ନାମଦେବ ଭାଙ୍ଗଡ଼େ ମନରେ ଅନିଶ୍ଚିତତା ଓ ତିକ୍ତତା ସହିତ ଜାନୁଆରୀ ୨୫ ତାରିଖ ଦିନ ଏହି ବିକ୍ଷୋଭ ପଦଯାତ୍ରା ଆରମ୍ଭ କରିଥିଲେ । ତିନି ଦିନ ପରେ, ମନରେ ଆଶା ନେଇ ସେ ଘରକୁ ଫେରିଛନ୍ତି - ତାଙ୍କ ସହିତ ମୁଖ୍ୟତଃ ନାସିକ ଏବଂ ଅହିଲ୍ୟାନଗରର (ପୂର୍ବବର୍ତ୍ତୀ ଅହମଦନଗର) ବାସିନ୍ଦା ହୋଇଥିବା ହଜାର ହଜାର ଅନ୍ୟ ଆଦିବାସୀ ଚାଷୀ ମଧ୍ୟ ଫେରିଛନ୍ତି ।
ଭାଙ୍ଗଡ଼େ ହେଉଛନ୍ତି ଅହିଲ୍ୟାନଗର ଜିଲ୍ଲାର ଖାଡ଼କି ବୁଦ୍ରୁକ ଗ୍ରାମର ମହାଦେବ କୋଲି ଆଦିବାସୀ ସମ୍ପ୍ରଦାୟର, ତାଙ୍କ ପରିବାର ପୁରୁଷ ପୁରୁଷ ଧରି ଆକୋଲେ ତାଲୁକାରେ ଛଅ ଏକର ଜମିରେ ଚାଷ କରି ଆସୁଛନ୍ତି । କିନ୍ତୁ, ମହାରାଷ୍ଟ୍ରର ହଜାର ହଜାର ଆଦିବାସୀଙ୍କ ପରି ସେ ଚାଷ କରୁଥିବା ଜମିର ମାଲିକାନା ତାଙ୍କ ନାମରେ ନାହିଁ ।
‘‘ମୋର ଜେଜେବାପାଙ୍କ ସମୟରୁ, ଆମ୍ଭେମାନେ ଏହି ଜମିରେ ଧାନ ଓ ମାଣ୍ଡିଆ ଚାଷ କରି ଆସୁଛୁ,’’ ସେ କହନ୍ତି । ‘‘କିନ୍ତୁ ଆମେ କେବେ ବି ନିଜକୁ ସୁରକ୍ଷିତ ମଣୁନାହୁଁ । ଯେକୌଣସି ସମୟରେ ଆମକୁ ଏହା ଖାଲି କରିବାକୁ କୁହାଯାଇପାରେ’’ ।
ଏହି ତୀବ୍ର ଅସୁରକ୍ଷା ଦୂର କରିବା ପାଇଁ ୨୦୦୬ ମସିହାରେ ଭାରତ ସରକାର ଉଲ୍ଲେଖନୀୟ ଜଙ୍ଗଲ ଅଧିକାର ଆଇନ (ଏଫଆରଏ) ଆଗତ କରିଥିଲେ ।ବର୍ଷ ବର୍ଷର ସଂଘର୍ଷ ପରେ, ଏହି ଆଇନ ଏକ ନିୟମ ପାଲଟିଲା । ଏହା ଜଙ୍ଗଲ ଜମି ଓ ସମ୍ବଳର ଅଧିକାର ଅନୁସୂଚିତ ଜନଜାତି ଏବଂ ଅନ୍ୟ ପାରମ୍ପରିକ ବନବାସୀଙ୍କୁ ନ୍ୟସ୍ତ କରିଥାଏ ଯେଉଁମାନେ କି ଏହି ଅଞ୍ଚଳରେ ପୁରୁଷ ପୁରୁଷ ଧରି ବାସ କରି ଆସୁଛନ୍ତି । ଗ୍ରାମ ସଭାଗୁଡ଼ିକ ଦାବି ଉତ୍ପନ୍ନ କରିଥାନ୍ତି, ସବଡିଭିଜନାଲ୍ ଏବଂ ଜିଲ୍ଲାସ୍ତରୀୟ କମିଟିଗୁଡ଼ିକରେ ଏହା ଯାଞ୍ଚ କରାଯାଇଥାଏ, ବାସିନ୍ଦାମାନଙ୍କର ଅଧିକାର ବନ୍ଦୋବସ୍ତ ନ ହେବା ପର୍ଯ୍ୟନ୍ତ ସେମାନଙ୍କୁ ବିତାଡ଼ିତ କରିବାରୁ ସୁରକ୍ଷା ଦେଇଥାଏ ।
ଅବଶ୍ୟ, ଏହି ଆଇନ ଲାଗୁ କରିବା ପ୍ରକୃତ କ୍ଷେତ୍ରରେ ଏକ ସନ୍ଦେହ ହୋଇ ରହିଛି ।






