ଅର୍ଜିନା ବିବିଙ୍କର ପ୍ରିୟ ସ୍ମୃତି ପଶ୍ଚିମବଙ୍ଗର ଉତ୍ତର 24 ପ୍ରଗଣା ଜିଲ୍ଲାର ବାପଘର ଓ ତାଙ୍କ ମାଆ ଓ ଜେଜେମାଆଙ୍କୁ ନେଇ ରହିଛି। ପୂର୍ବପୁରୁଷଙ୍କଠାରୁ ଶିକ୍ଷା କରିଥିବା ଛୁଞ୍ଚି କାରିଗରୀ ବିଷୟରେ ସେ କହନ୍ତି ‘‘ମୁଁ ମୋର କାମରେ ମୋ ଜେଜେମାଆଙ୍କ ଶୈଳୀର ପ୍ରତିଫଳନ ଦେଖିପାରେ ସେ ଯେପରି ଗୋଟିଏ ସ୍ତର ଉପରେ ଆଉ ଗୋଟିଏ ସ୍ତର ଛକି ମାରି ସିଲେଇ କରିଥାନ୍ତି ଏବଂ ଏମ୍ବ୍ରୋଡରୀରେ ଫୁଲ ଭିତରକୁ ଭରି ଦେଇଥାନ୍ତି’’। ‘‘ମୁଁ ଯାହା ଜାଣିଛି, ସବୁକିଛି ଦେଖି ଦେଖି ଶିଖିଛି । ମୁଁ ଏବେ ବି ସେମାନଙ୍କ ପରି ସିଲେଇ କରେ,’’ ଅର୍ଜିନା କହନ୍ତି।
ତିନି ଦଶନ୍ଧି ଧରି କାରିଗର ଭାବରେ କାମ କରୁଥିବା ଅର୍ଜିନା କହନ୍ତି ଯେ ଏହି କାରିଗରୀ କୌଶଳ ଯୋଗୁଁ ସେ ତାଙ୍କ ପରିବାରର ଆର୍ଥିକ ଆବଶ୍ୟକତା ପୂରଣ କରିବାକୁ ସକ୍ଷମ ହୋଇଛନ୍ତି । ଏବେ ଚାଳିଶ ଦଶକରୁ ଅଧିକ ବୟସରେ ଉପନୀତ ଅର୍ଜିନା ଛଅ ଜଣ କନ୍ଥା କାରିଗର ଗୋଷ୍ଠୀ ସହିତ ସ୍ଥାନୀୟ କାରିଗରଙ୍କ ସହ କାର୍ଯ୍ୟ ଆରମ୍ଭ କରିଛନ୍ତି।
ପଶ୍ଚିମବଙ୍ଗର ଉତ୍ତର ୨୪ ପ୍ରଗଣା ଜିଲ୍ଲାର ବର୍ସାତ ସହର ଉପକଣ୍ଠରେ ଜୁଲାଇ ମାସର ତାତିଲା ଅପରାହ୍ଣରେ ଆମେ କାର୍ଯ୍ୟସ୍ଥଳରେ ଅର୍ଜିନାଙ୍କୁ ଭେଟିଥିଲୁ । ତାଙ୍କର ପଡ଼ୋଶୀ ଏବଂ ତାଙ୍କର ସହକର୍ମୀ ନୁର୍ନାହାର ବିବିଙ୍କର ବୈଠକ ଖାନାରେ ଅସ୍ଥାୟୀ କାରଖାନା ସେଟ୍ଅପ୍ରେ ସୂତା ବକ୍ସ, କତୁରୀ ଏବଂ ଟ୍ରେସିଂ ପେପର୍ ଚାରିଆଡ଼େ ବିଛାଇ ହୋଇ ପଡ଼ିଥିଲା । ମହିଳାମାନେ କନ୍ଥା କାରିଗରୀ ପାଇଁ ନିର୍ଦ୍ଦିଷ୍ଟ କ୍ରମାଗତ ଷ୍ଟିଚ୍ ବା ସିଲେଇ ବ୍ୟବହାର କରି କପଡ଼ା ଉପରେ ଏମ୍ବ୍ରୋଡରୀ କରୁଥିଲେ।
୩୫ ବର୍ଷ ବୟସ୍କ ନୁର୍ନାହାର କହନ୍ତି ‘‘ମୋ ସ୍ୱାମୀ କନ୍ଥାର ଡିଷ୍ଟ୍ରିବ୍ୟୁଟର ବା ବିତରଣକାରୀ ଭାବରେ କାମ କରନ୍ତି । ‘‘ମୁଁ କିଛି ଏମ୍ବ୍ରୋଡରୀ କାମ କରି ତାଙ୍କୁ ସାହାଯ୍ୟ କରିଥାଏ।’’ ମୋ ସ୍ୱାମୀ ମହମ୍ମଦ ଜଲାଲଉଦ୍ଦିନ୍, ବୟସ ୪୩ ବର୍ଷ ଓ ତାଙ୍କର ପରିବାର ତିନି ପୁରୁଷ ଧରି କନ୍ଥା କାରବାର କରି ଆସୁଛନ୍ତି । ‘‘ସେ ଜଣେ କୁଶଳୀ କନ୍ଥା କାରିଗର ଏବଂ ଭାରି ଭଲ ଏମ୍ବ୍ରୋଡରୀ କରନ୍ତି’’, ଅଳ୍ପ ହସି ଦେଇ କହନ୍ତି ନୁର୍ନାହାର।
ତାଙ୍କ ପାଖରେ ଥିବା ଜଲାଲଉଦ୍ଦିନଙ୍କୁ ଶୁଣାଇ ଶୁଣାଇ ଉପହାସ କରି ଅର୍ଜିନା କହନ୍ତି, ‘‘ଝିଅମାନେ ଅଧିକ ଭଲ ଭାବରେ କରନ୍ତି, କାରଣ ଆମେ ମନ ଦେଇ ଶିଖିଛୁ, ଆଉ ମନ ଧ୍ୟାନ ଦେଇ କନ୍ଥା ତିଆରି କରୁ । ପୁଅ ପିଲାମାନେ ତାହାକୁ କେବଳ ଗୋଟିଏ କାମ ବୋଲି ଭାବନ୍ତି ।
















