ଅନୁର୍ବର ମାଳଭୂମି ଉପରେ ଥିବା ଏକ ଦରଘା ମାଲଗାଓଁ ନିବାସୀଙ୍କର ଭଲ ସେବା କରିଛି । ମହାରାଷ୍ଟ୍ର ସତାରା ଜିଲ୍ଲାରେ ଥିବା ଏହି ପୀଠ ଶହ ଶହ ବର୍ଷ ଧରି ଏଠାରେ ରହି ସବୁବେଳେ ଏକ ଶରଣସ୍ଥଳୀ ଭାବେ କାମରେ ଲାଗିଛି।
ସ୍କୁଲ୍ ପିଲାମାନେ ଦରଘା ସାମ୍ନାରେ ନଇଁ ପଡ଼ିଥିବା ଗଛ ତଳେ ବସି ନିଜର ହୋମ୍ୱାର୍କ କରିଥାନ୍ତି। ଯୁବକ ଓ ଯୁବତୀମାନେ ପ୍ରବେଶ ଦ୍ୱାର ପାଖରେ ବସି ପ୍ରତିଯୋଗିତାମୂଳକ ପ୍ରଶାସନିକ ସେବା ପରୀକ୍ଷା ପାଇଁ ପ୍ରସ୍ତୁତି କରିଥା’ନ୍ତି - ଅସହ୍ୟ ଗ୍ରୀଷ୍ମପ୍ରବାହ ସମୟରେ ଏହି ଗୋଟିଏ ସ୍ଥାନରେ ଥଣ୍ଡା ପବନ ବୋହିଥାଏ; ପୁଲିସ ଚାକିରି ଅଶାୟୀମାନେ ଆଖପାଖରେ ଥିବା ଖୋଲା ସ୍ଥାନରେ କଠୋର ଫିଟନେସ୍ ପ୍ରଶିକ୍ଷଣ ଅଭ୍ୟାସ କରିଥା’ନ୍ତି।
ଗାଁରେ ୧୫ ଏକରରୁ ଅଧିକ ଜମିର ମାଲିକ ହୋଇଥିବା ଚାଷୀ ବିନାୟକ ଯାଧବ (୭୬) କୁହନ୍ତି, ‘‘ମୋ ଜେଜେବାପାଙ୍କ ପାଖରେ ମଧ୍ୟ ଏହାକୁ ନେଇ ଏକ କାହାଣୀ ରହିଥିଲା। ତେଣୁ ଏହା କେତେ ପୁରୁଣା ଆପଣ ଅନୁମାନ କରିପାରୁଥିବେ। ହିନ୍ଦୁ ଓ ମୁସଲିମମାନେ ମିଳିତ ଭାବେ ଏହାକୁ ପରିଚାଳନା କରି ଆସୁଛନ୍ତି। ଏହା ଶାନ୍ତିପୂର୍ଣ୍ଣ ସହାବସ୍ଥାନର ପ୍ରତୀକ ହୋଇ ରହିଆସିଛି।
କିନ୍ତୁ ସେପ୍ଟେମ୍ବର ୨୦୨୩ରେ ସବୁକିଛି ବଦଳିଯାଇଥିଲା। ସମସ୍ତଙ୍କ ପ୍ରିୟ ମାଲଗାଓଁର ଏହି ପୀଠକୁ ଏକ ନୂଆ ପରିଚୟ ମିଳିଲା- ଏହାକୁ ଜବରଦଖଲ କରି ନିର୍ମାଣ କରାଯାଇଛି ବୋଲି ଯୁବକମାନଙ୍କର ଏକ ଛୋଟ କିନ୍ତୁ ପ୍ରଭାବଶାଳୀ ଦଳ ଜୋରଦାର୍ ଦାବି କଲା। ହିନ୍ଦୁତ୍ୱବାଦୀ ଗୋଷ୍ଠୀଗୁଡ଼ିକର ଏକ ମେଣ୍ଟ ସେମାନଙ୍କୁ ଉସୁକାଇଥିଲା।
ମାଲଗାଓଁର ବାସିନ୍ଦା ହୋଇଥିବା ୨୦ରୁ ୨୫ ବର୍ଷ ବୟସ୍କ ଯୁବକଙ୍କର ଏହି ଦଳ ଜିଲ୍ଲା ପ୍ରଶାସନକୁ ପତ୍ର ଲେଖି ‘‘ବେଆଇନ ଜବରଦଖଲ’’କୁ ଉଚ୍ଛେଦ କରିବା ଲାଗି ଦାବି କରିଥିଲା। ସେମାନଙ୍କ ମଧ୍ୟରୁ କେତେଜଣ ଏହା ପାଖରେ ଥିବା ପାଣି ଟାଙ୍କିକୁ ଭାଙ୍ଗି ଦେଇଥିଲେ। ‘‘ମୁସଲିମ ସମ୍ପ୍ରଦାୟ ଏହାର ଆଖପାଖରେ ଥିବା ଜମିକୁ ହଡ଼ପ କରିବା ଲାଗି ଚାହୁଁଥିଲେ,’’ ସେମାନଙ୍କ ପତ୍ରରେ ଦର୍ଶାଯାଇଥିଲା। ‘‘ଧାର୍ମିକ ସ୍ଥଳୀ ଗ୍ରାମ ପଞ୍ଚାୟତର ଅନୁମତି ବିନା ନିର୍ମାଣ କରାଯାଇଥିଲା।’’













