ପିଇବା ପାଣି ଟିକେ ପାଇବା ଲାଗି ଗଙ୍ଗୁବାଇ ଚଭନଙ୍କୁ କାକୁତି ମିନତି କରିବାକୁ ହିଁ ପଡ଼ିବ। “ସରକାର! ୱାଚମ୍ୟାନ୍ ସାହିବ ! ଆମକୁ ଟିକେ ପାଣି ପିଇବାକୁ ଦିଅନ୍ତୁ। ମୁଁ ଏଠାକାର ଜଣେ ବାସିନ୍ଦା, ଆଜ୍ଞା।”
ହେଲେ କେବଳ କାକୁତି ମିନତିରେ ଚଳିବ ନାହିଁ। ତାଙ୍କୁ ସେମାନଙ୍କୁ କଥା ଦେବାକୁ ପଡ଼ିବ ଯେ, “ମୁଁ ଆପଣଙ୍କର ଗରା ମାଠିଆ ଛୁଇଁବି ନାହିଁ।”
ଗଙ୍ଗୁବାଇ (ପରିବର୍ତ୍ତିତ ନାମ) ପିଇବା ପାଣି ପାଇଁ ଘରୋଇ ପାଣି କଳ, ଚା’ ଦୋକାନ, ଏବଂ ବିବାହ ଉତ୍ସବ ସ୍ଥଳ ଉପରେ ନିର୍ଭର କରନ୍ତି। ନାନ୍ଦେଡ଼ ନଗରୀର ଗୋକୁଲନଗର ଅଞ୍ଚଳରେ, ଫୁଟ୍ପାଥ ଉପରେ ଥିବା ତାଙ୍କ ‘ଘର’ ସାମନା ହୋଟେଲ ଏବଂ ଅନ୍ୟାନ୍ୟ କୋଠାବାଡ଼ିର ଜଗୁଆଳିମାନଙ୍କ ପାଖରେ ସେ ନେହୁରା ହୁଅନ୍ତି। ଏବଂ ଦିନେ ଅଧେ ନୁହେଁ, ସବୁଦିନ ଆଉ ସବୁ ସମୟରେ, ଯେତେବେଳେ ବି ତାଙ୍କର ପାଣି ଦରକାର ହୁଏ, ସେ ଏମିତି କରନ୍ତି।
ତାଙ୍କ ପାଇଁ ପାଣି ଖୋଜିବା ନିତିଦିନିଆ କାମ। ଏବଂ ଏହି ପାଣିଖୋଜା କାମର ବୋଝକୁ ବହୁଗୁଣିତ କରେ ଏକ ସାମାଜିକ କଳଙ୍କ ଭରା ଅବାଞ୍ଛିତ ଆକ୍ଷେପ। ସବୁଦିନ ସେ ଏଥିପାଇଁ ଲୋକଙ୍କ ଉପେକ୍ଷାର ସମ୍ମୁଖୀନ ହୁଅନ୍ତି ଯେ ସେ ଫାନ୍ସେ ପାର୍ଦ୍ଧି ଆଦିବାସୀ ସଂପ୍ରଦାୟର- ଯାହାକି ଏକଦା ଏକ ‘ଅପରାଧୀ ଆଦିବାସୀ’ ସଂପ୍ରଦାୟ ଭାବରେ ବିଜ୍ଞାପିତ ହୋଇଥିଲା। ଔପନିବେଶିକ ଯୁଗରେ ପରିଭାଷିତ ଏହି ପଦକୁ ୧୯୫୨ରେ ଭାରତ ସରକାର ଉଚ୍ଛେଦ କରିଥିଲେ। ତଥାପି, ୭୦ ବର୍ଷ ପରେ ବି, ଗଙ୍ଗୁବାଇଙ୍କ ଭଳି ବ୍ୟକ୍ତିମାନେ ନିଜ ଅଧିକାର ପାଇଁ ଲଢ଼େଇ କରନ୍ତି; ସେ ଜଣେ ଚୋର ନୁହଁନ୍ତି ବୋଲି ତାଙ୍କୁ ଅନ୍ୟମାନଙ୍କ ମନରେ ବିଶ୍ୱାସ ଜନ୍ମାଇବାକୁ ପଡ଼େ ଏବଂ ତେବେ ଯାଇ ସେ ଗୋଟିଏ ବାଲଟି ପାଣି ପାଇ ପାରନ୍ତି।
ଗଙ୍ଗୁବାଇ କହନ୍ତି, “ଆପଣ ଏଠି ରଖିଥିବା କୌଣସି ଜିନିଷକୁ ଆମେ ଛୁଇଁନାହୁଁ” ବୋଲି ଆମେ କହିବା ପରେ ହିଁ ସେମାନେ ଆମକୁ କିଛି ପାଣି ଦିଅନ୍ତି। ଥରେ ପାଣି ନେବାକୁ ଅନୁମତି ମିଳିଗଲା ପରେ, ସେ ପାଖରେ ଥିବା ତାଙ୍କର ସବୁ ପାତ୍ର, ପ୍ଲାଷ୍ଟିକ୍ ଡ୍ରମ୍ ଏବଂ ପାଣି ବୋତଲରେ, ଯେତେ ସମ୍ଭବ ସେତେ ପାଣି ସଂଗ୍ରହ କରି ନିଅନ୍ତି। ଗୋଟିଏ ହୋଟେଲ ମନା କରିବା ପରେ ସେ ପାଖରେ ଥିବା ଆଉ ଗୋଟିଏ ହୋଟେଲକୁ ଯାଆନ୍ତି। ହୋଟେଲ ମାଲିକମାନଙ୍କ ରୁକ୍ଷ ବ୍ୟବହାରକୁ ଅଣଦେଖା କରି ସେ ଚାରି ପାଞ୍ଚଟି ଜାଗାରେ ପାଣି ପାଇଁ ନତମସ୍ତକ ହୋଇ ଅନୁରୋଧ କରିବା ପରେ ହିଁ କେହି ଜଣେ ପାଣି ଦେବାକୁ ରାଜି ହୁଅନ୍ତି ଏବଂ ପିଇବା, ରାନ୍ଧିବା ଏବଂ ଅନ୍ୟାନ୍ୟ ଘରକାମ ପାଇଁ ତାଙ୍କୁ ପାଣି ଟିକେ ମିଳେ।
















