“ପ୍ରତ୍ୟେକ ଅଙ୍ଗାମି ବ୍ୟକ୍ତି ଗୋଟିଏ ଖୋଫି କେମିତି ବୁଣାହୁଏ ଜାଣିବା ଦରକାର”, କହନ୍ତି ନାଗାଲାଣ୍ଡର ଖୋନୋମା ଗାଁର ୩୯ ବର୍ଷ ବୟସ୍କ ପେଲେସେଲି କୁଓଟସୁ । ଜୁସା (ବାଉଁଶ) ଓ ଥୁନି (ବେତ)ରେ ତିଆରି ହେଉଥିବା ଖୋଫିଗୁଡ଼ିକ ହେଉଛି ଜାଳେଣି କାଠ, ଚାଉଳ, ଅମଳ ହେଉଥିବା ଫସଲ ଓ ଉତ୍ସବ ପାଇଁ ଦରକାରୀ ଜିନିଷ ରଖିବା ପାଇଁ ପାରମ୍ପରିକ ଅଙ୍ଗାମି ଡାଲାଗୁଡ଼ିକୁ ବ୍ୟବହାର କରାଯାଏ । “ଆମ ପରମ୍ପରାରେ ଏହାର ଭୂମିକା ଅତି ଗୁରୁତ୍ୱପୂର୍ଣ୍ଣ । ଏହା ଏପରି କିଛି ଯାହାକୁ ଆମେ ଚିରକାଳ ପାଇଁ ଗୁରୁତ୍ଵ ଦେବା ଆବଶ୍ୟକ”, ସେ ଯୋଗ କରନ୍ତି ।
ଏକଦା ଗୋଷ୍ଠୀଗତ ଜୀବନ ଓ ଜୀବିକାର ଅବିଚ୍ଛେଦ୍ୟ ଅଙ୍ଗ ଥିବା ଖୋଫି ବୁଣିବା, ଆଜି ଖୋନୋମାର ମାତ୍ର ୧୫ଟି କମ୍ ଘରେ ବଞ୍ଚି ରହିଛି, ଅଧିକାଂଶତଃ ବୟସ୍କ ଲୋକମାନଙ୍କ ଦ୍ଵାରା, ଯେଉଁମାନଙ୍କ ଭିତରୁ ପେଲେସେଲି କେବଳ ଜଣେ ବ୍ୟତିକ୍ରମ ।
ପଚାଶ ବର୍ଷ ବୟସରୁ ଊର୍ଦ୍ଧ୍ଵ କେପେ ଥୋଟୋ ବାଉଁଶ ବତାକୁ ଚିରି ପାତିଆ କଲାବେଳେ ତାଙ୍କ ଅଭ୍ୟାସଗତ ହାତ ଏକଦମ ମାପଚୁପରେ ବୁଲେ, ସେ ବାଉଁଶ ଆଡ଼ି, କାଠ ଓ ବେତରେ ଶୁଖିଲା ପତ୍ର ବାନ୍ଧି ଘୋଡ଼ା ହୋଇଥିବା ସ୍ୱଳ୍ପ ଆଲୋକିତ ତେରହୁ ଭିତରେ ବସିଥାନ୍ତି । ତେରହୁ ଯୋଗୁଁ ମଧ୍ୟାହ୍ନ ସୂର୍ଯ୍ୟର ଟାଣ ଖରାକୁ କାଟି ଛାଇ ପ୍ରଦାନ କରେ ।
“ମୁଁ ବାଉଁଶ ଡାଲା ବୁଣୁଥିବା ପରିବାରରୁ ଆସିଛି । ମୋ ଦାଦାପୁଅ ଭାଇମାନେ ଓ ମୁଁ, ଆମେ ସମସ୍ତେ ଖୋଫି ଡାଲା ବୁଣିବା କାରୁକାମ ଜାଣିଛୁ”, କହନ୍ତି କେପେ, କହିଲା ବେଳକୁ ସେ ବାଉଁଶ ପାତିଆ ପ୍ରସ୍ତୁତ କରୁଥାନ୍ତି ।
ଅଙ୍ଗାମି ନାଗାଲାଣ୍ଡର ୧୭ଟି ଚିହ୍ନିତ ଜନଜାତିଗୁଡ଼ିକ ମଧ୍ୟରୁ ଗୋଟିଏ । ଖୋନୋମା ହେଉଛି ୧୮୦୦ରେ [ଅଠରଶ ଶତାବ୍ଦୀରେ] ବ୍ରିଟିଶ ଶାସନ ବିରୁଦ୍ଧରେ ସଂଘଟିତ ହୋଇଥିବା ନାଗା ପ୍ରତିରୋଧର ଐତିହାସିକ ସ୍ଥଳ । ଅଙ୍ଗାମି ଗାଁଟି ରାଜ୍ୟ ରାଜଧାନୀ କୋହିମାଠାରୁ ପଶ୍ଚିମରେ ୨୦ କି. ମି. ଦୂରରେ ଅବସ୍ଥିତ, ଏବଂ ଗୋଷ୍ଠୀଗତ ସଂରକ୍ଷଣ ଧାରା ଦ୍ୱାରା ପାଖ ଜଙ୍ଗଲରେ ଶିକାର କରିବା ଓ କାଠ କାଟିବାକୁ ବାରଣ କରିଯିବା ସହ ଏଠାରେ ଜୈବିକ ପଦ୍ଧତିରେ ଚାଷ ହୁଏ ।
୨୦ ବର୍ଗ କି. ମି. ପାହାଡ଼ିଆ ଅଞ୍ଚଳରେ ବ୍ୟାପି ଥିବା ଏହି ଗାଁଟି ପଥର ବନ୍ଧା ରାସ୍ତା, ସୋପାନ ପ୍ରଣାଳୀରେ ଧାନ ଚାଷ ଓ ପାରମ୍ପରିକ ଘର ଆଗରେ ବଢ଼ିଆ ଭାବେ ଥାକମାରି ଥୁଆ ହୋଇଥିବା ଜାଳେଣି କାଠ ଗଦା ପାଇଁ ପରିଚିତ ।
ମାତ୍ର ୪୦୦ରୁ କିଛି ଅଧିକ ଘର ରହିଥିବା ଏହି ଗାଁଟିର ଜନସଂଖ୍ୟା ୧,୯୪୩ (୨୦୧୧ ଜନଗଣନା), ଯେଉଁମାନେ ମୁଖ୍ୟତଃ ପଥୁରିଆ ଜମିର ସୋପାନରେ ଧାନ ଚାଷ, ପୋଡ଼ୁ ଚାଷ ଓ ଜଙ୍ଗଲଜାତ ଦ୍ରବ୍ୟ ଉପରେ ନିର୍ଭର କରି ଜୀବନଧାରଣ କରନ୍ତି । ଚତୁଃପାର୍ଶ୍ଵର ଜଙ୍ଗଲକୁ, ବିଶେଷ କରି ଖୋନୋମା ପ୍ରକୃତି ସଂରକ୍ଷଣ ଓ ଟ୍ରାଗୋପାନ ଅଭୟାରଣ୍ୟକୁ ଗୋଷ୍ଠୀ ପକ୍ଷରୁ ସୁରକ୍ଷା ଦିଆଯାଏ ।


















