“ଯଦି ଆମ ଗୋଷ୍ଠୀର କେହି ବି ବାଉଁଶରୁ ଗୋଟିଏ ପରାରା [ଜିନିଷ ଶୁଖାଇବା ପାଇଁ ପଟି] ତିଆରି କରିବାକୁ ଚାହାନ୍ତି, କିମ୍ବା ସୁପାଟିଏ [ପାଛୁଡ଼ିବା ଡାଲା, କିମ୍ବା କୁଲା], ତେବେ ସେମାନଙ୍କୁ ଅନ୍ୟ ଗୋଷ୍ଠୀକୁ ଜୋରିମାନା ଭାବେ ଶସ୍ୟ କିମ୍ବା ଟଙ୍କା ଦେବାକୁ ପଡ଼େ” । ବଇଗା ଆଦିବାସୀ ଗୋଷ୍ଠୀ ଅନ୍ତର୍ଗତ ବିଞ୍ଝୱାର, ନହର, ନାରୋଟିଆ, ଭାରୋତିୟା, ରାଇ ମାଇନା ଓ କାଠ ମାଇନା ଉପ-ଗୋଷ୍ଠୀଗୁଡ଼ିକ ଜୀବିକା ଅର୍ଜ୍ଜନର ଯେଉଁ ନିୟମଗୁଡ଼ିକୁ ମାନନ୍ତି ମଙ୍ଗଳି ବାଈ ସେ ସମ୍ପର୍କରେ ବୁଝାଇ କହୁଛନ୍ତି । ମଧ୍ୟ ପ୍ରଦେଶର ବଇଗା ଗୋଷ୍ଠୀ ବିଶେଷ ଭାବେ ଦୁର୍ବଳ ଆଦିବାସୀ ଗୋଷ୍ଠୀ (ପିଭିଟିଜିଏସ) ରୂପେ ପରିଗଣିତ ହୁଅନ୍ତି । “ପ୍ରତ୍ୟେକ ଉପ-ଗୋଷ୍ଠୀ ବାଉଁଶରୁ ଅଲଗା ଅଲଗା ପ୍ରକାରର ଜିନିଷ ପ୍ରସ୍ତୁତ କରନ୍ତି” ।
ସେ ନିଜେ ବାଲାଘାଟ ଜିଲ୍ଲାସ୍ଥିତ ନଟ ଗାଁରେ ଥିବା ୧୦ରୁ ୧୨ଟି ବିଞ୍ଝୱାର ବଇଗା ଆଦିବାସୀ ପରିବାର ରହୁଥିବା ପଣ୍ଡା ଟୋଲାରେ ରହନ୍ତି । ସେଦିନ ଥିଲା ଶୁକ୍ରବାର ସକାଳ ଓ ମଙ୍ଗଳି ବାଈ ତାଙ୍କ ଗୋଷ୍ଠୀର ଅନ୍ୟମାନଙ୍କ ସହ ମିଶି ପାଖ ଗାଁ ମାଲଧରରୁ ବାଉଁଶ ଆଣିବାକୁ ଯାଉଥିଲେ । ମୋ ପହଞ୍ଚିବାକୁ ଅପେକ୍ଷା କରି ସେତେବେଳେ ସେମାନଙ୍କର ନିୟମିତ ସମୟ ପାହାନ୍ତା ୪ଟାରୁ ଟିକିଏ ଗଡ଼ି ଯାଇଥିଲା, କିନ୍ତୁ ସୂର୍ଯ୍ୟ ଉଦୟ ହେଇ ନଥିଲା ।
ରାସ୍ତାରେ ସେମାନେ ତାଙ୍କ ଖାଇବା ଡବାଗୁଡ଼ିକ ନଦୀର ଶୁଖିଲା ଭାଗର ଗୋଟିଏ ସ୍ଥାନରେ ଲୁଚାଇ ରଖି ଦିଅନ୍ତି ଓ ପ୍ରତ୍ୟେକ କେବଳ ପାଣି ବୋତଲଟିଏ ଓ କୁରାଢ଼ି ଧରି ଆଗକୁ ଚାଲନ୍ତି । “ଏଭଳି ଆମେ ଓଜନ କମାଇ ଦେଇଥାଉ”, କହନ୍ତି ମଙ୍ଗଳି ବାଈ । ମଧ୍ୟାହ୍ନ ପରେ ସେମାନେ ସେହି ରାସ୍ତାରେ ୮ରୁ ୧୦ କି. ମି. ପଣ୍ଡା ଟୋଲା ଆଡ଼କୁ ଫେରନ୍ତି । ସେତେବେଳେ ସେମାନେ ପାଖାପାଖି ୨୫ କେଜି ଓଜନର ତିନି ଚାରିଟି ଲମ୍ବା ବାଉଁଶ ମୁଣ୍ଡରେ ବୋହି ଆଣିଥାନ୍ତି ।






































