ମଣିପୁରର କାଙ୍ଗପୋକପୀ ଜିଲ୍ଲାରେ ୪୦ କୁକୀ-ଜୋ ଆଦିବାସୀ ପରିବାର ରହୁଥିବା ଗୋଟିଏ ଛୋଟ ଗାଁ ନାହମୁନ ଗୁନ୍ଫାଇଜାଙ୍ଗ ଆଡ଼କୁ ଦୁଇ ଜଣ ବ୍ୟକ୍ତି ଆଗକୁ ବଢ଼ୁଛନ୍ତି। ସେମାନେ ଘଞ୍ଚ ବୁଦାଗୁଡ଼ିକୁ କାଟିବା ସହିତ ପାହାଡ଼ ଚଢ଼ି ନିଜର ଚାଷ ଜମି ଆଡ଼କୁ ଯାଉଛନ୍ତି। ସେପ୍ଟେମ୍ବର ୨୦୨୩ର ଏହି ଦିନରେ ଆକାଶରେ ବାଦଲ ରହିଛି ଏବଂ ସେମାନଙ୍କ ଚତୁର୍ଦ୍ଦିଗରେ ଜଙ୍ଗଲୀ ବୁଦା ଉଠିଛି।
ମାତ୍ର କିଛି ବର୍ଷ ପୂର୍ବରୁ ଏସବୁ ପାହାଡ଼ ପୋସ୍ତ ଉଦ୍ଭିଦ (ପେପେଭର୍ ସେମ୍ନିଫେରମ୍)ର ସୁନ୍ଦର ଧଳା, ବାଇଗଣୀ-ଗୋଲାପୀ ଫୁଲରେ ଆଚ୍ଛାଦିତ ହୋଇ ରହିଥିଲା।
ସାଙ୍ଗରେ ଯାଉଥିବା ଜଣେ ଚାଷୀ ପାଓଲାଲ କୁହନ୍ତି, ‘‘ମୁଁ ୧୯୯୦ ଦଶକ ପ୍ରାରମ୍ଭରେ ଗାଞ୍ଜା (କ୍ୟାନବିସ୍ ସେଟାଇଭା ବା ଗଞ୍ଜେଇ) ଚାଷ କରୁଥିଲି, କିନ୍ତୁ ସେତେବେଳେ ଅଧିକ ଟଙ୍କା ମିଳୁନଥିଲା। ୨୦୦୦ ଦଶକ ପ୍ରାରମ୍ଭରେ ଲୋକମାନେ ଏସବୁ ପାହାଡ଼ରେ କାନୀ (ପପୀ ବା ଅଫିମ) ଚାଷ ଆରମ୍ଭ କଲେ। ମୁଁ ସେହି ଚାଷ ମଧ୍ୟ କଲି। କିଛି ବର୍ଷ ପୂର୍ବରୁ ଏହି ଚାଷ ଉପରେ ପ୍ରତିବନ୍ଧକ ଲାଗୁ ହେବା ପର୍ଯ୍ୟନ୍ତ ମୁଁ ଏହାକୁ ଜାରି ରଖିଥିଲି।
ପାଓଲାଲ ୨୦୨୦ ମସିହାର ଶୀତ ଦିନ କଥା ସୂଚନା ଦେଇ କୁହନ୍ତି, ‘‘ଯେତେବେଳେ ନାହ୍ମୁନ୍ ଗୁନଫାଇଜାଙ୍ଗର ମୁଖିଆ ଏସ.ଟି. ଥାଙ୍ଗବୋଇକିପଗେନ୍ ଗାଁରେ ଅଫିମ ଚାଷକୁ ବିଲୋପ କରିବା ଏବଂ ଚାଷୀଙ୍କୁ ଏହାର ଚାଷ ସମ୍ପୂର୍ଣ୍ଣ ବନ୍ଦ କରିବା ପାଇଁ ଅନୁରୋଧ କରିଥିଲେ। ସେ ଏକାକୀ ଏହି ନିଷ୍ପତ୍ତି ନେଇନଥିଲେ, ବରଂ ରାଜ୍ୟରେ ବିଜେପି ସରକାରଙ୍କ ଆକ୍ରମଣାତ୍ମକ ‘ନିଶାଦ୍ରବ୍ୟ ବିଲୋପ’ ଅଭିଯାନ ଅଧୀନରେ ଏହି ନିର୍ଣ୍ଣୟ ନିଆଯାଇଥିଲା।
ପୋସ୍ତ ଉଦ୍ଭିଦରୁ ଅତ୍ୟଧିକ ନିଶାଯୁକ୍ତ ଦ୍ରବ୍ୟ ଅଫିମ ପ୍ରସ୍ତୁତ କରାଯାଏ। ମଣିପୁରର ପାହାଡ଼ି ଜିଲ୍ଲା ଚୁରାଚାନ୍ଦପୁର, ଉଖରୁଲ, କାମଜୋଙ୍ଗ, ସେନାପତି, ତମେଙ୍ଗଲଙ୍ଗ, ଚାନ୍ଦେଲ, ତେଙ୍ଗନୌପଲ ଏବଂ କାଙ୍ଗପୋକପୀରେ ମୁଖ୍ୟତଃ ଏହାର ଚାଷ ହୋଇଥାଏ। କାଙ୍ଗପୋକପୀରେ ରହୁଥିବା ଅଧିକାଂଶ ଲୋକ କୁକୀ-ଜୋ ଜନଜାତି ସମ୍ପ୍ରଦାୟର ଅଟନ୍ତି।
ପାଞ୍ଚ ବର୍ଷ ପୂର୍ବରୁ ନଭେମ୍ବର ୨୦୧୮ରେ ମୁଖ୍ୟମନ୍ତ୍ରୀ ବୀରେନ୍ ସିଂହଙ୍କ ନେତୃତ୍ୱାଧୀନ ବିଜେପି ସରକାର ରାଜ୍ୟରେ ‘ନିଶାଦ୍ରବ୍ୟ ବିଲୋପ’ ଅଭିଯାନ ଆରମ୍ଭ କରିଥିଲେ। ସିଂହ ପାହାଡ଼ିଆ ଜିଲ୍ଲାର ଗାଁ ମୁଖିଆମାନଙ୍କୁ ଏବଂ ଚର୍ଚ୍ଚଗୁଡ଼ିକୁ ସେମାନଙ୍କ ଅଞ୍ଚଳରେ ପୋସ୍ତ ଚାଷ ବନ୍ଦ କରିବା ପାଇଁ ଅପିଲ୍ କରିଥିଲେ।









