ନୌରାଦେହି ବନ୍ୟପ୍ରାଣୀ ଅଭୟାରଣ୍ୟରେ ଜଣେବନ ରକ୍ଷକ ଭାବରେ ନିଜର ୧୩ ବର୍ଷର କାର୍ଯ୍ୟକାଳ ମଧ୍ୟରେ ତାରାଚାନ୍ଦ ଗୋଣ୍ଡ, ଭାରତୀୟ ପାଉଁଶିଆ ଗଧିଆଙ୍କ ତୁଳନାରେ ଅଧିକ ବାଘ ଦେଖିଛନ୍ତି। ଚଷମା ପଛରେ ତାଙ୍କ ଆଖିରେ ଏକ ଚମକ ସହ, ୩୪ ବର୍ଷୀୟ ଏହି ବ୍ୟକ୍ତିଜଣକ ଏଭଳି ବିଡ଼ମ୍ବନା ଦେଖି ମୃଦୁହାସ୍ୟ ଦେଉଛନ୍ତି ।
ସେ ଏଥିପାଇଁ ହସୁଛନ୍ତି କାରଣ ସେ ବିପଦସଙ୍କୁଳ ଗଧିଆଙ୍କ ପାଇଁ ଉଦ୍ଦିଷ୍ଟ ଭାରତର ସବୁଠାରୁ ପୁରାତନ ଜାତୀୟ ଉଦ୍ୟାନରେ ରହି କଥା ହେଉଛନ୍ତି; ଯେଉଁଠାକୁ ବାଘମାନଙ୍କୁ କେବଳ ୨୦୧୮ ଅର୍ଥାତ ନିକଟ ଅତୀତରେ ଅଣାଯାଇଥିଲା। କିନ୍ତୁ ଭାରତୀୟ ପାଉଁଶିଆ ଗଧିଆ(Canis lupus pallipes) – ଏମାନେ ଭାରତୀୟ ଉପମହାଦେଶର ପ୍ରାଚୀନ ପ୍ରଜାତି – ସେମାନଙ୍କୁ ଦେଖିବା ବହୁତ କଷ୍ଟକର। ସାରାଦେଶରେ ମାତ୍ର ୩,୦୦୦ରୁ ସାମାନ୍ୟ ଅଧିକ ପାଉଁଶିଆ ଗଧିଆ ରହିଛନ୍ତି – ଯାହା ୨୦୨୨ ଗଣନା ଅନୁଯାୟୀ ୩,୬୮୨ ବାଘଙ୍କ ସଂଖ୍ୟା ଠାରୁ ମଧ୍ୟ କମ୍।
ପାଉଁଶିଆ ଗଧିଆଙ୍କୁ ପ୍ରଥମ କରି ଦେଖିବାର ଅନୁଭୂତି ତାରାଚାନ୍ଦ କେବେ ବି ଭୁଲିନାହାନ୍ତି: “ପହରା ଦେବାର ଦୁଇବର୍ଷ ପରେ ମୁଁ ପ୍ରଥମ ଥର ପାଇଁଭେଡିଆ [ଗଧିଆ] ଦେଖିଥିଲି,” ବୋଲିଏହି ଗୋଣ୍ଡ ଆଦିବାସୀ ଗାର୍ଡ ଜଣକ କୁହନ୍ତି। “ମୁଁ ଜଣେ ସିନିୟର ରେଞ୍ଜରଙ୍କ ସହ ଭରାଇ ସର୍କଲରେ ଥିଲି, ଯେତେବେଳେ ଆମେ ଦୂରରେ ଏହି ପ୍ରାଣୀଟିକୁ ଦେଖିଲୁ। ସେ ଆମଠାରୁ ଦୂରକୁ ଦୌଡ଼ୁଥିଲା। ମୁଁ ତାଙ୍କୁ ପଚାରିଲି ଏହା କ’ଣ, ସେ କହିଲେ, ‘ଏହା ହିଁ ହେଉଛି ଭେଡିଆ’ । ଏହା ହେଉଛି ସେହି ପ୍ରାଣୀ ଯାହା ପାଇଁ ଏହି ଅଭୟାରଣ୍ୟର ଅସ୍ତିତ୍ୱ ରହିଛି।”
ବର୍ଷ ବର୍ଷ ଧରି, ମଧ୍ୟପ୍ରଦେଶର ଦକ୍ଷିଣ ବିନ୍ଧ୍ୟ ପର୍ବତମାଳାରେ ବ୍ୟାପିଥିବା ନୌରାଦେହିର ଏହି ବୁଦୁବୁଦିଆ ଜଙ୍ଗଲର ମୁଖ୍ୟ ଶିକାରୀ ତଥା ଅଧିପତି ଥିଲେ ଗଧିଆ। ଅତ୍ୟଧିକ ଲାଜକୁଳା ସ୍ଵଭାବର ହୋଇଥିବାରୁ, ସେମାନଙ୍କୁ ଦେଖିବା ସବୁବେଳେ କଷ୍ଟକର ହୋଇଥାଏ ଏବଂ ପ୍ରାୟତଃ ଲୋକମାନେ ସେମାନଙ୍କୁ ବିଲୁଆ ବୋଲି ଭାବି ଭ୍ରମରେ ପଡ଼ନ୍ତି। ଜଣେ ସୁରକ୍ଷା ଶ୍ରମିକ (ବନରକ୍ଷୀ) ଶୁଭମ ରାଇକୱାର କୁହନ୍ତି, "ଯେତେବେଳେ ଆପଣ ସେମାନଙ୍କୁ ଦେଖନ୍ତି, ସେମାନେ ଆପଣଙ୍କଠାରୁ ଦୂରକୁ ଦୌଡ଼ୁଥିବା ବେଳେ ସାଧାରଣତଃ କେବଳ ସେମାନଙ୍କର ପଶ୍ଚାତ ଭାଗ ହିଁ ଦୃଶ୍ୟମାନ ହୋଇଥାଏ।"
୭୦୦ ଗଧିଆଙ୍କ ସହ, ଯେକୌଣସି ରାଜ୍ୟ ତୁଳନାରେ ମଧ୍ୟପ୍ରଦେଶରେ ସବୁଠାରୁ ଅଧିକ ଗଧିଆ ରହିଛନ୍ତି। ତଥାପି, “ଏହାକୁ କ୍ୟାମେରାରେ କଏଦ କରିବା କିମ୍ବା ଆଖିରେ ଦେଖିବା ବହୁତ କଷ୍ଟକର। ମୁଁ ଆପଣଙ୍କୁ କହୁଛି, ଗୋଟିଏ ଗଧିଆ ବାଘଠାରୁ ମଧ୍ୟ ଅଧିକ ଚତୁର” ବୋଲି ଡକ୍ଟର ଅନିରୁଦ୍ଧ ମଜୁମଦାର କୁହନ୍ତି। ଜବଲପୁରର ରାଜ୍ୟ ବନ ଗବେଷଣା ପ୍ରତିଷ୍ଠାନର ଜଣେ ବନ୍ୟପ୍ରାଣୀ ଜୀବବିଜ୍ଞାନୀ ଭାବରେ ସେ ସେମାନଙ୍କ ବ୍ୟବହାର ଉପରେ ଅଧ୍ୟୟନ କରୁଛନ୍ତି ଏବଂ ଚାରି ବର୍ଷିଆ ପ୍ରକଳ୍ପ: ‘ଇକୋଲୋଜି ଅଫ୍ ଦ ଇଣ୍ଡିଆନ୍ ଉଲ୍ଫ ଆଣ୍ଡ ଇଟ୍ସ କଞ୍ଜରଭେସନ ଇମ୍ପ୍ଲିକେସନ୍ସ ଇନ୍ ନୌରାଦେହି ୱାଇଲ୍ଡଲାଇଫ୍ ଡିଭିଜନ’ର ନେତୃତ୍ୱ ନେଉଛନ୍ତି।













