“ଏଠାରେ ଧାନ ନାହିଁ, ଅଛି କେବଳ ପ୍ୟାଡ୍ । ଆପଣ ଯଦି ଆଣ୍ଡାମାନ ସାରା ଖୋଳିବେ, କେବଳ ପ୍ୟାଡ୍ ହିଁ ମିଳିବ !” ପରିହାସ ଛଳରେ କହନ୍ତି ସୀମା, ଏବଂ ତାଙ୍କ କଥା ଶୁଣି ହସି ଉଠନ୍ତି ଅନ୍ୟ ଚାରି ଜଣ ମହିଳା ।
ବନ୍ଦୁର ଗାଁରେ ପ୍ରାୟ ସବୁ ଘରର ବାଡ଼ିପଟେ ଏମିତି ଗୋଟିଏ ଲେଖାଏଁ କୋଣ ରହିଛି ଯାହାକୁ ଛକ ଚିହ୍ନ (X) ଦେଇ (ଲାଲ ରଙ୍ଗରେ) ଚିହ୍ନିତ କରିବାର ଆବଶ୍ୟକତା ନାହିଁ । ବିନା ମାନଚିତ୍ରରେ ବି ପରିବାରର ମହିଳାମାନେ ଏହାକୁ ଚିହ୍ନି ପାରିବେ; ସେହି ସ୍ଥାନ, ଯେଉଁଠି ମାସିକ ଋତୁସ୍ରାବ ସମୟରେ ସେମାନଙ୍କ ଦ୍ୱାରା ବ୍ୟବହୃତ ସାନିଟାରି ନାପ୍କିନ୍ ସବୁ ପୋତା ହୋଇଥାଏ। ହେଲେ, ସେମାନଙ୍କ ଦ୍ୱାରା ବର୍ଜ୍ୟ ସାମଗ୍ରୀ ପୋତା ହେଉଥିବା ସେହି ସ୍ଥାନ ମୋତେ ଦେଖାଇବାକୁ ମଣ୍ଡଲ ଘରର ଝିଅମାନେ ଲାଜ ଲାଜ ହୋଇ ଅନିଚ୍ଛା ପ୍ରକାଶ କରୁଥିଲେ ।
“ମାସକ ଯାକର ପ୍ୟାଡ୍ ଆମେ ଏକାଠି କରୁ,” ସୀମା କହି ଚାଲନ୍ତି, “ଏବଂ ମାଟିରେ ଗାତଟିଏ ଖୋଳି ସେଥିରେ ପୋତି ଦେଉ । ଏଠାକାର ସମସ୍ତେ ନିଜ ନିଜ ଘର ପାଖରେ ସେମାନଙ୍କର ଏହି ଆବର୍ଜନାକୁ ପୋତି ଦିଅନ୍ତି । ଏଥିପାଇଁ ଆମ ଘରକୁ ଲାଗି ଜାଗାଟିଏ ରହିଛି, ହେଲେ ଏବେ ସେସବୁ ସ୍ଥାନରେ କାଦୁଅ ଜମି ରହିଥିବାରୁ ଆମେ ଏହାକୁ ଘରର ଗୋଟିଏ କୋଣରେ ରଖୁ ଏବଂ ପରେ ପୋତି ଦେଉ । ବେଳେବେଳେ ସେଗୁଡ଼ିକୁ ଆମେ ସେହି ଏକା ଗାତରେ ପୋତି ଦେଉ, ଆଉ ବେଳେବେଳେ ନୂଆ ଗାତ ଖୋଳୁ,” ସେ କହନ୍ତି ।
ଦକ୍ଷିଣ ଆଣ୍ଡାମାନ ଜିଲ୍ଲାର ଏହି ଗାଁରେ, ଗୋଟିଏ ପକ୍କା ଘର ବାହାରେ ବସି ଏହି ପାଞ୍ଚ ଜଣ ମହିଳା ମାସିକ ଋତୁସ୍ରାବ ଏବଂ ସେ ସମୟରେ ବ୍ୟବହୃତ ସାମଗ୍ରୀକୁ ନଷ୍ଟ କରିବା ସଂପର୍କରେ କଥାବାର୍ତ୍ତା କରୁଥିଲେ । “ଏ ସଂପର୍କରେ କିଏ ବା କାହିଁକି ଆଲୋଚନା କରିବାକୁ ଚାହିଁବ ? ଆମେ ଏସବୁ ବିଷୟରେ କେବେ କଥାବାର୍ତ୍ତା କରୁନାହିଁ,” ଆମ କଥାବାର୍ତ୍ତା ମଝିରେ ବାଧା ଦେଇ ମଣ୍ଡଲ ପରିବାରର ମହିଳା ମୁଖିଆ ୭୨ ବର୍ଷୀୟା ଊର୍ମିଳା କହନ୍ତି । ତାଙ୍କ ପରିବାର ସେହି ବଙ୍ଗାଳୀ ବାସିନ୍ଦାଙ୍କ ମଧ୍ୟରୁ ଅନ୍ୟତମ। ଯେଉଁମାନେ ବିଭିନ୍ନ ସମ୍ପ୍ରଦାୟରୁ ଏହି କେନ୍ଦ୍ରଶାସିତ ପ୍ରଦେଶକୁ ଆସି ଅନେକ ପିଢ଼ି ଧରି ବସବାସ କରି ଆସୁଛନ୍ତି।
“ଆମର ଋତୁସ୍ରାବ ସମୟ ସଂପର୍କରେ ଆମକୁ କେହି କିଛି କହି ନଥିଲେ, ସେ କହନ୍ତି । “ବଙ୍ଗଳାରେ ସେମାନେ ଏହାକୁ ମାସିକ୍ (ମାସିକ) ବୋଲି କହନ୍ତି । ଏହା ଘଟିଲେ ହିଁ ଆମେ ଏ ସଂପର୍କରେ ଜାଣୁ । ମୁଁ ମୋ ବଡ଼ ଭଉଣୀଙ୍କ ପାଖରୁ ଜାଣିଲି । ସେ ସମୟରେ ଆମେ ଘର ଛାଡ଼ି ସ୍କୁଲ କିମ୍ବା ମନ୍ଦିରକୁ ଯାଉନାହିଁ । ଘରେ ରହିଥିବା ସମୟରେ ଆମେ ରନ୍ଧାଘର ଭିତରକୁ ଯାଉନାହିଁ । ଏସବୁ ଥିଲା ନୀତିନିୟମ । ଆମେ ସେଥିରୁ କୌଣସିଟିକୁ ଅମାନ୍ୟ କରିନାହୁଁ, ତେଣୁ ସେପରି କଲେ କ’ଣ ହେବ ମୁଁ ଜାଣିନି,” ସେ କହନ୍ତି ।
ମଣ୍ଡଲ ପରିବାରର ଘର ବାହାରେ ଏକାଠି ହୋଇଥିବା ଏହି ମହିଳାମାନେ ଥିଲେ ତିନିଟି ଭିନ୍ନ ଭିନ୍ନ ପିଢ଼ିର । ସତୁରୀ ବର୍ଷରୁ ଅଧିକ ବୟସର ଊର୍ମିଳା ଥିଲେ, ତାଙ୍କ ବୋହୂ ୪୧ ବର୍ଷୀୟା ସୀମା ମଣ୍ଡଲ, ସୀମାଙ୍କ ଦୁଇ ଝିଅ ୧୭ ବର୍ଷର ବାଣୀ ଏବଂ ୨୧ ବର୍ଷର ଶିକା, ଏବଂ ସେମାନଙ୍କର ଜଣେ ସଂପର୍କୀୟା ୩୩ ବର୍ଷୀୟା ଶିବାନୀ ମଣ୍ଡଲ ଥିଲେ । ସେମାନେ ସମସ୍ତେ ନିଜ ନିଜ ଉପାୟରେ ସମାଜର ସେହି ସବୁ ପରମ୍ପରା ପାଳନ କରିଆସିଥିଲେ । ସେହି ସମାଜ, ଯେଉଁଠି ଏବେ ବି ପୁରୁଣାକାଳିଆ ବାସନ୍ଦ ପ୍ରଥା ରହିଆସିଛି ।













