ତଥାପି, ତାଙ୍କ ମୁହଁରେ ଚିନ୍ତାର ଲେଶମାତ୍ର ଚିହ୍ନ ଦେଖା ଯାଉନଥିଲା, ଗୋଟିଏ ହାତରେ ସେ ସୁନେଲି-ମାଟିଆ ରଙ୍ଗର ଚେପଟା ଘାସ ଧରିଥିଲେ, ଯାହା ପାଖାପାଖି ଏକ ଇଞ୍ଚ ଚଉଡା ଏବଂ ଅନ୍ୟ ହାତରେ ଗୋଟିଏ ଦାଆ ଧରିଥିଲେ ଯାହା ଦ୍ଵାରା ସେ ଏହାକୁ ଦୁଇ କିମ୍ଵା ତିନିଟି ପତଳା ପଟି କରି ଚିରୁଥିଲେ । ବୁଲଡୋଜର ଦ୍ଵାରା ବାରମ୍ଵାର ସେମାନଙ୍କର କୁଡ଼ିଆ ଭାଙ୍ଗିବା, ତାଙ୍କ ପାଇଁ କିମ୍ଵା ଯମୁନା କ୍ଷେତ୍ରରେ ବସବାସ କରୁଥିବା ଅନ୍ୟମାନଙ୍କ ପାଇଁ ଆଉ ଭୟର କାରଣ ହୋଇ ରହିନଥିଲା । ଦିଲ୍ଲୀରେ ସରକାର ଛଅଟି ଜୈବ-ବିବିଧତା ପାର୍କ ନିର୍ମାଣ କରିବାକୁ ଥିବା ବେଳେ ତା ମଧ୍ୟରୁ ଗୋଟିଏ ଏଠାରେ ନିର୍ମାଣ କରିବା ପାଇଁ ଯୋଜନା ରଖିଛନ୍ତି । ରୀତାଙ୍କ କହିବା ହେଉଛି,” ୟେ ଜମିନ ସରକାରୀ ହୈ ଇସଲିଏ ତୋ ଝୁଗି-ଭୁଗି ତୋଡ ଦେତା ହୈ । ପଟେ ପର ଜମିନ ଯୋ ୱହି ଲୋଗ ସାଲ ଭର କେ ଲିଏ ଲେତେ ହୈ ଯୋ କ୍ଷେତି କରତେ ହୈ । [ଏହି ଜାଗା ସରକାରଙ୍କର ଅଟେ, ତେଣୁ ସେମାନେ ଆମର କୁଡ଼ିଆ ଭାଙ୍ଗି ଦେଉଛନ୍ତି । ଯେଉଁମାନେ ଚାଷ କରୁଛନ୍ତି ସେମାନେ ବର୍ଷକ ପାଇଁ ଏହି ଜମି ଲିଜ୍ ସୂତ୍ରରେ ନେଇଥାନ୍ତି ।] ”
“ଆମେ ଯେତେବେଳେ ଅକ୍ଷରଧାମ ନିକଟରେ ରହୁଥିଲୁ, ସେତେବେଳେ ମଧ୍ୟ ଏପରି ହେଉଥିଲା,” ବୋଲି ରୀତା କହିଥିଲେ । “କେହି ଜଣେ ମାଛ କାଟୁଥିବା ବେଳେ ଗୋଟିଏ କୁଆ ତାର କିଛି ଅବଶିଷ୍ଟ ନେଇ ମନ୍ଦିର ଭିତରେ ପକାଇଥିଲା । ତେଣୁ ସେମାନେ ସମଗ୍ର ବସତି ଉଚ୍ଛେଦ କରି ଦେଇଥିଲେ । ଏହା ୨୦୧୫ ମସିହାର ଘଟଣା ଅଟେ । ତା’ପରେ ଆମେ ନିକଟସ୍ଥ ଚିଲ୍ଲା ଖାଦର ଆସିଥିଲୁ । ଏଠାରେ ମଧ୍ୟ ସେହି ସମାନ ଘଟଣା ୪-୫ଥର ଘଟି ସାରିଲାଣି । କିନ୍ତୁ ଆମେ ଏଠାରେ ରହୁଛୁ’’ । ତାଙ୍କ ପରିବାର ମାସିକ ୫୦୦ ଟଙ୍କା ଭଡ଼ାସୂତ୍ରରେ ୮X୧୦ ଫୁଟର ଜମିରେ ଏହି କୋଠରି ନିର୍ମାଣ କରିଛି ।
“ଆମେ ଜଣେ ଗୁଜର ବ୍ୟକ୍ତିଙ୍କୁ ଭଡ଼ା ଦେଉଛୁ । ତାଙ୍କ ନାମ ହେଉଛି ରାଜବୀର । ସେ ଚିଲ୍ଲାରେ ବସବାସ କରନ୍ତି । ଏହି ଜମି ତାଙ୍କ ଜେଜେବାପା ସରକାରଙ୍କୁ ବିକ୍ରି କରିସାରିଛନ୍ତି । ସେମାନେ ଏଥିପାଇଁ କ୍ଷତିପୂରଣ ମଧ୍ୟ ପାଇସାରିଛନ୍ତି । ତା’ପରେ ବି ଏହି ଜମି ଉପରେ ସେମାନଙ୍କର ମାଲିକାନା ଜାହିର କରୁଛନ୍ତି । ସେ ଆମଭଳି ଗରିବଗୁରୁବାଙ୍କୁ ମାଡ଼ ମାରି ଏବଂ ଧମକଚମକ ଦେଇ ଟଙ୍କା ଆଦାୟ କରୁଛନ୍ତି,” ବୋଲି ରୀତା କହିଥିଲେ । “ତୁହ୍ମାରା କ୍ଷେତ, ତୁହ୍ମାରି ଜମିନ, ତୁ ଜାନ । ହମାରା ତୋ ରହନେ ସେ ମତଲବ ହୈ” [ତୁମର କ୍ଷେତ, ତୁମର ଜମି, ତମେ ଭଲଭାବେ ଜାଣିଛ, ଆମର ସେଥିରେ କ’ଣ ଯାଇଛି? ଆମେ କେବଳ ରହିବା ପାଇଁ ଜାଗା ଟିକିଏ ଚାହୁଁଛୁ ।] ଆମେ କେବେ ବି ପକ୍କାଘର ନିର୍ମାଣ କରିନଥାଉ । ଥରକୁ ଥର ସେମାନେ ଭାଙ୍ଗୁଥିବା ବେଳେ କିଏ କାହିଁକି ନୂଆ ଘର ତିଆରି କରିବ?” ଏତିକି କହି ସେ କାଟିଥିବା ଘାସ ପଟିର ବିଡ଼ା ବାନ୍ଧିବା ପାଇଁ ଚେଷ୍ଟା କରୁଥିଲେ ।
ନିକଟରେ ହୋଇଥିବା ଉଚ୍ଛେଦ ପ୍ରକ୍ରିୟା ପରେ ରୀତାଙ୍କ ପରିବାର ଯାହା ଯେମିତି ଦୁଇପାଖରେ କାନ୍ଥ ଉପରେ ଜରିପାଲ ଛାତ ପୁଣି ପକାଇଛନ୍ତି । ବସତିରେ ରହୁଥିବା ଅଧିକାଂଶ ଲୋକ ଉତ୍ତରପ୍ରଦେଶ ଏବଂ ବିହାରରୁ ଆସିଥିବା ପ୍ରବାସୀ ଦିନମଜୁରିଆ ଅଟନ୍ତି । ରୀତା ନିଜେ ବିହାର ସୁପୌଲ ଜିଲ୍ଲାର ନିବାସୀ । ସେ ୧୯୯୩ ମସିହାରୁ ଦିଲ୍ଲୀରେ ରହିଆସୁଛନ୍ତି ଯେତେବେଳେ ତାଙ୍କ ପିତା-ମାତା ବାସପିଟି ଗ୍ରାମରୁ ଦିଲ୍ଲୀ ଜୀବିକା ସନ୍ଧାନରେ ଆସିଥିଲେ । ୨୦୧୧ ଜନଗଣନା ଅନୁସାରେ ପାଖାପାଖି ୯୩ ଲକ୍ଷ ଲୋକ ସେହି ସମାନ କାରଣ ପାଇଁ ଅନ୍ୟାନ୍ୟ ରାଜ୍ୟକୁ ଯାଇଛନ୍ତି । ରୀତା ମଲାହ, କୈବର୍ତ୍ତ ସମ୍ପ୍ରଦାୟର ହୋଇଥିବା ବେଳେ ଏହା ନିଶାଦ ଏବଂ ଧୀମର ଭାବେ ଜଣାଶୁଣା । ବର୍ତ୍ତମାନ ଏହି ସମ୍ପ୍ରଦାୟ ବିହାରରେ ଅନୁସୂଚିତ ଜାତି ବର୍ଗ ସୂଚୀରେ ସ୍ଥାନ ପାଇଛି ।




















