‘‘ ମୁମ୍ବାଇର ଗ୍ରାଣ୍ଟ୍ ରୋଡ୍ ଅଞ୍ଚଳରେ ଥିବା ଏକକ ପରଦା ପ୍ରେକ୍ଷାଳୟ ଆଲଫ୍ରେଡ୍ ଟକିଜ୍ର ପ୍ରତୀକ୍ଷା ସ୍ଥଳରେ ବସି ୩୬ ବର୍ଷୀୟ ଶ୍ୟାମ ସିଂହ କହନ୍ତି, “ଫିଲ୍ମ ମେ ହୋନା ଚାହିୟେ ଲଭ୍ ଷ୍ଟୋରୀ, କୁଛ୍ ଇମୋସନାଲ ସା [ଏକ ଚଳଚ୍ଚିତ୍ରରେ କିଛି ଭାବପୂର୍ଣ୍ଣ ପ୍ରେମ କାହାଣୀ ଥିବା ଆବଶ୍ୟକ। ସେ ହସି ହସି ଆହୁରି ମଧ୍ୟ କୁହନ୍ତି, “ଲଢ଼େଇ ଓ ଆକ୍ସନ୍ ସିନ୍ ଠିକ୍ ଅଛି, କିନ୍ତୁ ମୋତେ ପ୍ରେମ କାହାଣୀ ହିଁ ଭଲ ଲାଗେ ।”
ଡିସେମ୍ବରର ଏକ ଖରାଟିଆ ଅପରାହ୍ଣରେ ୩ଟା ବେଳର ଶୋ' ଆରମ୍ଭ ହେବାକୁ ଶ୍ୟାମ ଅପେକ୍ଷା କରିଛନ୍ତି । ବ୍ଲକବଷ୍ଟର ଚଳଚ୍ଚିତ୍ର 'ରାମ ତେରି ଗଙ୍ଗା ମୈଲି'ର ଏକ ହାତ ଲେଖା ବ୍ୟାନର ଅଟ୍ଟାଳିକାର ପ୍ରବେଶ ଦ୍ୱାରରେ ଝୁଲୁଛି । ପ୍ରାୟ ଚାରି ଦଶନ୍ଧି ପୂର୍ବରୁ ୧୯୮୫ରେ ରିଲିଜ୍ ହୋଇଥିବା ଏହି ବଲିଉଡ୍ ହିଟ୍ ଚଳଚ୍ଚିତ୍ର ଏବେ ବି ଦର୍ଶକଙ୍କ ପସନ୍ଦ ହୋଇ ରହିଛି ।
ଆଲଫ୍ରେଡ୍ ଟକିଜ୍ର ପ୍ରବେଶ ଦ୍ୱାରରେ ହିନ୍ଦୀ ଓ ଉର୍ଦ୍ଦୁ ଭାଷାରେ ଲେଖାଥିବା ଏକ ସୂଚନା ଫଳକ “ରୋଜାନା ୩ ଖେଲ୍” ତିନୋଟି ଶୋ'ର ଦୈନିକ ସ୍କ୍ରିନିଂ ସମୟସୂଚୀର ବିଜ୍ଞାପନ କରୁଛି, ଯେପରିକି, - ପ୍ରଥମ ଶୋ' ମଧ୍ୟାହ୍ନରେ, ଦ୍ୱିତୀୟ ଶୋ' ଅପରାହ୍ଣ ୩ଟାରେ ଏବଂ ଶେଷ ଶୋ' ସନ୍ଧ୍ୟା ୬ଟାରେ ।
ଭଲ ରୋଜଗାର ଆଶାରେ ତିନି ବର୍ଷ ତଳେ ନେପାଳରୁ ମୁମ୍ବାଇ ଆସିଥିବା ଶ୍ୟାମ କୁହନ୍ତି, “ହମେଁ ମୁଭି ଦେଖନେ କା ଶୌକ୍ ହୈ [ମୋତେ ସିନେମା ଦେଖିବାକୁ ଭଲ ଲାଗେ]” ।
ସେ କୁହନ୍ତି, “ଆଲଫ୍ରେଡ ଟକିଜ୍ରେ ଟିକେଟ ଶସ୍ତା”, ତେଣୁ ଆମେ ଯେତେବେଳେ ଇଚ୍ଛା ଆସିପାରିବୁ ।” ଗୋଟିଏ ଟିକେଟ ୩୫ ଟଙ୍କାରେ ବିକ୍ରି ହେଉଛି । ସେ କହନ୍ତି, "ମୋର ଏତେ ରୋଜଗାର ନାହିଁ ଯେ ମୁଁ ଦାମୀ ସିନେମା ହଲ୍କୁ ଯାଇ ସିନେମା ଦେଖିପାରିବି ।”
ଶ୍ୟାମ ବୃହନ୍ମୁମ୍ୱାଇ ନଗର ନିଗମର ଜଣେ ଠିକା କର୍ମଚାରୀ ଏବଂ ଭୋଜନ ପ୍ରବନ୍ଧନରେ କାର୍ଯ୍ୟ କରନ୍ତି – ବିଭିନ୍ନ କାର୍ଯ୍ୟକ୍ରମ ପାଇଁ ସାମଗ୍ରୀ ପ୍ରସ୍ତୁତ କରିବା, ପରଷିବା ଓ ପରିଷ୍କାର କରିବା ଆଦି କରନ୍ତି । ସେ ଗ୍ରାଣ୍ଟ ରୋଡ୍ ନିକଟରେ ରୁହନ୍ତି ଏବଂ ମାସକୁ ପ୍ରାୟ ୯୦୦୦ ଟଙ୍କା ରୋଜଗାର କରନ୍ତି । ତାଙ୍କ ପରିବାର ନେପାଲର ବୁଟୱାଲ୍ ସହରରେ ରହୁଛନ୍ତି ।


















