ମାଙ୍କଡ଼ଟିଏ ଚମ୍ପା ବତୀଙ୍କ ଶିଶୁକୁ ପ୍ରାୟତଃ ଝାମ୍ପି ନେଇଯାଇଥିଲା । ସେ ତାଙ୍କ ଗାଁ ରାଜପୁର ନିକଟ ଜଙ୍ଗଲକୁ ଯାଇଥିବା ବେଳେ ଏହି ଘଟଣା ଘଟିଥିଲା । ଏହି ଅଳ୍ପବୟସ୍କା ମାଆ ଜଣକ ପିଠିରେ ଶିଶୁଟିକୁ ଲୁଗାପଟିରେ ବାନ୍ଧି ଆସନ୍ତା ସାପ୍ତାହିକ ହାଟ (ବଜାର)ରେ ବିକ୍ରି ପାଇଁ ଜଙ୍ଗଲରୁ ମହୁଆ ଓ ଶାଳ ମଞ୍ଜି ଗୋଟାଇବାକୁ ଯାଇଥିଲେ ।
“କାମ କରୁଥିବା ବେଳେ କ୍ଷଣକ ପାଇଁ ମୁଁ ତାକୁ ତଳେ ଛାଡ଼ି ଦେଇଥିଲି,” ସେଦିନର କଥା ମନେ ପକାଇ ସେ କହନ୍ତି, “ଏବଂ ଦେଖିଲା ବେଳକୁ ଗୋଟିଏ ମାଙ୍କଡ଼ ମୋ ପୁଅକୁ ଝାମ୍ପି ନେବାକୁ ଚେଷ୍ଟା କରୁଛି ।” ଏହି ଘଟଣା ପରେ, ଯେତେବେଳେ ବି ସେ ଜଙ୍ଗଲକୁ ଯାଆନ୍ତି, ତାଙ୍କ ପୁଅର ସୁରକ୍ଷା ଲାଗି ଘୋର ଚିନ୍ତାରେ ରହିଥାଆନ୍ତି ।
ହେଲେ ଏଣିକି ଆଉ ସେ ତାଙ୍କ ଛୁଆକୁ ସାଙ୍ଗରେ ନେଇ ଜଙ୍ଗଲକୁ ଯିବା ଦରକାର ହେଉନାହିଁ । ଚମ୍ପାଙ୍କ ଭଳି ଛତିଶଗଡ଼ର ଗ୍ରାମାଞ୍ଚଳରେ ରହୁଥିବା ଅନେକ ମାଆ ଜୀବିକା ଅର୍ଜନ ଲାଗି ଦିନବେଳା କାମକୁ ଯିବା ସମୟରେ ନିଜ ନିଜର ଶିଶୁ ବା ଅଳ୍ପ ବୟସର ପିଲାମାନଙ୍କୁ ପାଖ ଶିଶୁଗୃହ ବା ଲାଇକା ଘର (ଶିଶୁ ପ୍ରଯତ୍ନ କେନ୍ଦ୍ର) ଜିମାରେ ଛାଡ଼ି ଦେଇପାରିବେ । ଏହି କେନ୍ଦ୍ରରେ ସାତ ମାସରୁ ତିନି ବର୍ଷ ବୟସ ପର୍ଯ୍ୟନ୍ତ ଶିଶୁମାନଙ୍କର ଦେଖାରଖା କରାଯାଏ ।


















