ସପ୍ତାହରେ ଗୋଟିଏ ଦିନ ମଧ୍ୟ ଛୁଟି ପାଇବାକୁ ଲତାବାଈ ହକଦାର ନୁହଁନ୍ତି । ସେ ପ୍ରତିଦିନ କାମ କରନ୍ତି । ଯଦି ସେ ଅସୁସ୍ଥ ହୋଇ ପଡ଼ନ୍ତି ଏବଂ ଛୁଟି ନିଅନ୍ତି, ତେବେ ସେ କାମ କରୁଥିବା ଠିକା ସଂସ୍ଥା ତାଙ୍କଠାରୁ ଦୈନିକ ୫୦୦ ଟଙ୍କା ଜରିମାନା ଆଦାୟ କରେ ।
ଅଥଚ ଲତାବାଈ ହେଉଛନ୍ତି ଲାତୁର ସହରର ଜଣେ ପୁରସ୍କାର ପ୍ରାପ୍ତ ବର୍ଜ୍ୟବସ୍ତୁ ସଂଗ୍ରହକାରୀ ।
“ମୁଁ ଲାତୁର ସହରର ଏକମାତ୍ର ମହିଳା ଗାଡ଼ି ଚାଳକ । ମୋତେ ଦିଆଯାଇଥିବା ଆବାସିକ ଅଞ୍ଚଳଗୁଡ଼ିକୁ ସ୍ୱଚ୍ଛ ରଖିବା ପାଇଁ ୨୦୧୧ ମସିହାରେ ଲାତୁର ମହୋତ୍ସବରେ ଆମ ବିଧାୟକ ଅମିତ ଦେଶମୁଖଙ୍କଠାରୁ ମୁଁ ‘ଲାତୁର ଭୂଷଣ’ ପୁରସ୍କାର ପାଇଥିଲି,” ବୋଲି ସେ ପରୀ କୁ କହିଛନ୍ତି ।
ସେ ଆହୁରି ମଧ୍ୟ କହିଛନ୍ତି, “ପୌର ନିଗମର ଅଧିକାରୀମାନେ ମୋ ଜୋନ୍ ଯାଞ୍ଚ କରିଥିଲେ ଏବଂ ସେଠାରେ ସେମାନେ କୌଣସି ଶୁଖିଲା କିମ୍ବା ଓଦା ଆବର୍ଜନା ପାଇନଥିଲେ । ଏକ ବିରାଟ ଜନସମାଗମ ଏବଂ ମନ୍ତ୍ରୀ ଓ ସେଲିବ୍ରିଟିମାନଙ୍କ ଗହଣରେ ଏହି ପୁରସ୍କାର ଗ୍ରହଣ କରି ମୁଁ ଅଭିଭୂତ ହୋଇଯାଇଥିଲି । ମୁଁ ଭାବିଥିଲି ଯେ ବୋଧହୁଏ ଏବେ ମୋର ସଂଘର୍ଷକୁ ସ୍ୱୀକୃତି ମିଳିବ - କିନ୍ତୁ ସେତେବେଳେ ମୁଁ ଜାଣିନଥିଲି ଯେ ଏସବୁ କେବଳ ଗୋଟିଏ ଦିନ ପାଇଁ ଥିଲା, ବୋଲି ସେ କହିଛନ୍ତି ।”
ମହାରାଷ୍ଟ୍ରର ଲାତୁର ସହରର ୪୦ ବର୍ଷୀୟା ଲତାବାଈ ରସାଲ କହନ୍ତି, “ମୁଁ ୨୦୦୨ ମସିହାରୁ ଲାତୁରରେ ଆବର୍ଜନା ସଂଗ୍ରହ କରିଆସୁଛି” । ସେହି ବର୍ଷ ହିଁ ତାଙ୍କ ସ୍ୱାମୀଙ୍କର ଦେହାନ୍ତ ହୋଇଥିଲା । ସାତ ବର୍ଷ ପୂର୍ବରୁ ମାତ୍ର ୧୫ ବର୍ଷ ବୟସରେ ତାଙ୍କର ବିବାହ ହୋଇଥିଲା । ନିଜର ଏବଂ ନିଜର ପାଞ୍ଚ ସନ୍ତାନଙ୍କ ଭରଣପୋଷଣ ପାଇଁ ଜୀବିକାର ସନ୍ଧାନ କରି ସେ ବର୍ଜ୍ୟ ସଂଗ୍ରହ କାମକୁ ଆପଣେଇ ନେଇଥିଲେ ।
















