କେବେ ସମ୍ପୂର୍ଣ୍ଣ ହେଉନଥିବା ଆଧାରରେ କୌଣସି ପ୍ରକଳ୍ପର ସଫଳତାକୁ ଆକଳନ କରାଯାଇ ପାରିବ କି?
ହଁ, ଯଦି ଏହା ବିଶ୍ୱର ସବୁଠୁ ଜଟିଳ ଗ୍ରାମାଞ୍ଚଳ ଉପରେ ଏକ ଜୀବନ୍ତ ସଂଗ୍ରହ ଅଟେ। ଗ୍ରାମୀଣ ଭାରତ ହେଉଛି ପୃଥିବୀର ସବୁଠୁ ବିବିଧ କ୍ଷେତ୍ର। ଏହାର ୮୩୩ ନିୟୁତ ଲୋକଙ୍କ ମଧ୍ୟରେ ୮୦୦ ପାଖାପାଖି ଭାଷା କହୁଥିବା ସ୍ୱତନ୍ତ୍ର ସମୁଦାୟ ମଧ୍ୟ ରହିଛନ୍ତି। ଏହି ବିବିଧତା ଲୋକଙ୍କ ବେଉସା ଓ ଜୀବିକା, କଳା ଓ ହସ୍ତଶିଳ୍ପ, ସଂସ୍କୃତି, ସାହିତ୍ୟ, ଲୋକକଥା, ପରିବହନ, ଏବଂ ପରୀରେ ବର୍ଣ୍ଣିତ ଅନ୍ୟ ଅଗଣିତ କ୍ଷେତ୍ରରେ ଦେଖିବାକୁ ମିଳିଥାଏ।
ମାଞ୍ଚଳ ବିଷୟରେ ଖୁବ୍ କମ୍ ଖବର ପ୍ରକାଶ କରିଥାନ୍ତି। ତେଣୁ ୨୫ରୁ ୫୦ ବର୍ଷର ପରୀ ହେଉଛି ଏକମାତ୍ର ଡାଟାବେସ, ଏକମାତ୍ର ବିଷୟବସ୍ତୁ ସଂଗ୍ରହ, ଯାହା ଉପରେ ନିର୍ଭର କରି ଭାରତୀୟମାନେ ଆମ ସମୟର ଗ୍ରାମୀଣ ଭାରତରେ ରହୁଥିବା ଓ କାମ କରୁଥିବା ଲୋକଙ୍କ ବିଷୟରେ ଜାଣିପାରିବେ ଓ ବୁଝିପାରିବେ। ଅନୁରୂପ ଭାବେ, ଏହା ହେଉଛି ଏକ ସମସାମୟିକ ଜୀବନ୍ତ ପତ୍ରିକା ଯେଉଁଥିରେ ଦୈନନ୍ଦିନ ଲୋକଙ୍କ ଦୈନନ୍ଦିନ କାହାଣୀ ପ୍ରକାଶ ପାଇଥାଏ।
ପିପୁଲ୍ସ ଲିଙ୍ଗୁଇଷ୍ଟିକ୍ ସର୍ଭେ ଅଫ୍ ଇଣ୍ଡିଆ ରିପୋର୍ଟରେ କୁହାଯାଇଛି ଯେ ଦେଶରେ ସାମଗ୍ରିକ ଭାବେ ପ୍ରାୟ ୮୦୦ କଥିତ ଭାଷା ଓ ୮୬ଟି ବିଭିନ୍ନ ଲିପି ଉପଯୋଗ ହୋଇଥାଏ। କିନ୍ତୁ ସପ୍ତମ ଶ୍ରେଣୀ ପର୍ଯ୍ୟନ୍ତ ବିଦ୍ୟାଳୟ ପାଠପଢ଼ାରେ ସେହି ୮୦୦ ଭାଷା ମଧ୍ୟରୁ ମାତ୍ର ୪ ପ୍ରତିଶତ ବ୍ୟବହୃତ ହୋଇଥାଏ।
ପିପୁଲ୍ସ ଆର୍କାଇଭ୍ ଅଫ୍ ରୁରାଲ୍ ଇଣ୍ଡିଆ ବର୍ତ୍ତମାନ ୧୫ଟି ଭାଷାରେ ପ୍ରକାଶିତ ହେଉଛି ଯାହାକି ପ୍ରାୟ ୧୨୦ କୋଟି ଭାରତୀୟ ଏସବୁ ଭାଷାକୁ ନିଜର ପ୍ରଥମ ଭାଷା ରୂପରେ ଗ୍ରହଣ କରିଥାନ୍ତି।
ଭାରତୀୟ ସମ୍ବିଧାନର ଅଷ୍ଟମ ଅନୁସୂଚୀରେ ୨୨ଟି ଭାଷାକୁ ସାମିଲ କରାଯାଇଛି। ଏସବୁ ଭାଷାର ବିକାଶକୁ ପ୍ରୋତ୍ସାହନ ଦେବା ଦେଶର ସରକାରଙ୍କ କର୍ତ୍ତବ୍ୟ। ତଥାପି ଏପରି କିଛି ରାଜ୍ୟ ରହିଛି ଯେଉଁମାନଙ୍କର ରାଜ୍ୟ ଭାଷା ଏହି ୨୨ଟି ଭାଷାର ତାଲିକାରେ ସାମିଲ କରାଯାଇନାହିଁ। ଉଦାହରଣ ସ୍ୱରୂପ ମେଘାଳୟର ଖାସି ଓ ଗାରୋ ଭାଷା। ୫୦ ନିୟୁତ କିମ୍ବା ତତୋଧିକ ଲୋକଙ୍କ ଦ୍ୱାରା କଥିତ ଆଠଟି ଭାରତୀୟ ଭାଷା ରହିଛି। ୮୦ ନିୟୁତ କିମ୍ବା ତତୋଧିକ ଲୋକ ଏସବୁ ଭାଷା ମଧ୍ୟରୁ ତିନୋଟି ଭାଷା ବ୍ୟବହାର କରିଥାନ୍ତି। ସେହିପରି ପ୍ରାୟ ୫୦୦ ନିୟୁତ ଲୋକ ଗୋଟିଏ ଭାଷାରେ କଥା ହୁଅନ୍ତି। ଅନ୍ୟପକ୍ଷରେ କିଛି ସ୍ୱତନ୍ତ୍ର ଆଦିବାସୀ ଭାଷା ରହିଛି ଯାହାକୁ ପ୍ରାୟ ୪,୦୦୦ ଲୋକ କିମ୍ବା ତା’ଠାରୁ କମ୍ ଲୋକ ବ୍ୟବହାର କରିଥାନ୍ତି। ପୂର୍ବ ଭାରତୀୟ ରାଜ୍ୟ ଓଡ଼ିଶାରେ ପ୍ରାୟ ୪୪ଟି ଆଦିବାସୀ ଭାଷା ରହିଛି। ଭାଷାଭିତ୍ତିକ ସର୍ବେକ୍ଷଣରୁ ଜଣାଯାଇଛି ଯେ ଗତ ୫୦ ବର୍ଷ ମଧ୍ୟରେ ପ୍ରାୟ ୨୨୦ଟି ଭାଷା ବିଲୁପ୍ତ ହୋଇଯାଇଛନ୍ତି। ଯେମିତିକି ତ୍ରିପୁରାର ସାଇମାର ଭାଷା କହୁଥିବା ମାତ୍ର ୫ ଜଣ ଲୋକ ଅଛନ୍ତି।
ଭାରତୀୟ ଗ୍ରାମାଞ୍ଚଳ ଏକ ଅତ୍ୟନ୍ତ ଯନ୍ତ୍ରଣାଦାୟକ ପରିବର୍ତ୍ତନ ଦେଇ ଦ୍ରୁତ ଗତିରେ ଅଗ୍ରସର ହେଉଥିବା ବେଳେ ଏହାର ଅନେକ ଅଭିନବ ବୈଶିଷ୍ଟ୍ୟ ଲୋପ ପାଇଯାଉଛି, ଯାହାକି ଆମକୁ ଅଧିକରୁ ଅଧିକ ଗରିବ କରି ଦେଉଛି। ଉଦାହରଣସ୍ୱରୂପ, ଅନ୍ୟ କୌଣସି ଦେଶ ତୁଳନାରେ, ଭାରତରେ ବୋଧହୁଏ ସବୁଠୁ ଅଧିକ ପ୍ରକାର ଏବଂ ଶୈଳୀର ବୁଣାକାର ସମୁଦାୟ ରହିଛନ୍ତି। ଏସବୁ ପାରମ୍ପରିକ ବୁଣାକାର ସମୁଦାୟ ମଧ୍ୟରୁ ଅନେକ ବାସ୍ତବରେ ପତନାଭିମୁଖୀ ହୋଇପଡ଼ିଛନ୍ତି। ଏମାନଙ୍କର ବିଲୁପ୍ତି ବିଶ୍ୱଠାରୁ କିଛି ମହାନ ଉପହାର ଛଡ଼ାଇ ନେବ। ପେସାଦାର କଥାବାଚକ, ଲୋକ କବିତା ଗାୟକଙ୍କ ଭଳି କେତେକ ଅଭିନବ ବେଉସା ବର୍ତ୍ତମାନ ଲୋପ ପାଇବାକୁ ବସିଲାଣି।
ଆହୁରି ଏମିତି କିଛି ବେଉସା ରହିଛି ଯାହା କେବଳ କିଛି ଦେଶର ଲୋକ ଜାଣନ୍ତି। ଉଦାହରଣସ୍ୱରୂପ ଗୋଟିଏ ଋତୁରେ, ଗୋଟିଏ ଗଛକୁ ତିନି ଥର ଲେଖାଏଁ କରି ଦୈନିକ ୫୦ଟି ତାଳଗଛ ଚଢ଼ୁଥିବା ତାଡ଼ି ସଂଗ୍ରାହକ। ସେମାନେ ଯେଉଁ ରସ ସଂଗ୍ରହ କରନ୍ତି ସେଥିରୁ ତାଳ ଗୁଡ଼ କିମ୍ବା ପାଚନ ପ୍ରକ୍ରିୟାରେ ଏକ ମଦ ତିଆରି ହୁଏ ଯାହାକୁ ତାଡ଼ି କୁହାଯାଏ। ଅଧିକ କାମ ଥିବା ଋତୁରେ ତାଡ଼ି ସଂଗ୍ରାହକମାନେ ସବୁଦିନ ନ୍ୟୁୟର୍କର ଏମ୍ପାୟାର ଷ୍ଟେଟ୍ ବିଲ୍ଡିଂ ଭଳି ଉଚ୍ଚତାର ଗଛ ଚଢ଼ିଥାନ୍ତି। କିନ୍ତୁ ଅନେକ ବେଉସା ଏବେ ଲୋପ ପାଇଗଲାଣି। କୁମ୍ଭାର, ଧାତବ କାରିଗର ଏବଂ ଆହୁରି ଅନ୍ୟ ଲକ୍ଷ ଲକ୍ଷ ଉଚ୍ଚକୁଶଳୀ ଶିଳ୍ପୀମାନେ ସେମାନଙ୍କର ଜୀବିକା ହରାଉଛନ୍ତି।
ଭାରତୀୟ ଗ୍ରାମାଞ୍ଚଳର ଅଭିନବ ପରିଚୟ ପାଲଟିଥିବା ଅଧିକାଂଶ ଜିନିଷ ଆସନ୍ତା ୨୦-୩୦ ବର୍ଷ ମଧ୍ୟରେ ଲୋପ ପାଇଯାଇ ପାରେ। ଏହି ଅଦ୍ୱିତୀୟ ବିବିଧତାକୁ ସୁରକ୍ଷିତ ରଖିବା ପାଇଁ ଆମକୁ ଶିକ୍ଷିତ କରିବା, ଅନୁପ୍ରାଣିତ କରିବା ଲାଗି ଦୃଶ୍ୟ କିମ୍ବା ଶ୍ରାବ୍ୟ ଆକାରରେ କୌଣସି ବ୍ୟବସ୍ଥିତ ରେକର୍ଡ ନାହିଁ। ଆମେ ଗ୍ରାମୀଣ ଭାରତର ଦୁନିଆ ଓ ସ୍ୱରକୁ ହରାଇ ଚାଲିଛୁ। ଭବିଷ୍ୟତ ପିଢ଼ି ଏହା ବିଷୟରେ ସାମାନ୍ୟ କିମ୍ବା କିଛି ଜ୍ଞାନ ହାସଲ କରିପାରିବେ ନାହିଁ। ବର୍ତ୍ତମାନର ପିଢ଼ି ମଧ୍ୟ ଏସବୁ ଦୁନିଆ ପ୍ରତି ନିଜର ସମ୍ପର୍କକୁ ଧୀରେ ଧୀରେ ବିଚ୍ଛିନ୍ନ କରି ଚାଲିଛି।
.
ତେବେ ଗ୍ରାମୀଣ ଭାରତରେ ନିଶ୍ଚିତ ଭାବେ ଏପରି କିଛି ଜିନିଷ ଅଛି ଯାହା ଲୋପ ପାଇଯିବା ଉଚିତ୍। ଏମିତି ଅନେକ କିଛି ଯାହା ଅତ୍ୟାଚାରୀ, ଦମନକାରୀ, ପ୍ରତିଗାମୀ ଓ ଘୃଣ୍ୟ ଅଟେ ଏବଂ ଏସବୁ ଶେଷ ହେବା ଜରୁରୀ। ଅସ୍ପୃଶ୍ୟତା, ସାମନ୍ତବାଦ, ଗୋତି ଶ୍ରମିକ, ଉଗ୍ର ଜାତିଗତ ଓ ଲିଙ୍ଗଗତ ଅତ୍ୟାଚାର ଓ ଶୋଷଣ, ଜମି ହଡ଼ପ ଓ ଆହୁରି ଅନେକ। ଯଦିଓ ଦୁଃଖର ବିଷୟ ହେଉଛି ବର୍ତ୍ତମାନ ଜାରି ରହିଥିବା ପରିବର୍ତ୍ତନ ପ୍ରକୃତି ଅଧିକାଂଶ କ୍ଷେତ୍ରରେ ପ୍ରତିଗାମୀ ଏବଂ ବର୍ବରତାକୁ ପ୍ରୋତ୍ସାହନ ଦେଉଛି। ଏହା ଭିତରେ ସର୍ବୋତ୍ତମ ଓ ବିବିଧ ପ୍ରଥାଗୁଡ଼ିକ ଲୋପ ପାଇଯାଉଛି। ସେଥିପ୍ରତି ଧ୍ୟାନ ଦେଇ ଏଠାରେ ଦସ୍ତାବିଜ ପ୍ରସ୍ତୁତ କରିବା ମଧ୍ୟ ପରୀର ଲକ୍ଷ୍ୟ।
ଏହା ହିଁ ହେଉଛି ପରୀର ବିଶେଷତ୍ୱ
ପରୀ ଉଭୟ ଏକ ଜୀବନ୍ତ ପତ୍ରିକା ଓ ସଂଗ୍ରହ
ଆମେ ଗ୍ରାମାଞ୍ଚଳ ଉପରେ ସାମ୍ପ୍ରତିକ ଏବଂ ସମସାମୟିକ ଖବର ସଂଗ୍ରହ କରିଥାଉ ଏବଂ ପ୍ରକାଶ କରିଥାଉ। ଏଥିସହିତ ଆମେ ଯଥାସମ୍ଭବ ଅଧିକ ଉତ୍ସରୁ ପୂର୍ବରୁ ପ୍ରକାଶିତ କାହାଣୀ, ରିପୋର୍ଟ, ଭିଡିଓ ଏବଂ ଅଡିଓର ଏକ ଡେଟାବେସ ମଧ୍ୟ ପ୍ରସ୍ତୁତ କରିଥାଉ। ‘ପରୀ’ର ସମସ୍ତ ନିଜସ୍ୱ ବିଷୟବସ୍ତୁ କ୍ରିଏଟିଭ୍ କମନ୍ସ ସୃଜନଶୀଳ ସାଧାରଣ ଅଧୀନରେ ଆସେ ଏବଂ ଯେ କେହି ପରୀକୁ ମାଗଣା ଭାବରେ ଦେଖିପାରିବେ। ଆହୁରି, ଯେ କେହି ପରୀ ପାଇଁ ସହଯୋଗ କରିପାରିବେ। ଆମ ପାଇଁ ଲେଖନ୍ତୁ, ସୁଟ୍ କରନ୍ତୁ, ରେକର୍ଡ କରନ୍ତୁ- ଆପଣଙ୍କ ବିଷୟବସ୍ତୁ ସ୍ୱାଗତ ଯୋଗ୍ୟ ହେବ ଯଦି ଏହା ଏହି ସାଇଟ୍ର ମାନଦଣ୍ଡଗୁଡ଼ିକୁ ପୂରଣ କରୁଥାଏ ଏବଂ ଆମର : ‘ସାଧାରଣ ଲୋକଙ୍କ ଦୈନନ୍ଦିନ ଜୀବନ କାହାଣୀ’ ଲକ୍ଷ୍ୟକୁ ସାଧନ କରୁଥାଏ।
ଭାରତରେ ଅଧିକାଂଶ ପାଠାଗାର ଏବଂ ସଂଗ୍ରହାଳୟର ବ୍ୟବହାର ଗତ ପ୍ରାୟ ୨୦ ବର୍ଷ ମଧ୍ୟରେ ହ୍ରାସ ପାଇଛି। ପୂର୍ବରୁ ଏହାର ଏକ ଭରଣା କେବଳ ଗୋଟିଏ ତଥ୍ୟରୁ କରାଯାଇପାରୁଥିଲା ଏବଂ ତାହା ହେଉଛି ଆପଣ ଆମ ସଂଗ୍ରହାଳଗୁଡ଼ିକରେ ଯାହା ଦେଖିବାକୁ ପାଉଥିଲେ, ସଡ଼କରେ ମଧ୍ୟ ତାହା ଦେଖିବାକୁ ମିଳୁଥିଲା : ସେହି କ୍ଷୁଦ୍ରାକୃତିର ଚିତ୍ରକଳା ବିଦ୍ୟାଳୟ, ସମାନ ଭାସ୍କର୍ଯ୍ୟର ପରମ୍ପରା। ଏବେ ସେଗୁଡ଼ିକ ମଧ୍ୟ ଧୀରେ ଧୀରେ ଲୋପ ପାଇଯାଉଛି। ପାଠାଗାର ଓ ସଂଗ୍ରହାଳୟକୁ ଆସିବା ଯୁବପିଢ଼ିଙ୍କ ପାଇଁ ଏକ ବିରଳ ଦୈନନ୍ଦିନ କାର୍ଯ୍ୟ ହେଲାଣି। ତେବେ ଭାରତ ସମେତ ସାରା ବିଶ୍ୱର ଯୁବପିଢ଼ି ଗୋଟିଏ ସ୍ଥାନକୁ ଅଧିକରୁ ଅଧିକ ଭ୍ରମଣ କରୁଛନ୍ତି ଏବଂ ତାହା ହେଉଛି : ଇଣ୍ଟରନେଟ୍।
ଲକ୍ଷ ଲକ୍ଷ ବଞ୍ଚିତ ସମୁଦାୟଙ୍କ ମଧ୍ୟରେ ବ୍ରଡବ୍ୟାଣ୍ଡ ଇଣ୍ଟରନେଟ୍ ସଂଯୋଗ ସୁବିଧା ଭାରତରେ ଏବେ ବି କମ୍ ରହିଛି, କିନ୍ତୁ ଏହା ବିସ୍ତାର ଲାଭ କରୁଛି। (ଶେଷ ଡାଏଲ-ଅପ୍ ସଂଯୋଗ ମାର୍ଚ୍ଚ ୨୦୨୧ରେ ସୁଇଚ୍ ଅଫ୍ ହୋଇଯାଇଥିଲା)। ଏକ ସାର୍ବଜନୀନ ସମ୍ବଳ ରୂପରେ, ଲୋକମାନଙ୍କର ଜୀବନର ଦସ୍ତାବିଜ ପ୍ରସ୍ତୁତ କରିବାର ଲକ୍ଷ୍ୟ ନେଇ ଆଗକୁ ବଢ଼ୁଥିବା ଏକ ଜୀବନ୍ତ, ସକ୍ରିୟ ଇସ୍ତାହାର ତଥା ଏକ ସଂଗ୍ରହ ପ୍ରସ୍ତୁତ କରିବା ଲାଗି ଏହା ସଠିକ୍ ସ୍ଥାନ। ପିପୁଲ୍ସ ଆର୍କାଇଭ୍ ଅଫ ରୁରାଲ ଇଣ୍ଡିଆ। ଅନେକ ଦୁନିଆ, ଗୋଟିଏ ୱେବସାଇଟ୍। ଆମେ ଆଶା କରୁଛୁ ଯେ ଗୋଟିଏ ସାଇଟ୍ରେ ଆହୁରି ଅଧିକ ସ୍ୱର ଏବଂ ସ୍ୱତନ୍ତ୍ର ଭାଷାର ସମାହାର ଦେଖିବାକୁ ମିଳିବ।
ଏହାର ଅର୍ଥ ଆମ୍ଭେମାନେ ଗଣମାଧ୍ୟମର ଅଡିଓ, ଭିଡ଼ିଓ ଏବଂ ଲେଖାପରି ବିଭିନ୍ନ ଭିତ୍ତିଭୂମିର ଅସୀମ ଉପଯୋଗ କରି ଏକ ଅପ୍ରତ୍ୟାଶିତ ପ୍ରୟାସ କରିଛୁ। ଯେଉଁଠାରୁ କାହାଣୀ, କାର୍ଯ୍ୟ, କାର୍ଯ୍ୟକଳାପ ଏବଂ ଇତିହାସକୁ ଯଥାସମ୍ଭବ ଆମର ପ୍ରୟାସ ମୁତାବକ ଗ୍ରାମାଞ୍ଚଳର ଭାରତୀୟମାନେ ନିଜେ ବର୍ଣ୍ଣନା କରିଛନ୍ତି। ଚା’ ବଗିଚାରେ କାମ କରୁଥିବା ଚା’ ତୋଳାଳୀ। ସମୁଦ୍ରରେ ମାଛ ମାରିବାକୁ ଯାଉଥିବା ଧୀବର। କାମରେ ଗୀତ ଗାଉଥିବା ଧାନ ରୋପଣକାରୀ ମହିଳା କିମ୍ବା ପାରମ୍ପରିକ କଥାବାଚକ। ବିନା ଫୋର୍କଲିଫ୍ଟ ଓ କ୍ରେନ୍ ସହାୟତାରେ ସମୁଦ୍ର ମଧ୍ୟରେ ବଡ଼ ଜାହାଜ ଛାଡ଼ିବା ଲାଗି ଶହ ଶହ ବର୍ଷ ପୁରୁଣା ପଦ୍ଧତି ଅବଲମ୍ବନ କରୁଥିବା ଖଲାସୀ ଲୋକଙ୍କଠାରୁ। ସଂକ୍ଷେପରେ କହିବାକୁ ଗଲେ ସାଧାରଣ ଲୋକମାନେ ନିଜ ବିଷୟରେ, ନିଜ ଶ୍ରମ ଓ ନିଜ ଜୀବନ ବିଷୟରେ କହୁଛନ୍ତି - ସେମାନେ ଆମ ସହ ଏକ ଏପରି ଦୁନିଆ ବିଷୟରେ କଥା ହେଉଛନ୍ତି, ଯାହାକୁ ଆମେ ଦେଖିପାରୁନାହୁଁ।
୨୫ ଏପ୍ରିଲ ୨୦୨୦ରେ ଆମେରିକାର କଂଗ୍ରେସ ଲାଇବ୍ରେରୀ ପିପୁଲ୍ସ ଆର୍କାଇଭ୍ ଅଫ୍ ରୁରାଲ ଇଣ୍ଡିଆକୁ ଏକ ମୂଲ୍ୟବାନ ଉତ୍ସ ଭାବେ ଗ୍ରହଣ କରିଥିଲା ଏବଂ ସେମାନଙ୍କ ୱେବସାଇଟ୍ ଓ ଡେଟାବେସରେ ପରୀର ରେକର୍ଡ ଓ ଆର୍କାଇଭ୍କୁ ରଖିବା ପାଇଁ ଆମକୁ ଲିଖିତ ଅନୁମତି ମାଗିଥିଲା।
ପରୀରେ କ’ଣ ରହିଛି
ପରୀରେ ଲେଖା, ଭିଡ଼ିଓ, ଫଟୋ, ଅଡିଓର ମିଳିତ ସମାହାର ରହିଛି। ଆଉ ଏକ ଏକ ସମସାମୟିକ ସାମ୍ବାଦିକତା ୱେବସାଇଟ୍।
୨୦ ଡିସେମ୍ବର ୨୦୧୪ରେ କେବଳ ଇଂରାଜୀ ଭାଷାରେ ଏକ ଛୋଟିଆ ପ୍ଲାଟଫର୍ମ ରୂପରେ ଆମର ଯାତ୍ରା ଆରମ୍ଭ ହୋଇଥିଲା। ବର୍ତ୍ତମାନ ଆମେ ୧୫ଟି ଭାଷା ବିଶିଷ୍ଟ ଏକ ୱେବସାଇଟ୍ରେ ପରିଣତ ହୋଇଛୁ, ଏପରିକି ଏକ ସମାଚାର ସାଇଟ୍ ହୋଇନଥିଲେ ସୁଦ୍ଧା ପ୍ରତି ବର୍ଷ ଲକ୍ଷ ଲକ୍ଷ ଲୋକ ଆମ ୱେବପେଜ୍କୁ ଦେଖୁଛନ୍ତି।
ପରୀ ଦ୍ୱାରା ଗ୍ରହଣ କରାଯାଇଥିବା କେତେକ ଅଭିନବ ପ୍ରୟାସ ଏଠାରେ ଦିଆଯାଇଛି। ଏଠାରେ ଦିଆଯାଇଥିବା ୧୨ଟି ତାଲିକା ଆଦୌ ସମ୍ପୂର୍ଣ୍ଣ ନୁହେଁ ଏବଂ ପରୀ ଯେଉଁ କାର୍ଯ୍ୟ କରୁଛି ତା’କୁ ସମ୍ପୂର୍ଣ୍ଣ ଭାବେ ପ୍ରତିନିଧିତ୍ୱ କରିପାରୁନାହିଁ, ତେବେ ନିଶ୍ଚିତ ଭାବେ ଏହା ପରୀ ଭେଟି ଦେଉଥିବା ବିଷୟବସ୍ତୁ ସମ୍ପର୍କରେ କିଛି ଧାରଣା ପ୍ରଦାନ କରୁଛି।
ଜଳବାୟୁ ପରିବର୍ତ୍ତନ
ପରୀର ଜଳବାୟୁ ପରିବର୍ତ୍ତନ ରିପୋର୍ଟିଂ ପ୍ରକଳ୍ପ ବିଭିନ୍ନ କୃଷି-ପରିବେଶ କ୍ଷେତ୍ରରୁ (ଏବଂ ୩୦ରୁ ଅଧିକ କ୍ଷେତ୍ର ଓ ଉପକ୍ଷେତ୍ରରୁ) ଆସିଥାଏ। ୨୦୨୦ରେ ଏହି ବିଷୟବସ୍ତୁ ଆରମ୍ଭ ହେବା ପରଠାରୁ ବର୍ତ୍ତମାନ ସୁଦ୍ଧା ୩୦ଟି ଷ୍ଟୋରୀ ପ୍ରକାଶିତ ହୋଇଛି ଏବଂ ଜଳବାୟୁ ପରିବର୍ତ୍ତନ ଅଧ୍ୟାୟ ପାଇଁ ଏବେ ସୁଦ୍ଧା ପରୀ ୪ଟି ଜାତୀୟ ପୁରସ୍କାର ଜିତିସାରିଛି। ଆମ ଦୃଷ୍ଟିକୋଣରେ ଥିବା ଭିନ୍ନତା ହେଉଛି - ଆମର ସବୁ ଜଳବାୟୁ ପରିବର୍ତ୍ତନ ସଂକ୍ରାନ୍ତ କାହାଣୀଗୁଡ଼ିକ ସାଧାରଣ ଲୋକଙ୍କ ସ୍ୱର ଓ ଜୀବନ୍ତ ଅନୁଭୂତି ସହ ଜଡ଼ିତ। ଚାଷୀ, ଶ୍ରମିକ, ମତ୍ସ୍ୟଜୀବୀ, ଯାଯାବର ପଶୁପାଳନ, ସାମୁଦ୍ରିକ ପ୍ରବାଳ ସଂଗ୍ରହକାରୀ, ମହୁସଂଗ୍ରାହକ, କୀଟଧରାଳି ଓ ଆହୁରି ଅନେକ ଲୋକଙ୍କ ଜୀବନକୁ ନେଇ ଆମର ନିବନ୍ଧ ପ୍ରକାଶ ପାଇଛି। ଦୁର୍ବଳ ପାହାଡ଼ିଆ ପରିବେଶ ପରିତନ୍ତ୍ର, ଜଙ୍ଗଲ, ସମୁଦ୍ର, ଉପକୂଳ କ୍ଷେତ୍ର, ପ୍ରବାଳ ଦ୍ୱୀପ, ମରୁଭୂମି, ଶୁଷ୍କ ଓ ଅଣଶୁଷ୍କ ଭୂମି ବିଷୟରେ ଆମର ନିବନ୍ଧ ପ୍ରକାଶ ପାଇଛି।
ସାଧାରଣ ଲୋକଙ୍କ ସ୍ୱରକୁ ସ୍ଥାନ ଦେବା ସହିତ ବିଜ୍ଞାନ ଓ ବୈଜ୍ଞାନିକମାନଙ୍କୁ ମଧ୍ୟ ଆମ କାହାଣୀଗୁଡ଼ିକରେ ବିଶେଷ ଗୁରୁତ୍ୱ ଦିଆଯାଇଛି। ଭାରତର ଶୀର୍ଷ ଜଳବାୟୁ ବିଜ୍ଞାନୀମାନେ ପ୍ରାୟତଃ ଜଳବାୟୁ ପରିବର୍ତ୍ତନର ପ୍ରଭାବକୁ ପ୍ରତ୍ୟକ୍ଷ ଭାବେ ସାମ୍ନା କରୁଥିବା ସାଧାରଣ ଲୋକଙ୍କ ଜୀବନ୍ତ ଅନୁଭୂତିରୁ ଶିକ୍ଷା ଲାଭ କରିଥାନ୍ତି। ଗୋଟିଏ ଉଦାହରଣ ହେଉଛି, କାହାଣୀ : ଜଳବାୟୁ ପରିବର୍ତ୍ତନର ଧାରାପ୍ରବାହରେ ସଂଗ୍ରାମରତ କୀଟପତଙ୍ଗ।
ପାରମ୍ପରିକ ଗଣମାଧ୍ୟମରେ ଏ ସମ୍ପର୍କରେ ପ୍ରକାଶ ପାଉଥିବା ଲେଖାଗୁଡ଼ିକ ମୁଖ୍ୟତଃ ଅଧିକ ଅସ୍ପଷ୍ଟ ଓ ଶବ୍ଦଜାଲରେ ଛନ୍ଦି ହେବା ଭଳି ପ୍ରତୀୟମାନ ହୋଇଥାଏ ଏବଂ ଏହି ପ୍ରକ୍ରିୟା ପାଠକଙ୍କ ଜୀବନଠାରୁ ଅଧିକ ଦୂରରେ ଥିବା ଲାଗିଥାଏ। ଉଦାହରଣ ସ୍ୱରୂପ ଆଣ୍ଟାର୍କଟିକାରେ ବରଫ ତରଳିବା, କିମ୍ବା ଆମାଜନ ଜଙ୍ଗଲ ଜଳିଯିବା ଅଥବା ଅଷ୍ଟ୍ରେଲିଆର ବନାଗ୍ନି। କିମ୍ବା ପୁଣି ବିରକ୍ତିକର ଆନ୍ତଃସରକାରୀ ବୈଠକ। ପରୀର ଜଳବାୟୁ ପରିବର୍ତ୍ତନ ରିପୋର୍ଟିଂ ପାଠକଙ୍କ ସମସ୍ୟାକୁ ସେମାନଙ୍କ ଜୀବନର ଅଧିକ ପାଖରୁ ଚିହ୍ନଟ କରିବା ଏବଂ ତାହାକୁ ଠାବ କରିବା ପାଇଁ ଚେଷ୍ଟା କରିଥାଏ।
ପାଠାଗାର
ପରୀର ନିଆରା ଲାଇବ୍ରେରୀ ଆପଣଙ୍କୁ କେବଳ ବହି ଯୋଗାଇ ଦିଏ ନାହିଁ- ଆମେ ତାହା ମାଗଣାରେ ଆପଣଙ୍କୁ ଦେଇଥାଉ। ଆମେ କେବଳ ଆପଣଙ୍କୁ ଲିଙ୍କ ଦେଇନଥାଉ, ଆମେ ଅତି ଗୁରୁତ୍ୱପୂର୍ଣ୍ଣ ରିପୋର୍ଟ, ଅଧ୍ୟୟନ, ସର୍ବେକ୍ଷଣ, ଦସ୍ତାବିଜ ଓ ପୁସ୍ତକ ଆଦି ଆପଣଙ୍କୁ ଯୋଗାଇ ଦେଇଥାଉ। ଆମ ପାଖରେ ଏହା ଇଲେକ୍ଟ୍ରୋନିକ୍ସ କିମ୍ବା ଡିଜିଟାଲ ରୂପରେ ଉପଲବ୍ଧ। ବିଧିବଦ୍ଧ ସ୍ୱୀକାର ଓ ଶ୍ରେୟ ସହିତ ସବୁକିଛି ମାଗଣାରେ ଡାଉନଲୋଡ୍ କରିବାର ସୁବିଧା ପରୀ ଲାଇବ୍ରେରୀରେ ଉପଲବ୍ଧ ରହିଛି।
ଏଭଳି ରିପୋର୍ଟ ଓ ଅଧ୍ୟୟନର ଏକ ଅନଲାଇନ ସଂଗ୍ରହ ପ୍ରସ୍ତୁତ କରିବା ଲାଗି ପରୀର ଲାଇବ୍ରେରୀ ବିଭାଗ ଏକ ପ୍ରୟାସ କରୁଛି। ଲାଇବ୍ରେରୀରେ ବିଭିନ୍ନ ତଥ୍ୟ ଖୋଜିବାକୁ ସହଜ କରିବା ଲାଗି, ପ୍ରତ୍ୟେକ ରିପୋର୍ଟ, ଅଧ୍ୟୟନ କିମ୍ବା ପୁସ୍ତକକୁ ଧ୍ୟାନ ସହକାରୀ ‘ଫୋକସ୍ ଓ ହାଇଲାଇଟ୍ସ’ ସହ ପ୍ରସ୍ତୁତ କରରାଯାଇଛି। କ୍ରମାଗତ ଭାବେ ବଢ଼ୁଥିବା ସ୍ୱେଚ୍ଛାସେବୀମାନଙ୍କ ସମୂହ (ବର୍ତ୍ତମାନ ୩୨୦ରୁ ଅଧିକ, ଯେକୌଣସି ସମୟରେ ୪୦-୫୦ ସକ୍ରିୟ) ଏଥିରେ ଯୋଗଦାନ ଦେଉଛନ୍ତି।
In PARI's library one can find government surveys, independent NGO reports, historical census reports and imperial gazetteers, draft bills, laws and constitutional amendments, Supreme Court judgements, copyright-free literature (for adults and kids), scanned books and e-books, research papers, magazine issues and more.
ପରୀ ଲାଇବ୍ରେରୀରେ ସରକାରୀ ସର୍ବେକ୍ଷଣ, ନିରପେକ୍ଷ ଏନଜିଓ ରିପୋର୍ଟ, ଐତିହାସିକ ଜନଗଣନା ରିପୋର୍ଟ ଏବଂ ସରକାରୀ ଗେଜେଟ୍, ଚିଠା ବିଲ, ଆଇନ ଓ ସାମ୍ବିଧାନିକ ସଂଶୋଧନ, ସର୍ବୋଚ୍ଚ ନ୍ୟାୟାଳୟଙ୍କ ରାୟ, କପିରାଇଟ୍ ମୁକ୍ତ ବିଷୟବସ୍ତୁ (ବୟସ୍କ ଓ ପିଲାଙ୍କ ପାଇଁ) ସ୍କାନ୍ ହୋଇଥିବା ପୁସ୍ତକ ଓ ଇ-ପୁସ୍ତିକା, ଗବେଷଣା ନିବନ୍ଧ, ପତ୍ରିକା ସଂସ୍କରଣ ଓ ଆହୁରି ଅନେକ କିଛି ପାଠକଙ୍କ ପାଇଁ ଉପଲବ୍ଧ ରହିଛି।
ଚାଷୀଙ୍କ ଆନ୍ଦୋଳନ
ଚାଷୀଙ୍କ ସଂଘର୍ଷ, କୃଷି ସଂକଟ ଓ ଆହୁରି ଅନେକ କୃଷି ବିଷୟବସ୍ତୁ ଉପରେ ପରୀର ଶତାଧିକ କାହାଣୀ ପ୍ରକାଶ ପାଇଛି। ଏହି ବିଷୟବସ୍ତୁ ଉପରେ ପରୀ ପ୍ରଥମରୁ ହିଁ ନିବନ୍ଧ ପ୍ରକାଶ କରି ଆସିଛି। ୨୦୨୦ରେ ଆସିଥିବା ତିନୋଟି କୃଷି ଆଇନ ବିରୋଧରେ ଚାଷୀମାନେ ଯେଉଁ ସଂଘର୍ଷ କରିଥିଲେ ତାହା ଗତ କିଛି ବର୍ଷ ମଧ୍ୟରେ ଦୁନିଆର ଯେକୌଣସି ସ୍ଥାନରେ ନ୍ୟାୟ ଦାବିରେ ଆୟୋଜିତ ସବୁଠୁ ବଡ଼, ଶାନ୍ତିପୂର୍ଣ୍ଣ, ସାମ୍ବିଧାନିକ ବିରୋଧ ପ୍ରଦର୍ଶନ ଥିଲା। ମହାମାରୀ ଶୀର୍ଷରେ ଥିବା ସମୟରେ ଏହି ଆନ୍ଦୋଳନ ସଫଳ ହୋଇଥିଲା। ଏହାକୁ ନେଇ ସମ୍ପୂର୍ଣ୍ଣ ଗୋଟିଏ ଅଧ୍ୟାୟ ପ୍ରକାଶ କରିବା ଲାଗି ଆମେ ଚିନ୍ତା କରୁଛୁ।
ଦେଖନ୍ତୁ କୃଷି ଆଇନ ବିରୋଧରେ ଆନ୍ଦୋଳନ : ସମ୍ପୂର୍ଣ୍ଣ କଭରେଜ୍। ପୂର୍ବ ଆନ୍ଦୋଳନରୁ କିଛି କାହାଣୀ ଉପରେ ମଧ୍ୟ ନଜର ପକାନ୍ତୁ - ଯଥା ୨୦୧୮ରେ ଚାଷୀଙ୍କ ନାସିକ-ମୁମ୍ବାଇ ଲମ୍ବା ପଦଯାତ୍ରା।
ଚେହେରା
ଏହା ହେଉଛି ଭାରତର ବିବିଧ ଚେହେରା ଉପରେ ପ୍ରସ୍ତୁତ ହୋଇଥିବା ପ୍ରଥମ ପ୍ରକଳ୍ପ ଯାହାକୁ ଦେଶବ୍ୟାପୀ ଏକ ବ୍ୟବସ୍ଥିତ ଢଙ୍ଗରେ ପ୍ରସ୍ତୁତ କରାଯାଇଛି। ୨୦୧୪ରେ ଅରୁଣାଚଳ ପ୍ରଦେଶର ଜଣେ ଯୁବ ଛାତ୍ର ନିଦୋ ତାନିଆଙ୍କୁ ଦିଲ୍ଲୀରେ ବର୍ଣ୍ଣବିଦ୍ୱେଷର ସାମ୍ନା କରିବାକୁ ପଡ଼ିଥିଲା ଏବଂ ତାଙ୍କୁ ପିଟି ପିଟି ମାରି ଦିଆଯାଇଥିଲା। ଏହି ଘଟଣାକୁ କେନ୍ଦ୍ର କରି ପରୀର ଚେହେରା ବା ଫେସେସ୍ ପ୍ରକଳ୍ପ ଆରମ୍ଭ ହୋଇଥିଲା। ଆକ୍ରମଣକାରୀମାନେ ସାମ୍ବାଦିକଙ୍କୁ କହିଥିଲେ ଯେ ‘‘ସେ ଚୀନା ଭଳି’’ ଦେଖାଯାଉଥିବାରୁ ସେମାନେ ତାଙ୍କ ଉପରେ ଆକ୍ରମଣ କରିଥିଲେ। ଏହା ଏକ ପ୍ରଶ୍ନ ଉଠାଇ ଥିଲା : ତେଣୁ କେଉଁମାନେ ଭାରତୀୟ ଭଳି ଦେଖାଯାଆନ୍ତି? କିଛି ନିର୍ଦ୍ଦିଷ୍ଟ ‘ଭାରତୀୟ ଚେହେରା’ ଅଛି କି?
ବର୍ତ୍ତମାନ ସୁଦ୍ଧା ଆମର ଯାତ୍ରା ଆମକୁ ଜଣାଇ ଦେଇଛି ଯେ ‘ଭାରତୀୟ ଚେହେରା’ ଭଳି କୌଣସି ଜିନିଷ ଯଦି ଥାଏ - ସେଥିରେ ୧୪୦ କୋଟି ଚେହେରା ସାମିଲ ରହିଛି। ଆମେ ଯେଉଁ ସ୍ଥାନରେ ପହଞ୍ଚି ପାରିବୁ, ଦେଶର ସେହି ପ୍ରତ୍ୟେକ ଜିଲ୍ଲା, ପ୍ରତ୍ୟେକ ବ୍ଲକରୁ ପରୀର ଫଟୋଗ୍ରାଫରମାନେ ଫଟୋ ଉଠାଇ ପଠାଇଛନ୍ତି।
ଲକଡାଉନରେ ଜୀବିକା
କୋଭିଡ-୧୯ ମହାମାରୀ କାରଣରୁ ଦେଶବ୍ୟାପୀ ଲକଡାଉନ ଲାଗୁ ହେବା ପରେ କୋଟି କୋଟି ଲୋକଙ୍କ ଜୀବିକା କିଭଳି ପ୍ରଭାବିତ ହୋଇଥିଲା, ପରୀ ସେ ସମ୍ପର୍କରେ ଦେଶବାସୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲା। ଯେତେବେଳେ ଲକ୍ଷ ଲକ୍ଷ ପ୍ରବାସୀ ସହର ଛାଡ଼ି ନିଜ ଗାଁ ଅଭିମୁଖେ ଫେରିଲେ ତାହାକୁ ରିଭର୍ସ ମାଇଗ୍ରେସନ୍ ବା ଓଲଟା ପ୍ରବାସ କୁହାଗଲା। ସେମାନେ କାହିଁକି ଫେରିଯାଉଛନ୍ତି? ଏହି ପ୍ରଶ୍ନ ଗଣମାଧ୍ୟମକୁ ଆନ୍ଦୋଳିତ କରିଥିଲା। କିନ୍ତୁ ପରୀ ଏହାଠାରୁ ଅଧିକ ଉଚିତ୍ ପ୍ରଶ୍ନ ପଚାରିଥିଲା : ପ୍ରଥମେ ସେମାନେ ଗାଁ ଛାଡ଼ିଲେ କାହିଁକି? ଆଉ ଏହାର ଦୁଇ ଶବ୍ଦ ବିଶିଷ୍ଟ ଉତ୍ତର ହେଉଛି କୃଷି ସଙ୍କଟ।
ପରୀ ସାମ୍ବାଦିକମାନଙ୍କର ନେଟୱର୍କ ଫେରିଯାଉଥିବା ପ୍ରବାସୀଙ୍କୁ କେବଳ ସହରର ସୀମା ପର୍ଯ୍ୟନ୍ତ ଅନୁସରଣ କରିନଥିଲା। ବରଂ ସେମାନେ ଯେଉଁ ଗାଁକୁ ଫେରି ଯାଇଥିଲେ, ଆମେ ସେଠାକୁ ଯାଇଥିଲୁ ଏବଂ ଏହି ବିଶାଳ ମାନବ ପଳାୟନର ଜୀବନ୍ତ ସ୍ମୃତିକୁ ଏପରି ଏକ ପରିଦୃଶ୍ୟରେ ରଖିବାକୁ ଚେଷ୍ଟା କରିଥିଲୁ ଯଦ୍ଦ୍ୱାରା ପ୍ରବାସୀ, ବ୍ୟାପକ ସମାଜ ଓ ନୀତି ନିର୍ମାତାମାନଙ୍କୁ ସହାୟତା ମିଳିପାରିବ।
ପରିଣାମ : ଲକଡାଉନରେ ଜୀବିକା ବିଷୟବସ୍ତୁ ଅଧୀନରେ ପରୀ ୨୦୦ରୁ ଅଧିକ କାହାଣୀ ପ୍ରକାଶ କରିଥିଲା, କୋଭିଡ-୧୯ର ମାନବୀୟ ମୂଲ୍ୟକୁ କଭର୍ କରିବା ପାଇଁ ଏହାକୁ କେନ୍ଦ୍ରରେ ରଖାଯାଇଥିଲା। ସବୁଠୁ ଗୁରୁତ୍ୱପୂର୍ଣ୍ଣ ହେଉଛି, ଏହି ସମ୍ପୂର୍ଣ୍ଣ ପ୍ରକ୍ରିୟାରେ କିଛି ପ୍ରବାସୀ ସାମ୍ବାଦିକତା ଓ କାହାଣୀ କହିବାରେ ପ୍ରତ୍ୟକ୍ଷ ଭାବେ ସମ୍ପୃକ୍ତ ହେବାକୁ ଚେଷ୍ଟା କରିଥିଲେ।
କଳା, କାରିଗର, ଶିଳ୍ପକାର ଓ ହସ୍ତଶିଳ୍ପ ଉପରେ କାହାଣୀ
.
ଭାରତର ସଂସ୍କୃତି ଏବଂ ଅବିଶ୍ୱସନୀୟ ବିବିଧତା ଓ ବହୁଳତା ପରୀ ପାଇଁ ସ୍ୱତନ୍ତ୍ର ଗୁରୁତ୍ୱ ବହନ କରିଥାଏ ଏବଂ ଆମ ପାଖରେ ଏହା ଉପରେ ଅନେକ ଅଧ୍ୟାୟ ତଥା ଜାରି ରହିଥିବା ରିପୋର୍ଟିଂ ପ୍ରକଳ୍ପ ରହିଛି।
ଗ୍ରାମୀଣ ଭାରତର ଗାୟକ ଓ କବି କିମ୍ବା ଏବେ ବିଲୁପ୍ତ ପ୍ରୟା ଅନେକ ମାଟି ପାତ୍ରର ଚମତ୍କାର ରୂପ ଉପରେ ଆମର କାମକୁ ଆପଣ ଦେଖିପାରିବେ। ଅଥବା ଭାରତୀୟ ବୁଣାକାରମାନଙ୍କ ଅନିଶ୍ଚିତ ଦୁନିଆରେ ପ୍ରବେଶ କରିପାରିବେ। ଆମ ପାଖରେ ଗ୍ରାମୀଣ ଭାରତର ଢୋଲବାଦନ ଉପରେ ଏକ ସ୍ୱତନ୍ତ୍ର ବିଭାଗ ରହିଛି ଯାହା ସେହି ଲୋକମାନଙ୍କ ଦୁନିଆକୁ ଅନ୍ୱେଷଣ କରିଥାଏ ଯେଉଁମାନେ ଦେଶର ଅସାଧାରଣ ତାଳ ବାଦ୍ୟ ପରମ୍ପରାକୁ ଜୀବିତ ରଖିଛନ୍ତି। ସେମାନଙ୍କ ମଧ୍ୟରୁ କିଛି ନିଜ ଢୋଲ ଓ କୌଶଳକୁ ଉପଯୋଗ କରି ସମାଜରେ ରହିଥିବା ଜାତି ଓ ଲିଙ୍ଗଗତ ବାଧାକୁ ଦୂର କରିବା ପାଇଁ ଆଗେଇ ଆସିଛନ୍ତି।
ଚମଡ଼ା ଶ୍ରମିକ ହୁଅନ୍ତୁ ଅବା କାଠ କଣ୍ଢେଇ ନିର୍ମାତା, କାଠ ଶ୍ରମିକ କିମ୍ବା ଶଙ୍ଖ କାରିଗର, ପରୀ ଏସବୁ ବିଷୟ ଉପରେ ଏକ କାହାଣୀ, ଫଟୋ ଓ ଭିଡିଓର ଏକ ବିଶାଳ ସଂଗ୍ରହ ପ୍ରସ୍ତୁତ କରିଛି।
ଗ୍ରାଇଣ୍ଡମିଲ୍ ସଙ୍ଗସ୍ ପ୍ରକଳ୍ପ ଓ କଚ୍ଛୀ ସଙ୍ଗୀତ
ଆମେ ଏହି କ୍ଷେତ୍ରରେ ଯାହା କରୁଛୁ ଆପଣଙ୍କୁ ତାହାର ପରିଧି, ବ୍ୟାପକତା ଓ ଜଟିଳତାର ଅନୁଭୂତି କରାଇବା ଲାଗି ଦୁଇଟି ଜାରି ରହିଥିବା ପ୍ରୟାସ ଉପରେ ଦୃଷ୍ଟି ପକାଇବା ଲାଗି ଆମେ ଆପଣଙ୍କୁ କହିବୁ। ହୁଏତ‘ ଯେକୌଣସି ସାମ୍ବାଦିକତା ୱେବସାଇଟ୍ ପାଇଁ ଏହା ଏକ ଅଭିନବ ପ୍ରୟାସ। ଦେଶର ବିଭିନ୍ନ ସଂସ୍କୃତି ଓ ଭାଗରୁ ଆମେ ନିମ୍ନ ଦୁଇଟି ଭଳି ଆହୁରି ଅନେକ ବିଷୟବସ୍ତୁ ଉପସ୍ଥାପନ କରିବା ଲାଗି ଯୋଜନା କରିଛୁ।
ପରୀର ଗ୍ରାଇଣ୍ଡମିଲ୍ ସଙ୍ଗସ୍ ପ୍ରୋଜେକ୍ଟ ବା ଫେସା ସଙ୍ଗୀତ ପ୍ରକଳ୍ପରେ ଗ୍ରାମୀଣ ମହିଳାମାନେ ସ୍ୱର ଦେଇଥିବା ଓ ଗାଇଥିବା ଅନେକ ସଙ୍ଗୀତ ରହିଛି ଯାହାକି ଯେକୌଣସି ଭାଷାରେ ସର୍ବାଧିକ ସଙ୍ଗୀତର ସଂଗ୍ରହ। ରେକର୍ଡିଂ, ଭିଡିଓ, ପ୍ରତିଲିପି, ଅନୁବାଦ ଓ କାହାଣୀ ସହିତ ଗ୍ରାମୀଣ ମହାରାଷ୍ଟ୍ରର ମହିଳାମାନେ ଗାଇଥିବା ୧୦୦,୦୦୦ରୁ ଅଧିକ ଓଭି - ଛନ୍ଦବଦ୍ଧ ପଦ୍ୟର ଅଭିନବ ସଂଗ୍ରହ ଏଥିରେ ରହିଛି। ଏହି ଲୋକଗୀତର ବିବିଧତା ଓ ଗଭୀରତା ସଂଗ୍ରହରେ ପ୍ରତିଫଳିତ ହୋଇଛି ଯାହା ମାଧ୍ୟମରେ ମହିଳାମାନେ ଦୈନନ୍ଦିନ ଜୀବନ, ପୁରୁଷ ପ୍ରଧାନ ସାମାଜିକ ବ୍ୟବସ୍ଥା, ଜାତି, କବି-ସନ୍ଥ, ଐତିହାସିକ ଘଟଣାକ୍ରମ, ବାବାସାହେବ ଆମ୍ବେଦକର ଓ ଆହୁରି ଅନେକ ଲୋକଙ୍କ ବିଷୟରେ ଗାଇଛନ୍ତି।
ରଣ୍ ର ସଙ୍ଗୀତ : କଚ୍ଛୀ ଲୋକଗୀତର ସଂଗ୍ରହ ହେଉଛି ଏକ ମଲ୍ଟିମିଡିଆ ସଂଗ୍ରହ ବା ଆର୍କାଇଭ ଯେଉଁଥିରେ କଚ୍ଛ ଲୋକ ଗୀତର ଏକ ସମୃଦ୍ଧ ସଂଗ୍ରହ ପ୍ରସ୍ତୁତ କରାଯାଉଛି। ଏହି ପ୍ରକଳ୍ପ ଏବେ ଚାଲୁ ରହିଛି। ୩୪୧ଟି ଗୀତରେ ପ୍ରେମ, ଲାଳସା, କ୍ଷତି, ବିବାହ, ଭକ୍ତି, ମାତୃଭୂମି, ଲିଙ୍ଗଗତ ସଚେତନତା, ଗଣତାନ୍ତ୍ରିକ ଅଧିକାର ଆଦି ବିଷୟବସ୍ତୁ ପ୍ରତିଫଳିତ ହେବା ସହିତ ଛବି, ଭାଷା ଓ ସଙ୍ଗୀତ ଜରିଆରେ ଏହି କ୍ଷେତ୍ରର ପ୍ରଚୁର ବିବିଧତାକୁ ଦର୍ଶାଯାଇଛି। ଗୁଜରାଟର ୩୦୫ ଜଣ ତବଲା ବାଦକ, ଗାୟକ ଓ ବାଦ୍ୟଯନ୍ତ୍ର ବାଦକଙ୍କ ଏକ ଅନୌପଚାରିକ ଦଳ ବିଭିନ୍ନ ପ୍ରକାର ସଙ୍ଗୀତ ପରିବେଷଣ କରିବା ସହିତ ଲୁପ୍ତପ୍ରାୟ ସ୍ଥିତିରେ ଥିବା ଏକ ସମୃଦ୍ଧ ମୌଖିକ ପରମ୍ପରାକୁ ଜୀବନ୍ତ କରିଥାନ୍ତି। ମରୁଭୂମି ବିସ୍ତିର୍ଣ୍ଣ କ୍ଷେତ୍ରରେ ଏମାନଙ୍କର ସ୍ୱର ଧୀରେ ଧୀରେ ନିରବୀ ଯାଉଥିବାରୁ ଏମାନଙ୍କୁ ସଂରକ୍ଷିତ କରି ରଖିବା ବିଶେଷ ଗୁରୁତ୍ୱପୂର୍ଣ୍ଣ ହୋଇପଡ଼ିଛି।
ଆଦିବାସୀ ପିଲାଙ୍କ କଳାର ଏକ ସଂଗ୍ରହ
ଏହା ହେଉଛି ପ୍ରଥମ ବିଶେଷ ସଂଗ୍ରହ ଯାହା ଆଦିବାସୀ ପିଲାଙ୍କ କଳା ଜରିଆରେ ଦୁନିଆକୁ ଦେଖିବା ଲାଗି ଆପଣଙ୍କୁ ସକ୍ଷମ କରିଥାଏ। ଏଥିରେ ପରୀ ଆପଣଙ୍କ ପାଇଁ ଯୁବ ଆଦିବାସୀ ସ୍କୁଲ୍ ପିଲାମାନଙ୍କ ଚିତ୍ରର ପ୍ରଥମ ସଂଗ୍ରହ ନେଇ ଆସିଛି। ଓଡ଼ିଶାର ଯାଜପୁର ଓ କେନ୍ଦୁଝର ଜିଲ୍ଲାର ତୃତୀୟରୁ ନବମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ଦ୍ୱାରା ପ୍ରସ୍ତୁତ କାର୍ଯ୍ୟକୁ ଏଠାରେ ରେକର୍ଡ ଓ ଦସ୍ତାବିଜ ଭାବେ ସ୍ଥାନିତ କରାଯାଇଛି। ଆଦିବାସୀ ସଂସ୍କୃତି, ଗ୍ରାମୀଣ ଜୀବନ ଓ ସମୁଦାୟ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ଉପରେ ଶିକ୍ଷକମାନେ ବଡ଼ ପାଟିରେ ପଢ଼ିଥିବା ଆଠଟି ପରୀ କାହାଣୀର ପ୍ରତ୍ୟୁତ୍ତରରେ ପିଲାମାନେ ଏହି ଚିତ୍ର ପ୍ରସ୍ତୁତ କରିଛନ୍ତି।
ଓଡ଼ିଶାର ଏହି ପ୍ରଥମ ସଂଗ୍ରହରେ ୫୭ଟି ବିଦ୍ୟାଳୟର ୯୮ ଜଣ ଆଦିବାସୀ ସ୍କୁଲ୍ ପିଲାଙ୍କ ୧୧୧ଟି ଚିତ୍ରକୁ ଆମେ ସ୍ଥାନ ଦେଇଛୁ। ପିଲାମାନଙ୍କ ବୟସ ୯ରୁ ୧୫ ବର୍ଷ ମଧ୍ୟରେ ହୋଇଥିବା ବେଳେ ସେମାନେ ତୃତୀୟରୁ ନବମ ଶ୍ରେଣୀ ମଧ୍ୟରେ ପଢ଼ୁଛନ୍ତି। କୁନି ଚିତ୍ରକରଙ୍କ ମଧ୍ୟରେ ୩୦ ପୁଅଙ୍କ ତୁଳନାରେ ୬୮ ଜଣ ଝିଅ ଅଛନ୍ତି। ପ୍ରତ୍ୟେକ ଚିତ୍ର ସହିତ ୨୦-୩୦ ସେକେଣ୍ଡର ଭିଡିଓ ରହିଛି ଯେଉଁଥିରେ କୁନି ଚିତ୍ରକରମାନେ ନିଜର ପରିଚୟ ଦେବା ସହିତ ସେମାନଙ୍କ ଚିତ୍ର ବିଷୟରେ କହୁଛନ୍ତି। ଅଧିକାଂଶ ପିଲା ଓଡ଼ିଆରେ କହିଛନ୍ତି, କିନ୍ତୁ କିଛି ପିଲା ହୋ, ମୁଣ୍ଡା ଓ ବିରହୋର ଭଳି ଆଦିବାସୀ ଭାଷାରେ ସେମାନଙ୍କର ଭିଡିଓ ରେକର୍ଡ କରିଛନ୍ତି।
ଏମାନଙ୍କ ମଧ୍ୟରେ ବାଥୁଡ଼ି, ଭୂୟିୟା, ଭୂମିଜ, ଗନ୍ଦିଆ, ଗଣ୍ଡ, ହୋ, କୋହ୍ଲା, ମାଙ୍କିର୍ଡିଆ (ମାଙ୍କିଡ଼ିଆ ନାମରେ ପରିଚିତ - ବିରହୋନ ଜନଜାତିର ଏକ ଉପଭାଗ), ମୁଣ୍ଡା, ସମ୍ତି, ସାନ୍ତାଳ ଓ ସୌନ୍ତି ଭଳି ୧୨ଟି ଆଦିବାସୀ ସମୁଦାୟର ପିଲା ଅଛନ୍ତି। ଏମାନଙ୍କ ମଧ୍ୟରୁ କିଛି ଅତି ଆପଦଗ୍ରସ୍ତ ଜନଜାତି ସମୁଦାୟ ଭାବେ ବର୍ଗୀକୃତ ହୋଇଛନ୍ତି।
ମହିଳାଙ୍କ ସ୍ୱାସ୍ଥ୍ୟ ଉପରେ ପରୀ ଅଧ୍ୟାୟ
ଏହା ହେଉଛି ବର୍ତ୍ତମାନ ସୁଦ୍ଧା କରାଯାଇଥିବା ଦେଶର ପ୍ରଥମ ସାମ୍ବାଦିକତା ସର୍ବେକ୍ଷଣ ଯେଉଁଥିରେ ଭାରତୀୟ ମହିଳା-ବିଶେଷ କରି ଗ୍ରାମୀଣ ମହିଳାଙ୍କ ପ୍ରଜନନ ସ୍ୱାସ୍ଥ୍ୟ ଅଧିକାର ଉପରେ ଧ୍ୟାନ ଦିଆଯାଇଛି। ଆହୁରି ଏହା ଗ୍ରାମାଞ୍ଚଳର ମହିଳା ଓ କିଶୋରୀଙ୍କ ସ୍ୱର ଓ ଜୀବନ୍ତ ଅନୁଭବ ଦ୍ୱାରା ଅନୁପ୍ରାଣିତ।
ସାରା ଭାରତରୁ ପ୍ରସ୍ତୁତ ହୋଇଥିବା ଏହି ୫୦ଟି ପରୀ କାହାଣୀରେ, ବନ୍ଧ୍ୟାଦୋଷକୁ ନେଇ ରହିଥିବା ଅପବାଦ, ମହିଳାଙ୍କ ବଳପୂର୍ବକ ବନ୍ଧ୍ୟାକରଣ, ପରିବାର ନିୟୋଜନରେ ‘ପୁରୁଷଙ୍କ ସମ୍ପୃକ୍ତି’ ନରହିବା ଏବଂ ଅନେକଙ୍କ ପାଇଁ ଅପହଞ୍ଚ ରହିଥିବା ଗ୍ରାମାଞ୍ଚଳର ଅବହେଳିତ ସ୍ୱାସ୍ଥ୍ୟସେବା ଏବଂ ଅଯୋଗ୍ୟ ଚିକିତ୍ସକଙ୍କ ଉପରେ ଆଲୋକପାତ କରାଯାଇଛି। ଏହାଛଡ଼ା ବିପଜ୍ଜନକ ସନ୍ତାନ ପ୍ରସବ, ଋତୁସ୍ରାବକୁ ନେଇ ରହିଥିବା ବାଛବିଚାର, ପୁଅ ପାଇଁ ପ୍ରାଥମିକତା ଏବଂ ଆହୁରି ଅନେକ ବିଷୟ ଉପରେ ଆଧାରିତ କାହାଣୀ ମଧ୍ୟ ଏଠାରେ ରହିଛି। ଏହି କାହାଣୀଗୁଡ଼ିକ ବ୍ୟାପକ ସ୍ୱାସ୍ଥ୍ୟ ସଂକ୍ରାନ୍ତ ପକ୍ଷପାତ ଓ ପ୍ରଥା, ଜନ ସମୁଦାୟ, ଲିଙ୍ଗ ଓ ଅଧିକାର ଏବଂ ଗ୍ରାମୀଣ ମହିଳାମାନଙ୍କର ଦୈନନ୍ଦିନ ସଂଘର୍ଷ ଓ ଛୋଟ ଛୋଟ ବିଜୟ ଉପରେ ଆଧାରିତ।
ଦୃଶ୍ୟମାନ କାର୍ଯ୍ୟ, ଅଦୃଶ୍ୟ ମହିଳା
ଦୃଶ୍ୟମାନ କାର୍ଯ୍ୟ, ଅଦୃଶ୍ୟ ମହିଳା ହେଉଛି ପ୍ରଥମ ସମ୍ପୂର୍ଣ୍ଣ ଡିଜିଟାଲ ସଂଗ୍ରହ, ଷ୍ଟିଲ୍ ଫଟୋ ପ୍ରଦର୍ଶନୀ ଯାହାକି ଏକ ଭୌତିକ ପ୍ରଦର୍ଶନୀ (ଯେଉଁଥିରେ କିଛି ଅଧିକ ଲେଖା ଓ ବଡ଼ ବଡ଼ ଫଟୋ) ଭଳି ଅନୁଭୂତି ପ୍ରଦାନ କରିଥାଏ ଏବଂ ଅନଲାଇନରେ ଏହାକୁ ସୃଜନଶୀଳ ଭାବେ ଉପସ୍ଥାପିତ କରିଥାଏ। ପ୍ରତ୍ୟେକ ପ୍ୟାନେଲରେ ହାରାହାରୀ ୨-୩ ମିନିଟର ନିଜସ୍ୱ ଭିଡିଓ ରହିଛି। ଶୋ’କୁ ଶେଷ କରୁଥିବା ଅନ୍ତିମ ପ୍ୟାନେଲରେ ପ୍ରାୟ ୭ ମିନିଟର ଭିଡିଓ ରହିଛି।
ପରୀର ପ୍ରତିଷ୍ଠାତା ସମ୍ପାଦକ ପି. ସାଇନାଥ ପ୍ରାୟ ୧୦୦,୦୦୦ କିଲୋମିଟର ଯାତ୍ରା କରି ୧୦ଟି ଭାରତୀୟ ରାଜ୍ୟରୁ ୧୯୯୩ରୁ ୨୦୦୨ ମଧ୍ୟରେ ଏସବୁ ଫଟୋ ଉଠାଇଛନ୍ତି। ଏହା ସାଧାରଣତଃ ଆର୍ଥିକ ସଂସ୍କାରର ପ୍ରଥମ ଦଶନ୍ଧିରୁ ଆରମ୍ଭ ହୋଇଛି ଏବଂ ଜାତୀୟ ଗ୍ରାମୀଣ ଗ୍ୟାରେଣ୍ଟୀ ଯୋଜନା ଆରମ୍ଭ ହେବାର ଦୁଇ ବର୍ଷ ପୂର୍ବରୁ ସମାପ୍ତ ହୋଇଛି।
ପ୍ରଦର୍ଶନୀର ମୂଳ ଭୌତିକ ସଂସ୍କରଣ ବସଷ୍ଟାଣ୍ଡ ଓ ରେଳ ଷ୍ଟେସନ, କାରଖାନା ଫାଟକ, କୃଷି ଓ ଅନ୍ୟ ଶ୍ରମିକମାନଙ୍କର ଗଣଶୋଭାଯାତ୍ରା, ବିଦ୍ୟାଳୟ, ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟରେ ପ୍ରଦର୍ଶିତ ହୋଇଛି। ଏହି ସାଇଟ୍ ଜରିଆରେ ପ୍ରଥମ ଥର ପାଇଁ କାର୍ଯ୍ୟର ସମ୍ପୂର୍ଣ୍ଣ ସ୍ୱରୂପକୁ ଅନଲାଇନରେ ସ୍ଥାନିତ କରାଯାଇଛି।
ସ୍ୱାଧୀନତା ସଂଗ୍ରାମୀ ଗ୍ୟାଲେରୀ
ଆଉ କିଛି ବର୍ଷ ମଧ୍ୟରେ ଭାରତର ସ୍ୱାଧୀନତା ଓ ମୁକ୍ତି ସଂଗ୍ରାମରେ ସଂଘର୍ଷ କରିଥିବା କେହି ଜଣେ ହେଲେ ବ୍ୟକ୍ତି ଜୀବିତ ରହିବେ ନାହିଁ। ଦେଶକୁ ସ୍ୱାଧୀନତା ଦେବା ପାଇଁ ଲଢ଼େଇ କରିଥିବା ଲୋକଙ୍କୁ ଭେଟିବା, କଥା ହେବା, ସେମାନଙ୍କ କଥା ଶୁଣିବା କିମ୍ବା କୌଣସି ପ୍ରକାରରେ ସେମାନଙ୍କ ସହିତ ସମ୍ପର୍କ ସ୍ଥାପନ କରିବା ଲାଗି ଭବିଷ୍ୟତ ପିଢ଼ିର ଭାରତୀୟଙ୍କୁ ସୁଯୋଗ ମିଳିବ ନାହିଁ। ସେହି ପିଢ଼ି ଏବଂ ବାସ୍ତବରେ ଆମ ପିଢ଼ି ସହିତ ସ୍ୱର୍ଣ୍ଣିମ ପିଢ଼ିର ସମ୍ପର୍କ ସ୍ଥାପନ କରିବା ଲାଗି ସ୍ୱାଧୀନତା ସଂଗ୍ରାମୀ ଗ୍ୟାଲେରୀ ଏକ ପ୍ରୟାସ।
ଏଠାରେ ଆପଣ କେବଳ କିଛି ସ୍ୱାଧୀନତା ସଂଗ୍ରାମୀଙ୍କ ଫଟୋ ଦେଖିବାକୁ ପାଇବେ ନାହିଁ, ବରଂ ଭିଡିଓ ମାଧ୍ୟମରେ ସେମାନଙ୍କର କଥା ମଧ୍ୟ ଶୁଣିପାରିବେ ଯାହା ଆପଣଙ୍କୁ ଅନ୍ୟତ୍ର କେଉଁଠି ମିଳିବ ନାହିଁ। ଆପଣ ମଧ୍ୟ ସେମାନଙ୍କ ପରିବାର/ବଂଶଜ, ଘର ଓ ଗାଁ ବିଷୟରେ ଫଟୋ ଦେଖିପାରିବେ।
ଭାରତର ସ୍ୱାଧୀନତାକୁ ୭୫ ବର୍ଷ ପୂରଣ ହେବା ଉପଲକ୍ଷେ, ୧୫ ଅଗଷ୍ଟ ୨୦୨୨ରେ ଆରମ୍ଭ କରାଯାଇଥିବା ଏହି ଗ୍ୟାଲେରୀ ଭାରତୀୟ ସ୍ୱାଧୀନତା ସଂଗ୍ରାମର ଅପରିଚିତ ପଦାତିକ ବାହିନୀ ଫଟୋ ଓ ଭିଡିଓକୁ ସ୍ଥାନ ଦେଇଛି। ସେମାନଙ୍କର କିଛି କାହାଣୀ ପୂର୍ବରୁ ପରୀର ବିଭିନ୍ନ ଅଧ୍ୟାୟରେ ପ୍ରକାଶ ପାଇସାରିଛି। କିନ୍ତୁ ଆହୁରି କିଛି ଅଛି ଯାହା ପ୍ରକାଶ ପାଇନାହିଁ। ଏହି ସଂଗ୍ରହ ଆଗକୁ ମଧ୍ୟ ନିଜର ଆକାର ବୃଦ୍ଧି ଜାରି ରଖିବ ଏବଂ ଅଧିକରୁ ଅଧିକ ଫଟୋ ଓ ଭିଡିଓକୁ ନିଜ ଭିତରେ ସ୍ଥାନ ଦେବ। ଆମେ ଏହି ଗ୍ୟାଲେରୀରେ ଆହୁରି ଅଧିକ ସ୍ୱାଧୀନତା ସଂଗ୍ରାମୀଙ୍କ କାହାଣୀ ପ୍ରକାଶ କରିବୁ।
ଶ୍ରେଣୀଗୃହରେ ପରୀ
ପରୀ ଶିକ୍ଷା, ପରୀରେ ଥିବା ଅନ୍ୟାନ୍ୟ ବିଷୟ ପରି ସମସ୍ତଙ୍କ ପାଇଁ ସବୁ ସମୟରେ ସମ୍ପୂର୍ଣ୍ଣ ମାଗଣାରେ ଉପଲବ୍ଧ ରହିଛି। ଆଜିର ପାଠ୍ୟକ୍ରମ ଓ ଶ୍ରେଣୀଗୃହରେ, ଗ୍ରାମୀଣ ଭାରତର ଏକ ସ୍ପଷ୍ଟ ଅନୁପସ୍ଥିତି ଦେଖିବାକୁ ମିଳିଥାଏ। କେବଳ ଲୋକପ୍ରିୟ ରୁଢ଼ିରେ ଏହା ପ୍ରକଟିତ ହୋଇଥାଏ। ଛୋଟ ପିଲାଙ୍କ ଏକ ପିଢ଼ି ନିଜ ଦେଶରେ ବିଦେଶୀ ଭାବେ ବଡ଼ ହେଉଛନ୍ତି। ପରୀ ଏଜୁକେସନ ସହିତ ଆମେ ଏହାକୁ ବଦଳାଇବାକୁ ଚେଷ୍ଟା କରୁଛୁ। ଶ୍ରେଣୀଗୃହ, କର୍ମଶାଳା ଓ ଇଣ୍ଟର୍ଣ୍ଣସିପ୍ ମାଧ୍ୟମରେ ଆମେ ସେମାନଙ୍କୁ ଆମ ଭାରତର ଅନେକ ରୂପକୁ ଉଜାଗର କରିବା ଓ ସେଥିରେ ସମ୍ପୃକ୍ତ ହେବା ପାଇଁ ଅନୁପ୍ରାଣିତ କରୁଛୁ। ଖାଲି ସେତିକି ନୁହେଁ ସେମାନଙ୍କୁ କ୍ଷେତ୍ର ସ୍ତରରେ କାହାଣୀ ପ୍ରସ୍ତୁତ କରିବା ପାଇଁ ମଧ୍ୟ ସୁଯୋଗ ଦେଉଛୁ।
ଆପଣ ପରୀରେ ଏପରି ଅନେକ କାହାଣୀ ପାଇଯିବେ ଯାହାକୁ ସହରାଞ୍ଚଳ ଓ ଗ୍ରାମାଞ୍ଚଳର ସ୍କୁଲ, କଲେଜ ଓ ବିଶ୍ୱବିଦ୍ୟାଳୟ ଛାତ୍ରଛାତ୍ରୀ ପ୍ରସ୍ତୁତ କରିଛନ୍ତି। ଆହୁରି ସ୍କୁଲ୍ରେ ପଢ଼ୁନଥିବା କିନ୍ତୁ ନିଜ କ୍ଷେତ୍ର, ସଂସ୍କୃତି ଓ ଇତିହାସକୁ ନେଇ ଲେଖିବା ପାଇଁ ଆଗ୍ରହୀ ଥିବା ଯୁବବର୍ଗଙ୍କ କାହାଣୀକୁ ଆମେ ସ୍ଥାନ ଦେଇଛୁ। ପରୀ ଏଜୁକେସନ ସହିତ ପ୍ରାୟ ୧୫୦ ସ୍କୁଲ, କଲେଜ୍ ଓ ବିଶ୍ୱବିଦ୍ୟାଳୟ ଯୋଡ଼ି ହୋଇଛନ୍ତି ଏବଂ ଏହି ସଂଖ୍ୟା ଦ୍ରୁତ ଗତିରେ ବଢ଼ିଚାଲିଛି। ଆମକୁ ଆବଶ୍ୟକ ସମ୍ବଳ ଓ କର୍ମଚାରୀଙ୍କ ସହଯୋଗ ମିଳିଲେ ଏହି ସଂଖ୍ୟା ଆହୁରି ବଢ଼ି ପାରେ।
ପରୀକୁ ଆପଣଙ୍କ ଭାଗିଦାରୀ ଓ ସହାୟତା ଆବଶ୍ୟକ
ଗୋଟିଏ ପଟେ ଆମେ ନିରନ୍ତର ଭାବେ ଯୋଗଦାନକାରୀଙ୍କ ଏକ ସମୂହ ଗଢ଼ିବା ଓ ସମ୍ପ୍ରସାରିତ କରିବା ପାଇଁ ଚେଷ୍ଟା କରୁଛୁ, ଅନ୍ୟପଟେ ସମ୍ପାଦକୀୟ ଚୟନ ଓ ଗୁଣବତ୍ତା ନିୟନ୍ତ୍ରଣ ପାଇଁ ଚେଷ୍ଟା କରୁଛୁ। ନିଶ୍ଚିତ ଭାବେ ଏହି କାମ ପାଇଁ ବିଶ୍ୱସନୀୟ ରେକର୍ଡ ଥିବା ଅଭିଜ୍ଞ ଯୋଗଦାନକାରୀଙ୍କ ବ୍ୟବହାର କରାଯିବା ଗୁରୁତ୍ୱପୂର୍ଣ୍ଣ। ଏମାନଙ୍କ ମଧ୍ୟରୁ ଅଧିକାଂଶ ସାମ୍ବାଦିକ, ଲେଖକ ଓ ଗ୍ରନ୍ଥକାର ଅଛନ୍ତି। କିନ୍ତୁ କେବଳ ଏମାନଙ୍କ ମଧ୍ୟରେ ପ୍ରୟାସ ସୀମିତ ନୁହେଁ। ଯଦି ବିଷୟବସ୍ତୁ ଏହି ସଂଗ୍ରହର ଲକ୍ଷ୍ୟ ସାଧନ କରୁଥାଏ ତା’ହେଲେ ଯେକେହି ଆଗ୍ରହୀ ବ୍ୟକ୍ତି ଆମ ପାଇଁ ଲେଖିପାରିବେ, ଭଲ ମାନର ଭିଡିଓ ଥିବା ସେଲ୍ ଫୋନରୁ ଭିଡିଓ ସୁଟିଂ କରିପାରିବେ। ଆପଣ ଜଣେ ପେସାଦାର ସାମ୍ବାଦିକ ହେବା ଦରକାର ନାହିଁ।
.ମନେ ରଖନ୍ତୁ, ଗ୍ରାମୀଣ ଭାରତୀୟଙ୍କ ବ୍ୟାପକ ଯୋଗଦାନ କାରଣରୁ ପରୀର ଅଧିକାଂଶ କାହାଣୀ ପ୍ରକାଶିତ ହୋଇଥାଏ, ସେମାନଙ୍କ କାହାଣୀକୁ ରେକର୍ଡ କରିବାରେ ସହାୟତା କରୁଥିବା ପେସାଦାର ସାମ୍ବାଦିକଙ୍କର ଏଥିରେ ନଗଣ୍ୟ ଯୋଗଦାନ ରହିଥାଏ। ସେହି ଗ୍ରାମୀଣ ଭାରତୀୟମାନଙ୍କ ମଧ୍ୟରୁ କିଛି ସେମାନଙ୍କର ନିଜ କାହାଣୀକୁ ଶୁଟିଂ କରିବେ। ଗ୍ରାମାଞ୍ଚଳର ହୋଇଥିଲେ ସେମାନଙ୍କର କାହାଣୀର ରିପୋର୍ଟ ପ୍ରକାଶ ପାଇବ।
ପରୀ ଜନସାଧାରଣଙ୍କ ପାଇଁ ଉଦ୍ଦିଷ୍ଟ ଏକ ମାଗଣା ୱେବସାଇଟ୍। ଏହି ସାଇଟ କାଉଣ୍ଟର ମିଡ଼ିଆ ଟ୍ରଷ୍ଟ ଦ୍ୱାରା ଚାଲିଛି। ଏକ ଅନୌପଚାରିକ ନେଟୱାର୍କ ସହାୟତା ପ୍ରଦାନ କରିଥାଏ ଏବଂ ଟ୍ରଷ୍ଟକୁ ପାଣ୍ଠି ପ୍ରଦାନ କରିଥାଏ ଏବଂ ଏହାର ପ୍ରାଥମିକ କାର୍ଯ୍ୟକଳାପଗୁଡ଼ିକ ସ୍ୱେଚ୍ଛାସେବୀଙ୍କର କାର୍ଯ୍ୟ, ଅନୁଦାନ ଏବଂ ପ୍ରତ୍ୟକ୍ଷ ଭାବରେ ବ୍ୟକ୍ତିଗତ ଅନୁଦାନ ଦ୍ୱାରା ଚାଲିଥାଏ। ରିପୋର୍ଟର, ବୃତ୍ତିଧାରୀ ଚଳଚ୍ଚିତ୍ର ନିର୍ମାତା, ଫିଲ୍ମ ଏଡିଟର, ଫଟୋଗ୍ରାଫର, ପ୍ରାମାଣିକ ଚଳଚ୍ଚିତ୍ର ପ୍ରସ୍ତୁତକାରୀ ଏବଂ ସାମ୍ବାଦିକ (ଟେଲିଭିଜନ, ଅନଲାଇନ୍ ଏବଂ ମୁଦ୍ରଣ)ଙ୍କର ଏହି ସ୍ୱେଚ୍ଛାସେବୀ ନେଟୱର୍କ ହେଉଛି ପରୀର ସବୁଠାରୁ ବଡ ସମ୍ପତ୍ତି। ଏହାଛଡ଼ା ଶିକ୍ଷାବିତ, ଶିକ୍ଷକ, ଗବେଷକ, ଅନ୍ୟ କ୍ଷେତ୍ରର ବିଶେଷଜ୍ଞ ଓ ବୃତ୍ତିଧାରୀମାନେ ମଧ୍ୟ ପରୀ ସାଇଟର ପରିକଳ୍ପନା ଓ ପ୍ରତିଷ୍ଠାରେ ସେମାନଙ୍କର ଦକ୍ଷତା ଉପଯୋଗ କରିଛନ୍ତି।
.ସ୍ୱେଚ୍ଛାସେବୀମାନେ କରୁଥିବା କାର୍ଯ୍ୟ ବ୍ୟତୀତ ବିଷୟବସ୍ତୁ ସୃଷ୍ଟି କରିବା ପାଇଁ ପରୀ ଅର୍ଥ ଆବଶ୍ୟକ କରିଥାଏ ଏବଂ ଆମେ ପାଣ୍ଠି ଉତ୍ପନ୍ନ କରିବା ପାଇଁ କ୍ରାଉଡ୍ ଫଣ୍ଡିଂ ଉପରେ ଲକ୍ଷ୍ୟ ରଖିଛୁ। ପରୀ ସିଧାସଳଖ ସରକାରୀ ଅନୁଦାନ କିମ୍ବା କର୍ପୋରେଟ୍ ପାଣ୍ଠି ଗ୍ରହଣ କରିନଥାଏ। କିମ୍ବା ଆମେ କୌଣସି ବିଜ୍ଞାପନ ମଧ୍ୟ ପ୍ରକାଶ କରିନଥାଉ କାରଣ ଆମର ବିଚାରରେ ପୂର୍ବରୁ ବିଜ୍ଞାପନରେ ଯୁବବର୍ଗଙ୍କୁ ମୁଖ୍ୟ ଟାର୍ଗେଟ୍ ଭାବେ ନିଆଯାଇସାରିଛି।
ଯଦିଓ ‘‘ଆପଣଙ୍କ ଦେଶ ବିଷୟରେ ଜାଣନ୍ତୁ’’ ଶୀର୍ଷକରେ ଅନୁଦାନ ପାଇଁ ଆମେ ଆହ୍ୱାନ କରିଥାଉ, ଭାରତର ଗ୍ରାମାଞ୍ଚଳ କେବେ ବି ସମ୍ପୂର୍ଣ୍ଣ ଭାବେ କଭର କରାଯାଇପାରିବ ନାହିଁ ଏବଂ ଏହି ସାଇଟ୍ରେ ଥିବା ବିଷୟବସ୍ତୁ ବହୁ ବିଶାଳ ବାସ୍ତବତାର ଅଂଶକୁ ନେଇ ଗଠିତ। କେବଳ ଜନସାଧାରଣଙ୍କ ଯଥାସମ୍ଭବ ଅଂଶଗ୍ରହଣ ଜରିଆରେ ଆମେ ସେସବୁ ଅନେକ ଦୁନିଆରେ ନିଜର ଉପସ୍ଥିତିକୁ ବିସ୍ତାରିତ କରିପାରିବୁ। ଦୟାକରି ପରୀକୁ ଉଦାରତାପୂର୍ବକ ଦାନ କରନ୍ତୁ।


