ମହିଳା ଏବଂ ପୁରୁଷଙ୍କ ପାଇଁ ସବୁବେଳେ ଭିନ୍ନ ଭିନ୍ନ ପ୍ରକାରର ଚିତା କୁଟାଯାଏ । ମହିଳାମାନେ ସେମାନଙ୍କ ଜୀବନର ବିଭିନ୍ନ ପର୍ଯ୍ୟାୟରେ, ଯେପରିକି ଯୌବନପ୍ରାପ୍ତ ହେବା ସମୟରେ କିମ୍ବା ବିବାହ ସମୟରେ ଚିତା କୁଟାଉଥିଲେ । ସେମାନଙ୍କର କିଛି ଚିତା ପରିବାରର ପୁରୁଷ ସଦସ୍ୟମାନଙ୍କ ସଫଳତା ବା ଗୌରବର ସ୍ମୃତିକୁ ମଧ୍ୟ ସମ୍ମାନ ଜଣାଉଥିଲା ।
“ଜଣେ କୋନ୍ୟାକ ମହିଳା ଜୀବନରେ ଅନେକ ପରିବର୍ତ୍ତନ ଦେଇ ଗତି କରିଥାଏ । ପିତାଙ୍କ ବଂଶରେ ଜନ୍ମ ହୋଇ ସେ ଅନ୍ୟ ଏକ ବଂଶରେ ବିବାହ କରେ । ତଥାପି, ବିବାହ ପୂର୍ବରୁ ସେ ଗ୍ରହଣ କରିଥିବା ଚିତା ହିଁ ଏକମାତ୍ର ଜିନିଷ ଯାହାକୁ ସେ ସାରା ଜୀବନ ଏବଂ ମୃତ୍ୟୁ ପରେ ମଧ୍ୟ ନିଜ ସାଥିରେ ନେଇଯାଏ । ଏହା ଏପରି ଏକ ଚିହ୍ନ ଯାହା କେବେ ବଦଳେ ନାହିଁ; ଏହି ଚିହ୍ନ ହିଁ ତାକୁ କହିଥାଏ ଯେ ସେ କିଏ ଏବଂ ସେ କେଉଁଠାରୁ ଆସିଛି" ବୋଲି ଆମୋ କୋନ୍ୟାକ କହନ୍ତି ।
ମୋନ୍ ସହରର ଜଣେ ବାସିନ୍ଦା, ସେ ତାଙ୍କ ଜେଜେବାପା ଓ ଜେଜେମା'ଙ୍କ ଶରୀରରେ ଥିବା ଚିତାଗୁଡ଼ିକୁ ମନେ ପକାନ୍ତି । 'ପିଲାଦିନେ ମୁଁ ପ୍ରାୟତଃ ଚିତା କୁଟାଇବା ବିଷୟରେ, ଏହା କିପରି କରାଯାଉଥିଲା, ଏହା କେତେ ଯନ୍ତ୍ରଣାଦାୟକ ଥିଲା ଏବଂ ଏହା ପରେ ଲୋକମାନେ କେତେ ଗର୍ବ ଅନୁଭବ କରୁଥିଲେ, ସେହି ସବୁ କାହାଣୀ ଶୁଣୁଥିଲି । ଏହି କାହାଣୀଗୁଡ଼ିକ ଲୋକକଥା ଭଳି ପିଢ଼ି ପରେ ପିଢ଼ି ଚାଲିଆସିଛି, ଯାହା ସବୁବେଳେ ଆଶ୍ଚର୍ଯ୍ୟ ଏବଂ ସମ୍ମାନର ସହ କୁହାଯାଏ । ମୋ ପାଇଁ, ଏହି ଚିତାଗୁଡ଼ିକ ସ୍ମୃତିର ମାନଚିତ୍ର ସଦୃଶ ଥିଲା, ଯାହା କେବଳ ସେମାନଙ୍କ ଚର୍ମରେ ନୁହେଁ ବରଂ ସେମାନଙ୍କର ପ୍ରକୃତ ପରିଚୟ ଓ ସତ୍ତା ଭିତରେ ଖୋଦେଇ ହୋଇ ରହିଥିଲା,' ବୋଲି ଏହି ୩୨ ବର୍ଷୀୟା ଗବେଷିକା ଶ୍ରଦ୍ଧାର ସହ କହନ୍ତି ।
ପାରମ୍ପରିକ ଭାବେ କୋନ୍ୟାକମାନେ ନରମୁଣ୍ଡ ଶିକାରୀ ଥିଲେ ଏବଂ ଯୁଦ୍ଧରେ ବିଜୟ ପରେ ପୁରୁଷମାନଙ୍କ ଶରୀରରେ ସେହି ସଫଳତାର ଚିହ୍ନ ସ୍ୱରୂପ ଚିତା କୁଟାଯାଉଥିଲା । ଏହି ବିଷୟ ଉପରେ ଅଧିକ ଧ୍ୟାନ ଦିଆଯାଉଥିବାରୁ କୋନ୍ୟାକ ଚିତା ସମ୍ପର୍କିତ ଗବେଷଣା ଏବଂ କାହାଣୀଗୁଡ଼ିକରେ ମହିଳାମାନେ ପ୍ରାୟତଃ ବାଦ୍ ପଡ଼ିଯାଇଛନ୍ତି ବୋଲି ଆମୋ କହନ୍ତି । ସେ ତାଙ୍କ ଜେଜେମା'ଙ୍କଠାରୁ ଶୁଣିଥିବା ଚିତା କାହାଣୀଗୁଡ଼ିକୁ ମନେ ପକାଇ କହନ୍ତି - 'ସେ ପ୍ରାୟତଃ ମୋତେ ଏହି ପ୍ରକ୍ରିୟା କେତେ ଯନ୍ତ୍ରଣାଦାୟକ ଥିଲା, ଚର୍ମରୁ କିପରି ରକ୍ତ ବାହାରୁଥିଲା ଏବଂ ସେହି ସ୍ଥାନ ଫୁଲିଯାଉଥିଲା, ତଥାପି ଏହା ପରେ ସେ ନିଜକୁ କେତେ ଗର୍ବିତ ଏବଂ ସୁନ୍ଦର ଅନୁଭବ କରୁଥିଲେ ଆଦି ବିଷୟରେ କହୁଥିଲେ ।
ସେହି ଗ୍ରାମର କିଛି ଦୂରରେ ରହନ୍ତି ଙ୍ଗୋନ୍ଫେ, ଯାହାଙ୍କ ବୟସ ଏବେ ସତୁରୀରୁ ଅଧିକ । ସେ ମଧ୍ୟ ତାଙ୍କ ବଡ଼ ଭଉଣୀ ଏବଂ ସମ୍ପର୍କୀୟ ଭଉଣୀମାନଙ୍କଠାରୁ ଚିତା କୁଟାଇବା କଳା ଶିଖିଥିଲେ, ଯେଉଁମାନେ କି ନିଜ ମାଆମାନଙ୍କଠାରୁ ଏହା ଶିଖିଥିଲେ । କିନ୍ତୁ, ତାଙ୍କୁ କେବେ ଏହି କଳା ପ୍ରଦର୍ଶନ କରିବାର ସୁଯୋଗ ମିଳିନଥିଲା, କାରଣ ଏହି ଅଧିକାର କେବଳ 'ରାଣୀ' - ପ୍ରଥମ ପତ୍ନୀଙ୍କ ପାଇଁ ସଂରକ୍ଷିତ ଥିଲା । ଙ୍ଗୋନ୍ଫେ ଚିତା କୁଟାଇବା କାମରେ 'ରାଣୀ'ଙ୍କୁ ସାହାଯ୍ୟ କରୁଥିଲେ - ଯଥା କଣ୍ଟା ସଂଗ୍ରହ କରିବା, କଳାକାରଙ୍କ ପାଇଁ ରୋଷେଇ କରିବା ଏବଂ ଚିତା କୁଟାଉଥିବା ବ୍ୟକ୍ତିଙ୍କୁ ଜାବୁଡ଼ି ଧରିବା, ଯେପରି ସେମାନେ ଯନ୍ତ୍ରଣାରେ ଅଧିକ ହଲଚଲ ନ ହୁଅନ୍ତି । କଥା କହିବା ବେଳେ ଙ୍ଗୋନ୍ଫେ ଯନ୍ତ୍ରଣାର ଅଭିନୟ କରି ମୁହଁ ବିକୃତ କରନ୍ତି ଏବଂ ତା’ପରେ ସେହି ପୁରାତନ ସ୍ମୃତିକୁ ମନେ ପକାଇ ଜୋର୍ରେ ହସିଉଠନ୍ତି ।
ଯେତେବେଳେ ପରୀ ତାଙ୍କୁ ଭେଟିବାକୁ ଯାଇଥିଲା, ସେ ଏକ ବାଉଁଶ କୁଡ଼ିଆରେ ବସିଥିଲେ, ଯାହା ଅଙ୍ଘଙ୍କ (ମୁଖିଆଙ୍କ) ପ୍ରାଙ୍ଗଣରେ ଥିବା ଅନେକ କୁଡ଼ିଆ ମଧ୍ୟରୁ ଗୋଟିଏ ଥିଲା । ସେ ବହୁତ ଧୀର ସ୍ୱରରେ କଥା ହୁଅନ୍ତି, ବେଳେବେଳେ ପର୍ବ ପଡ଼ିଆରୁ ଆସୁଥିବା ଜୋର୍ ଶବ୍ଦ ଓ କୋଳାହଳରେ ତାଙ୍କ ସ୍ୱର ଶୁଣି ହେଉନଥିଲା । ଯେତେବେଳେ ଆମେ ତାଙ୍କର ଫଟୋ ଉଠାଇବାକୁ କହିଲୁ, ସେ ଖୁସିରେ ଉଠିଗଲେ ଏବଂ ନିଜର ଆନୁଷ୍ଠାନିକ ତଥା ପାରମ୍ପରିକ ପୋଷାକ ଏବଂ ଅଳଙ୍କାର ପିନ୍ଧିବା ପାଇଁ ଭିତରକୁ ଗଲେ ।