଧରି କାମ କରି ଆସୁଛନ୍ତି, ‘‘କିନ୍ତୁ ଏବେ ମୋ ଦୃଷ୍ଟିଶକ୍ତି ପ୍ରଭାବିତ ହେଉଥିବା ମୁଁ ଅନୁଭବ କରିପାରୁଛି। ଯଦି ମୁଁ ଅଧିକ ସମୟ ପର୍ଯ୍ୟନ୍ତ କାମ କରୁଛି ତା’ହେଲେ ମୋ ଆଖି ଥକି ଯାଉଛି । ମୋତେ ସବୁକିଛି ଦୁଇ ଦୁଇଟି ଦେଖାଯାଉଛି।’’
ନିୟମିତ କାର୍ଯ୍ୟଦିବସରେ ସେ ଚା’ ପିଅନ୍ତି ଏବଂ ତାଙ୍କ ରେଡିଓରେ ସମାଚାର, ଗୀତ ଓ କ୍ରିକେଟ ଧାରା ବିବରଣୀ ଶୁଣନ୍ତି। ତାଙ୍କର ପ୍ରିୟ କାର୍ଯ୍ୟକ୍ରମ ହେଉଛି ‘‘ଫର୍ମାଇଶି ପ୍ରୋଗ୍ରାମ୍,’’ ଯେଉଁଥିରେ ଶ୍ରୋତାଙ୍କ ଅନୁରୋଧ କ୍ରମେ ପୁରୁଣା ହିନ୍ଦୀ ଓ ପଞ୍ଜାବୀ ଗୀତ ବାଜିଥାଏ। ସେ ନିଜେ କେବେ ରେଡିଓ ଷ୍ଟେସନକୁ କଲ୍ କରି ଗୀତ ଶୁଣିବାକୁ ଅନୁରୋଧ କରିନାହାନ୍ତି, ‘‘ମୁଁ ନମ୍ବରଗୁଡ଼ିକ ବୁଝିପାରେ ନାହିଁ ତେଣୁ ଡାଏଲ୍ କରିପାରେ ନାହିଁ।’’

Naveen Macro

Naveen Macro
ହଂସ ରାଜ କେବେ ବିଦ୍ୟାଳୟକୁ ଯାଇନାହାନ୍ତି, କିନ୍ତୁ ସେ ତାଙ୍କ ଗାଁ ବାହାରେ ଥିବା ନୂଆ ନୂଆ ଜାଗାକୁ ନିଜ ବନ୍ଧୁଙ୍କ ସହ ଯିବାକୁ ଭଲ ପାଆନ୍ତି। ପଡ଼ୋଶୀ ଗାଁର ବାସିନ୍ଦା ତାଙ୍କ ବନ୍ଧୁ ଜଣେ ଧର୍ମ ପରାୟଣ ବ୍ୟକ୍ତି: ‘‘ପ୍ରତି ବର୍ଷ ଆମେ କୌଣସି ଏକ ସ୍ଥାନକୁ ଯାତ୍ରା କରୁ। ତାଙ୍କର ନିଜସ୍ୱ କାର ଅଛି ଏବଂ ଯାତ୍ରା ସମୟରେ ସେ ମୋତେ ସାଙ୍ଗରେ ନେବାକୁ ଡାକନ୍ତି। ଆମ ଦୁହିଁଙ୍କ ସହିତ ଆଉ ଜଣେ କିମ୍ବା ଦୁଇ ଜଣ ଲୋକ ମିଶି ଆମେ ହରିୟାଣା ଏବଂ ରାଜସ୍ଥାନର ଅଲୱର ଓ ବିକାନେର ଯାଇଛୁ।’’
*****
ଅପରାହ୍ଣ ୪ଟା ବାଜି ସାରିଥାଏ ଏବଂ ରୂପାଣା ଗାଁ ନଭେମ୍ବର ମଧ୍ୟ ଭାଗରେ ସୂର୍ଯ୍ୟଙ୍କ ଉଷୁମ ଚମକରେ ଭରି ଯାଇଥାଏ। ହଂସରାଜଙ୍କର ଜଣେ ବିଶ୍ୱସ୍ତ ଗ୍ରାହକ ହଳେ ପଞ୍ଜାବୀ ଜୁତ୍ତି କିଣିବାକୁ ନିଜ ବନ୍ଧୁଙ୍କ ସହ ଆସି ପହଞ୍ଚନ୍ତି। ‘‘ଆପଣ ତାଙ୍କ ପାଇଁ ଆସନ୍ତାକାଲି ସୁଦ୍ଧା ହଳେ ଜୋତା ତିଆରି କରିପାରିବେ କି?’’ ସେ ହଂସ ରାଜଙ୍କୁ ପଚାରନ୍ତି। ବନ୍ଧୁ ଜଣଙ୍କ ବହୁ ଦୂରରୁ ଆସିଛନ୍ତି, ହରିୟାଣାର ଟୋହାନାରୁ ଯାହାକି ଏଠାରୁ ୧୭୫ କିଲୋମିଟର ଦୂର ।
ହଂସ ରାଜ ସ୍ମିତ ହାସ୍ୟ ସହ ଗ୍ରାହକଙ୍କ ଅନୁରୋଧକୁ ନେଇ ବନ୍ଧୁତାପୂର୍ଣ୍ଣ ପ୍ରତିକ୍ରିୟା ଦେଇ କୁହନ୍ତି, ‘‘ୟାର୍, ଆସନ୍ତାକାଲି ସୁଦ୍ଧା ଏହା ସମ୍ଭବ ନୁହେଁ।’’ ତେବେ ଗ୍ରାହକ ତାଙ୍କୁ ପୁଣିଥରେ ଅନୁରୋଧ କରନ୍ତି: ‘‘ପଞ୍ଜାବୀ ଜୁତ୍ତି ପାଇଁ ମୁକ୍ତସର୍ ପ୍ରସିଦ୍ଧ।’’ ଗ୍ରାହକ ଏହାପରେ ଆମ ଆଡ଼କୁ ଚାହିଁ କୁହନ୍ତି, ‘‘ସହରରେ ହଜାର ହଜାର ଜୁତ୍ତି ଦୋକାନ ଅଛି । କିନ୍ତୁ ଏଠି ରୂପାଣାରେ ସେ ହିଁ ଏକମାତ୍ର ହାତରେ ଏହାକୁ ତିଆରି କରନ୍ତି। ଆମେ ତାଙ୍କ କାମକୁ ନେଇ ପରିଚିତ।’’
ଗ୍ରାହକ ଆମକୁ କୁହନ୍ତି ଯେ ଦୀପାବଳି ପର୍ଯ୍ୟନ୍ତ, ସମ୍ପୂର୍ଣ୍ଣ ଦୋକାନ ଜୁତ୍ତିରେ ଭରିଯିବ। ଗୋଟିଏ ମାସ ପରେ ନଭେମ୍ବରରେ ମାତ୍ର ୧୪ ହଳ ରହିବ। ହଂସ ରାଜଙ୍କ ଜୁତ୍ତିର ବିଶେଷତ୍ୱ କ’ଣ? କାନ୍ଥରେ ଝୁଲୁଥିବା ଜୁତ୍ତିଗୁଡ଼ିକୁ ଦେଖାଇ ଦେଇ ଗ୍ରାହକ କୁହନ୍ତି, ‘‘ସେ ତିଆରି କରୁଥିବା ଜୋତାଗୁଡ଼ିକ ମଝିରୁ ଚେପଟା ହୋଇଥାଏ। ହାତରେ (ଏହି କାରୀଗରଙ୍କ) ଫରକ ରହିଛି।

Naveen Macro

Naveen Macro
ହଂସ ରାଜ ଏକାକୀ କାମ କରନ୍ତି ନାହିଁ - ଏଠାରୁ ୧୨ କିଲୋମିଟର ଦୂର ତାଙ୍କ ଜନ୍ମସ୍ଥାନ ଖୁନନ ଖୁଡ଼୍ଦ୍ ଗାଁର ଜଣେ କୁଶଳୀ ଜୋତା କାରୀଗର ସନ୍ତ ରାମଙ୍କ ଦ୍ୱାରା ସେ ନିଜର କିଛି ଜୋତା ସିଲେଇ କରାଇଥା’ନ୍ତି। ଦୀପାବଳି ସମୟରେ କିମ୍ବା ଧାନ ଋତୁରେ, ଚାହିଦା ଅଧିକ ରହିଲେ, ସେ ସନ୍ତ ରାମଙ୍କ ସହାୟତା ନେଇଥାନ୍ତି ଏବଂ ଗୋଟିଏ ହଳ ଜୋତା ସିଲେଇ ପାଇଁ ତାଙ୍କୁ ୮୦ ଟଙ୍କା ଦିଅନ୍ତି।
ଏହି କୁଶଳୀ ମୋଚୀ ଜଣଙ୍କ ଆମକୁ ଜଣେ କାରୀଗର ଓ ଶ୍ରମିକଙ୍କ ମଧ୍ୟରେ ରହିଥିବା ଫରକ ବିଷୟରେ କୁହନ୍ତି : ‘‘ମୁଁ ସବୁବେଳେ ସୋଲ୍ (ଜୋତାର ତଳ ଭାଗ)ର ଅଗ୍ରଭାଗରୁ ଜୁତ୍ତି ର ପନ୍ନା (ଉପରିସ୍ତ ଭାଗ) ସିଲେଇ କରି କାମ ଆରମ୍ଭ କରିଥାଏ। ଏହା ହେଉଛି ଜୁତ୍ତି ତିଆରିର ସବୁଠୁ କଷ୍ଟକର ପର୍ଯ୍ୟାୟ। ଏହାକୁ ଠିକ୍ ଭାବେ କରୁଥିବା ଲୋକ ମିସ୍ତିରି (କାରୀଗର) ହୋଇଥାନ୍ତି, ଅନ୍ୟମାନେ ନୁହନ୍ତି।’’
ଏହି କୌଶଳକୁ ସେ ସହଜରେ ଶିଖିନଥିଲେ। ‘‘ଆରମ୍ଭରୁ, ମୁଁ ସୂତାରେ ଜୋତା ସିଲେଇ କରିପାରୁନଥିଲି,’’ ହଂସ ରାଜ ମନେ ପକାଇ କୁହନ୍ତି। ‘‘କିନ୍ତୁ ଏହାକୁ ଶିଖିବା ପାଇଁ ସଂକଳ୍ପବଦ୍ଧ ହେବା ପରେ ଦୁଇ ମାସ ମଧ୍ୟରେ ମୁଁ କୁଶଳୀ ହୋଇପାରିଥିଲି। ବାକି କୌଶଳ ମୁଁ ଧୀରେ ଧୀରେ ଶିଖିଲେ, ପ୍ରଥମେ ମୋ ବାପାଙ୍କୁ ପଚାରୁଥିଲି ଏବଂ ପରେ ତାଙ୍କୁ ଦେଖି ଜାଣି ଦେଲି,’’ ସେ କହିଥା’ନ୍ତି।
ଅନେକ ବର୍ଷ ଧରି କାମ କରିବା ପରେ, ସେ ଜୁତ୍ତି ର ଉଭୟ ପାର୍ଶ୍ୱରେ ଛୋଟ ଚମଡ଼ା ପଟ୍ଟି ଲଗାଇ ସିଲେଇ କରିବାର ଅଭିନବ ଜ୍ଞାନକୌଶଳକୁ କାର୍ଯ୍ୟକାରୀ କରିଛନ୍ତି ଯାହାକି ସବୁ ଯୋଡ଼େଇକୁ ବାଧାମୁକ୍ତ ଭାବେ ପରସ୍ପର ସହ ଛନ୍ଦିଥାଏ। ‘‘ଏସବୁ ଛୋଟ ପଟ୍ଟି ଯୋଗୁଁ ଜୁତ୍ତି ଅଧିକ ମଜବୁତ ହୋଇପାରିଛି। ଜୋତାଗୁଡ଼ିକ ଶୀଘ୍ର ଛିଣ୍ଡୁନାହିଁ,’’ ସେ କହିଥାନ୍ତି।

Naveen Macro

Naveen Macro
*****
ହଂସ ରାଜ ଓ ତାଙ୍କ ପତ୍ନୀ ବୀର୍ପାଲ୍ କୌର, ଏବଂ ଦୁଇ ପୁଅ ଓ ଗୋଟିଏ ଝିଅଙ୍କୁ ନେଇ ସେମାନଙ୍କ ପରିବାର ପ୍ରାୟ ୧୮ ବର୍ଷ ପୂର୍ବରୁ ଖୁନନ ଖୁଡ଼୍ଦଠାରୁ ରୂପାଣାକୁ ଚାଲି ଆସିଥିଲେ। ତାଙ୍କ ପୁଅ ଓ ଝିଅମାନେ ବାହା ହୋଇ ପିଲାଙ୍କ ବାପାମା’ ହୋଇସାରିଲେଣି। ସେତେବେଳେ ତାଙ୍କର ବଡ଼ ପୁଅ, ଯାହାଙ୍କୁ ଏବେ ୩୬ ବର୍ଷ, ଏହି ଗାଁରେ ଥିବା କାଗଜ କଳରେ କାମ କରିବା ଆରମ୍ଭ କରିଥିଲେ।
‘‘ଖୁନନ୍ ଖୁଡ଼ଦ୍ରେ ମୁଖ୍ୟତଃ ଦଳିତ ପରିବାରମାନେ ସେମାନଙ୍କ ଘରେ ଜୁତ୍ତି ତିଆରି କରୁଥିଲେ । ସମୟ ବିତିବା ସହିତ ନୂଆ ପିଢ଼ିର ପିଲାମାନେ ଏହି କାମ ଶିଖିଲେ ନାହିଁ । ଆଉ ଯେଉଁମାନେ ଜାଣିଥିଲେ, ଆର ପାରିକୁ ଚାଲିଗଲେ,’’ ହଂସ ରାଜ କୁହନ୍ତି।
ଆଜି ତାଙ୍କର ପୁରୁଣା ଗାଁରେ କେବଳ ତିନି ଜଣ କାରୀଗର ଏହି କାମ ଜାଣିଛନ୍ତି । ସେମାନେ ସମସ୍ତେ ହଂସ ରାଜଙ୍କ ଭଳି ରାମଦାସୀ ଚମାର୍ ସମ୍ପ୍ରଦାୟର (ରାଜ୍ୟରେ ଅନୁସୂଚିତ ଜାତି ଭାବେ ତାଲିକାଭୁକ୍ତ) ଯେଉଁମାନେ ଏବେ ବି ପଞ୍ଜାବୀ ଜୁତ୍ତି ତିଆରି କାମ କରୁଛନ୍ତି। ଅନ୍ୟପକ୍ଷରେ ହଂସ ରାଜ ରୂପାଣାରେ ଏକମାତ୍ର କାରୀଗର ଭାବେ ଏ କାମ କରୁଛନ୍ତି।
ବୀରପାଲ୍ କୌର ପ୍ରତିବଦ୍ଧତା ଏବଂ ଆଶାପୂର୍ଣ୍ଣ ସ୍ୱରରେ କୁହନ୍ତି, ‘‘ଖୁନନ୍ ଖୁଡ଼ଦ୍ରେ ଆମ ପିଲାଙ୍କ ପାଇଁ କୌଣସି ଭବିଷ୍ୟତ ନଥିଲା, ତେଣୁ ସେଠାରେ ଆମ ସମ୍ପତ୍ତି ବିକ୍ରି କରି ଦେଇ ଆମେ ଏଠାରେ ସମ୍ପତ୍ତି କିଣି ରହିଲୁ।’’ ସେ ପ୍ରାଞ୍ଜଳ ଭାବେ ହିନ୍ଦୀ କୁହନ୍ତି କାରଣ ତାଙ୍କ ଆଖପାଖରେ ବହୁସଂଖ୍ୟାରେ ଉତ୍ତର ପ୍ରଦେଶ ଓ ବିହାରର ପ୍ରବାସୀ ଶ୍ରମିକଙ୍କ ପରିବାର ରୁହନ୍ତି, ସେମାନଙ୍କ ମଧ୍ୟରୁ ଅଧିକାଂଶ ସ୍ଥାନୀୟ କାଗଜ କଳରେ କାମ କରିବା ସହିତ ସେହି ଅଞ୍ଚଳରେ ଘର ଭଡ଼ା ନେଇ ରହୁଛନ୍ତି।

Naveen Macro

Naveen Macro

Naveen Macro

Naveen Macro
ହଂସ ରାଜଙ୍କ ପରିବାର ପ୍ରଥମ ଥର ପାଇଁ ପ୍ରବାସ କରି ନାହିଁ । ‘‘ମୋ ବାପା ନାର୍ନୌଲ (ହରିୟାଣା)ରୁ ପଞ୍ଜାବ ଆସି ଜୁତ୍ତି ତିଆରି ଆରମ୍ଭ କରିଥିଲେ,’’ ହଂସ ରାଜ୍ କୁହନ୍ତି।
ଶ୍ରୀ ମୁକ୍ତସର ସାହିବ ଜିଲ୍ଲାରେ ଥିବା ଗୁରୁ ନାନକ ମହିଳା କଲେଜ ପକ୍ଷରୁ ୨୦୧୭ରେ କରାଯାଇଥିବା ଏକ ଅଧ୍ୟୟନ ରୁ ଜଣାପଡ଼ିଥାଏ ଯେ ୧୯୫୦ ଦଶକରେ ରାଜସ୍ଥାନରୁ ହଜାର ହଜାର ଜୁତ୍ତି ତିଆରି କାରୀଗର ପରିବାର ପଞ୍ଜାବ ଚାଲି ଆସିଥିଲେ। ହଂସ ରାଜଙ୍କ ପୈତୃକ ଗ୍ରାମ ନାର୍ନୌଲ ହରିୟାଣା ଓ ପଞ୍ଜାବ ସୀମାରେ ରହିଛି ।
*****
‘‘ମୁଁ କାମ ଆରମ୍ଭ କରିବା ସମୟରେ ଗୋଟିଏ ହଳ ଜୋତା ଦାମ୍ ୩୦ ଟଙ୍କା ଥିଲା। ଏବେ ଏମ୍ବ୍ରୋଡରୀ ବା କାରୁକାର୍ଯ୍ୟ ହୋଇଥିବା ଜୁତ୍ତି ଦାମ୍ ୨,୫୦୦ ଟଙ୍କାରୁ ଅଧିକ ହେବ,’’ ହଂସ ରାଜ ତୁଳନା କରି କହିଥାନ୍ତି।
ତାଙ୍କ ଦୋକାନରେ ଏଣେତେଣେ ପଡ଼ି ରହିଥିବା ଛୋଟ ବଡ଼ ଚମଡ଼ା ଖଣ୍ଡ ଭିତରୁ, ହଂସ ରାଜ ଆମକୁ ଦୁଇ ପ୍ରକାର: ଗୋରୁ ଚମଡ଼ା ଓ ମଈଁଷି ଚମଡ଼ା ଦେଖାଇ ଦେଇଥା’ନ୍ତି। ‘‘ମଈଁଷି ଚମଡ଼ାରେ ଜୋତା ସୋଲ୍ ତିଆରି ହୁଏ ଏବଂ ଗୋରୁ ଚମଡ଼ାରେ ଜୋତାର ଉପର ଭାଗ ତିଆରି କରାଯାଏ,’’ ସେ କହିଥାନ୍ତି। ସେ ହାତରେ ଏକ କଞ୍ଚାମାଲ୍କୁ ପିଟୁଛନ୍ତି ଯାହାକି ପ୍ରସ୍ତୁତ ହୋଇଯିବା ପରେ ତାଙ୍କ ହସ୍ତଶିଳ୍ପର ଆଧାର ହେବ।
ସେ ହାତରେ କଳା ଗାଈ ଚମଡ଼ା ଧରି ପ୍ରାଣୀ ଚମଡ଼ା ଛୁଇଁବାରେ ଆମର କିଛି ଅସୁବିଧା ଅଛି କି ନାହିଁ ପଚାରନ୍ତି। ଆମେ ନିଜର ଇଚ୍ଛା ବ୍ୟକ୍ତ କରିବା ପରେ, ସେ କଳା ଚମଡ଼ା ଏବଂ ଏହାର ବିପରୀତ ଦିଗକୁ ମଧ୍ୟ ଦେଖିବାକୁ ଦିଅନ୍ତି। ମଈଁଷି ଚମଡ଼ା ଏକ ସଙ୍ଗେ ରଖାଯାଇଥିବା ୮୦ କାଗଜ ଫର୍ଦ୍ଦ ଭଳି ମୋଟା ଲାଗିଥାଏ। ଅନ୍ୟପକ୍ଷରେ ଗାଈ ଚମଡ଼ା ଅତି ପତଳା ହୋଇଥାଏ, ବୋଧହୁଏ ୧୦ଟି କାଗଜ ଫର୍ଦ୍ଦ ମୋଟେଇ ସହ ସମାନ ହେବ। ଉପାଦାନ ଦୃଷ୍ଟିରୁ ମଈଁଷି ଚମଡ଼ା ଚିକ୍କଣ ଓ ଟାଣ ହୋଇଥିବା ବେଳେ ଗାଈ ଚମଡ଼ା ସାମାନ୍ୟ ଖଦଡ଼ା ହେବା ସତ୍ତ୍ୱେ ଅଧିକ ନମନୀୟ ଏବଂ ମୋଡ଼ିବାକୁ ସହଜ ହୋଇଥାଏ।

Naveen Macro

Naveen Macro

Naveen Macro
ଜୋତା ତିଆରି ପାଇଁ ଗୁରୁତ୍ୱପୂର୍ଣ୍ଣ କଞ୍ଚାମାଲ ହୋଇଥିବା ଚମଡ଼ା ଦର ବଢ଼ିବା ଏବଂ ଜୋତା ଓ ଚପଲ ବ୍ୟବହାରରେ (ସେ ଯାହାକୁ ‘‘ବୁଟ୍ ଚପଲ୍’’ କୁହନ୍ତି) ଆସିଥିବା ପରିବର୍ତ୍ତନ କାରଣରୁ ଅଧିକାଂଶ ଲୋକ ଏହି ପେସାକୁ ଆପଣାଇବାକୁ ଚାହୁଁନାହାନ୍ତି।
ହଂସରାଜ ନିଜର ସରଞ୍ଜାମଗୁଡ଼ିକୁ ଅତି ଯତ୍ନର ସହକାରେ ସାଇତି ରଖିଥାନ୍ତି। ଜୁତ୍ତି କୁ ଆକାର ଦେବା ପାଇଁ ସେ ଚମଡ଼ାକୁ କାଟିବା ଓ ଚାଞ୍ଛିବା ଲାଗି ସେ ରମ୍ବି (କାଟିବା ସରଞ୍ଜାମ) ବ୍ୟବହାର କରନ୍ତି; ଚମଡ଼ାକୁ ଟାଣ ଓ ସମ୍ପ୍ରସାରିତ କରିବା ଲାଗି ଏହାକୁ ପିଟିବା ପାଇଁ ସେ ଗୋଟିଏ ମୋର୍ଗା (କାଠ ହାତୁଡ଼ି) ବ୍ୟବହାର କରନ୍ତି। କାଠ ମୋର୍ଗା ଏବଂ ଗୋଟିଏ ହରିଣ ଶିଂଘ ସେ ତାଙ୍କ ବାପାଙ୍କଠାରୁ ପାଇଛନ୍ତି। ଜୋତାର ଅଗ୍ରଭାଗକୁ ଭିତର ପଟୁ ଠିକ୍ ଆକାର ଦେବା ପାଇଁ ହରିଣ ଶିଂଘ ବ୍ୟବହାର କରାଯାଏ କାରଣ ଏହାକୁ ନିଜ ହାତରେ ସଜାଡ଼ିବା ସମ୍ଭବ ନୁହେଁ ।
ଏହି ମୋଚୀ ଜଣଙ୍କ କଳା ଚମଡ଼ା କିଣିବାକୁ ତାଙ୍କ ଗାଁଠାରୁ ୧୭୦ କିଲୋମିଟର ଦୂର ଜଳନ୍ଧର ଜୋତା ବଜାରକୁ ଯାଆନ୍ତି। ମଣ୍ଡି (ପାଇକାରୀ ବଜାର) ପର୍ଯ୍ୟନ୍ତ ପହଞ୍ଚିବା ପାଇଁ ସେ ମୋଗାରୁ ଗୋଟିଏ ବସ୍ ଧରନ୍ତି ଏବଂ ମୋଗାରୁ ଜଳନ୍ଧର ପର୍ଯ୍ୟନ୍ତ ଆଉ ଗୋଟିଏ ବସ୍ରେ ଯାଆନ୍ତି। ତାଙ୍କର ଏହି ଯାତ୍ରା ପାଇଁ ଗୋଟିଏ ପଟ ବାଟ ଖର୍ଚ୍ଚ ୨୦୦ ଟଙ୍କା ପର୍ଯ୍ୟନ୍ତ ପହଞ୍ଚିଯାଏ।
ଶେଷ ଥର ପାଇଁ ସେ ଦୀପାବଳି ପୂର୍ବରୁ ବଜାରକୁ ଯାଇଥିଲେ ଯେତେବେଳେ ସେ ୨୦,୦୦୦ ଟଙ୍କା ମୂଲ୍ୟର ୧୫୦ କିଲୋଗ୍ରାମ କଳା ଚମଡ଼ା କିଣି ଆଣିଥିଲେ। ଚମଡ଼ା କିଣି ଆଣିବା ବେଳେ ତାଙ୍କର କୌଣସି ଅସୁବିଧା ହୋଇଛି କି ନାହିଁ ଆମେ ପଚାରିଲୁ। ‘‘କଳା ପଡ଼ିଯାଇଥିବା ଚମଡ଼ା ଆଣିଲେ କିଛି ଅସୁବିଧା ନାହିଁ କିନ୍ତୁ କଳା ପଡ଼ିନଥିବା ଚମଡ଼ା ଆଣିବା ସମସ୍ୟାପୂର୍ଣ୍ଣ,’’ ସେ ସ୍ପଷ୍ଟ କରିଥା’ନ୍ତି ।

Naveen Macro

Naveen Macro

Naveen Macro

Naveen Macro
ନିଜେ ପରଖି ଉନ୍ନତ ମାନର ଚମଡ଼ା କିଣି ଆଣିବା ପାଇଁ ସେ ମଣ୍ଡିକୁ ଯାଆନ୍ତି ଏବଂ ବ୍ୟବସାୟୀମାନେ ନିକଟସ୍ଥ ସହର ମୁକ୍ତସରକୁ ଚମଡ଼ା ପଠାଇବା ବ୍ୟବସ୍ଥା କରନ୍ତି, ଯେଉଁଠାରୁ ସେ ଏହାକୁ ନେଇଥା’ନ୍ତି। ‘‘ଏତେ ଓଜନିଆ ଜିନିଷ ଏକାକୀ ବସ୍ରେ ନେଇ ଆସିବା କୌଣସି ପ୍ରକାରରେ ସମ୍ଭବ ନୁହେଁ,’’ ସେ ମତ ଦିଅନ୍ତି।
ଧୀରେ ଧୀରେ ଜୁତ୍ତି ତିଆରି କରିବାର ସାମଗ୍ରୀ ବଦଳି ଯାଇଛି। ମଲୋଟ୍ ରେ ଗୁରୁ ରବିଦାସ କଲୋନୀ ବାସିନ୍ଦା ଯୁବ ଜୋତା କାରୀଗର ରାଜ କୁମାର ଓ ମହିନ୍ଦର କୁମାର କୁହନ୍ତି, ଏବେ ରେକ୍ଜିନ୍ ଓ ମାଇକ୍ରୋ ସେଲ୍ୟୁଲାର୍ ଶିଟ୍ ଭଳି କୃତ୍ରିମ ଚମଡ଼ା ଅଧିକ ବ୍ୟବହାର କରାଯାଉଛି । ଉଭୟ ରାଜ୍ ଓ ମହିନ୍ଦରକୁ ଏବେ ୪୦ ପାଖାପାଖି ବୟସ ହେବ ଏବଂ ସେମାନେ ଦଳିତ ଯାଦବ ସମୁଦାୟର ପ୍ରତିନିଧିତ୍ୱ କରିଥା’ନ୍ତି।
ମହିନ୍ଦର କୁହନ୍ତି, ‘‘ମାଇକ୍ରୋ ସିଟ୍ କିଲୋପ୍ରତି ୧୩୦ ଟଙ୍କା ହୋଇଥିବା ବେଳେ ଗୋରୁ ଚମଡ଼ା କିଲୋପ୍ରତି ୧୬୦ରୁ ୨୦୦ ଟଙ୍କା ମିଳିଥାଏ।’’ ଏହି ଅଞ୍ଚଳରେ ଚମଡ଼ା ଏକ ବିରଳ ସାମଗ୍ରୀ ପାଲଟିଗଲାଣି। ‘‘ପୂର୍ବରୁ କଲୋନୀରେ ଚମଡ଼ା କାରଖାନା ଭରି ରହିଥିଲା ଏବଂ ବାତାବରଣରେ କଳା ଚମଡ଼ାର ଗନ୍ଧ ବ୍ୟାପି ଯାଉଥିଲା। କିନ୍ତୁ ବସ୍ତି ବଢ଼ିବା ସହିତ ଚମଡ଼ା କାରଖାନାଗୁଡ଼ିକ ବନ୍ଦ ହୋଇଗଲା,’’ ରାଜ୍ କୁହନ୍ତି।
ସେମାନେ ଆହୁରି କୁହନ୍ତି, ଯୁବକମାନେ ଏବେ ଏହି ପେସାରେ ଯୋଗ ଦେବାକୁ ଚାହୁଁନାହାନ୍ତି ଏବଂ କମ୍ ଆୟ ଏକମାତ୍ର କାରଣ ନୁହେଁ। ମହିନ୍ଦର କୁହନ୍ତି, ‘‘ସେମାନଙ୍କ ପୋଷାକ ଦୁର୍ଗନ୍ଧ ହୁଏ ଏବଂ ବେଳେବେଳେ ବନ୍ଧୁମାନେ ସେମାନଙ୍କ ସହ ହାତ ମିଳାନ୍ତି ନାହିଁ।’’

Naveen Macro

Naveen Macro
‘‘ମୋ ନିଜ ପରିବାରରେ ପିଲାମାନେ ଜୁତ୍ତି ତିଆରି କରୁନାହାନ୍ତି,’’ ହଂସ ରାଜ କୁହନ୍ତି, ‘‘ଏହି ଶିଳ୍ପକଳାକୁ ବୁଝିବା ପାଇଁ ମୋ ପୁଅ କେବେ ବି ଦୋକାନକୁ ଆସିନାହିଁ, ସେମାନେ କେମିତି ଏହାକୁ ଶିଖିବେ? ଏହି କୌଶଳ ଜାଣିବାରେ ଆମେ ହେଉଛୁ ଶେଷ ପିଢ଼ି। ହୁଏତ’ ମୁଁ ଆଉ ପାଞ୍ଚ ବର୍ଷ ପର୍ଯ୍ୟନ୍ତ ଏହି କାମ କରିପାରିବି, ମୋ ପରେ ଆଉ କିଏ କରିବ?’’ ସେ ପ୍ରଶ୍ନ କରନ୍ତି।
ରାତ୍ରି ଭୋଜନ ପାଇଁ ପରିବା କାଟୁ କାଟୁ ବୀର୍ପାଲ୍ କୌର କୁହନ୍ତି, ‘‘କେବଳ ଜୁତ୍ତି ତିଆରି କରି ଘର କରିବା ସମ୍ଭବ ନୁହେଁ। ଦୁଇ ବର୍ଷ ପୂର୍ବରୁ ତାଙ୍କ ବଡ଼ ପୁଅ କାଗଜ କଳରୁ ଆଣିଥିବା କର୍ମଚାରୀ ଋଣ ସହାୟତାରେ ଏହି ପରିବାର ସେମାନଙ୍କ ପକ୍କା ଘର ନିର୍ମାଣ ଶେଷ କରିଛନ୍ତି ।
ହଂସ ରାଜ୍ ତାଙ୍କ ପତ୍ନୀଙ୍କୁ ଥଟ୍ଟା କରି କୁହନ୍ତି, ‘‘ମୁଁ ତା’କୁ କାରୁକାର୍ଯ୍ୟ ଶିଖିବା ପାଇଁ କହିଥିଲି, କିନ୍ତୁ ସେ ଏହାକୁ ଆଦୌ ଶିଖିଲା ନାହିଁ।’’ ଏହି ଦମ୍ପତିଙ୍କ ବୈବାହିକ ଜୀବନକୁ ୩୮ ବର୍ଷ ପୂରିଗଲାଣି। ‘‘ମୁଁ ଆଗ୍ରହୀ ନଥିଲି,’’ ବୀରପାଲ୍ ଚିଡ଼ି ଉଠି କୁହନ୍ତି। ନିଜ ଶାଶୁଙ୍କଠାରୁ ସେ ଯେତିକି ଶିଖିଛନ୍ତି ସେଥିରେ ସେ ଘରେ ବସି ଗୋଟିଏ ଘଣ୍ଟା ଭିତରେ ହଳେ ଜୋତାରେ ଜରି ପଟି ଲଗାଇ ଏମ୍ବ୍ରୋଡୋରୀ ବା କାରୁକାର୍ଯ୍ୟ କରିପାରିବେ।
ସେମାନଙ୍କ ଘରେ, ବଡ଼ପୁଅର ତିନି ଜଣିଆ ପରିବାର ମଧ୍ୟ ରୁହନ୍ତି। ସେହି ଘରେ ଦୁଇଟି କୋଠରୀ, ଗୋଟିଏ ରୋଷେଇ ଘର, ଓ ଗୋଟିଏ ବୈଠକ ଘର ସହିତ ବାହାରେ ଶୌଚାଳୟଟିଏ ଅଛି । କୋଠରୀ ଓ ବସିବା ଘର କାନ୍ଥରେ ବି.ଆର. ଆମ୍ବେଦକର ଓ ସନ୍ତ ରବିଦାସଙ୍କ ଫଟୋ ସଜା ହୋଇଛି । ସନ୍ଥଙ୍କର ଆଉ ଗୋଟିଏ ଫଟୋ ହଂସ ରାଜଙ୍କ ଦୋକାନରେ ଶୋଭା ପାଉଛି।

Naveen Macro
‘‘ଗତ ୧୦-୧୫ ବର୍ଷ ହେବ ଲୋକମାନେ ପୁଣିଥରେ ଜୁତ୍ତି ପିନ୍ଧିବା ଆରମ୍ଭ କରି ଦେଇଛନ୍ତି,’’ ବୀର୍ପାଲ୍ କୁହନ୍ତି, ‘‘ତା’ପୂର୍ବରୁ, ଜୋତା କାରୀଗରମାନଙ୍କୁ କେହି ପଚାରୁନଥିଲେ।
ସେତେବେଳେ ହଂସ ରାଜ ଜଣେ କୃଷି ଶ୍ରମିକ ଭାବେ କାମ କରୁଥିଲେ ଏବଂ କେବେକେବେ ଗ୍ରାହକ ଆସିଲେ ଦିନେ କିମ୍ବା ଦୁଇ ଦିନ ଜୁତ୍ତି ସିଲେଇ କରୁଥିଲେ।
‘‘ଏବେ କଲେଜ ପଢ଼ୁଆ ପୁଅ ଝିଅମାନେ ଏସବୁ ଜୁତ୍ତି ପିନ୍ଧିବାକୁ ଆଗ୍ରହୀ ହେଉଛନ୍ତି,’’ ବୀର୍ପାଲ୍ କୁହନ୍ତି।
ଗ୍ରାହକମାନେ ଲୁଧିଆନା, ରାଜସ୍ଥାନ, ଗୁଜରାଟ ଏବଂ ଉତ୍ତରପ୍ରଦେଶ ସମେତ ବିଭିନ୍ନ ସ୍ଥାନକୁ ଏସବୁ ଜୁତ୍ତି ନେଇ ଯାଇଛନ୍ତି । ଶେଷ ଥର ପାଇଁ ତାଙ୍କୁ ମିଳିଥିବା ବଡ଼ ଅର୍ଡର ବିଷୟରେ ମନେ ପକାଇ ଖୁସିର ସହ ହଂସରାଜ କୁହନ୍ତି ଯେ ଜଣେ ମିଲ୍ ଶ୍ରମିକଙ୍କ ପାଇଁ ଗୋଟିଏ ଥର ଆଠ ହଳ ଜୋତା ତିଆରି କରିଥିଲେ। କାରଖାନା ଶ୍ରମିକ ଜଣଙ୍କ ଉତ୍ତରପ୍ରଦେଶରେ ଥିବା ନିଜ ପରିବାର ପାଇଁ ସେସବୁ କିଣି ନେଇଥିଲେ।
ବର୍ତ୍ତମାନ ସେ ଯେଉଁ ସ୍ଥାନରେ ଅଛନ୍ତି ସେଠାରେ ତାଙ୍କ ଜୋତାର ଲଗାତାର ଚାହିଦା ରହିଥିବା କାରଣରୁ, ‘‘ଏବେ ପ୍ରତିଦିନ ମୋତେ ଦୀପାବଳି ଭଳି ଲାଗୁଛି,’’ ଖୁସିର ସହିତ ହଂସ ରାଜ କୁହନ୍ତି।
ଏ କାହାଣୀ ରିପୋର୍ଟ ହେବାର କିଛି ସପ୍ତାହ ପରେ ନଭେମ୍ବର ୨୦୨୩ରେ ହଂସ ରାଜ ଆଂଶିକ ହୃଦଘାତର ଶିକାର ହୋଇଥିଲେ। ବର୍ତ୍ତମାନ ସେ ଧୀରେ ଧୀରେ ସୁସ୍ଥ ହେଉଛନ୍ତି।
ଏହି କାହାଣୀ ପାଇଁ ମୃଣାଳିନୀ ମୁଖାର୍ଜୀ ଫାଉଣ୍ଡେସନ (ଏମଏମଏଫ) ର ଏକ ଫେଲୋସିପ୍ରୁ ସହାୟତା ମିଳିଛି।
ଅନୁବାଦ: ଓଡ଼ିଶାଲାଇଭ୍
Want to republish this article? Please write to [email protected] with a cc to [email protected]
Donate to PARI
All donors will be entitled to tax exemptions under Section-80G of the Income Tax Act. Please double check your email address before submitting.
PARI - People's Archive of Rural India
ruralindiaonline.org
https://ruralindiaonline.org/articles/no-one-can-craft-a-jutti-like-i-do-or

