ମୁଁ ଏସ୍. କୀର୍ତ୍ତି, ତେନକାସି ଜିଲ୍ଲାର ସରକାରୀ ଆଦର୍ଶ ବିଦ୍ୟାଳୟର ଜଣେ ଦ୍ଵାଦଶ ଶ୍ରେଣୀ ଛାତ୍ରୀ। ମୋ’ ବିଦ୍ୟାଳୟ ମାଧ୍ୟମରେ ଏକବର୍ଷ ଦୀର୍ଘ ଏକ ଫଟୋଗ୍ରାଫି କର୍ମଶାଳାରେ ଅଂଶଗ୍ରହଣ କରିବାର ସୁଯୋଗ ପାଇଥିଲି। ବିଶ୍ଵାସ କରନ୍ତୁ ସେ ପର୍ଯ୍ୟନ୍ତ ମୁଁ ଭାବୁଥିଲି, କେବଳ ବିବାହ ଏବଂ ବଡ଼ ବଡ଼ ଆୟୋଜନରେ ଫଟୋ ଉଠା ଯାଇଥାଏ। ପ୍ରଥମଥର ମୁଁ ଜାଣିଲି ଯେ ଫଟୋ ମାଧ୍ୟମରେ ମଧ୍ୟ ଆମ ଭଳି ଶ୍ରମଜୀବି ଶ୍ରେଣୀର ଲୋକଙ୍କର ଜୀବନ ଏବଂ ସଂଘର୍ଷ ଲିପିବଦ୍ଧ କରା ଯାଇପାରିବ। ଏବଂ ତାହା ଆମକୁ ଗାରିମା ସହିତ ଚିତ୍ରଣ କରିପାରିବ।
ଦିନେ କର୍ମଶାଳାର ସଞ୍ଚାଳକ ଶ୍ରମିକ ଶ୍ରେଣୀର ଲୋକଙ୍କ ଜୀବନକୁ ନେଇ ଏକ ଫଟୋ ପ୍ରଦର୍ଶନୀ ସମ୍ପର୍କରେ କହିବା ସହିତ ମୋ’ ହାତରେ ଗୋଟିଏ କ୍ୟାମେରା ଧରାଇ ଦେଲେ। ଆସନ୍ତା ତିନିଦିନ ଧରି ମତେ ଜଣଙ୍କର ଜୀବନ ଚିତ୍ରଣ କରିବାରେ ମୋ’ ହାତର ପରୀକ୍ଷା ନେବାର ଅଛି। କିଭଳି ଫଟୋ ସୁଟ କରାଯାଏ କିମ୍ବା ଫଟୋ ଡକ୍ୟୁମେଣ୍ଟାରୀରର ବିଷୟ କଣ ରହିବ ସେ ସବୁ ସମ୍ପର୍କରେ ମୋର କୌଣସି ଧାରଣା ନଥିଲା। ଏତିକିବେଳେ ମୋର ପ୍ରଶିକ୍ଷକଙ୍କ କଥା ମନେପଡ଼ିଥିଲା,”କାହାଣୀ କେଉଁଠି କେଉଁ ଦୂରରେ ଖୋଜ ନାହିଁ। ଏହା ସବୁବେଳେ ତୁମ ସମ୍ମୁଖରେ ଘଟିଥାଏ।”
ମୁଁ କର୍ମଶାଳାରେ ପଢ଼ିଥିବା ଗୋଟିଏ କାହାଣୀ ଗୋଟିଏ ବତୀଖୁଣ୍ଟର ଆଲୋକରେ - ମୋ ମାଆର ଜୀବନ ମୋର ମନେ ପଡ଼ିଯାଇଥିଲା। ଏବଂ ମୁଁ ଚିନ୍ତାକଲି ଯେ, ମୋର ମା’ଙ୍କ ସହିତ ବୁଲି ତାଙ୍କ ସଂଘର୍ଷକୁ ବୁଝିବି ଏବଂ ତାକୁ ଫଟୋରେ ଚିତ୍ରଣ କରିବି। ଏହି ସମୟରେ ମୁଁ ମୋ’ ମା’ଙ୍କ ସହିତ ଅନେକ କଥାବାର୍ତ୍ତା ହୋଇଛି, ବଡ଼ି ସକାଳଠାରୁ ଆରମ୍ଭ କରି ବିଳମ୍ବିତ ରାତି ପର୍ଯ୍ୟନ୍ତ ତାଙ୍କୁ ଦେଖୁଥିଲି। ଏହି ଡକ୍ୟୁମେଣ୍ଟାରୀ ଦ୍ଵାରା ମୁଁ ଜାଣିପାରିଲି ମୋର ମା’ କେତେ କଠିନ ପରିସ୍ଥିତିରେ ଜୀବନ ଅତିବାହିତ କରିଛନ୍ତି। ତାଙ୍କ ନାମ ଏସ୍. ମୁଥୁଲକ୍ଷ୍ମୀ ଏବଂ ତାଙ୍କର ବୟସ ୪୨ବର୍ଷ। ସେ ଜଣେ ନିର୍ଭୀକ ଏବଂ ସାହସୀ ମହିଳା ଅଟନ୍ତି।
ସେ ଏପରି ଜଣେ ମହିଳା ଯିଏ ଆମ ପାଇଁ ତାଙ୍କ ସ୍ଵପ୍ନକୁ ଜଳାଞ୍ଜଳି ଦେଇଛନ୍ତି। ପୂର୍ବରୁ ଗାଁରେ ମୋର ବାପାଙ୍କର ଗୋଟିଏ ଛୋଟ ଦୋକାନ ଥିଲା। ଯୁବକ ସମୟରେ, ମୋର ବାପା କାମଧନ୍ଦା ସନ୍ଧାନରେ ସାଧାରଣତଃ ବାହାରକୁ ଯାଉଥିଲେ। ତାପରେ ମୋର ଜେଜେମାଆ ୨,୦୦୦ଟଙ୍କା ଋଣ କରି ତାଙ୍କୁ ନିଜ ଜାଗାରେ ଦୋକାନ କରିବା ପାଇଁ ଦେଇଥିଲେ। ସେ ତାଙ୍କ ସାଇକେଲରେ ପାଖ ଗାଁକୁ ଯାଇ ଜିନିଷ ଆଣି କାମ ଆରମ୍ଭ କରିଥିଲେ। ଏହା ଥିଲା ୧୯୯୭ ମସିହାର ଘଟଣା।
କିନ୍ତୁ ୨୦୧୬ ମସିହାରେ ଏକ ଦୁର୍ଭାଗ୍ୟପୂର୍ଣ୍ଣ ଦୁର୍ଘଟଣା ଘଟିଥିଲା। ସେତେବଳକୁ ମୋର ମା’ ନିକଟସ୍ଥ ଗୋଟିଏ ଗ୍ରାମରେ ଏମଏସ୍ ଅଫିସ ଶିଖିବାକୁ ଯିବାର ଦୁଇମାସ ହୋଇଥାଏ। ସେ କଲେଜ ଯାଇ ବି.ଏ.(ତାମିଲ) ପଢିବାକୁ ମଧ୍ୟ ଚାହୁଁଥିଲେ। ହେଲେ ତା’ ପରେ ପରେ ମୋ’ ବାପା, ଭାଇ ଏବଂ ମୁଁ ଗୋଟିଏ ଦୁର୍ଘଟଣାରେ ଆହତ ହୋଇଥିଲୁ। ମୋର ବାପାଙ୍କ ଗୋଡ଼ରେ ଗଭୀର ଆଘାତ ଲାଗି ଅପରେସନ ଆବଶ୍ୟକ ପଡ଼ିଥିଲା। ମୋର ଭାଇ ଏବଂ ମୋ’ ଗୋଡ଼ରେ ସାମାନ୍ୟ ଆଘାତ ଲାଗିଥିଲା। ବାପାଙ୍କ ଅପରେସନ କରିବା ପାଇଁ ମା’ଙ୍କ ପାଖରେ ପର୍ଯ୍ୟାପ୍ତ ଟଙ୍କା ନଥିଲା। ସେ ବନ୍ଧୁବାନ୍ଧବଙ୍କଠାରୁ ଋଣ କରି ଏବଂ ତାଙ୍କର କିଛି ଗହଣା ବନ୍ଧକ ରଖି ତାକୁ ଯୋଗାଡ଼ କରିଥିଲେ। କିନ୍ତୁ ଏସବୁର ଅର୍ଥ, ତାଙ୍କର ଦାୟିତ୍ଵ ଦ୍ଵିଗୁଣିତ ହୋଇଥିଲା।
ଏହା ତାଙ୍କ ସ୍ଵପ୍ନରେ ପୂର୍ଣ୍ଣଚ୍ଛେଦ ଟାଣିଥିଲା। ସେ ଏସବୁ ନେଇ କ’ଣ ଭାବନ୍ତି କେବେ କହିନାହାନ୍ତି। ସେ ସବୁବେଳେ ଚିନ୍ତା କରୁଥିଲେ ଯେ ପରିବାରକୁ ଭଲପାଇବା ହେଉଛି ତାଙ୍କ କର୍ତ୍ତବ୍ୟ। ସେ ନିଜକୁ ଅଦୃଶ୍ୟ କରି ଦେଇଥିଲେ। ଆଉ ଏଥିପାଇଁ ମୁଁ ତାଙ୍କ ଜୀବନକୁ ଚିତ୍ରଣ କରିବାକୁ ନିଷ୍ପତ୍ତି ନେଇଥିଲି। ମୁଁ ଯେତେବେଳେ ମୋର ଫଟୋ ଡକ୍ୟୁମେଣ୍ଟାରୀ ବିଦ୍ୟାଳୟରେ ଉପସ୍ଥାପନ କରିଥିଲି ଏହା ଚେନ୍ନାଇରେ ଆୟୋଜିତ ଫଟୋ ପ୍ରଦର୍ଶନୀରେ ସ୍ଥାନ ପାଇବା ପାଇଁ ଚୟନିତ ହୋଇଥିଲା। ମୋର ବାପା ସବୁବେଳେ ଫଟୋଗ୍ରାଫି ଶିଖିବାକୁ ଚାହୁଁଥିଲେ। ଏବେ ମୋର ଯାତ୍ରାକୁ ନେଇ ସେ ଉତ୍ସାହୀ ଅଛନ୍ତି।
ପ୍ରଦର୍ଶନୀ କକ୍ଷରେ ପହଞ୍ଚିବା ମାତ୍ରେ ବ୍ୟାନରରେ ମୋ’ ମା’ଙ୍କର ଫଟୋ ମୁଁ ଦେଖିଲି। ମୁଁ ଅଭିଭୂତ ହୋଇଯାଇଥିଲି। ଅନେକ କଳାକାର, ସାମ୍ବାଦିକ ଏବଂ ଫଟୋଗ୍ରାଫର, ଏପରିକି କିଛି ବିଦେଶୀ ମଧ୍ୟ ଏହି ପ୍ରଦର୍ଶନୀ ଦେଖିବା ପାଇଁ ଆସିଥିଲେ। ସେମାନଙ୍କ ମଧ୍ୟରୁ କେହି କେହି ପୋଷ୍ଟକାର୍ଡରେ ମୋର ଅଟୋଗ୍ରାଫ୍ ନେଇଥିଲେ। କିଛି ଲୋକ ମୋର କାମକୁ ନେଇ ମତେ ଉତ୍ସାହିତ କରିବା ଭଳି କଥା କହିଥିଲେ। ହେଲେ ମୋର ଏହି ପ୍ରଦର୍ଶନୀ ଦେଖିବାକୁ ଯେଉଁ ଦୁଇଜଣ ଆସିନଥିଲେ, ସେମାନେ ହେଉଛନ୍ତି ମୋର ବାପା-ମାଆ। ଆମେମାନେ ଆମର ପ୍ରଦର୍ଶନୀ ସାରିବାକୁ ଯିଵାଵେଳେ ମୋ’ ମା’ ହିସାବ-କିତାବ ଏବଂ ତାଙ୍କ ଜୀବନ ସଂଘର୍ଷରେ ବ୍ୟସ୍ତ ଅଛନ୍ତି, ଏହା ମୋତେ ଜଣାଥିଲା।
ମୋର ଆଜି ବି ମନେ ଅଛି, ଯେତେବେଳେ ମୁଁ ମୋର ମା’ଙ୍କର ପ୍ରଥମ ଫଟୋ ସେହି କ୍ୟାମେରାରେ ଉଠାଇଥିଲି ଏବଂ ସେହି ଫଟୋ ଦେଖି ମୋର ମା’ଙ୍କ ମୁହଁରେ ଖୁସି ଏବଂ ଭାବପ୍ରବଣତା ଖେଳି ଯାଇଥିଲା।
























